ନନ୍ଦପୁର,୨୧ା୩(ତୁଷାରକାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ସଦର ମହକୁମା ଅଗ୍ନିଶମ ବାହିନୀ କାର୍ଯ୍ୟାଳୟ ସମ୍ମୁଖ ରାସ୍ତାରେ ଗୁରୁବାର ରାତିରେ ଏକ କାର୍ ରାସ୍ତା ପାର୍ଶ୍ୱ ଥିବା ଆମ୍ବଗଛକୁ ଧକ୍କାଦେଇ ଓଲଟି ପଡ଼ିବାରୁ ୨ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକମାନେ ହେଲେ ଗୋଲୁର ପଞ୍ଚାୟତ ବାଇଲଗୁଡ଼ା ଗ୍ରାମର ଲବ ଖରା(୩୮) ଓ ତାଙ୍କ ଶାଳକ କୁଡ଼ୁବ ଗ୍ରାମର ଅନନ୍ତ ପାଙ୍ଗୀ(୩୦)।
ସୂଚନାନୁଯାୟୀ, ଲବ ଓ ଅନନ୍ତ କାର୍(ଓଆର୍୧୮-ଏ-୬୩୩୬) ଯୋଗେ ପିକ୍ଅପ୍ ଗାଡ଼ି କିଣିବାକୁ ଜଗଦଲପୁର ଯାଇଥିଲେ। ସେଠାରେ ଗାଡ଼ି ବାବଦକୁ କିଛି ଆଡଭାନ୍ସ ଦେଇ ଫେରୁଥିବା ବେଳେ ଅଗ୍ନିଶମ କାର୍ଯ୍ୟାଳୟ ସମ୍ମୁଖ ରାସ୍ତାରେ ଭାରସାମ୍ୟ ହରାଇ ଏକ ଗଛକୁ ଧକ୍କାଦେଇଥିଲେ। ଏଥିରେ କାର୍ଟି ଓଲଟି ପଡ଼ିବାରୁ ଲବ ଓ ଅନନ୍ତ ଗୁରୁତର ହୋଇଥିଲେ। ଖବରପାଇ ନନ୍ଦପୁର ଏଏସ୍ଓ ହେମନ୍ତ କୁମାର ସାମଲଙ୍କ ନେତୃତ୍ୱାଧୀନ ଟିମ୍ କାର୍ ଭିତରୁ ୨ ଗୁରୁତରଙ୍କୁ ଉଦ୍ଧାରକରି ନନ୍ଦପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ଡାକ୍ତର ୨ ଜଣଙ୍କୁ ମୃତ ଘୋଷଣା କରିଥିଲେ। ଏ ନେଇ ନନ୍ଦପୁର ଥାନାରେ (ନଂ. ୪୧/୨୬) ମାମଲା ରୁଜୁ କରାଯାଇଛି। ଏସ୍ଆଇ ଗୁପ୍ତେଶ୍ୱର ଗଉଡ଼ ତଦନ୍ତ କରୁଛନ୍ତି। ଶୁକ୍ରବାର ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ଥାନାଧିକାରୀ ତ୍ରିନାଥ ତୋଟାପାଡ଼ିଆ ସୂଚନା ଦେଇଛନ୍ତି।

