ଲକ୍ଷ୍ନୌ,୨୨।୧୦: ଉତ୍ତରପ୍ରଦେଶର ମହୋବା ଜିଲାରେ ପୁଣି ବିବାଦରେ ଫସିଛନ୍ତି ଭାଜପା ବିଧାୟକ ବ୍ରିଜଭୂଷଣ ରାଜପୁତ। ଚାଷୀଙ୍କୁ ବଣ୍ଟନ ପାଇଁ ଉଦ୍ଦିଷ୍ଟ ଚଣା ବିହନର କଥିତ କଳାବଜାରୀ ଅଭିଯୋଗ ହୋଇଥିଲା । କୃଷି ବିଭାଗର ବିହନ ଗୋଦାମରେ ପହଞ୍ଚିଥିବା ବିଧାୟକଙ୍କର ଗୋଦାମ ପ୍ରଭାରୀ ସୋନୁ ଯାଦବଙ୍କ ସହ ଯୁକ୍ତିତର୍କ ହୋଇଥିଲା। ଏହି ସମୟରେ ବିଧାୟକ ଗୋଦାମ ପ୍ରଭାରୀଙ୍କୁ ଚାପୁଡ଼ା ମାରିଥିବା ଅଭିଯୋଗ ହୋଇଛି । ଘଟଣାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ।
ସୂଚନା ଅନୁଯାୟୀ, ଚାଷୀଙ୍କୁ ବଣ୍ଟନ କରାଯିବାକୁ ଥିବା ଚଣା ବିହନ ଗୋଦାମରୁ ବାହାରକୁ ପଠାଯାଉଥିବା ନେଇ ବିଧାୟକ ବ୍ରିଜଭୂଷଣ ରାଜପୁତଙ୍କୁ ଖବର ମିଳିଥିଲା। ଏହାପରେ ସେ ଚରଖାରୀସ୍ଥିତ କୃଷି ବିଭାଗର ବିହନ ଗୋଦାମରେ ପହଞ୍ଚିଥିଲେ। ସେଠାରେ ଏକ ଗାଡ଼ିରେ ପ୍ରାୟ ୧୦୦ ବସ୍ତା ଚଣା ବିହନ ଲୋଡ୍ କରାଯାଉଥିବା ଜଣାପଡ଼ିଥିଲା। ବିଧାୟକଙ୍କ ଅଭିଯୋଗ ଅନୁସାରେ, ଚାଷୀଙ୍କୁ ବଣ୍ଟନ କରିବା ପରିବର୍ତ୍ତେ ଏହି ବିହନକୁ ମଣ୍ଡିରେ ବିକ୍ରି କରିବାକୁ ନେବା ପାଇଁ ଯୋଜନା ହୋଇଥିଲା।
ବିହନ କେଉଁ ନିର୍ଦ୍ଦେଶରେ ପଠାଯାଉଛି, ସେନେଇ ବିଧାୟକ ଗୋଦାମ ପ୍ରଭାରୀ ସୋନୁ ଯାଦବଙ୍କୁ ପ୍ରଶ୍ନ କରିଥିଲେ । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ବଢ଼ିଥିଲା। ଏହି ସମୟରେ ବିଧାୟକ ତାଙ୍କୁ ଚାପୁଡ଼ା ମାରିଥିବା ଖବର ସାମ୍ନାକୁ ଆସିଛି। ବିଧାୟକ ଗୋଦାମ ପ୍ରଭାରୀଙ୍କ ଉପରେ ଚାଷୀଙ୍କ ପାଇଁ ଥିବା ବିହନରେ ହେରାଫେରି କରିବାର ଅଭିଯୋଗ ଆଣିଥିଲେ। ଏହା ସହିତ ସେ ସମାଜବାଦୀ ପାର୍ଟି ଓ ଅଖିଳେଶ ଯାଦବଙ୍କ ସହ ଜଡ଼ିତ ଥିବା ନେଇ ମଧ୍ୟ ଟିପ୍ପଣୀ କରିଥିଲେ। ଏହି ଘଟଣାକୁ ନେଇ ଭାଜପା ବିଧାୟକ କହିଛନ୍ତି ଯେ ବିହନ ଗୋଦାମରୁ ସରକାରୀ ବିହନ ଚାଷୀଙ୍କୁ ବଣ୍ଟନ କରାଯାଏ। ସେଠାରେ କଳାବଜାରୀ ହେଉଥିବା ନେଇ ତାଙ୍କୁ ସୂଚନା ମିଳିଥିଲା। ପ୍ରାୟ ୧୦୦ ବସ୍ତା ଚଣା ବିହନ ଗାଡ଼ିରେ ଲୋଡ୍ କରାଯାଉଥିଲା।
ତାଙ୍କ କହିବା ଅନୁସାରେ, ବିହନ ପଠାଇବା ପାଇଁ କାହାର ନିର୍ଦ୍ଦେଶ ରହିଛି ବୋଲି ପଚାରିବାରୁ ଗୋଦାମ ପ୍ରଭାରୀ କୌଣସି ଆଦେଶ ଦେଖାଇପାରି ନଥିଲେ । ଉପରିସ୍ଥ ଅଧିକାରୀଙ୍କୁ ପଚାରିବାରୁ ସେମାନଙ୍କ ପାଖରେ ମଧ୍ୟ ଏଭଳି କୌଣସି ନିର୍ଦ୍ଦେଶ ନଥିବା କୁହାଯାଇଥିଲା। ମହୋବା ଜିଲାର ଚରଖାରୀ ବିଧାନସଭା ଆସନରୁ ଭାଜପା ବିଧାୟକ ଥିବା ବ୍ରିଜଭୂଷଣ ରାଜପୁତ ପୂର୍ବରୁ ମଧ୍ୟ ବିବାଦୀୟ କାର୍ଯ୍ୟକଳାପକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ଫସଲ ବୀମା ଯୋଜନାର ସର୍ଭେରେ କଥିତ ଅନିୟମିତତାକୁ ବିରୋଧ କରି ସେ ସର୍ଭେୟରମାନଙ୍କୁ ଘାଘରା-ଚୋଲି ଓ ପେଟିକୋଟ୍ ପିନ୍ଧାଇଥିବା ଅଭିଯୋଗ ହୋଇଥିଲା।
ଏବେ ବିହନ ଗୋଦାମ ପ୍ରଭାରୀଙ୍କୁ ଚାପୁଡ଼ା ମାରିବା ଘଟଣାର ଭିଡିଓ ସାମ୍ନାକୁ ଆସିବା ପରେ ସେ ପୁଣି ଚର୍ଚ୍ଚାରେ ଅଛନ୍ତି। ତେବେ ଚଣା ବିହନର କଥିତ କଳାବଜାରୀ ଅଭିଯୋଗର ସତ୍ୟତା ତଦନ୍ତ ପରେ ସ୍ପଷ୍ଟ ହେବ।

