
ଛତ୍ରପୁର, ୧୫।୩(ସନ୍ତୋଷ ପାଢ଼ୀ ): ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡା ପ୍ରସିଦ୍ଧ ଇଷ୍ଚଦେବୀ ମା’ ତାରାତାରିଣୀଙ୍କ ହେବାକୁ ଥିବା ଚୈତ୍ର ଯାତ୍ରାର ପ୍ରସ୍ତୁତିର ଅନୁଧ୍ୟାନ କରିଛନ୍ତି। ଏଥିସହ ବିଭିନ୍ନ ବିଭାଗର ଅଧିକାରୀମାନଙ୍କୁ ନେଇ ପ୍ରସ୍ତୁତିର ଏକ ସମୀକ୍ଷା ବୈଠକ କରିଛନ୍ତି। ବୈଠକରେ ଏହା କିଭଳି ସୁରୁଖୁରୁରେ ହେବ ସେଥିନେଇ ସେ ଗୁରୁତ୍ୱାରୋପ କରିଛନ୍ତି। ଏଥିପାଇଁ ଗଞ୍ଜାମ ଜିଲାପ୍ରଶାସନ ପ୍ରତଶ୍ରୁତିବଦ୍ଧ ବୋଲି ଜିଲାପାଳ କହିଛନ୍ତି।
ଚଳିତ ଥର ମା’ଙ୍କ ପୀଠରେ ଚାରିଗୋଟି ମଙ୍ଗବାରରେ ଯାତ୍ରା ଅନୁଷ୍ଠିତ ହେବ। ଚଳିତମାସ ୧୮ ତାରିଖରୁ ଯାତ୍ରାର ପ୍ରଥମ ପାଳି ଆରମ୍ଭ ହେବ। ୨୫ରେ ଦ୍ବିତୀୟ, ଏପ୍ରିଲ ୧ରେ ତୃତୀୟ ଏବଂ ୮ ତାରିଖରେ ଚତୁର୍ଥ ପାଳି ଯାତ୍ରା ହେବ। ଆଗକୁ ପ୍ରବଳ ଗ୍ରୀଷ୍ମ ପ୍ରବାହର ଆଶଙ୍କା ରହିଥିବା ସହ ଯାତ୍ରା ସମୟରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବେ । ଏଥିଲାଗି କିଭଳି ସମସ୍ତ ଭକ୍ତ ସୁବିଧା ଓ ଶାନ୍ତି ଶୃଙ୍ଖଳାର ସହ ମା’ଙ୍କ ଦର୍ଶନକରିବେ ସେଥିନେଇ ସମସ୍ତ ପ୍ରକାର ବ୍ୟବସ୍ଥା ହେବ ସେନେଇ ବିଭିନ୍ନ ବିଭାଗର ଅଧିକାରୀଙ୍କ ଠାରୁ ଜିଲାପାଳ ପଚାରି ବୁଝିଛନ୍ତି। ବିଶେଷକରି ଅପରାଧ ନିୟନ୍ତ୍ରଣ ଲାଗି ଯାତ୍ରାସମୟରେ ସମ୍ପୂର୍ଣ୍ଣରୂପେ ମଦ ବନ୍ଦକରିବା ଲାଗି ନିଷ୍ପତ୍ତି ନିଆଯାଇଥିଲା। ଭକ୍ତଙ୍କ ସୁବିଧାଲାଗି ପାହାଡ ଉପରେ ଥିବା ମା’ଙ୍କ ମନ୍ଦିରକୁ ଯିବା ପାଇଁ ୪୦ ଗୋଟି ସ୍ବତନ୍ତ୍ର ବସ୍ ନିୟୋଜିତ ହେବା ସହ ଅଂଶୁଘାତର ମୁକାବିଲା ଲାଗି ସ୍ବତନ୍ତ୍ର ଏସି ରୁମ୍ର ବ୍ୟବସ୍ଥା , ଭକ୍ତଙ୍କ ଲାଗି ପ୍ରସାଦର ସେବନର ବ୍ୟବସ୍ଥା, ପାନୀୟଜଳ ଓ ଆଲୋକିକରଣ, ଟ୍ରାଫିକ ସମସ୍ୟାକୁ ନିୟନ୍ତ୍ରଣ କରିବା ଆଦି ବିଭିନ୍ନ ସମ୍ପର୍କରେ ଆଲୋଚନା କରାଯାଇଛି।