ରିଷିଡ଼ା,୧୮ା୪(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡାସ୍ଥିତ ମା’ ତାରିଣୀ ଅଷ୍ଟଚଣ୍ଡୀ ଶୈବ ଶକ୍ତି ପୀଠରେ ଚାଲିଥିବା ଚୈତ୍ର ମହୋତ୍ସବର ସପ୍ତମ ଦିବସରେ ଝାମୁଯାତ୍ରା ଶୁକ୍ରବାର ସମାପ୍ତ ହୋଇଛି। ମନ୍ଦିର ସମ୍ମୁଖ ପଡ଼ିଆରେ ୯ ଫୁଟର ଦୁଇଟି ନିଆଁ ଖନ୍ଦା କରାଯାଇ ଷୋଳସହସ୍ର ପୂଜାର୍ଚ୍ଚନା କରାଯାଇଥିଲା।
ମ. ରାମପୁର ରାଜପରିବାର ନିଳମାଧବ ସିଂଦେଓଙ୍କ ପ୍ରେରିତ ପାଟସିନ୍ଦୂର ପ୍ରଥମେ ତାରିଣୀ ଅଷ୍ଟ ଚଣ୍ଡୀଙ୍କୁ ସମର୍ପଣ କରାଯାଇଥିଲା। ପରେ ମାନସିକଧାରୀ ଭକ୍ତ ଓ ବରୁଆ ଦେହରେ ଦେବୀ ସବାର ହୋଇ ନିଆଁରେ ଚାଲିଥିଲେ। ପୀଠରେ ସାତଦିନ ବ୍ୟାପୀ ଚୈତ୍ର ମହୋତ୍ସବ ଝାମୁଯାତ୍ରା, ଛତର ଯାତ୍ରା, ପଣାସଂକ୍ରାନ୍ତି ସହ ଷୋହଳପ୍ରହର ନାମ ଯଜ୍ଞ ଅନୁଷ୍ଠିତ ହୋଇଥିଲା।
ଶୁକ୍ରବାର ପୀଠରେ ଖନ୍ଦା ଶାନ୍ତି କରାଯାଇ ପୂର୍ଣ୍ଣାହୁତି ସମ୍ପନ୍ନ ହୋଇଛି। ଏହି ଝାମୁଯାତ୍ରାରେ ନର୍ଲା ବିଧାୟିକା ମନୋରମା ମହାନ୍ତି ସାମିଲ ହୋଇ ନିଆଁରେ ଚାଲିଥିଲେ। ଚତୁର୍ଥ ଦିନରେ କଳାହାଣ୍ଡି ସାଂସଦ ମାଳବିକା ଦେବୀ ମଧ୍ୟ ସାମିଲ ହୋଇ ଅଷ୍ଟ ଚଣ୍ଡୀଙ୍କୁ ଦର୍ଶନ କରି ପାଟବସ୍ତ୍ର ସିଙ୍ଗାର କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପରିଚାଳନା କମିଟି ସଭାପତି କୈଳାସ କୁମୁରା, ସମ୍ପାଦକ ସୁଶାନ୍ତ ମଲ୍ଲିକ, ଦେହୁରି ସେବାୟତ ସୁମନ୍ତ ଭୋଇ, ରାଧେଶ୍ୟାମ ପଟ୍ଟନାୟକ, ତପନ ରଣା, କୁଞ୍ଜ ରଣା, ରଞ୍ଜନ ରଣା ପ୍ରମୁଖ ଉପସ୍ଥିତ ଥିଲେ।


