ସକାରାତ୍ମକ ଚିନ୍ତାଧାରା ସମୟର ଆହ୍ବାନ

ଶରତ କୁମାର ଦାସ

ବିଖ୍ୟାତ ଗ୍ରୀକ୍‌ ଦାର୍ଶନିକ ଆରିଷ୍ଟଟଲଙ୍କ ମତରେ, ‘ମନୁଷ୍ୟ ଏକ ସାମାଜିକ ପ୍ରାଣୀ। ସେ ସମାଜରେ ବାସ କରେ। ସମାଜ ବିନା ଯେ ବଞ୍ଚେ ସେ ହୁଏତ ପଶୁ କିମ୍ବା ଦେବତା ହୋଇପାରେ।’ ସୁତରାଂ ସାମାଜିକତା ମନୁଷ୍ୟର ଧର୍ମ। ସମାଜର ସାମୂହିକ କାର୍ଯ୍ୟରେ ଯୋଗଦାନ କରିବା ତା’ର ସର୍ବଶ୍ରେଷ୍ଠ କର୍ମ। ଏହାଦ୍ବାରା ନିଜର ମଙ୍ଗଳ ହେବା ସହିତ ସମାଜର ସାମୂହିକ କଲ୍ୟାଣ ହୋଇଥାଏ।
ପାଶ୍ଚାତ୍ୟ ଦାର୍ଶନିକମାନଙ୍କ ମଧ୍ୟରେ ବ୍ରିଟିଶ୍‌ ଦାର୍ଶନିକ ହବ୍ସ ମନୁଷ୍ୟକୁ ନିକୃଷ୍ଟତର ଜୀବ ରୂପେ ପ୍ରତିପାଦିତ କରି ଅନେକ ମନ୍ଦ ଗୁଣାବଳୀର ଅଧିକାରୀ ବୋଲି ମତବ୍ୟକ୍ତ କରିଥିଲେ। ବିଶିଷ୍ଟ ଇଟାଲି ଦାର୍ଶନିକ ମାକିଆଭେଲୀ ମନୁଷ୍ୟକୁ ଅକୃତଜ୍ଞ, ପ୍ରବଞ୍ଚକ ଓ ଅମାନବୀୟ ବୋଲି କହି ଘୃଣା କରିଥିଲେ; ମାତ୍ର ଅନ୍ୟ ଜଣେ ବ୍ରିଟିଶ ଦାର୍ଶନିକ ଲକ୍‌ ମନୁଷ୍ୟକୁ ଉତ୍ତମ ସାମାଜିକ ଜୀବ ରୂପେ ଦର୍ଶାଇଥିଲେ। ଅବଶ୍ୟ ହବ୍ସ ହୁଅନ୍ତୁ ଅବା ମାକିଆଭେଲୀ ତତ୍କାଳୀନ ସାମାଜିକ ଅବସ୍ଥା ଦ୍ବାରା ସେମାନେ ପ୍ରଭାବିତ ହୋଇ ମନୁଷ୍ୟର ପ୍ରକୃତି ଉପରେ ଏଭଳି ନକାରାତ୍ମକ ମନ୍ତବ୍ୟ ପ୍ରଦାନ କରିଥିଲେ। କିନୁ ଲକ୍‌ ମନୁଷ୍ୟର ସ୍ବର୍ଗୀୟ ଗୁଣାବଳୀ ପ୍ରତି ସଚେତନ ଥିଲେ। କହିବାର ତାତ୍ପର୍ଯ୍ୟ ଏହି କି ଯେ, ସାମାଜିକ ଜୀବ ମନୁଷ୍ୟ କେବେ ବି ଖରାପ ନ ଥିଲେ। ଏବେ ବି ନୁହନ୍ତି। ସେ ଅନ୍ୟ ପ୍ରାଣୀଠାରୁ ଶ୍ରେଷ୍ଠ। ନୀତିନିଷ୍ଠ ଜୀବନ ମଣିଷର ସମଗ୍ର ଜୀବନକୁ ପରିପୂର୍ଣ୍ଣ କରେ। ବ୍ୟକ୍ତି ନିଜର ବହୁମୁଖୀ ପ୍ରତିଭାର ବିକାଶ ନିମନ୍ତେ ସମାଜ ଉପରେ ଏକାନ୍ତ ନିର୍ଭରଶୀଳ। ସେହିଭଳି ସମାଜ ମଧ୍ୟ ବ୍ୟକ୍ତିର ସାମାଜିକ ଗୁଣାବଳୀର ଯଥାର୍ଥ କାର୍ଯ୍ୟକାରିତା ଉପରେ ଗୁରୁତ୍ୱ ଆରୋପ କରିଥାଏ। ସୁତରାଂ ବ୍ୟକ୍ତିସର୍ବସ୍ବ ଚିନ୍ତାଧାରା, ସଙ୍କୁଚିତ ତଥା କୁତ୍ସିତ ମନୋଭାବ ଓ ଉଦ୍ଭ୍ରାନ୍ତ ମାର୍ଗଦର୍ଶିକା ସାମାଜିକ ବିକାଶର ଯେ ପରିପନ୍ଥୀ ଏହା ନିଃସନ୍ଦେହରେ କୁହାଯାଇପାରେ।
ବିଶ୍ବ ସଂସ୍କୃତିର ମହାମିଳନ ହୋଇଛି ଭାରତ ମାଟିରେ। ସଂଯମତା ଓ ସ୍ବାର୍ଥହୀନତା ଏ ମାଟିର ଭିତ୍ତିଭୂମି। ଏଠାରେ ଆଧ୍ୟାତ୍ମିକତା ଓ ଆଧୁନିକତା ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ସମନ୍ବୟ ଦେଖିବାକୁ ମିଳେ। ଏ ସବୁ ଦିଗରେ ବିଚାର କଲେ ପାଶ୍ଚାତ୍ୟ ଦେଶଠାରୁ ଆମ ଦେଶର ମହାନତା ଓ ଉଦାରତା ନିଶ୍ଚୟ ଅଧିକ। ମାତ୍ର ସାଂପ୍ରତିକ ପରିସ୍ଥିତିରେ ସମାଜର ଚିତ୍ରରେ ପରିବର୍ତ୍ତନ ଲକ୍ଷ୍ୟ କରାଯାଏ। କେବଳ ଭାରତରେ ନୁହେଁ, ସମଗ୍ର ବିଶ୍ବର ନୀତି ନୈତିକତାରେ ପରିବର୍ତ୍ତନ ଆସିଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ମନୁଷ୍ୟର ପ୍ରକୃତି ଓ ଚରିତ୍ରରେ ବିଶ୍ବସନୀୟତାର ଚିହ୍ନ କ୍ରମଶଃ ନିଷ୍ପ୍ରଭ ହେବାରେ ଲାଗିଛି। ଅତୀତରେ ଦୁଇ ଦୁଇଟି ବିଶ୍ବଯୁଦ୍ଧ ପୃଥିବୀ ସମ୍ମୁଖୀନ ହୋଇଛି। ବହୁ ଧନ ଜୀବନ ହାନିହୋଇଛି। ଅନେକ ମହାମାରୀର କରାଳତା ଓ ଭୟାବହତା ପୃଥିବୀ ମଧ୍ୟ ସାମ୍‌ନା କରିଛି। ଏବେ ମଧ୍ୟ ମହାମାରୀର ସମ୍ମୁଖୀନ ହୋଇଛି। ପ୍ରତିଟି ମୁହୂର୍ତ୍ତରେ ମଣିଷ ଧ୍ବଂସ ପଥରେ ଅଗ୍ରସର ହେଉଛି। ନୂଆ ଅତ୍ୟାଧୁନିକ ଜ୍ଞାନ କୌଶଳ ପ୍ରୟୋଗ ପୂର୍ବକ ଉନ୍ନତମାନର ଯୁଦ୍ଧ ଅସ୍ତ୍ରଶସ୍ତ୍ର ନିର୍ମାଣ ଚାଲିଛି। ନିରସ୍ତ୍ରୀକରଣର ରାଜିନାମା କେଉଁଠି ନା କେଉଁଠି ବିଫଳ ହେଉଛି। ଏଭଳି ପ୍ରତିକୂଳ ପରିସ୍ଥିତି ମଧ୍ୟରେ ମାନବ ଏକ ଅନିଶ୍ଚିତତାବାଦ ଅଭିମୁଖେ ସତତ ଅଗ୍ରସର।
ସମଗ୍ର ବିଶ୍ବରେ ଅନେକ ସମସ୍ୟା ଏବେ ବି ପ୍ରଗତିର ଗତି ଅବରୋଧ କରୁଛି। ଅଶିକ୍ଷା, ଅସ୍ବାସ୍ଥ୍ୟ, ବେକାରି ,ଦୁର୍ଭିକ୍ଷ, ଚୋରି, ଡକାୟତି, ଠକାମି, ଗୁଣ୍ଡାମି ପ୍ରଭୃତିର ଦୂରୀକରଣ ନିମନ୍ତେ କାହାର ଯେପରି ନିଘା ନାହିଁ। ମଣିଷ ସମାଜ ପ୍ରତି ସବୁଠାରୁ ବିପଦ ସୃଷ୍ଟି କରିଛି ନିଶାର ମାୟାଜାଲ। ଅଧିକାଂଶ ମନୁଷ୍ୟ ନିଶା ରାକ୍ଷାସର କବଳରେ ଚିତ୍କାର କରୁଛନ୍ତି, ମାତ୍ର ମୁକ୍ତି ନାହିଁ। ଭାରତର ସାମ୍ପ୍ରତିକ ପରିସ୍ଥିତି ମଧ୍ୟ ଅତ୍ୟନ୍ତ ଦୁର୍ବିସହ। ଯେଉଁ ଭୂମି ଅନ୍ୟର ମଙ୍ଗଳ ଗାନରେ ସତମୁଖର ହେଉଥିଲା, ସେହି ମାଟିର ମଣିଷ ଆଜି ସାଜିଛି ବିବେକହୀନ ପଶୁ। ଶୋଷଣ, ବଳାତ୍କାର, ନିର୍ଯାତନା, ଦୁର୍ନୀତି ପ୍ରଭୃତିର କଳାଗୁଣଗୁଡିକ ଚନ୍ଦନ ସମ ଲେପିଛୁ ଆମେ ଆମ ଆପାଦମସ୍ତକ। ଯେତେ କଡା ଆଇନକାନୁନ୍‌ ହେଉ ପଛକେ ସେଥିରୁ କିଭଳି ସହଜରେ ଖସିହେବ ସେ ଅନ୍ଧାରୀ ବାଟ ଖୋଜିପାଇବାରେ ଆମେ ଯେପରି ମାହିର। ନିର୍ଯାତନା ଓ ବଳାତ୍କାର ବୃଦ୍ଧିପାଇବାରେ ଲାଗିଛି। ଆଇନର କଠୋରତା ଆପରାଧିକ ମାମଲାର ସଂଖ୍ୟା ହ୍ରାସ କରିବାରେ ବିଫଳ ହୋଇଛି। ମହିଳା ସୁରକ୍ଷାର ଯେତେ ଦ୍ୱାହି ଦେଲେ ବି ଯଥାର୍ଥ ଅର୍ଥରେ ମହିଳାଙ୍କୁ ସୁରକ୍ଷା ଦେବାରେ ସରକାର ଯେପରି କେଉଁଠି ନା କେଉଁଠି ବିଫଳ ହୋଇଛନ୍ତି। ନିର୍ଭୟା ଗଣବଳାତ୍କାରର ଲୋମହର୍ଷଣକାରୀ ଚିତ୍ର ମନରୁ ଲିଭି ନ ଥିବା ବେଳେ ଉତ୍ତରପ୍ରଦେଶର ହାଥରସ୍‌ ଘଟଣା ସମଗ୍ର ଦେଶରେ ନୂଆ ଏକ କଳଙ୍କ ସୃଷ୍ଟି କରିଛି। ନିରୀହା ଦଳିତ ବାଳିକାଜଣକ ଆରପୁରରେ ଚିତ୍କାର କରୁଛି ନ୍ୟାୟ ପାଇଁ। କିଏ ତାକୁ ନ୍ୟାୟ ଦେବ? ନିର୍ଭୟା ଗଣବଳାତ୍କାରର ଚାରିଜଣ ଅଭିଯୁକ୍ତଙ୍କୁ ଫାଶିଖୁଣ୍ଟରେ ଝୁଲାଯାଇଛି; ମାତ୍ର ତା’ର କିଛି ବି ପ୍ରଭାବ ପଡିନି ସଇତାନ ବଳାତ୍କାରୀମାନଙ୍କ ଉପରେ। ଆଗରୁ ମଧ୍ୟ ଅନେକ ଜଣକୁ ବିଭିନ୍ନ ଆପରାଧିକ ମକଦ୍ଦମାରେ ଫାଶିଦେବାର ନଜିର ଅଛି। ହେଲେ ସବୁ ଯେମିତି ପ୍ରଭାବହୀନ। ଏସମସ୍ତ ଦଣ୍ଡ ବିଧାନ ବଳାତ୍କାର ଆଦି କଦର୍ଯ୍ୟ କାର୍ଯ୍ୟରୁ ମଣିଷକୁ ନିବୃତ୍ତ କରିପାରୁନାହିଁ। ବରଂ ଦିନକୁ ଦିନ ଅପରାଧର ଶାଖାପ୍ରଶାଖା ବୃଦ୍ଧିପାଇବାରେ ଲାଗିଛି। ଥମିବାରେ ନାଁ ଧରୁନି।
ଏକ ସର୍ଭେ ଅନୁଯାୟୀ ୨୦୧୯ରେ ସମଗ୍ର ଭାରତରେ ୩୨୦୩୩ଟି ବଳାତ୍କାର ଜନିତ ମାମଲା ପଞ୍ଜୀକୃତ ହୋଇଥିଲା; ଯେଉଁଥିରେ କି ଅଠର ବର୍ଷ ବୟସରୁ ଊଦ୍ଧର୍‌ବର ମାମଲା ଥିଲା ୨୭୦୯୩ ଟି ଓ ଅଠର ବର୍ଷ ବୟସ ତଳକୁ ମାମଲା ଥିଲା ୪୯୪୦ଟି। ଏହାର ଶତକଡା ହାରାହାରି ହିସାବ ଥିଲା ୪.୯ ପ୍ରତିଏକ ଲକ୍ଷ ଲୋକସଂଖ୍ୟା ଅନୁପାତରେ। ଅବଶ୍ୟ ୨୦୧୭ ଓ ୨୦୧୮ରେ ଶତକଡା ହାରାହାରି ୫.୨ ଠାରୁ ଟିକେ କମ୍‌ ଥିଲା। ଅନ୍ୟ ଆପରାଧିକ ମାମଲା ଯଦି ଦେଖାଯାଏ ତେବେ ଏକ ସର୍ଭେ ଅନୁଯାୟୀ ଭାରତରେ ୨୦୧୯ରେ ଏହାର ସଂଖ୍ୟା ଥିଲା ୫୧,୫୬,୧୭୨। ପ୍ରତି ଏକ ଲକ୍ଷ ଲୋକସଂଖ୍ୟାର ଏହା ୩୮୫.୫। ଉତ୍ତର ପ୍ରଦେଶର ସ୍ଥାନ ସମଗ୍ର ଦେଶରେ ପ୍ରଥମ। ଯଦି ସମଗ୍ର ବିଶ୍ବର ଚିତ୍ର ଦେଖାଯାଏ ତେବେ ୨୦୨୦ର ପୃଥିବୀ ଜନସଂଖ୍ୟା ରିଭ୍ୟୁର ଏକ ଆକଳନ ଅନୁଯାୟୀ ବଳାତ୍କାର ମାମଲାର ଶୀର୍ଷରେ ଅଛି ଦକ୍ଷିଣ ଆଫ୍ରିକା, ଯାହାକି ପ୍ରତି ଏକ ଲକ୍ଷ ଲୋକସଂଖ୍ୟାରେ ଏହି ମାମଲାର ସଂଖ୍ୟା ହେଉଛି ୧୩୨.୪୦।
ମଣିଷ ସିନା ବିଜ୍ଞାନୀ ହୋଇଛି,ମାତ୍ର ସଦାଚାରଯୁକ୍ତ ମଣିଷଟିଏ ହୋଇପାରିନାହିଁ। ଯେପର୍ଯ୍ୟନ୍ତ ମଣିଷ ନିଜର ସକାରାତ୍ମକ ଦିବ୍ୟ ଗୁଣାବଳୀ ଉପରେ ବିଶ୍ବାସ କରପାରିନି, ସେପର୍ଯ୍ୟନ୍ତ ଆଇନ କିଛି ପରିବର୍ତ୍ତନ କରିବା ଅସମ୍ଭବ ମନେହୁଏ। ଆଇନର କଠୋର ଶୃଙ୍ଖଳ ତା’ ଶରୀରକୁ ସିନା ବାନ୍ଧି ପାରିବ, ହେଲେ ତା’ର କୁତ୍ସିତ ନକାରାତ୍ମକ ମାନସିକତାକୁ ସ୍ପର୍ଶ କରିପାରିବନି। ସୁତରାଂ ବର୍ତ୍ତମାନ ସମାଜର ନକାରାତ୍ମକ ମାନସିକତାରେ ବ୍ୟାପକ ପରିବର୍ତ୍ତନ ଆଜି ସମୟର ଏକ ଆହ୍ବାନ।
ଅଧ୍ୟାପକ, ରାଜନୀତି ବିଜ୍ଞାନ ବିଭାଗ
ବଡବିଲ ମହାବିଦ୍ୟାଳୟ, ବଡବିଲ, କେନ୍ଦୁଝର
ମୋ-୮୨୪୯୧୩୭୦୯୧


Enter your email to get our daily news in your inbox.

All Right Reserved By Dharitri.Com

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

ମାଷ୍ଟର ନାହାନ୍ତି

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନୂଆ ପାଠ୍ୟକ୍ରମ ଅଣାଯାଇଛି। ଛାତ୍ରୀଛାତ୍ରମାନେ ୩ଟି ଭାଷା ପଢ଼ିବାର ବ୍ୟବସ୍ଥା ହୋଇଥିବା ବେଳେ ସେଥିମଧ୍ୟରୁ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri