ଥୁଆମୂଳ ରାମପୁର, ୨୭।୮ (ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର-ଭବାନୀପାଟଣା ରାସ୍ତାର କୃଷି କାର୍ଯ୍ୟାଳୟ ନିକଟସ୍ଥ ସ୍କିଲ ଡେଭଲପମେଣ୍ଟ ଟ୍ରେନିଂ ସେଣ୍ଟର ନିକଟରେ ବୁଧବାର ସା ପ୍ରାୟ ୬ଟା ୪୦ ସମୟରେ ଏକ ସଡ଼କ ଦୁର୍ଘଟଣା ଘଟିଯାଇଛି। ଏହି ଦୁର୍ଘଟଣାରେ ବାଇକ ଆରୋହୀ ଯୁବକ ଗୁରୁତର ଆହତ ହୋଇଥିବା ବେଳେ ଘଟଣାସ୍ଥଳରେ ଏକ କଳା ରଙ୍ଗର ବଳଦର ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ମୁତାବକ, ଘୁଟିଗୁଡ଼ା ଗ୍ରାମର ସ୍ବର୍ଗତ ବାଲକର ନାଏକଙ୍କ ପୁଅ ହରେକୃଷ୍ଣ ନାଏକ (୩୦) ରାମପୁରରୁ ନିଜ ଗାଁକୁ ଏକ ପଲସର ବାଇକ ଯୋଗେ ଫେରୁଥିଲେ। ଏହି ସମୟରେ ରାସ୍ତା ଉପରେ ଏକ କଳା ବଳଦ ସହ ତାଙ୍କ ବାଇକର ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ହିଁ ବଳଦଟିର ମୃତ୍ୟୁ ଘଟିଥିଲା।
ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ଦୁର୍ଘଟଣା ସ୍ଥଳରେ ଅନ୍ଧାର ଥିବା ଏବଂ ବଳଦଟି କଳା ରଙ୍ଗର ହୋଇଥିବାରୁ ବାଇକ ଚାଳକ ସେହି ଅନ୍ଧାରରେ କିଛି ଜାଣିପାରି ନଥିଲେ। ବାଇକଟି ଦ୍ରୁତ ଗତିରେ ଥିବା ସହ ଚାଳକ ଜଣକ ମଦ୍ୟପାନ କରିଥିବାରୁ ନିୟନ୍ତ୍ରଣ ହରାଇ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି। ଦୁର୍ଘଟଣା ପରେ ହରେକୃଷ୍ଣଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି, ଯେଉଁଥିପାଇଁ ତାଙ୍କ ମୁଣ୍ଡରେ ୫ଟି ଷ୍ଟିଚ ପଡ଼ିଥିବା ବେଳେ ହାତ ଓ ଗୋଡ଼ରେ ସାମାନ୍ୟ ଆଘାତ ଲାଗିଛି। ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ଏ. ରାଣା ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟ ଭବାନୀପାଟଣାକୁ ସ୍ଥାନାନ୍ତର କରିଛନ୍ତି। ଥୁଆମୂଳ ରାମପୁର ବ୍ଲକର ଏହି ବଜାର ମୁଖ୍ୟ ଅଞ୍ଚଳରେ ଷ୍ଟ୍ରିଟ ଲାଇଟର କୌଣସି ସମୁଚିତ ବ୍ୟବସ୍ଥା ନାହିଁ। ଏହାସହ ଗାଈଗୋରୁ ମାଲିକମାନେ ମଧ୍ୟ ନିଜ ଗାଈବଳଦଙ୍କୁ ଗୋଶାଳା କିମ୍ବା ଗୁହାଳରେ ନରଖି ରାସ୍ତା ଉପରେ ଛାଡ଼ି ଦେଉଥିବାରୁ ପ୍ରତିଦିନ ଏଭଳି ସଡ଼କ ଦୁର୍ଘଟଣା ଘଟୁଛି। ଆଗାମୀ ଦିନରେ ଯେପରି ଏଭଳି ଦୁର୍ଘଟଣାରେ କାହାରି ଜୀବନ ନଯାଏ, ସେଥିପାଇଁ ବଜାର ଅଞ୍ଚଳରେ ତୁରନ୍ତ ରାସ୍ତା ଆଲୋକ ସହ ବୁଲା ଗାଈଗୋରୁଙ୍କ ପାଇଁ କିଛି ବ୍ୟବସ୍ଥା କରିବାକୁ ସ୍ଥାନୀୟ ଜନସାଧାରଣ ଓ ପ୍ରତ୍ୟକ୍ଷଦର୍ଶୀ ପ୍ରଶାସନ ନିକଟରେ ଦାବି କରିଛନ୍ତି।

