ବେଲପଡ଼ା,୩୦।୧୦(ମନୋଜ କୁମାର ମିଶ୍ର): ଜାତିଭେଦ ଭଳି ସାମାଜିକ କୁସଂସ୍କାର ଏବେ ବି ବଞ୍ଚି ରହିଛି। ଅନ୍ୟ ଜାତିର ଯୁବତୀଙ୍କୁ ବିବାହ କରିଥିବାରୁ ମୃତ୍ୟୁ ପରେ ବି ଆତ୍ମୀୟ କି ସାହି ଭାଇ କାନ୍ଧଦେବାକୁ ଆଗେଇ ଆସିଲେ ନାହିଁ । ଫଳରେ ମୃତଦେହ ଦୀର୍ଘ ୧୮ ଘଣ୍ଟା ଧରି ପଡ଼ି ରହିବା ଭଳି ଅଭାବନୀୟ ଘଟଣା ବଲାଙ୍ଗୀର ଜିଲା ବେଲପଡ଼ା ଥାନା ଅନ୍ତର୍ଗତ ଖଲିପଥର ଗାଁରେ ଦେଖିବାକୁ ମିଳିଛି।
ପ୍ରକାଶ ଯେ, ପ୍ରାୟ ୩୨ ବର୍ଷ ତଳେ ଖଲିପଥର ଗାଁର ଗୟାଧର ବାଗ (୫୮) ଅନ୍ୟ ଜାତିର ଉଲ୍ଲାସଙ୍କୁ ପ୍ରେମ ବିବାହ କରିଥିଲେ। ଏହି ବିବାହକୁ ସେତେବେଳେ ଜାତି ସମାଜ ଗ୍ରହଣ ନ କରିବାରୁ ଉଭୟେ ସମାଜରୁ ବାସନ୍ଦ ହୋଇ ଅଲଗା ରହୁଥିଲେ। ଉକ୍ତ ଦମ୍ପତିଙ୍କର ୩ ସନ୍ତାନ ଥିବା ବେଳେ ଅଭାବ ଅନଟନ ଯୋଗୁ ସେମାନେ ବାହାର ରାଜ୍ୟରେ ଦାଦନ ଶ୍ରମିକ ଭାବେ କାମ କରୁଛନ୍ତି। ତେବେ ନିକଟରେ ବଡ଼ପୁଅ ମହନ ଆସି କିଛିଦିନ ଧରି ଅସୁସ୍ଥ ଥିବା ଗୟାଧରଙ୍କୁ ଚିକିତ୍ସା ପାଇଁ ବଲାଙ୍ଗୀର ନେଇଥିଲେ। ସ୍ବାସ୍ଥ୍ୟାବସ୍ଥାରେ ସୁଧାର ନ ହେବାରୁ ବୁଧବାର ତାଙ୍କୁ ଗାଁକୁ ଫେରାଇ ଆଣିଥିଲେ। ଗାଁରେ ପହଞ୍ଚିବାର କିଛି ସମୟ ପରେ ତାଙ୍କର ମୃତ୍ୟୁ ଘଟିଥିଲା ।
ମା’ଙ୍କ ସହ ପୁଅ ମହନ ଏକାକୀ ଥିବାରୁ ମୃତଦେହ ସତ୍କାର କରିବା ନେଇ ସେମାନେ ଚିନ୍ତାରେ ପଡ଼ିଥିଲେ। ନିକଟରେ ଜାତିଭାଇ ଥିଲେ ମଧ୍ୟ କେହି ସହଯୋଗ କରି ନ ଥିବାରୁ ଶେଷରେ ସାମାଜିକ କର୍ମୀଙ୍କ ସହାୟତା ଲୋଡ଼ିଥିଲେ। ଖବର ପାଇ ସାମାଜିକ କର୍ମୀ ଗିରିରାଜ ଭୋଇ, ପ୍ରବୀଣ କୁମାର ପୁରୋହିତ, ନିରୋଜ ପୁଟେଲ, ରଘୁନାଥ ରଣା ଏବଂ ଦିଲୀପ କୁମୁରା ପହଞ୍ଚି ମୃତଦେହକୁ ଚାରିକାନ୍ଧ ଦେଇ ଗଁାରେ ଅନ୍ତିମ ସତ୍କାର କରିଥିଲେ।
ଏହି ଘଟଣାକୁ ନେଇ ବୁଦ୍ଧିଜୀବୀ ମହଲରେ ଉଦ୍ବେଗ ପ୍ରକାଶ ପାଇଛି। କୁସଂସ୍କାର ବିରୋଧରେ ପ୍ରଶାସନ ପକ୍ଷରୁ ସଚେତନତା ସୃଷ୍ଟି କରାଯିବାକୁ ଦାବି ହୋଇଛି। ଖବର ଲେଖାଯିବା ପର୍ଯ୍ୟନ୍ତ କୌଣସି ସରକାରୀ ଅଧିକାରୀ କିମ୍ବା ରାଜନେତା ଉକ୍ତ ପରିବାରକୁ ସହଯୋଗ କରି ନ ଥିବା ଜଣାପଡ଼ିଛି।

