ଦିଗପହଣ୍ଡି,୧୮।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗାଇଗୁହାଳ ଛକ ନିକଟରେ ବୁଧବାର ଅପରାହ୍ନରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏକ ଦ୍ରୁତଗାମୀ ବାଲି ବୋଝେଇ ହାଇୱା ଧକ୍କାରେ ଜଣେ ବାଇକ ଚାଳକଙ୍କ ମୃତ୍ୟୁ ଘଟିବା ପରେ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ମୃତକ ହେଲେ ଦକ୍ଷିଣପୁର ଗ୍ରାମର ପି. ଜଗନ୍ନାଥ ରେଡ୍ଡୀ (୪୬)।
ବୁଧବାର ସକାଳେ ଜଗନ୍ନାଥ ନିଜ ପରିବାର ଲୋକଙ୍କ ସହ କେରାଣ୍ଡିମାଳ ପର୍ବତ ଶିଖରରେ ଥିବା ମାଁ ନିଜ ବାଙ୍କେଶରୀ ପୀଠକୁ ମୁଣ୍ଡନ ପୂଜା ପାଇଁ ଯାଇଥିଲେ। ଅପରାହ୍ନ ପ୍ରାୟ ୫ଟା ସମୟରେ ସେ ନିଜ ବାଇକ (OD ୦୭ AX ୮୭୪୬) ଯୋଗେ ଏକାକୀ ଗ୍ରାମକୁ ଫେରୁଥିଲେ। ଏହି ସମୟରେ ବିପରୀତ ଦିଗରୁ ଦ୍ରୁତଗତିରେ ଆସୁଥିବା ଏକ ବାଲି ବୋଝେଇ ହାଇୱା (OD ୦୭ V ୬୭୨୧) ତାଙ୍କୁ ସମ୍ମୁଖରୁ ଶକ୍ତ ଧକ୍କା ଦେଇଥିଲା।
ତାଙ୍କ ପଛରେ ଆସୁଥିବା ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିବା ପରେ ସ୍ବାସ୍ଥ୍ୟକେନ୍ଦ୍ର ପରିସର କାନ୍ଦବୋବାଳିରେ ଫାଟି ପଡ଼ିଥିଲା।
ଜଗନ୍ନାଥଙ୍କ ମୃତ୍ୟୁ ଖବର ପାଇ ସମ୍ପର୍କୀୟ ଓ ସାଙ୍ଗସାଥୀମାନେ କ୍ଷତିପୂରଣ ଦାବିରେ ଦିଗପହଣ୍ଡି-ଚିକିଟି ୨୯ ନଂ ରାଜ୍ୟ ରାଜପଥ ଅବରୋଧ କରିଥିଲେ। ଫଳରେ ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା। ପରିସ୍ଥିତି ଜଟିଳ ହେବାରୁ ଦିଗପହଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ। ରେଡକ୍ରସ ପାଣ୍ଠିରୁ ସହାୟତା ପ୍ରତିଶ୍ରୁତି ମିଳିବା ପରେ ରାସ୍ତା ଅବରୋଧ ହଟିଥିଲା।
ଥାନା ଆଇଆଇସି କିଶୋର କୁମାର ସାମଲଙ୍କ ସୂଚନା ଅନୁଯାୟୀ, ଦୁର୍ଘଟଣାଗ୍ରସ୍ତ ବାଇକ ଓ ଟ୍ରକକୁ ଜବତ କରାଯାଇଛି। ଟ୍ରକ ଚାଳକ ବର୍ତ୍ତମାନ ଫେରାର ଅଛି। ଗୁରୁବାର ସକାଳେ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ବ୍ୟବଚ୍ଛେଦ ପରେ ମୃତଦେହ ପରିବାରକୁ ହସ୍ତାନ୍ତର କରାଯିବ।

