ପାରଳାଖେମୁଣ୍ଡି,୨୯।୧୦(ଗିରିଧାରୀ ପରିଛା): ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ଗଜପତି ଜିଲାରେ ବର୍ଷାର ପ୍ରକୋପ ଥମିବାର ନାଁ ନେଉନାହିଁ । ଆନ୍ଧ୍ରପ୍ରଦେଶରେ ବାତ୍ୟା ସ୍ଥଳଭାଗ ଛୁଇଁବାର ୩୬ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ବିତିଥିଲେ ମଧ୍ୟ ଏହାର ପ୍ରଭାବରେ ଜିଲାରେ ତିନି ଦିନ ଧରି ଲଗାଣ ବର୍ଷା ଜାରି ରହିଛି । ଫଳରେ ନଦୀ, ନାଳ ଓ ଜଳାଶୟଗୁଡ଼ିକର ଜଳସ୍ତର ବଢ଼ିବା ସହ ନଦୀକୂଳିଆ ଗ୍ରାମାଞ୍ଚଳରେ ବନ୍ୟା ପରିସ୍ଥିତି ଉପୁଜିଛି । ବିଶେଷକରି ଗୋଷାଣି ବ୍ଲକର ବିଭିନ୍ନ ଗ୍ରାମରେ ଜଳବନ୍ଦୀ ସମସ୍ୟା ଲୋକଙ୍କ ଦୁର୍ଦ୍ଦଶା ବଢ଼ାଇଛି।
ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ଜିଲାରେ ପ୍ରବଳ ବର୍ଷା ଜାରି ରହିଛି । ଗତ ଦୁଇ ଦିନ ଧରି ଜିଲା ପାଇଁ ରେଡ୍ ଆଲର୍ଟ ଜାରି ହୋଇଥିବାବେଳେ ଗୁରୁବାର ସକାଳ ସୁଦ୍ଧା ବର୍ଷାର ପ୍ରଭାବରେ ଗୋଷାଣି ବ୍ଲକର ବିଭିନ୍ନ ଅଞ୍ଚଳରେ ଜଳମଗ୍ନ ସ୍ଥିତି ସୃଷ୍ଟି ହୋଇଛି ।
ବାଘଶାଳା ଗ୍ରାମରେ ମହେନ୍ଦ୍ରତନୟା ନଦୀର ବନ୍ୟାଜଳ ପ୍ରବେଶ କରିଛି । ଗ୍ରାମର ଚିକିତ୍ସାଳୟ, ବିଦ୍ୟାଳୟ, ମୁଖ୍ୟ ବଜାର ଓ ପ୍ରମୁଖ ରାସ୍ତାରେ ପାଣି ଜମି ରହିଥିବାରୁ ସାଧାରଣ ଜୀବନଯାତ୍ରା ବାଧାପ୍ରାପ୍ତ ହୋଇଛି। ଏପରିକି ଲୋକଙ୍କ ଯାତାୟାତ ଓ ଦୈନନ୍ଦିନ କାର୍ଯ୍ୟରେ ସମସ୍ୟା ଦେଖାଦେଇଛି।
ସେହିପରି ଶରଧାପୁର ଗ୍ରାମ ନିକଟରେ ମହେନ୍ଦ୍ରତନୟା ନଦୀର ଜଳସ୍ତର ବୃଦ୍ଧି ପାଇବାରୁ ଆଖପାଖ ଅଞ୍ଚଳ ଜଳମଗ୍ନ ହୋଇପଡ଼ିଛି। ଫଳରେ ଗ୍ରାମବାସୀଙ୍କ ଯାତାୟାତରେ ବାଧା ସୃଷ୍ଟି ହୋଇଛି। ଅନ୍ୟପକ୍ଷରେ ଖର୍ଷଣ୍ଡା ଗ୍ରାମରେ ବର୍ଷାଜଳ ନିଷ୍କାସନ ହୋଇନପାରି କେତେକ ସାହିରେ ପାଣି ପଶିଛି । ଏହାଦ୍ୱାରା ସାହିବାସିନ୍ଦା ଜଳବନ୍ଦୀ ସ୍ଥିତିରେ ରହିଥିବା ଜଣାପଡ଼ିଛି ।
ଲଗାଣ ବର୍ଷା ଜାରି ରହିଥିବାରୁ ନଦୀକୂଳିଆ ଗ୍ରାମଗୁଡ଼ିକରେ ଆଗାମୀ ସମୟରେ ସ୍ଥିତି ଆହୁରି ଜଟିଳ ହେବା ଆଶଙ୍କା ଦେଖାଦେଇଛି। ଏଭଳି ପରିସ୍ଥିତିରେ ଜଳ ନିଷ୍କାସନ ଓ ଲୋକଙ୍କ ସୁରକ୍ଷା ଉପରେ ପ୍ରଶାସନର ତ୍ୱରିତ ପଦକ୍ଷେପ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି।

