ଅସହାୟଙ୍କ ପାଇଁ ଆଶୀର୍ବାଦ

ଘାସିରାମ ପଣ୍ଡା

୨୦୧୯-୨୦ରେ ସରକାର କରିଥିବା ଏକ ଗଣନା ଅନୁଯାୟୀ, ରାଜ୍ୟରେ ପ୍ରାୟ ୩୦ ହଜାର ଅନାଥ ଓ ଜଣେ କେହି ପିତା ବା ମାତା ଥିବା ୨ ଲକ୍ଷ ୫୦ ହଜାର ପିଲା ଅଛନ୍ତି। ଏବେ କୋଭିଡ୍‌ଜନିତ ମୃତ୍ୟୁ ବୃଦ୍ଧି ସହିତ ଏ ସଂଖ୍ୟା ମଧ୍ୟ ଯଥେଷ୍ଟ ବଢ଼ିଛି। ପରିବାର ଯଦି ପାରିବାର ସ୍ଥିତିରେ ଅଛି, ତା’ହେଲେ କଥା ଭିନ୍ନ। କିନ୍ତୁ ସାମାଜିକ ଓ ଆର୍ଥିକ ପଛୁଆ ବର୍ଗରେ ଏପରି ସ୍ଥିତି ଉପୁଜିଲେ ପିଲାମାନେ ବିପଦସଂକୁଳ ହୋଇପଡ଼ନ୍ତି। ପିଲା ଛୋଟ ଥିଲେ ବେଆଇନ ଭାବେ ପୋଷ୍ୟ ହେବାର ସମ୍ଭାବନା ଥାଏ। ଯଦି ବଡ଼ ହେଲାଣି ଶିଶୁ ଶ୍ରମିକ, ଚାଲାଣ, ବାଲ୍ୟ ବିବାହ ପ୍ରଭୃତିର ଶିକାର ହେବାର ସ୍ଥିତି ଉପୁଜେ।
ଏଭଳି ପରିସ୍ଥିତିରେ ସହାୟକ ହେବା ପାଇଁ ଓଡ଼ିଶା ସରକାର ଆଶୀର୍ବାଦ ଯୋଜନା ଲାଗୁ କରିଛନ୍ତି। ମହିଳା ଓ ଶିଶୁ ବିକାଶ ବିଭାଗ ଆନୁକୂଲ୍ୟରେ ଏହା ରାଜ୍ୟରେ ଜୁନ ୨୦ରୁ କାର୍ଯ୍ୟକାରୀ ହେଲାଣି। ମା’ବାପାଙ୍କ ମୃତ୍ୟୁ ପରେ ସ୍ବତନ୍ତ୍ର ଯତ୍ନ ଆବଶ୍ୟକ କରୁଥିବା ଏହି ପିଲାଙ୍କ ପ୍ରତି ଏଥିରେ ବିଶେଷ ଧ୍ୟାନ ଦିଆଯାଇଛି। ମାତାପିତାଙ୍କୁ ହରେଇବା ପରେ ଶିଶୁ ମଙ୍ଗଳ କମିଟିଙ୍କ ନିର୍ଦ୍ଦେଶକ୍ରମେ ପିଲାମାନେ ଯଦି ନିଜ ସମ୍ପର୍କୀୟଙ୍କ ସହିତ ରହୁଥା’ନ୍ତି ତା’ହେଲେ ୧୮ ବର୍ଷ ହେବା ପର୍ଯ୍ୟନ୍ତ ସେମାନଙ୍କୁ ମାସିକ ୨,୫୦୦ ଟଙ୍କାର ଆର୍ଥିକ ସହାୟତା ଦିଆଯିବ। ଏହି ଅର୍ଥକୁ ପିଲାଙ୍କ ପରିଚାଳନା, ସ୍ବାସ୍ଥ୍ୟ, ଶିକ୍ଷା ପ୍ରଭୃତି ପାଇଁ ଖର୍ଚ୍ଚ କରିବାକୁ ଯତ୍ନ ଦାୟିତ୍ୱରେ ଥିବା ପରିବାରକୁ ପ୍ରଦାନ କରାଯିବ। ତେବେ ପିଲା ଶିଶୁଯତ୍ନ ଗୃହରେ ରହିବାକୁ ନିଷ୍ପତ୍ତି ହୋଇଥିଲେ ମାସକୁ ୧,୦୦୦ ଟଙ୍କାର ସହାୟତା ପାଇପାରିବେ। ପିଲା ଉପାର୍ଜନକାରୀ ମାତାପିତାଙ୍କ ଭିତରୁ ଜଣକୁ ହରାଇଥିଲେ ମାସକୁ ୧୫୦୦ ଟଙ୍କାର ଆର୍ଥିକ ସହାୟତା ପାଇବା ପାଇଁ ହକ୍‌ଦାର ହେବେ। ଏହି ପିଲାମାନେ ବିଜୁ ସ୍ବାସ୍ଥ୍ୟ ଯୋଜନା, ଖାଦ୍ୟ ସୁରକ୍ଷା ଯୋଜନା ଓ ମାଗଣା ଶିକ୍ଷା, ଉଚ୍ଚ ଶିକ୍ଷା ପାଇଁ ସହାୟତା ପାଇପାରିବେ। ଅନାଥ ପିଲାଙ୍କ ଯତ୍ନ ନେଉଥିବା ପରିବାରକୁ ପ୍ରୋତ୍ସାହନ ସ୍ବରୂପ ଆବାସ ଯୋଜନାରେ ଘର ଓ ଅନ୍ୟାନ୍ୟ ସରକାରୀ ଯୋଜନାରେ ସହାୟତା ଯୋଗାଇ ଦିଆଯିବ। ଏଭଳି ପିଲାଙ୍କ ସମ୍ପତ୍ତିକୁ ତହସିଲଦାର ଓ ପୋଲିସ ସହାୟତାରେ ସୁରକ୍ଷା ଦିଆଯିବାକୁ ମଧ୍ୟ ଏଥିରେ ଗୁରୁତ୍ୱ ଦିଆଯାଇଛି। ଯୋଜନାର ସୁଫଳ ପାଇବାରୁ ଯେପରି ଗୋଟିଏ ବି ପିଲା ବାଦ୍‌ ପଡ଼ିବେ ନାହିଁ, ସେଥିପାଇଁ ସ୍ବତନ୍ତ୍ର ଅଭିଯାନ କରାଯିବାକୁ ଜିଲାପାଳଙ୍କ ଉପରେ ଦାୟିତ୍ୱ ନ୍ୟସ୍ତ କରାଯାଇଛି। ଏ ସଂକ୍ରାନ୍ତ ଅଭିଯୋଗର ସମାଧାନ ତଥା ଛାଡ଼ି ହୋଇ ଯାଉଥିବା ପିଲାଙ୍କୁ ମାନବୀୟ ମୂଲ୍ୟବୋଧ ଆଧାରରେ ସାମିଲ କରିବାର ବିଶେଷ କ୍ଷମତା ମଧ୍ୟ ଜିଲାପାଳଙ୍କୁ ଦିଆଯାଇଛି।
ମା’ବାପାଙ୍କୁ ହରେଇବାର ଦୁଃଖ ଓ ମାନସିକ ପ୍ରଭାବକୁ ଦୂରେଇବା ସମ୍ଭବପର ନୁହେଁ। ଏହାସତ୍ତ୍ୱେ ଆଶୀର୍ବାଦ ଯୋଜନା ମାଧ୍ୟମରେ ସେମାନଙ୍କ ଅବର୍ତ୍ତମାନରେ ପିଲାର ବିକାଶ ଓ ସୁରକ୍ଷାକୁ ସୁନିଶ୍ଚିତ କରିବା ଏକ ଉତ୍ତମ ପରିକଳ୍ପନା। କାର୍ଯ୍ୟାନ୍ବୟନରେ ଦୃଢ଼ତା ଓ ଯୋଜନାରେ ଥିବା କିଛି ଅଭାବବୋଧକୁ ଆରମ୍ଭରୁ ଦୂର କରାଯାଇ ପାରିଲେ ପିଲାଙ୍କ ଅଧିକାରର ସୁରକ୍ଷା କ୍ଷେତ୍ରରେ ଏହା ଏକ ଉଦାହରଣ ହୋଇ ରହିବ। ବେଳେବେଳେ ଆବେଦନ ପ୍ରକ୍ରିୟା ଓ ଏଥିପାଇଁ ପ୍ରମାଣପତ୍ର ସଂଗ୍ରହର କ୍ଳିଷ୍ଟତା ହେତୁ ଆବେଦନକାରୀ ହଇରାଣର ସମ୍ମୁଖୀନ ହୋଇଥାଏ। ଏହାର ବୋଝ ଅନାଥ ଶିଶୁ ଉପରେ ପଡ଼ିଲେ ସେମାନଙ୍କ ପାଖରେ ଯୋଜନାର ସୁଫଳ ପହଞ୍ଚତ୍ ପାରିବ ନାହିଁ। ଏଣୁ ଜିଲା ଶିଶୁ ସୁରକ୍ଷା ୟୁନିଟ୍‌, ଚାଇଲ୍ଡଲାଇନ ବା ସ୍ବେଚ୍ଛାସେବୀ ସଙ୍ଗଠନଗୁଡ଼ିକ ଏ ଦିଗରେ ଭୂମିକା ନେବା ବାଞ୍ଛନୀୟ। ନିକଟରେ ନବରଙ୍ଗପୁର ଜିଲାପାଳ ସରପଞ୍ଚଙ୍କଠାରୁ ସଂଗୃହୀତ ଲେଖାକୁ ମୃତ୍ୟୁ ପ୍ରମାଣପତ୍ର ଭାବେ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ନିଶ୍ଚିତ ଭାବେ ସହାୟକ ହେବ। ଅନ୍ୟ ଜିଲାଗୁଡ଼ିକ ମଧ୍ୟ ଏପରି କରିପାରିଲେ ପ୍ରକ୍ରିୟା ସହଜ ହେବ। ଅନାଥ ବା ଜଣେ ପିତା କିମ୍ବା ମାତାଙ୍କୁ ହରେଇଥିବା ଘଟଣାରେ ତତ୍‌କ୍ଷଣାତ୍‌ ସହାୟତା ପହଞ୍ଚେଇବାକୁ ଉଚ୍ଚତମ ନ୍ୟାୟାଳୟ ଗୁରୁତ୍ୱ ଆରୋପ କରିଛନ୍ତି। ଆଶୀର୍ବାଦ ଯୋଜନା କ୍ଷେତ୍ରରେ ମଧ୍ୟ ଘଟଣା ଘଟିବାର ଅତିବେଶିରେ ୧୫ ଦିନ ମଧ୍ୟରେ ଉଦ୍ଦିଷ୍ଟ ଆର୍ଥିକ ସହାୟତା ସୁନିଶ୍ଚିତ କରାଗଲେ ଦଲାଲ ହାବୁଡ଼ରୁ ପିଲା ବର୍ତ୍ତିପାରିବେ। ଏପ୍ରିଲ ୨୦୨୦ ପରଠାରୁ ପ୍ରଭାବିତ ଶିଶୁ ଏହି ଯୋଜନାର ସୁଫଳ ପାଇପାରିବେ ବୋଲି ଉଲ୍ଲେଖ ଅଛି। ଏହାଦ୍ୱାରା ସମାନ ପରିସ୍ଥିତିରେ ଥାଇ ବି ପୂର୍ବରୁ ଚିହ୍ନିତ ହୋଇଥିବା ପାଖାପାଖି ୩ ଲକ୍ଷ ଶିଶୁ ଏଥିରୁ ବାଦ୍‌ ପଡ଼ିବେ। ଏହା ଗାଁ ଗାଁରେ ବିଭେଦ ସୃଷ୍ଟି କରିବ। କୌଣସି ବି ପରିସ୍ଥିତିରେ ଶିଶୁମାନେ ଅବହେଳିତ ହେବେ ନାହିଁ ବୋଲି କହି ଆସୁଥିବା ସରକାରଙ୍କ ପାଇଁ ଏହା ବିଫଳତା ହେବ। ଏଣୁ ପ୍ରତ୍ୟେକ ମାତାପିତା ହରେଇଥିବା ପିଲାଙ୍କ ପାଖରେ ଆଶୀର୍ବାଦର ସହାୟତା ପହଞ୍ଚତ୍ବା ଦରକାର। ଜିଲା ଶିଶୁ ସୁରକ୍ଷା ୟୁନିଟ୍‌ ଓ ଜିଲା ଶିଶୁ ମଙ୍ଗଳ କମିଟିର ସକ୍ରିୟତା ଉପରେ ଯୋଜନାର ସଫଳତା ନିର୍ଭର କରେ। ଅନେକ ଜିଲାରେ ଶିଶୁ ମଙ୍ଗଳ କମିଟିର କାର୍ଯ୍ୟକାଳ ପୂରିଗଲାଣି। ସମୟ ଅବଧିକୁ ବଢ଼ାଯାଇ ଯେନତେନ କାର୍ଯ୍ୟ ଚାଲୁ ରହିଛି। ସେହିପରି ଜିଲା ଶିଶୁ ସୁରକ୍ଷା ୟୁନିଟ୍‌ରେ ମଧ୍ୟ ବିଶେଷ ଉତ୍ସାହ ନାହିଁ। ଏଭଳି ପରିସ୍ଥିତିରେ ବ୍ୟବସ୍ଥାର ପୁନର୍ବିନ୍ୟାସ କରାନଗଲେ ଯୋଜନାର କାର୍ଯ୍ୟାନ୍ବୟନ ଧରାଶାୟୀ ହୋଇପଡ଼ିବ।
ସୁବର୍ଣ୍ଣପୁର, ମୋ: ୯୪୩୮୩୪୧୭୯୪


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ପାଖ ବିଦେଶ

ବାଂଲାଦେଶ ଜାତୀୟ ନିର୍ବାଚନରେ ଭୋଟ ହୋଇଥିବା ୨୯୯ ଆସନ ମଧ୍ୟରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନ୍‌ପି) ଏକାକୀ ୨୦୯ ଆସନ ପାଇଥିବା ବେଳେ ସହଯୋଗୀଙ୍କୁ ମିଶାଇଲେ ସଂଖ୍ୟା ୨୧୨…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri