Posted inଜାତୀୟ

ଚକା ଜାମ୍‌ ସଫଳ

ନୂଆଦିଲ୍ଲୀ, ୭।୨: କୃଷି ଆଇନ ବିରୋଧରେ ଆନ୍ଦୋଳନ ଚଳାଇଥିବା କୃଷକ ସଂଗଠନଗୁଡ଼ିକର ଡାକରାରେ ଶନିବାର ଦେଶବ୍ୟାପୀ ୩ ଘଣ୍ଟିଆ ଚକା ଜାମ୍‌ ଆନ୍ଦୋଳନ ସଫଳ ହୋଇଛି। ଚାଷୀମାନେ ବିଭିନ୍ନ ଜାତୀୟ ଓ ରାଜ୍ୟ ରାଜପଥକୁ ଅବରୋଧ କରିଥିଲେ। ଦିଲ୍ଲୀରେ ଚକା ଜାମ୍‌ ଆନ୍ଦୋଳନ ହୋଇ ନ ଥିଲେ ମଧ୍ୟ ରାଜଧାନୀକୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ରଖାଯାଇଛି। ଦିଲ୍ଲୀ ଚାରିପଟେ ଯାଇଥିବା ଇଷ୍ଟର୍ନ ପେରିଫେରାଲ ଏକ୍ସପ୍ରେସ୍‌ଓ୍ବେ ସମେତ ଉତ୍ତର ଭାରତର ସମସ୍ତ ରାଜପଥକୁ ଚାଷୀ ଅବରୋଧ କରିଥିଲେ।
ଚକା ଜାମ୍‌ ଆନ୍ଦୋଳନ ଯୋଗୁ ଶନିବାର ଦିଲ୍ଲୀର ସମସ୍ତ ୧୦ଟି ମେଟ୍ରୋ ଷ୍ଟେଶନକୁ ବନ୍ଦ କରିଦିଆଯାଇଥିଲା। ଅପରାହ୍ନ ୩ଟା ପରେ ସେଗୁଡ଼ିକ ଖୋଲିଥିଲା। ପଞ୍ଜାବ ଓ ହରିୟାଣାରେ ଚକା ଜାମ୍‌ ଆନ୍ଦୋଳନର ଜୋର୍‌ଦାର ପ୍ରଭାବ ଦେଖିବାକୁ ମିଳିଥିଲା। ଚାଷୀମାନେ ଜାତୀୟ ଓ ରାଜ୍ୟ ରାଜପଥଗୁଡ଼ିକରେ ଟ୍ରାକ୍ଟର ଟ୍ରଲି ରଖି ଅବରୋଧ କରିବା ସହ କେନ୍ଦ୍ର ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ। ବିଭିନ୍ନ ସ୍ଥାନରେ ମହିଳାମାନେ ମଧ୍ୟ ଆନ୍ଦୋଳନରେ ସାମିଲ ହୋଇଥିଲେ। ଉଭୟ ରାଜ୍ୟରେ ଆନ୍ଦୋଳନ ଶାନ୍ତିପୂର୍ଣ୍ଣ ହୋଇଥିବା ଚାଷୀ ନେତାମାନେ ଦାବି କରିଛନ୍ତି।
ଦିଲ୍ଲୀ ସୀମାରେ ୭୪ ଦିନ ହେଲା ଚାଷୀ ଆନ୍ଦୋଳନ ଚାଲିଥିବାବେଳେ ସେଠାରେ ଇଣ୍ଟରନେଟ ସେବା ବନ୍ଦ କରାଯିବା ଓ ଚାଷୀଙ୍କୁ ପ୍ରଶାସନ ହଇରାଣ କରୁଥିବାରୁ ଏହାର ପ୍ରତିବାଦରେ ଚକା ଜାମ୍‌ ଆନ୍ଦୋଳନ ଡାକରା ଦିଆଯାଇଥିଲା। ଉଭୟ ରାଜ୍ୟରେ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।
ମହାରାଷ୍ଟ୍ରରେ ଚକା ଜାମ୍‌ ଆନ୍ଦୋଳନରେ ଚାଷୀଙ୍କ ସମେତ ଶ୍ରମିକ, ଆଦିବାସୀ, ରାଜନେତା, ସାମାଜିକ କର୍ମୀ ଓ ମହିଳାମାନେ ସାମିଲ ହୋଇ କୃଷକମାନଙ୍କ ଆନ୍ଦୋଳନକୁ ସମର୍ଥନ ଜଣାଇଥିଲେ। ରତ୍ନଗିରି ଓ ସିନ୍ଧୁଦୁର୍ଗକୁ ବାଦ୍‌ ଦେଲେ ମହାରାଷ୍ଟ୍ରର ଅନ୍ୟ ୩୪ ଜିଲାରେ ସମସ୍ତ ଜାତୀୟ ଓ ରାଜ୍ୟ ରାଜପଥ ସମେତ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସଡ଼କ ଅବରୋଧ କରାଯାଇଥିଲା। ଆନ୍ଦୋଳନରେ ଶିବସେନା, ଏନ୍‌ସିପି, କଂଗ୍ରେସ ଓ ବାମଦଳ ସାମିଲ ହୋଇଥିଲେ।
କର୍ନାଟକରେ ଅନେକ ଚାଷୀ, ଦଳିତ କର୍ମୀ ଓ ବାମଦଳ ସମର୍ଥକମାନଙ୍କୁ ଅଟକ ରଖାଯାଇଛି। ବେଙ୍ଗାଲୁରୁର ୟାଲାହାଙ୍ଗାରେ ଆନ୍ଦୋଳନରେ ସାମିଲ ହୋଇଥିବା ୩୦ ଜଣଙ୍କୁ ଅଟକ ରଖାଯାଇଥିଲା। ସେଠାରେ ୩ ଘଣ୍ଟିଆ ବନ୍ଦର ବିଶେଷ ପ୍ରଭାବ ଦେଖିବାକୁ ମିଳି ନ ଥିଲା। ହାଇଦ୍ରାବାଦରେ ଚକାଜାମ୍‌ ଆନ୍ଦୋଳନରେ ସାମିଲ ହୋଇଥିବା କୃଷକମାନେ ଶଗଡ଼ ରାଲି ବାହାର କରିଥିଲେ। ହୟାଥନଗର ଜାତୀୟ ରାଜପଥରେ ଅନୁଷ୍ଠିତ ରାଲିରେ କଂଗ୍ରେସ, ସିପିଆଇ, ସିପିଏମ୍‌ କର୍ମୀ ଓ ଅନ୍ୟାନ୍ୟ ସଂଗଠନର କର୍ମୀମାନେ ସାମିଲ ହୋଇଥିଲେ।
ରାଜସ୍ଥାନର ଚାଷୀମାନେ ଅଧିକାଂଶ ଜାତୀୟ ଓ ରାଜ୍ୟ ରାଜପଥ ଅବରୋଧ କରି କୃଷି ଆଇନ ପ୍ରତ୍ୟାହାର ଦାବିରେ ସ୍ଲୋଗାନ ଦେଇଥିଲେ। ସେଠାରେ ଚକା ଜାମ୍‌ ଆନ୍ଦୋଳନକୁ ଶାସକ କଂଗ୍ରେସ ଦଳ ପୂର୍ଣ୍ଣ ସମର୍ଥନ ଦେଇଥିଲା। କୋଟାରେ ବିଶାଳ ଟ୍ରାକ୍ଟର ରାଲି କରାଯାଇଥିଲା। ଦିଲ୍ଲୀ-ଜୟପୁର ରାଜପଥକୁ ସମ୍ପୂର୍ଣ୍ଣ ଅବରୋଧ କରାଯାଇଥିଲା।

ଦାବି ପୂରଣ ନ ହେଲେ ଘରକୁ ଫେରିବୁ ନାହିଁ: ଟିକାଏତ୍‌

ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନରତ କୃଷକ ଘରକୁ ଫେରିବେ ନାହିଁ ବୋଲି ଶନିବାର ଚକା ଜାମ୍‌ ଆନ୍ଦୋଳନ ଶେଷରେ ଭାରତୀୟ କିଷାନ ୟୁନିୟନ (ବିକେୟୁ) ନେତା ରାକେଶ ଟିକାଏତ୍‌ କହିଛନ୍ତି। ଦିଲ୍ଲୀ-ଉତ୍ତରପ୍ରଦେଶ ସୀମାର ଗାଜିପୁରଠାରେ ଉପସ୍ଥିତ ଚାଷୀମାନଙ୍କୁ ଉଦ୍‌ବୋଧନ ଦେଇ ଟିକାଏତ୍‌ କହିଥିଲେ, ଅକ୍ଟୋବର ୨ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ। ତେଣୁ କୃଷି ଆଇନ ପ୍ରତ୍ୟାହାର କରିନେବା ଲାଗି ସେପର୍ଯ୍ୟନ୍ତ ସମୟ ରହିଛି। ଉକ୍ତ ସମୟସୀମା ମଧ୍ୟରେ ଆଇନ ପ୍ରତ୍ୟାହୃତ ନ ହେଲେ ଆନ୍ଦୋଳନକୁ ଆହୁରି ବ୍ୟାପକ କରିବା ଲାଗି ଯୋଜନା ହେବ ବୋଲି ଟିକାଏତ୍‌ ଚେତାବନୀ ଦେଇଛନ୍ତି। ଚାପରେ ସରକାରଙ୍କ ସହ ଆଲୋଚନା ହୋଇପାରିବ ନାହଁ ବୋଲି ସେ ସ୍ପଷ୍ଟ କରିଦେଇଛନ୍ତି।
ସୂଚନାଯୋଗ୍ୟ, ଜାନୁୟାରୀ ୨୬ ଟ୍ରାକ୍ଟର ରାଲି ହିଂସା ପରେ ଦିଲ୍ଲୀ ସୀମାରୁ ଅନେକ ଚାଷୀ ଘରମୁହାଁ ହୋଇଥିଲେ। ତେବେ ଟିକାଏତ୍‌ଙ୍କ ଅଶ୍ରୁଳ ନିବେଦନ ସେମାନଙ୍କୁ ପୁଣିଥରେ ଆନ୍ଦୋଳନସ୍ଥଳକୁ ଫେରାଇ ଆଣିଥିଲା। ଦିଲ୍ଲୀ, ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡକୁ ବାଦ୍‌ ଦେଲେ ଅନ୍ୟ ସମସ୍ତ ଜାତୀୟ ଓ ରାଜ୍ୟ ରାଜପଥରେ ଶନିବାର ଚକାଜାମ୍‌ ଆନ୍ଦୋଳନ ହୋଇଥିଲା। ଦେଶର ଅଧିକାଂଶ ଭାଗରୁ ଚାଷୀମାନେ ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

ଧର୍ମ ନାମରେ ଭୋଟ ମାଗିବାରୁ ଅଯୋଗ୍ୟ ଘୋଷଣା ହେବେ ମୋଦି! କୋର୍ଟରେ ପହଞ୍ଚିଲା ମାମଲା

ନୂଆଦିଲ୍ଲୀ,୨୬।୪: ହିନ୍ଦୁ, ଶିଖ ଓ ଧର୍ମପୀଠ ନାଁରେ ଭାଜପା ପାଇଁ ଭୋଟ ମାଗୁଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାମରେ କୋର୍ଟରେ ମାମଲା ଦାୟର ହୋଇଛି। ଆସନ୍ତା...

ଭାଜପା ପ୍ରାର୍ଥୀଙ୍କ ନାଁରେ ଏଫଆଇଆର, ଧର୍ମ ନାମରେ ଭୋଟ ମାଗୁଥିବା ଅଭିଯୋଗ

ବେଙ୍ଗାଲୁରୁ,୨୬।୪: ଦ୍ୱିତୀୟ ପର୍ଯ୍ୟାୟରେ କର୍ନାଟକର ୨୮ ଟି ଲୋକ ସଭା ଆସନ ମଧ୍ୟରୁ ୧୪ ଟି ପାଇଁ ମତଦାନ ଚାଲିଛି। ଏହି ସମୟରେ ବେଙ୍ଗାଲୁରୁ ଦକ୍ଷିଣ...

ରାଜନୈତିକ ଦଳଙ୍କ ମନର କଥା କହିଲେ ନିର୍ବାଚନ କମିଶନ

ନୂଆଦିଲ୍ଲୀ,୨୬।୪: ଭୋଟ ଦେବା ପରେ ପ୍ରତ୍ୟେକ VVPAT ସ୍ଲିପ ସହିତ ଇଭିଏମ ମେଳାଇବାକୁ ଦାବି କରି ସୁପ୍ରିମକୋର୍ଟ ଶୁକ୍ରବାର ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହା...

ଗୋଟିଏ ବର୍ଷରେ ଶେଷ ହୋଇଯିବ କଲ ସେଣ୍ଟର

ନୂଆଦିଲ୍ଲୀ,୨୬।୪: ଦେଶରେ ଅର୍ଥନୈତିକ ଉଦାରୀକରଣ ଆରମ୍ଭ ହେବା ପରେ ସାରା ବିଶ୍ୱରୁ କମ୍ପାନୀମାନେ ଭାରତ ଆସିଥିଲେ। ବିଶ୍ୱର ଅନେକ କମ୍ପାନୀ ସେମାନଙ୍କର ବ୍ୟବସାୟକୁ ଭାରତକୁ ସ୍ଥାନାନ୍ତର...

ସୋସିଆଲ ମିଡିଆରେ ଛାତ୍ରୀଙ୍କ ପାଠପଢା କେତେ ସୁରକ୍ଷିତ? ମାନସିକ ସ୍ବାସ୍ଥ୍ୟ ଉପରେ ପଡୁଛି ପ୍ରଭାବ: ରିପୋର୍ଟ

ନୂଆଦିଲ୍ଲୀ, ୨୬।୪: ଗୁରୁବାର ‘ଟେକ୍ନୋଲୋଜି ଅନ ଟର୍ମ’ ଶୀର୍ଷକ ଏକ ରିପୋର୍ଟ ସାର୍ବଜନୀନ କରାଯାଇଛି। ଏହା ପ୍ରକାଶ କରିଛି ଯେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରରେ ଥିବା...

ରାଏବରେଲିରେ ପ୍ରିୟଙ୍କାଙ୍କୁ ଟକ୍କର ଦେବେ ବରୁଣ ଗାନ୍ଧି? ୨୦୨୪ ନିର୍ବାଚନର ସବୁଠୁ ବଡ଼ ସର୍‌ପ୍ରାଇଜ୍‌ ଦେବ କି ଭାଜପା…

ନୂଆଦିଲ୍ଲୀ,୨୬।୪: କଂଗ୍ରେସ ଆମେଠିରୁ ରାହୁଲ ଗାନ୍ଧୀ ଏବଂ ରାଏବରେଲିରୁ ପ୍ରିୟଙ୍କା ଗାନ୍ଧିଙ୍କୁ ପ୍ରାର୍ଥୀ କରିପାରେ। ଏନେଇ ଚର୍ଚ୍ଚା ହେଉଥିବା ବେଳେ ଭାଜପା ରାଏବରେଲିକୁ ନେଇ ସ୍ବତନ୍ତ୍ର...

ରାଜନୀତିକୁ ଏଣ୍ଟ୍ରି କରିବେ ଡି.କେ ଶିବକୁମାରଙ୍କ ଝିଅ! ଦେଲେ ସଙ୍କେତ…

ବେଙ୍ଗାଲୁରୁ,୨୬।୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଏପ୍ରିଲ ୨୬ରେ ୧୩ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ୮୮ଟି ଆସନରେ ଭୋଟ ଗ୍ରହଣ କରାଯାଉଛି। ଦ୍ୱିତୀୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri