
ଭୁବନେଶ୍ୱର, ୨୭।୪: ଜମ୍ମୁ ଓ କଶ୍ମୀରର ପହଲଗାମରେ ହୋଇଥିବା ଭୟଙ୍କର ଆତଙ୍କବାଦୀ ଆକ୍ରମଣ ପରେ, ଅଲ୍ ଇଣ୍ଡିଆ ଟ୍ରେଡର୍ସ (CAIT) ପାକିସ୍ତାନ ସହ ସମସ୍ତ ବାଣିଜ୍ୟ ସମ୍ପର୍କ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଏହାସହ, ଇ-କମର୍ସ କମ୍ପାନୀଗୁଡ଼ିକର ଅନିୟମିତ କାର୍ଯ୍ୟକଳାପ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ସରକାରଙ୍କୁ ଅନୁରୋଧ କରିଛି। ଏହି ନିଷ୍ପତ୍ତି ଭୁବନେଶ୍ୱରରେ ଆୟୋଜିତ CAITର ଦୁଇ ଦିନିଆ ଜାତୀୟ ପରିଚାଳନା ପରିଷଦ ବୈଠକରେ ଗୃହୀତ ହୋଇଛି, ଯେଉଁଥିରେ ୨୬ଟି ରାଜ୍ୟରୁ ୨୦୦ରୁ ଅଧିକ ବେପାରୀ ନେତା ଅଂଶଗ୍ରହଣ କରିଥିଲେ।
ପହଗାମରେ ଏପ୍ରିଲ ୨୨ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ନିରୀହ ପର୍ଯ୍ୟଟକଙ୍କର ମୃତ୍ୟୁ ହୋଇଥିଲା। ଏହି ଆକ୍ରମଣକୁ ଲସ୍କର-ଏ-ତୈବା ସହ ଜଡ଼ିତ ‘ଦି ରେଜିଷ୍ଟାନ୍ସ ଫ୍ରଣ୍ଟ’ ନାମକ ସଂଗଠନ ନିଜେ କରିଥିବା ମାନିଥିଲା। ଭାରତ ଏହାକୁ ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦ ବୋଲି ଅଭିଯୋଗ କରିଛି। ଏହାର ପ୍ରତିବାଦରେ CAIT ଏକ ସଂକଳ୍ପ ଗ୍ରହଣ କରି ପାକିସ୍ତାନ ସହ ସମସ୍ତ ଆମଦାନୀ ଓ ରପ୍ତାନୀ ବନ୍ଦ କରିବାକୁ ଘୋଷଣା କରିଛି। CAITର ମହାସଚିବ ତଥା ଚାନ୍ଦନୀଚୌକର ଏମପିପ୍ରବୀଣ ଖାଣ୍ଡେଲୱାଲ କହିଛନ୍ତି, ଏକ ଶତ୍ରୁତାପୂର୍ଣ୍ଣ ଦେଶ ସହ ବାଣିଜ୍ୟ ବଜାୟ ରଖିବା ସମ୍ପୂର୍ଣ୍ଣ ଅଗ୍ରହଣୀୟ। ବ୍ୟାପାରୀ ସମୁଦାୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶର ସାର୍ବଭୌମତ୍ୱ ଓ ବାଣିଜି୍ୟକ ସ୍ବାଧୀନତା ରକ୍ଷା ପାଇଁ ଯେ କୌଣସି ପଦକ୍ଷେପ ନେବାକୁ ପ୍ରସ୍ତୁତ।
CAITର ତଥ୍ୟ ଅନୁସାରେ, ୨୦୧୯ର ପୁଲୱାମା ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ବାଣିଜ୍ୟ ସମ୍ପର୍କ ନାଟକୀୟ ଭାବେ ହ୍ରାସ ପାଇଥିଲା। ୨୦୧୮ରେ ପ୍ରାୟ ୩ ବିଲିୟନ ଡଲାରର ବାଣିଜ୍ୟ ୨୦୨୪ ସୁଦ୍ଧା ୧.୨ ବିଲିୟନ ଡଲାରକୁ ଖସି ଆସିଥିଲା। ଏପ୍ରିଲ ୨୦୨୪ରୁ ଜାନୁଆରୀ ୨୦୨୫ ମଧ୍ୟରେ ଭାରତ ପାକିସ୍ତାନକୁ ପ୍ରାୟ ୫୦୦ ମିଲିୟନ ଡଲାରର ଔଷଧ, ରାସାୟନିକ, ଚିନି ଓ ଅଟୋ ପାର୍ଟସ ରପ୍ତାନୀ କରିଥିବାବେଳେ ମାତ୍ର ୦.୪୨ ମିଲିୟନ ଡଲାରର ସାମଗ୍ରୀ ଆମଦାନୀ କରିଥିଲା। ଏବେ ଏହି ବାଣିଜ୍ୟକୁ ସମ୍ପୂର୍ଣ୍ଣ ବନ୍ଦ କରାଯିବ ବୋଲି CAIT ଘୋଷଣା କରିଛି।
ଇ-କମର୍ସ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି
ବୈଠକରେ CAIT ଇ-କମର୍ସ ଓ କ୍ୱିକ କମର୍ସ କମ୍ପାନୀଗୁଡ଼ିକ ଦ୍ୱାରା ନିୟମ ଉଲ୍ଲଙ୍ଘନ, ନକଲି ସାମଗ୍ରୀ ବିକ୍ରି ଏବଂ ଛୋଟ ବେପାରୀଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର ଅଭିଯୋଗ ଉଠାଇଛି। ସଂଘ ସରକାରଙ୍କୁ ଇ-କମର୍ସ ନୀତି ଏବଂ ଗ୍ରାହକ ସୁରକ୍ଷା ଆଇନ ଓ ବୈଦେଶିକ ପ୍ରତ୍ୟକ୍ଷ ନିବେଶ (FDI) ନୀତି ଅଧୀନରେ ନିୟମଗୁଡ଼ିକୁ କଡ଼ାକଡ଼ି କାର୍ଯ୍ୟକାରୀ କରିବାକୁ ଅନୁରୋଧ କରିଛି। ଏହାସହ, ଇ-କମର୍ସ ପ୍ଲାଟଫର୍ମଗୁଡ଼ିକର ପ୍ରଯୁକ୍ତି, ମୂଲ୍ୟ ନିର୍ଦ୍ଧାରଣ ଓ ବିକ୍ରେତା ଚୟନ ପ୍ରକ୍ରିୟାରେ ସ୍ବଚ୍ଛତା ଓ ଜବାବଦେହିତା ନିଶ୍ଚିତ କରିବାକୁ ଦାବି କରାଯାଇଛି।
CAIT ଆହୁରି ପ୍ରସ୍ତାବ ଦେଇଛି ଯେ କ୍ୱିକ କମର୍ସ ଓ ଇ-କମର୍ସ କାରବାର ଉପରେ ୨୮ ପ୍ରତିଶତ ଜିଏସଟି ଲାଗୁ କରାଯାଉ, କାରଣ ଏହି ପ୍ଲାଟଫର୍ମଗୁଡ଼ିକ ସୁବିଧାଜନକ କ୍ରୟକୁ ଏକ ବିଳାସପୂର୍ଣ୍ଣ ସେବା ଭାବେ ଗଣ୍ୟ କରାଯାଇପାରେ। ଏହା ଛୋଟ ବେପାରୀଙ୍କୁ ଅନୈତିକ ପ୍ରତିଯୋଗିତାରୁ ରକ୍ଷା କରିବ ବୋଲି CAIT ମତ ଦେଇଛି।