ଇଙ୍ଗଲେଉଡ,୨୯ା୬: ଷ୍ଟିଫେନ ୟୁଷ୍ଟାକିଓଙ୍କ ଗୋଲ ବଳରେ ଇଙ୍ଗଲେଉଡରେ ଖେଳାଯାଇଥିବା ରାଉଣ୍ଡ ଅଫ୍-୩୨ ମ୍ୟାଚ୍ରେ କାନାଡା ୧-୦ ଗୋଲରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି। ଫିଫା ବିଶ୍ୱକପ୍ ଇତିହାସରେ ଏହା କାନାଡା ପାଇଁ ଏହା ପ୍ରଥମ ବିଜୟ। ଫିଫା ର଼୍ୟାଙ୍କିଙ୍ଗ୍ସରେ ୩୦ତମ ସ୍ଥାନରେ ଥିବା କାନାଡା ପ୍ରି-କ୍ୱାର୍ଟର ଫାଇନାଲରେ ନେଦରଲାଣ୍ଡ୍ସ କିମ୍ବା ମରକ୍କୋକୁ ଶନିବାର ହ୍ୟୁଷ୍ଟନଠାରେ ଭେଟିବ।
୯୦ରୁ ଊର୍ଦ୍ଧ୍ୱ ମିନିଟ୍ ଧରି କାନାଡା ପ୍ରତିପକ୍ଷ ଦକ୍ଷିଣ ଆଫ୍ରିକାର ଡିଫେନ୍ସ ଲାଇନ ଭେଦ କରିବାରେ ସଂଘର୍ଷ କରିଥିଲା। ହେଲେ ଇଞ୍ଜୁରି ଟାଇମରେ ବକ୍ସ ମଧ୍ୟରେ ଆଲିଷ୍ଟର ଜନଷ୍ଟନଙ୍କଠାରୁ ପାଇଥିବା ଲମ୍ବା ପାସକୁ ୟୁଷ୍ଟାକିଓ (୯୦+୨) ଗୋଲରେ ପରିଣତ କରିଥିଲେ। ଦକ୍ଷିଣ ଆଫ୍ରିକାର ଗୋଲକିପର ଓ୍ବିଲିଅମ୍ସ ୫ଟି ସେଭ କରିଥିଲେ। ପୂରା ମ୍ୟାଚ୍ରେ ଡିଫେନ୍ସିଭ ଖେଳ ପ୍ରଦର୍ଶନ କରିଥିବା ଦ. ଆଫ୍ରିକାର ଖେଳାଳି ମାତ୍ର ଦୁଇ ଥର ଗୋଲ ସ୍କୋରିଂ ସୁଯୋଗ ସୃଷ୍ଟି କରିଥିଲେ। ଦଳ ଟୁର୍ନାମେଣ୍ଟରେ ୪ ମ୍ୟାଚ୍ରେ ୨ ଗୋଲ ସହ ବିଦାୟ ନେଇଛି।
କାନାଡାର ବ୍ୟସ୍ତବହୁଳ କ୍ରୀଡ଼ା କାର୍ଯ୍ୟସୂଚୀରେ ଫୁଟବଲକୁ ଅଧିକ ଗୁରୁତ୍ୱ ଦିଆଯାଏ ନାହିଁ। ତୃତୀୟ ଥର ପାଇଁ ବିଶ୍ୱକପ୍ ଖେଳୁଥିବା କାନାଡା ଲାଗି ଦକ୍ଷିଣ ଆଫ୍ରିକା ବିପକ୍ଷରେ ମିଳିଥିବା ଏହି ବିଜୟ ଏକ ବଡ଼ ଉପଲବ୍ଧି, ଯାହାକି ଦେଶର ପୂରା ପିଢ଼ି ଧ୍ୟାନ ଆକର୍ଷଣ କରିପାରେ। ଏହି ଐତିହାସିକ ବିଜୟ ପରେ କାନାଡା କୋଚ୍ ଜେସି ମାର୍ଶ୍ଚ ଖେଳାଳିଙ୍କୁ କାନାଡିଆନ ହିରୋ ବୋଲି କହିଛନ୍ତି।

