ନୂଆଦିଲ୍ଲୀ, ୨୩।୧୦: ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ (Crude Oil) ଦରରେ ବୃଦ୍ଧି ଥମିବାର ନାଁ ନେଉନାହିଁ। ଶୁକ୍ରବାର, ୨୩ ଅକ୍ଟୋବର ସକାଳେ ଏସୀୟ ବଜାରରେ ବ୍ରେଣ୍ଟ କ୍ରୁଡ (Brent Crude) ଦର ବ୍ୟାରେଲ ପିଛା ୧୧୩ ଡଲାର ଅତିକ୍ରମ କରିଛି। ଅନ୍ୟପକ୍ଷରେ, ଆମେରିକାର ୱେଷ୍ଟ ଟେକ୍ସାସ ଇଣ୍ଟରମିଡିଏଟ (WTI) କ୍ରୁଡ ମଧ୍ୟ ବ୍ୟାରେଲ ପିଛା ପ୍ରାୟ ୯୯ ଡଲାରରେ କାରବାର କରୁଛି।
ସାଉଦି ଆରବର ତୈଳ ଭିତ୍ତିଭୂମି ଉପରେ ହୋଇଥିବା ଆକ୍ରମଣ ଏବଂ ଆମେରିକା-ଇରାନ ମଧ୍ୟରେ ବଢ଼ୁଥିବା ଭୂ-ରାଜନୈତିକ ଉତ୍ତେଜନା (Geopolitical Tension) ବିଶ୍ୱ ବଜାରରେ ଅସ୍ଥିରତା ସୃଷ୍ଟି କରିଛି। ତୈଳ ଦରରେ ଏହି ନୂଆ ଉତ୍ତାପ ପଛରେ ମୁଖ୍ୟ କାରଣ କ’ଣ ଏବଂ ଆଗକୁ ବଜାରକୁ ନେଇ ବିଶେଷଜ୍ଞମାନେ କ’ଣ ଆକଳନ କରୁଛନ୍ତି, ଆସନ୍ତୁ ଜାଣିବା।
ହୁତି ବିଦ୍ରୋହୀମାନେ ସାଉଦି ଆରାମକୋର ୟାନବୁ ବନ୍ଦର, ଶୈବା ତୈଳ କ୍ଷେତ୍ର ଏବଂ ସାଉଦି ଆରବର ପୂର୍ବାଞ୍ଚଳରେ ଥିବା କିଙ୍ଗ ଫହଦ ବିମାନବନ୍ଦର ଉପରେ ହୋଇଥିବା ଆକ୍ରମଣର ଦାୟିତ୍ୱ ନେଇଛନ୍ତି। ଏହାପରେ ସାଉଦି ଆରାମକୋ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ସ୍ବରୂପ ଧହରାନସ୍ଥିତ ମୁଖ୍ୟାଳୟକୁ ଖାଲି କରାଯାଇଛି ଏବଂ କର୍ମଚାରୀମାନଙ୍କୁ ଘରୁ କାମ କରିବାକୁ (Work From Home) କୁହାଯାଇଛି।
ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ, ଆମେରିକା ଇରାନକୁ ବ୍ୟାପକ କ୍ଷତି ପହଞ୍ଚାଇଛି ଏବଂ ଆଗକୁ ଆହୁରି କଠୋର ପଦକ୍ଷେପ ନିଆଯାଇପାରେ।
ଏକ ରିପୋର୍ଟ ଅନୁଯାୟୀ, ନଭେମ୍ବର ୩ ତାରିଖରେ ହେବାକୁ ଥିବା ମଧ୍ୟବର୍ତ୍ତୀ ନିର୍ବାଚନ (Midterm Elections) ପରେ ଆମେରିକା ଓ ଇସ୍ରାଏଲ ମିଳିତ ଭାବେ ଇରାନ ଉପରେ ନୂଆ ଆକ୍ରମଣ କରିବାକୁ ଯୋଜନା କରୁଛନ୍ତି।

