ପାଟନା,୨୭।୧୦: ବିହାରର ସରକାରୀ ପ୍ରାଥମିକ ବିଦ୍ୟାଳୟଗୁଡ଼ିକରେ ନଭେମ୍ବର ୧ ତାରିଖରୁ ମଧ୍ୟାହ୍ନ ଭୋଜନ (ମିଡ୍-ଡେ ମିଲ୍) ବ୍ୟବସ୍ଥା ବନ୍ଦ ହୋଇପାରେ । ଦୀର୍ଘ ୬ ମାସ ଧରି ଏ ବାବଦରେ ବକେୟା ଅର୍ଥ ପ୍ରଦାନ ହୋଇନଥିବାରୁ ବିହାର ରାଜ୍ୟ ପ୍ରାଥମିକ ଶିକ୍ଷକ ସଂଘ ଏଭଳି ଚେତାବନୀ ଦେଇଛି । ଶିକ୍ଷା ବିଭାଗକୁ ୭ ଦିନର ଲିଖିତ ଅଲ୍ଟିମେଟମ୍ ଦେଇଛି ସଂଘ । ଯଦି ଏହି ସମୟ ମଧ୍ୟରେ ବକେୟା ଅର୍ଥ ପ୍ରଦାନ ନହୁଏ, ତେବେ ନଭେମ୍ବର ୧ରୁ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ରନ୍ଧା ବନ୍ଦ ହୋଇପାରେ।
ବିହାର ରାଜ୍ୟ ପ୍ରାଥମିକ ଶିକ୍ଷକ ସଂଘର ଅଭିଯୋଗ ଅନୁସାରେ, ଗତ ୬ ମାସ ଧରି ମଧ୍ୟାହ୍ନ ଭୋଜନ ପାଇଁ ଶିକ୍ଷା ବିଭାଗ ପକ୍ଷରୁ ଆବଶ୍ୟକ ଅର୍ଥ ମିଳିନାହିଁ । ଫଳରେ ପିଲାମାନଙ୍କ ଖାଦ୍ୟ ବ୍ୟବସ୍ଥା ଜାରି ରଖିବା ପାଇଁ ଶିକ୍ଷକମାନେ ନିଜ ପକେଟରୁ ଟଙ୍କା ଖର୍ଚ୍ଚ କରୁଛନ୍ତି । କିନ୍ତୁ ଦୀର୍ଘଦିନ ଧରି ଏଭଳି ଖର୍ଚ୍ଚ ବହନ କରିବା ଯୋଗୁଁ ଶିକ୍ଷକମାନଙ୍କ ଆର୍ଥିକ ସ୍ଥିତି ଉପରେ ଚାପ ପଡ଼ୁଥିବା ସଂଘ କହିଛି । ସଂଘର ସଭାପତି ଜୟରାମ ଶର୍ମା କହିଛନ୍ତି, ବକେୟା ଅର୍ଥ ପ୍ରଦାନ ପାଇଁ ଶିକ୍ଷା ବିଭାଗକୁ ଲିଖିତ ନୋଟିସ୍ ଦିଆଯାଇଛି।
ସଂଘର ମହାସଚିବ ଦିନେଶ କୁମାର ସିଂଙ୍କ କହିବା ଅନୁସାରେ, ଏହି ସମସ୍ୟା ବିଷୟରେ ପୂର୍ବରୁ ମଧ୍ୟ ବିଭାଗକୁ ଅବଗତ କରାଯାଇଥିଲା। ଏପରିକି ୨୦୨୬ ଅକ୍ଟୋବର ୧ ତାରିଖରେ ମଧ୍ୟ ଅର୍ଥ ପ୍ରଦାନ ପାଇଁ ଚିଠି ଲେଖାଯାଇଥିଲା। ହେଲେ ଦାବି ପୂରଣ ନହେବାରୁ ଏବେ ସଂଘ କଠୋର ଆଭିମୁଖ୍ୟ ଗ୍ରହଣ କରିଛି। ସଂଘ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ନିର୍ଦ୍ଧାରିତ ୭ ଦିନ ମଧ୍ୟରେ ବକେୟା ଟଙ୍କା ପ୍ରଦାନ ନହେଲେ ନଭେମ୍ବର ୧ରୁ ମଧ୍ୟାହ୍ନ ଭୋଜନ ରନ୍ଧା ବନ୍ଦ କରାଯିବ। ଏଥିସହ ଶିକ୍ଷକମାନଙ୍କୁ ନିଜ ପକେଟରୁ ଆଉ ଟଙ୍କା ଖର୍ଚ୍ଚ କରିବାକୁ ଦିଆଯିବ ନାହିଁ ବୋଲି ସଂଘ କହିଛି।

