ଦାରିଙ୍ଗବାଡ଼ି, ୩୦।୧୦ (ଅରୁଣ ସାହୁ): ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଲଗାଣ ବର୍ଷା ଯୋଗୁ ବ୍ୟାପକ କ୍ଷୟକ୍ଷତି ହୋଇଛି। ଏହାର ଆକଳନ ଓ ସ୍ଥିତି ଅନୁଧ୍ୟାନ କରିବା ପାଇଁ ବ୍ଲକର ଭାଜପା ମଣ୍ଡଳସ୍ତରୀୟ ଏକ ପ୍ରତିନିଧି ଦଳ ବିଭିନ୍ନ ପଞ୍ଚାୟତ ଓ ଗ୍ରାମ ପରିଦର୍ଶନ କରିଛନ୍ତି।
ଜିଲା ଉପସଭାପତି ଅଜିତ ସାହୁଙ୍କ ନେତୃତ୍ୱରେ ମଣ୍ଡଳ ସଭାପତି ମିଟୁ ସାହୁ, ଜିଲା ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ରୁଦ୍ର ନାରାୟଣ ବେହେରା, ମଣ୍ଡଳ ସାଧାରଣ ସମ୍ପାଦକ ରଞ୍ଜନ କୁମାର ସାହୁ, ଯୁବମୋର୍ଚ୍ଚା ମଣ୍ଡଳ ସଭାପତି ମହେନ୍ଦ୍ର ପ୍ରସାଦ ଦାସ, ମଣ୍ଡଳ ଏସ୍ଟି ମୋର୍ଚ୍ଚା ସଭାପତି ରଜନୀକାନ୍ତ ପ୍ରଧାନ, ମଣ୍ଡଳ ଏସ୍ସି ମୋର୍ଚ୍ଚା ସଭାପତି କୁନାଲ ନାୟକ, ମଣ୍ଡଳ ଉପସଭାପତି ଯୁବରାଜ ପ୍ରଧାନ ଏବଂ କୃଷକ ମୋର୍ଚ୍ଚା ସଭାପତି ସୁବଳ ନାୟକ ପ୍ରମୁଖ ଏହି ପ୍ରତିନିଧି ଦଳରେ ସାମିଲ ଥିଲେ।
ପ୍ରତିନିଧି ଦଳ ପ୍ଲିହେରୀ, ଦାରିଙ୍ଗବାଡ଼ି, ଶ୍ରୀପଙ୍କା ସମେତ ବିଭିନ୍ନ ଗ୍ରାମକୁ ଯାଇ କ୍ଷତିଗ୍ରସ୍ତ ପରିବାରଗୁଡ଼ିକୁ ଭେଟିଥିଲେ। ଏହି ସମୟରେ ଅନେକ ଘରର କାନ୍ଥ ଭୁଶୁଡ଼ି ପଡ଼ିଥିବା, ଚାଷଜମି କ୍ଷତିଗ୍ରସ୍ତ ହେବା ସହ ଫସଲ ନଷ୍ଟ ହୋଇଥିବା ଦେଖିବାକୁ ପାଇଥିଲେ। ଭାଜପା ମଣ୍ଡଳ ପକ୍ଷରୁ କ୍ଷତିଗ୍ରସ୍ତଙ୍କ ନାମ ଓ କ୍ଷୟକ୍ଷତିର ବିବରଣୀ ସଂଗ୍ରହ କରାଯାଇଛି। ସରକାରୀ ନିୟମ ଅନୁଯାୟୀ କ୍ଷତିଗ୍ରସ୍ତମାନେ କିପରି ସହାୟତା ପାଇବେ, ସେନେଇ ତାଲିକା ପ୍ରସ୍ତୁତ କରି ତଦାରଖ କରାଯିବ ବୋଲି ଭାଜପା କର୍ମକର୍ତ୍ତା କହିଛନ୍ତି।
ବାତ୍ୟା ଯୋଗୁଁ ହୋଇଥିବା କ୍ଷୟକ୍ଷତି ପାଇଁ ରାଜ୍ୟ ସରକାର ନିଶ୍ଚିତ ପଦକ୍ଷେପ ନେବେ ବୋଲି ଭାଜପା କର୍ମକର୍ତ୍ତା ଆଶା ପ୍ରକାଶ କରିଛନ୍ତି। ଜିଲା ଉପସଭାପତି ଅଜିତ ସାହୁ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ଅଞ୍ଚଳରେ ଅତିବୃଷ୍ଟି ଓ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ କ୍ଷତିଗ୍ରସ୍ତ ପରିବାରଙ୍କ ଘରକୁ ଘର ବୁଲି ସ୍ଥିତି ଅନୁଧ୍ୟାନ କରାଯାଇଛି। ସେମାନଙ୍କୁ ସରକାରୀ ସହାୟତା ଯୋଗାଇଦେବା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।

