ପେଡ଼ି ଖୋଲିଲା

କର୍ନାଟକ ହାଇକୋର୍ଟ ୧୫ ମାର୍ଚ୍ଚରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇ କହିଛନ୍ତି ଯେ, ହିଜାବ ଇସ୍‌ଲାମ ଧର୍ମର ପ୍ରମୁଖ ଅଂଶ ନୁହେଁ। ଏଥିସହିତ କଲେଜରେ ହିଜାବ ପିନ୍ଧିବା ଉପରେ କରାଯାଇଥିବା ପ୍ରତିବନ୍ଧକ ବିରୋଧରେ ଉଚ୍ଚ ଅଦାଲତରେ ମୁସଲମାନ ଛାତ୍ରୀମାନେ କରିଥିବା ଆବେଦନକୁ ଖାରଜ କରିଦିଆଯାଇଛି। ଉଲ୍ଲେଖଯୋଗ୍ୟ ଯେ, ଫେବୃୟାରୀ ୫ରେ ଶିକ୍ଷାନୁଷ୍ଠାନରେ ହିଜାବ ପିନ୍ଧିବାକୁ କର୍ନାଟକ ସରକାର ବାରଣ କରିଥିଲେ। ଉକ୍ତ ନିର୍ଦ୍ଦେଶନାମାରେ କୁହାଯାଇଥିଲା ଯେ, ସମ୍ପୃକ୍ତ କଲେଜ କର୍ତ୍ତୃପକ୍ଷଙ୍କ ଦ୍ୱାରା ନିର୍ଦ୍ଧାରଣ କରାଯାଇଥିବା ୟୁନିଫର୍ମକୁ ମାନିବାକୁ ସବୁ ଛାତ୍ରୀଛାତ୍ର ବାଧ୍ୟ। ତେବେ ରାୟ ପ୍ରକାଶ ପାଇବା ପରେ ଉଡୁପି ଗଭର୍ନମେଣ୍ଟ କଲେଜର ମୁସଲମାନ ଛାତ୍ରୀମାନେ କହିଛନ୍ତି ଯେ, ବିନା ହିଜାବରେ ସେମାନେ ଶିକ୍ଷାନୁଷ୍ଠାନକୁ ଯିବେ ନାହିଁ। କାରଣ ତାହା ସେମାନଙ୍କ ଧର୍ମର ଅତ୍ୟାବଶ୍ୟକ ଅଂଶ। ସେହିପରି ବେଙ୍ଗାଲୁରୁର କେମ୍‌ବାଭି ସରକାରୀ ପିୟୁ କଲେଜର ଛାତ୍ରୀମାନେ ରାୟ ପ୍ରକାଶ ପରେ ପରୀକ୍ଷା କେନ୍ଦ୍ରରୁ ଉଠି ପଳାଇଯାଇଥିବା ଦେଖିବାକୁ ମିଳିଛି। ଏଭଳି ଅଜବ ଜିଦି ପଛରେ କୌଣସି ଉପଯୁକ୍ତ ଯୁକ୍ତି ଥିବାଭଳି ମନେ ହେଉନାହିଁ। କାରଣ ପରୀକ୍ଷାରୁ ଉଠିଗଲେ ସେହି ଛାତ୍ରୀମାନଙ୍କ ବ୍ୟକ୍ତିଗତ କ୍ଷତି ଘଟିବ। ସେମାନଙ୍କ ଭବିଷ୍ୟତ ଧୂଳିସାତ୍‌ ହୋଇଯିବାର ସମ୍ଭାବନା ରହିଛି। ଇତିମଧ୍ୟରେ ଆବେଦନକାରୀ ମୁସଲମାନ ଛାତ୍ରୀମାନେ କର୍ନାଟକ ହାଇକୋର୍ଟଙ୍କ ରାୟ ବିରୋଧରେ ସୁପ୍ରିମକୋର୍ଟରେ ପହଞ୍ଚତ୍ଗଲେଣି।
ଆମେ କର୍ନାଟକର ପୂର୍ବ ପରିସ୍ଥିତିକୁ ଯେତିକି ଦେଖିବା ସେଥିରୁ ବୁଝାପଡୁଛି ଯେ ଛାତ୍ରୀମାନେ ହିଜାବ ସବୁବେଳେ ପିନ୍ଧିକରି ଆସି ନ ଥିଲେ। ସେମାନଙ୍କର ଏହି ଅଧିକାରକୁ ସାବ୍ୟସ୍ତ କରିବାର ଚେଷ୍ଟା ନିକଟ ଅତୀତରୁ ଆରମ୍ଭ ହୋଇଛି। ହୁଏତ ଏହା ହିନ୍ଦୁତ୍ୱବାଦୀଙ୍କର ଜାଗରଣର ପ୍ରତିକ୍ରିୟା ହୋଇଥାଇପାରେ। ପୂର୍ବରୁ ଏହି ସ୍ତମ୍ଭରେ ଫେବୃୟାରୀ ୭ରେ ‘ହିଜାବ ପ୍ରସଙ୍ଗ’ ଶୀର୍ଷକରେ ଲେଖିଥିଲୁ ଯେ ଶିକ୍ଷାନୁଷ୍ଠାନରେ ପୋଷାକ ସହିତ ଧର୍ମକୁ ମିଶାଯିବା ଉଚିତ ନୁହେଁ। ଏହା ମଧ୍ୟ ଉଲ୍ଲେଖ କରିଥିଲୁ ଯେ ଅପରପକ୍ଷରେ ହିନ୍ଦୁ ମହିଳା ନିଜ ମୁଣ୍ଡକୁ ଶାଢ଼ିର ଓଢ଼ଣିରେ ଘୋଡ଼ାଇ ଥାଆନ୍ତି। ତେବେ ରାଜସ୍ଥାନ ଭଳି ଅଞ୍ଚଳରେ ସେହି ଓଢ଼ଣି ରୂପ ବଦଳାଇ ଘୁଂଘଟ ହୋଇଯାଏ, ଯାହାକି କାନ୍ଧ ତଳକୁ ପଡ଼ିଥାଏ। ବାସ୍ତବରେ ସେଭଳି ଲୁଗା ବ୍ୟକ୍ତିଗତ ଇଚ୍ଛାରେ ପିନ୍ଧାଯାଇପାରେ। କିନ୍ତୁ ଆନୁଷ୍ଠାନିକ ପୋଷାକରେ ତା’ର ପ୍ରତିଫଳନ ହେବା ଉଚିତ ନୁହେଁ। ଆଜି କର୍ନାଟକ ହାଇକୋର୍ଟଙ୍କ ରାୟକୁ ସମର୍ଥନ କରାଯିବା ଉଚିତ। କେରଳ ରାଜ୍ୟପାଳ ଅରିଫ୍‌ ମହମ୍ମଦ ଖାନ୍‌ ଏହି ରାୟକୁ ସମର୍ଥନ କରିବା ପଛରେ ତାଙ୍କର ବ୍ୟକ୍ତିଗତ ଓ ରାଜନୈତିକ ସ୍ବାର୍ଥ ଥାଇପାରେ। କାରଣ ତାଙ୍କୁ ରାଜ୍ୟପାଳ ହୋଇ ରହିବାର ଅଛି। ଅନ୍ୟପଟେ ଏବେ ହିଜାବ ରାୟ କେବଳ ଗୋଟିଏ ସମସ୍ୟାକୁ ନେଇ ଚାଲୁନାହିଁ। କର୍ନାଟକ ହାଇକୋର୍ଟଙ୍କ ହିଜାବ ସମ୍ବନ୍ଧୀୟ ରାୟ ଯେଉଁ ପେଡ଼ି ଖୋଲିଦେଇଛି ସେଥିରୁ ଆହୁରି ଅନେକ ସାପ, ବିଛା ଏବଂ ବିଷାକ୍ତ ପୋକ ଏବେ ବାହାରିବାକୁ ପ୍ରସ୍ତୁତ ହେଲେଣି। ଉଦାହରଣ ସ୍ବରୂପ ଶିକ୍ଷାନୁଷ୍ଠାନରୁ ଯଦି ସବୁ ପ୍ରକାରର ଧାର୍ମିକ ପୋଷାକ ଦୂରେଇ ଦିଆଯିବ ତେବେ ସେହିସବୁ ଅନୁଷ୍ଠାନରେ ଧାର୍ମିକ କାର୍ଯ୍ୟ ହୋଇପାରିବ କି ନାହିଁ। କର୍ନାଟକ ସମେତ ଭାରତବ୍ୟାପୀ ଶିକ୍ଷାନୁଷ୍ଠାନରେ ସରସ୍ବତୀ ପୂଜା ଓ ଗଣେଶ ପୂଜା ସହିତ ଅନେକ ଶିକ୍ଷାନୁଷ୍ଠାନରେ ଖ୍ରୀଷ୍ଟମାସ ମଧ୍ୟ ପାଳନ କରାଯାଏ। ସେହିଭଳି ଗୁରୁନାନକଙ୍କ ଜୟନ୍ତୀ, ଇଦ୍‌, ମହାବୀର ଜୟନ୍ତୀ ଭଳି ଦିନରେ ଛୁଟି ଦିଆଯାଉଛି। ଯଦି ଶିକ୍ଷାନୁଷ୍ଠାନରୁ ଧର୍ମକୁ ଦୂରେଇ ଦିଆଯିବ ତେବେ ଏହିସବୁ ଛୁଟି ବିଷୟରେ ମଧ୍ୟ ପୁନର୍ବିଚାର କରାଯିବା ଦରକାର।
ଅନୁରୂପ ଭାବେ ସ୍କୁଲ କଲେଜକୁ ଆସୁଥିବା ଶିଖ୍‌ ଧର୍ମାବଲମ୍ବୀ ଛାତ୍ରଙ୍କ ପଗଡ଼ି ପିନ୍ଧାକୁ ଏହି ରାୟ ଆଧାରରେ ଦେଖାଗଲେ, ସେ ସମ୍ପର୍କରେ ମଧ୍ୟ ବିଚାରବିମର୍ଶ କରାଯିବା ଦରକାର। ଶିକ୍ଷାନୁଷ୍ଠାନ ପରେ ଆସିପାରେ ସେନାରେ ସମସ୍ୟା। ଭାରତୀୟ ସେନାରେ ଅନେକ ଶିଖ୍‌ ସୈନ୍ୟ ଓ ଅଫିସର ଥିବାବେଳେ ମୁସଲମାନ ଯବାନ ମଧ୍ୟ ଅଛନ୍ତି। ୧୯୬୫ ଭାରତ-ପାକିସ୍ତାନ ଯୁଦ୍ଧରେ ଅବଦ୍ଦୁଲ ହମିଦଙ୍କ ଐତିହାସିକ ବୀରତ୍ୱ ସମ୍ପର୍କରେ ଜାଣିଥିବା ଲୋକ ଜାଣିଥିବେ। ସେନାରେ ଯଦି ପୋଷାକ ସମ୍ପର୍କରେ ଆଲୋଚନା ଆରମ୍ଭ ହୁଏ ତେବେ ପଗଡ଼ି ପିନ୍ଧାକୁ ସ୍ବୀକାର କରୁଥିବା ବ୍ୟବସ୍ଥା ଅଡୁଆରେ ପଡ଼ିଯାଇପାରେ। କାରଣ ମୁସଲମାନ ସୈନ୍ୟମାନେ ଲୁହା ହେଲ୍‌ମେଟ୍‌ ପରିବର୍ତ୍ତେ ସେମାନଙ୍କ ଧାର୍ମିକ ‘ସ୍କଲ୍‌ କ୍ୟାପ୍‌’ ବା ଟୋପି ପିନ୍ଧିବାକୁ ଜିଦ୍‌ ଧରିବାର ସମ୍ଭାବନା ରହିଛି।
ଏକବିଂଶ ଶତାବ୍ଦୀରେ ବିଜ୍ଞାନ ଓ ବୈଷୟିକ ଜ୍ଞାନ ଦ୍ୱାରା ପୃଥିବୀର ପ୍ରତ୍ୟେକ ମଣିଷ ପରିଚାଳିତ ହେଲେଣି। ରୁଷିଆ ଭଳି ଏକଚ୍ଛତ୍ରବାଦୀ ଓ ଯୁଦ୍ଧଖୋର ଦେଶରେ ମହିଳାମାନେ ସରକାରଙ୍କ ବିରୋଧରେ ମତ ଦେବାକୁ ଯାଇ ଲୋକପ୍ରିୟ ଟେଲିଭିଜନ ଚ୍ୟାନେଲରେ ୟୁକ୍ରେନ୍‌ ଆକ୍ରମଣକୁ ନିନ୍ଦା କରିବାର ଅର୍ଥ ହେଲା ବୈଷୟିକ ଜ୍ଞାନକୁ ବ୍ୟବହାର କରି ନିଜର ମତ ସାବ୍ୟସ୍ତ କରିବା। ମସ୍କୋରୁ ଆରମ୍ଭ କରି ଭାରତର ନିପଟ ମଫସଲରେ ମହିଳାମାନେ ମୋବାଇଲ ବ୍ୟବହାର କରି ଦୂର ସମ୍ପର୍କୀୟଙ୍କ ସହିତ ସମ୍ପର୍କ ସ୍ଥାପନ କରୁଛନ୍ତି ଏବଂ ୟୁଟ୍ୟୁବ୍‌ରେ ଗୀତ ଶୁଣି ଉଲ୍ଲାସ ଅନୁଭବ କରୁଛନ୍ତି। ଏହି ପ୍ରଚ୍ଛଦପଟରେ ଧର୍ମକୁ ସର୍ବ ଉପରେ ରଖିଲେ ଅସରନ୍ତି ସାମାଜିକ ସମସ୍ୟା ମାଡ଼ିବସିବ। ଧର୍ମ ବ୍ୟକ୍ତିବିଶେଷର ବ୍ୟକ୍ତିଗତ ସମ୍ପତ୍ତି ହେବା କଥା। ଧର୍ମ ବାହୁବଳୀଙ୍କ ଖେଳପଡ଼ିଆ ହେବା ଉଚିତ ନୁହେଁ। ଯେତେବେଳେ ଅଧିକସଂଖ୍ୟକ ଭିଡ଼ କରି ନିଜର ମତ ସାବ୍ୟସ୍ତ କରିବେ ସେତେବେଳେ ବିଭିନ୍ନ ବିବାଦ ସୃଷ୍ଟି ହେବା ସ୍ବାଭାବିକ। ସେହି ବିବାଦରୁ କୌଣସି ଗୋଷ୍ଠୀ ରାଜନୈତିକ ଲାଭ ହାସଲ କରିପାରେ। କିନ୍ତୁ ଦୀର୍ଘମିଆଦୀ କ୍ଷତି ଘଟିବ କେବଳ ଦେଶର। କାରଣ ଆଜିର ଯୁଗରେ ବିଭାଜିତ ଦେଶ କେବେହେଲେ ଶକ୍ତିଶାଳୀ କିମ୍ବା ଆଗୁଆ ହୋଇପାରିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବର୍ଜ୍ୟ ପରିଚାଳନାରେ ବେଙ୍ଗାଲୁରୁର ବ୍ରିଗେଡ ମିଡୋଜ କଲୋନି ଏକ ଉଦାହରଣ ସୃଷ୍ଟି କରିଛି। ଏହି କଲୋନିର ଆପାର୍ଟମେଣ୍ଟଗୁଡ଼ିକରେ ପାଖାପାଖି ୭,୦୦୦ ପରିବାର ରହୁଛନ୍ତି। ସେମାନେ ଏକ ସୋସାଇଟି…

ଚାଲ ଦୁଷ୍ଟାମି କରିବା

ପିଲା ଜନ୍ମ ହେଲା। ଘରେ ମିଠା ବଣ୍ଟାଗଲା। ଫୋନ୍‌ରେ ଫଟୋ ଉଠିଲା। ସୋସିଆଲ ମିଡିଆରେ ପୋଷ୍ଟହେଲା ‘ଆମ ଘରକୁ ନୂଆ ଅତିଥି ଆସିଲା।’କେହି କହିଲେ ‘ଲକ୍ଷ୍ମୀ ଆସିଛି।’…

ଶାସକ, ଶାସନ ଓ ସଭ୍ୟତା

ତ କିଛି ବର୍ଷ ପୂର୍ବେ ‘ମୋଗଲ ତାମସା’ର ଏକ ମଞ୍ଚାଭିନୟ ଦେଖିବାର ସୁଯୋଗ ପାଇଥିଲି, ଯାହାକୁ ପରିଚାଳନା କରୁଥିଲେ ଭଦ୍ରକର ବାଦଲ ସିକଦାର। ନୃତ୍ୟ ଓ ଅଭିନୟର…

ବିଚାରପତି ଭଗବାନ୍‌ ନୁହନ୍ତି

ସାଧାରଣରେ ଲୋକେ କହିଥାଆନ୍ତି, ବିଚାର କୋର୍ଟରେ ହେବ। ଅର୍ଥାତ୍‌ କୌଣସି ବିବାଦ ଦେଖାଦେଲେ ଅଦାଲତ ଉପରେ ଜନସାଧାରଣଙ୍କ ଭରସା ଥିଲା। ଏବେ ଏକ ଭିନ୍ନ ଚିତ୍ର ଦେଖିବାକୁ…

କଠିନ ପଥ

ଏବେ ଦେଶ ସମ୍ମୁଖରେ କ’ଣ ସମସ୍ୟା ଅଛି, ସ୍ୱାଧୀନତାର ମୌଳିକ ଲକ୍ଷ୍ୟ ପୂରଣ ହୋଇଛି କି ନା ତାହା ଆଲୋଚନା ହେବା ଉଚିତ। ରାଜନୈତିକ ସ୍ୱାଧୀନତା ସତରେ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ପବିତ୍ର ବନ

ବନ ସଂରକ୍ଷଣ ୨ପ୍ରକାର ପଦ୍ଧତିରେ କରାଯାଇଥାଏ। ପ୍ରଥମରେ ‘ଇନ୍‌ ସିଟୁ’ ଏବଂ ୨ୟରେ ‘ଏକ୍‌ସ ସିଟୁ’ ସଂରକ୍ଷଣ। କିନ୍ତୁ ଜଙ୍ଗଲକୁ ତା’ର ପ୍ରାକୃତିକ ସ୍ଥିତିରେ ସଂରକ୍ଷିତ ବା…

ସ୍ବାଗତଯୋଗ୍ୟ ସମୀକ୍ଷା

ଓଡ଼ିଶାର ପରବର୍ତ୍ତୀ ପୋଲିସ ମହାନିର୍ଦ୍ଦେଶକ(ଡିଜିପି) ନିଯୁକ୍ତିକୁ ନେଇ ବିବାଦ ଲାଗିରହିଛି। ପ୍ରକୃତରେ ସଞ୍ଜୀବ ପଣ୍ଡା କିମ୍ବା ଏହି ଦୌଡ଼ରେ ଥିବା ଅନ୍ୟ ଅଧିକାରୀମାନଙ୍କୁ ନେଇ ଏହା ହୋଇନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri