ବଡ଼ଦିଦିଙ୍କ ପତି

ଶିକ୍ଷୟିତ୍ରୀ ଥିଲା ଭଲ ଥିଲା। ପ୍ରଧାନଶିକ୍ଷୟିତ୍ରୀ ହୋଇଗଲା ବଡ଼ ବିଜାର! କିଲିବିଲି ହୋଇଗଲା ପ୍ରାଣ। ନିଜେ ଛଟପଟ ହେଉଛି। ସାରା ପରିବାରକୁ ଘାଣ୍ଟି ଦେଉଛି !
ଦେଖୁ ଦେଖୁ କହିଲେ ସମୀରବାବୁ। ଗତବର୍ଷ ସମୀରବାବୁଙ୍କ ଧର୍ମପତ୍ନୀ ପଦୋନ୍ନତି ପାଇ ପ୍ରଧାନଶିକ୍ଷୟିତ୍ରୀ ହୋଇଛନ୍ତି। ଷ୍ଟାଟସ ଟିକେ ବଦଳିଥିବା ଖୁସିରେ ଗହଗହ ହେଉଥିଲେ। ଆଜି ଦେଖୁ ଦେଖୁ ବାୟା ବାୟା ଜଣାପଡୁଥିଲେ ସେ। ବୃତ୍ତିରେ ଓକିଲ ଥିବା ସମୀରବାବୁ ସହରର ଜଣେ ନାମକରା ବ୍ୟକ୍ତି। ପଚାରିଲି – ”କ’ଣ ଏମିତି ଅସୁବିଧା ହୋଇଗଲା ଯେ ଏତେ ବିସୁକୁ ହୋଇଯାଉଛନ୍ତି!“ ଏଥର କହିଲେ, ତାଙ୍କ ଦୁଃଖଭରା କାହାଣୀ। ପ୍ରଧାନଶିକ୍ଷୟିତ୍ରୀ ହେବା ଭାରି କଷ୍ଟ। ଯଦି ତାଙ୍କୁ ଗାଡ଼ି ଚଲେଇବା ଆସୁ ନ ଥିବ ତେବେ କଥା ସରିଲା। ପ୍ରାଥମିକ ବିଦ୍ୟାଳୟରେ ହଜାରେ କାମ। ପାଠ ଅପେକ୍ଷା ଆନୁଷଙ୍ଗିକ କାମର ତାଲିକା ଲମ୍ବା। ସକାଳ ଉଠୁ ଉଠୁ ଠାକୁର ମୁହଁ ଦେଖିବା ଆଗରୁ ମୋବାଇଲ ମୁହଁ ଦେଖିବାକୁ ହେବ। ସିଆରସି ଆଜ୍ଞାଙ୍କ ହ୍ବାଟ୍‌ସଅପ୍‌ ଗ୍ରୁପରେ ଆସିଥିବା ନିର୍ଦ୍ଦେଶନାମା। ଗୋଟେ ନାହିଁ। ଏକାବେଳକେ ଦି’ ତିନିଟା ଚିଠି କିମ୍ବା ନିର୍ଦ୍ଦେଶ ଥିବ। ସେସବୁ ଗୋଟେ ଦିନ ଭିତରେ ସାରି ସେଇ ଗ୍ରୁପରେ ସଫ୍ଟ କପି ପଠେଇବାକୁ ପଡ଼ିବ। ଯଦି ମୋବାଇଲ ପରିଚାଳନା ଓ କମ୍ପ୍ୟୁଟର ପରିଚାଳନା ଜାଣି ନ ଥିବ ପୁଣି ଘରର ମରଦ ମଲା। ତାଙ୍କୁ ଥୟକୂଳ ରଖେଇ ଦେବେନି ମାଡାମ୍‌। ଦେଖୁ ଦେଖୁ ହୋସ ଉଡ଼ିଯିବ ସକାଳୁ ସକାଳୁ। ବୁଦ୍ଧି ବାମ ହୋଇଯିବ। ଆଉ ଶୋଇବାକୁ ଦେବେନି ପତିଦେବଙ୍କୁ। ଥରକୁ ଥର ଡାକି ଡାକି ପାହାନ୍ତା ପହରରୁ ଉଠେଇ ଦେବେ। ମୋବାଇଲଟେ ହାତକୁ ବଢ଼େଇ ଦେଇ କାମ ବରାଦ କରିଦେବେ। ତେଣିକି ବିଚରା ପତିଦେବଙ୍କ ସକାଳୁଆ ଭ୍ରମଣ ମର୍ଡର ହୋଇଯିବ। ଏତେ ବ୍ୟସ୍ତ କରିଦେବେ ଯେ ଦାନ୍ତପତ୍ର ନ ଘଷି କମ୍ପ୍ୟୁଟରରେ ବସିବେ ପତିଦେବ।
ମାଡାମ୍‌ ପାଖରେ ବସି ବିଦ୍ୟାଳୟର ପିଲା ଓ ଭିତ୍ତିଭୂମିର ତଥ୍ୟ ଦେବେ। ସ୍ବାମୀସ୍ତ୍ରୀ ଦୁହେଁ କମ୍ପ୍ୟୁଟର କାମ ସାରିଲାବେଳକୁ ସୂର୍ଯ୍ୟ ସାମାନ୍ୟ ଉପରକୁ ଉଠି ସାରିଥିବେ। ଘରେ ଯଦି ଛୋଟ ପାଠ ପଢୁଆ ପିଲା ଥିଲେ ତାକୁ ପ୍ରସ୍ତୁତ କରିବାକୁ ମହାଶୟା ଏପଟେ ସେପଟେ ଧନ୍ଦି ହେଉଥିବେ। ଏ ସମୟରେ କିଛି ତଥ୍ୟ ପଚାରିଲେ ଓଲଟି ଗାଳି ଶୁଣିବାକୁ ବାଧ୍ୟ। ବରଂ ନିଜେ କମ୍ପ୍ୟୁଟର ପାଖରୁ ଉଠି ମେଶିନ ଭଳି କାମ କରୁଥିବା ଧର୍ମପତ୍ନୀଙ୍କ ନିକଟକୁ ଯାଇ କଅଁଳ ବଚନରେ ଉତ୍ତର ଆଦାୟ କରିବାକୁ ପଡ଼ିବ। ସେଇ କାମତକ ସାରି ନିଜକୁ ପ୍ରସ୍ତୁତ ହେଲାବେଳକୁ ରନ୍ଧାବଢ଼ା ପରେ ସ୍କୁଲ ପାଇଁ ପ୍ରସ୍ତୁତ ହୋଇଥିବେ ମହାଶୟା। ତରବର ହୋଇ ଯାହାକିଛି ଉଦରସ୍ଥ କରି ନିଜକୁ ପ୍ରସ୍ତୁତ ହେବାକୁ ପଡ଼ିବ ପତିଦେବଙ୍କୁ। ଗାଡ଼ିରେ ନେଇ ଛକରେ ଛାଡ଼ିବାକୁ ହେବ। ଯଦି ବିଶେଷକାମ ଥିବ ତେବେ ଛକ ନାହିଁ ସିଧା ସ୍କୁଲରେ ଛାଡ଼ିବାକୁ ହେବ। ଏକକ ଶିକ୍ଷୟିତ୍ରୀସମ୍ପନ୍ନ ବିଦ୍ୟାଳୟ ହୋଇଥିଲେ କଥା ସରିଲା। ବଡ଼ଦିଦିଙ୍କ ଅଘୋରି କାହାଣୀ। କଡ଼ା ଦୁଃଖ। ତାକୁ ବ୍ୟକ୍ତ କରିହେବନି। କେବଳ ଘାଣ୍ଟିହେଉ ନ ଥିବେ ଦଳି ଚକଟି ହେଉଥିବେ। ସହକର୍ମୀ ଥିଲେ ଟିକେ ରକ୍ଷା। ତାଲା ଖୋଲି ପ୍ରାର୍ଥନା ପରେ ପ୍ରଥମେ ଉପସ୍ଥାପନ ପକାଇ ମଧ୍ୟାହ୍ନଭୋଜନ ଧନ୍ଦା। ସେଥିରେ ପୁଣି ବଡ଼ ଝମେଲା। ମୋବାଇଲ ଯୋଗେ ଉପରକୁ ଉପସ୍ଥାପନ ବାର୍ତ୍ତା ଦେବାକୁ ହେବ। ଏପଟେ ଚାଉଳ ତ ଯାହା ଆସିଥିବ, ସେଥିକୁ ପିଲା ସଂଖ୍ୟା ହିସାବରେ ଠିକ ମାପ କରି ଡାଲି ଚାଉଳ ସହ ଆନୁଷଙ୍ଗିକ ସାମଗ୍ରୀ ଦେଲାବେଳକୁ ବିଦ୍ୟାଳୟର ସବୁ ଶିକ୍ଷକଶିକ୍ଷୟିତ୍ରୀଙ୍କ ଅବସ୍ଥା ବାରଣ୍ଡା ଦି’ କଡ଼ା।
ଅଣ୍ଡା ପୁଣି ଝମେଲା। ବଜାରରେ ଦର ହାଉ ହାଉ। ମିଳିବ କେଞ୍ଚେ ଦେବାକୁ ପଡ଼ିବ ମେଞ୍ଚେ। ଟିକେ ଏପଟସେପଟ ହେଲେ ବିଦ୍ୟାଳୟ ମଧ୍ୟାହ୍ନଭୋଜନକୁ ନେଇ ତିଆରି ହେବ ନୂଆ ନୂଆ କାହାଣୀ। ଏତିକି କହି ଭାରି କରୁଣ ଦିଶୁଥିଲେ ସମୀରବାବୁ। ଦୁଃଖକୁ କହିଦେଲେ ମନ ହାଲକା ହେବ ଭାବି ଅପେକ୍ଷା ନ କରି ପୁଣି କହିଲେ। ତା’ପରେ ସହକର୍ମୀଙ୍କୁ ଦାୟିତ୍ୱ ଦେଇ ବଡ଼ଦିଦି ଅଲଗା କାମରେ ବାହାରିବାକୁ ହେବ। ଆଦିବାସୀ ଇଲାକାରେ ନିଜ କାମଦାମରେ ଲାଗିଥିବେ ବିଦ୍ୟାଳୟ ପରିଚାଳନା କମିଟି ମୁଖିଆ। ସେଠୁ ଚାଲିଚାଲି ତାଙ୍କ ଡଙ୍ଗର କିମ୍ବା ବିଲ ନିକଟକୁ ଯାଇ ଚାଲିବ ଗୌରଚନ୍ଦ୍ରିକା। ଦସ୍ତଖତ କାମ ତୁଟେଇ ପୁଣି ମହାଶୟାଙ୍କୁ ନେଇ ଏ ଅଫିସ ସେ ଅଫିସ ଭ୍ରମଣ। ବ୍ୟାଙ୍କ ଭିଡ଼କୁ କାଟି ପିଏଫ୍‌ଏମ୍‌ଏସ୍‌ କାଗଜ ପୈଠ କରିବା ପାଇଁ ଘଣ୍ଟା ଘଣ୍ଟା ଅପେକ୍ଷା। ସେତିକି କାମ ସରିଲା ପରେ ବିଦ୍ୟାଳୟ ପାଇଁ ଅନୁଦାନ ବ୍ୟୟ ଲାଗି ହରେକ ଦୋକାନ ଓ ଏଜେନ୍ସି ପାଖକୁ ପହଞ୍ଚିବାକୁ ହେବ। ଖାଲି ପହଞ୍ଚିଗଲେ ହେବନି। ସେମାନଙ୍କୁ କୁହାପୁଛା କରି ବିଦ୍ୟାଳୟର କାମ ଆଦାୟ କରିବାକୁ ଦି’ ଚାରିଥର ଦୌଡ଼ିବାକୁ ହେବ। ଏସବୁ ଭିତରେ ଥରକୁ ଥର ବିଦ୍ୟାଳୟ ଖବର ବୁଝିବାକୁ ବାଧ୍ୟ ବଡ଼ଦିଦି। ‘ମନ ସେଠି ପ୍ରାଣ ଏଠି’ ନ୍ୟାୟରେ କାମ ଚାଲିଥିବ।
ଏଇକ୍ରମରେ ଅଫିସରୁ ପୁଣି ଘନ ଘନ ଫୋନ। ଏଇଟା ଦେଇ ନାହାନ୍ତି, ସେଇ କାମ ଆପଣଙ୍କର ସରିନି କାହିଁକି , ଆଜି ତୁରନ୍ତ ସାରି ରିପୋର୍ଟ କରନ୍ତୁ। ଅଖିଆଅପିଆ ହୋଇ ଘରକୁ ଫେରିଲା ବେଳକୁ ଦି’ଟା କି ତିନିଟା। ଫେରିବା ବାଟରେ ମେମ୍‌ ଏଥର କହିବେ – ଆଉ ମୁଁ ପାରୁନି, ଏଣିକି ଚାକିରି ଛାଡ଼ିଦେବି। ଏତିକି ଶୁଣୁ ଶୁଣୁ ସ୍ବାମୀଙ୍କ ଅଧେ ରକ୍ତ ଶୁଖିଯିବ। ଚାକିରି ଛାଡ଼ିଦେଲେ ପରିବାର ପିଲାକୁଟୁମ୍ବ ଚାଲିବ କେମିତି? ପୁଣି ରାସ୍ତାସାରା ବୁଝାଶୁଝା କରି ଘରକୁ ଆଣି ଶାନ୍ତିରେ ରହିବାକୁ କାକୁତିମିନତି। କ’ଣ ଟିକେ ଖାଇ ପୁଣି ବଳକା ଥିବା ବିଦ୍ୟାଳୟ ତଥ୍ୟ ପରିଚାଳନାରେ ପେଷି ହେବାକୁ ପଡ଼ିବ। ଏସବୁ ବାଦେ ପୁଣି ତାଲିମ। କିସମ କିସମର ଶିକ୍ଷକ ତାଲିମ। ସହକର୍ମୀ ଗଲେ ବିଦ୍ୟାଳୟ ପରିଚାଳନା ଦାୟିତ୍ୱ। ସେ ଅମଙ୍ଗ ହେଲେ ବଡ଼ଦିଦି ତାଲିମ ଯିବାକୁ ବାଧ୍ୟ। ମହାଶୟା ତାଲିମରେ ଯୋଗଦାନ କଲେ ବିଦ୍ୟାଳୟ ଓ ଘର ବାବଦକୁ ଏକାଧିକ କାମ ବରାଦ ହୋଇଥିବ ପତିଦେବଙ୍କୁ। ସେତକ ସାରିବାକୁ ହେବ। ନ ହେଲେ ଆରମ୍ଭ ହେବ ମହାଭାରତ। ବର୍ଷକର ଅର୍ଦ୍ଧାଧିକ ସମୟ ଏମିତି ଛନ୍ଦି ହୋଇ କାମ କରିବା ଭିତରେ ଧର୍ମପତ୍ନୀଙ୍କୁ ସମସ୍ତ ଅଫିସର ଚିହ୍ନି ସାରିଥିବେ। ତେଣିକି କାମ ଆଦାୟ ଲାଗି ଆଉ ବଡ଼ଦିଦିଙ୍କୁ ନୁହେଁ ସିଧା ପତିଦେବଙ୍କୁ ଆସିବ ଫୋନ – ‘ଆଜ୍ଞା ! ଦିଦିଙ୍କ ସ୍କୁଲ କାମ ବହୁତ ରହିଯାଇଛି। ଖରାପ ଭାବିବେନି। ଟିକେ ଆପଣ ଲାଗି ସରେଇ ଦେଲେ ଭଲ ହୁଅନ୍ତା।’ ସେତିକିବେଳେ ଲାଗିବ – ବଡଦିଦିଙ୍କ ସହ ପତିଦେବ ବି ଚାକିରି କରୁଛନ୍ତି।

  • ଡ. ଦ୍ୱିତୀ ଚନ୍ଦ୍ର ସାହୁ
    ଇନ୍ଦିରା ନଗର, ଚତୁର୍ଥ ଗଳି, ରାୟଗଡା
    ମୋ- ୯୪୩୭୯୦୯୬୭୧

Enter your email to get our daily news in your inbox.

All Right Reserved By Dharitri.Com

ପ୍ରକୃତି ଭୋଗ୍ୟ ନୁହେଁ, ସୁରକ୍ଷାଯୋଗ୍ୟ

ବିକାଶର ଦୌଡ଼ରେ ଆମେ ପ୍ରାୟ ଭୁଲିଯାଉଛୁ ଯେ ନୀରବଥିବା ଏହି ପ୍ରକୃତି ଅସୀମ ନୁହେଁ। ଆମେ ଭାବୁଛୁ ପ୍ରକୃତିରେ ଯାହା କିଛି ନଷ୍ଟ ହେଉଛି, ସେସବୁ ଧୀରେ…

ସମ୍ବଳ ପାଇଁ ଅଧିକ ଋଣ

ଫେବୃଆରୀ ୧ରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଲୋକ ସଭାରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିଛନ୍ତି। ଏହି ବଜେଟକୁ ନେଇ ମିଶ୍ରିତ…

ପିଲା ଏବେ ଭାବପ୍ରବଣ

ଗୋଟିଏ ସପ୍ତାହ ଭିତରେ ଦୁଇଟି ଆତ୍ମହତ୍ୟାଜନିତ ଘଟଣା ଏବେ ଦେଶର ବିବେକକୁ ଦୋହଲାଇ ଦେଇଛି। ୪ ଫେବୃଆରୀରେ ଉତ୍ତରପ୍ରଦେଶର ଗାଜିଆବାଦରେ ଏକ ବହୁତଳ ପ୍ରାସାଦର ୯ମ ମହଲାରୁ…

ଏଇ ଭାରତରେ

ନିଷ୍ଠା ଓ ପ୍ରତିବଦ୍ଧତା ସଫଳତା ଆଣେ, ଯାହା ପ୍ରମାଣ କରିପାରିଛନ୍ତି ଉତ୍ତରାଖଣ୍ଡର ସୁଶାନ୍ତ ୟୁନିଆଲ ଏବଂ ତାଙ୍କ ଭାଇ। ଦୁଇ ଭାଇ ସବୁଠୁ ବଡ଼ ଛତୁ ଛତ୍ପାଦନ…

ଡିଜିଟାଲ ଗଣମାଧ୍ୟମ ଓ ଶିଶୁ

ନିକଟରେ ବିଶ୍ୱର ପ୍ରଥମ ଦେଶ ରୂପେ ଅଷ୍ଟ୍ରେଲିଆ ଆଇନ କରିଛି ୧୬ ବର୍ଷରୁ କମ୍‌ ବୟସ୍କ ପିଲାଙ୍କ ପାଇଁ ୧୦ ବଡ଼ ବଡ଼ ଡିଜିଟାଲ ଗଣମାଧ୍ୟମକୁ ନିଷିଦ୍ଧ…

ଗମ୍ଭୀର ସ୍ଥିତିରେ ବାୟୁ ପ୍ରଦୂଷଣ

ସମ୍ପ୍ରତି ବାୟୁ ପ୍ରଦୂଷଣ ଏକ ଜଟିଳ, ବୈଶ୍ୱିକ ଜରୁରିକାଳୀନ ପରିସ୍ଥିତି ପାଲଟିଛି। ଭାରତ ପରିପ୍ରେକ୍ଷୀରେ ଏହା ସ୍ବାସ୍ଥ୍ୟ ନିମନ୍ତେ ପରିବେଶୀୟ ବିପଦ ଭାବରେ ଉଭା ହୋଇଛି। ନିକଟରେ…

ଆଇସ୍‌କ୍ରିମ୍‌ ଖାଇଲେ

କଟକ ଜିଲା ବାଙ୍କୀ ତହସିଲ ଅନ୍ତର୍ଗତ କୁମୁସର ଗାଁରେ ୯ ଫେବୃଆରୀରେ ଅନୁଷ୍ଠିତ ଏକ ଅଷ୍ଟପ୍ରହରୀ କାର୍ଯ୍ୟକ୍ରମରେ ଆଇସ୍‌କ୍ରିମ ଖାଇ ୧୮ ଜଣ ପିଲା ଅସୁସ୍ଥ ହୋଇଥିବା…

ଏଇ ଭାରତରେ

ଅଜିମ ପ୍ରେମଜୀ ବିଶ୍ୱବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ଏକ ଟିମର ବର୍ଜ୍ୟପରିଚାଳନା ଅତ୍ୟନ୍ତ ପ୍ରଶଂସନୀୟ। କର୍ନାଟକ ବେଙ୍ଗାଲୁରୁ ନିକଟରେ ଥିବା ବିଲାପୁରା ଗାଁକୁ ସମ୍ପୂର୍ଣ୍ଣ ବର୍ଜ୍ୟମୁକ୍ତ କରାଯାଇପାରିଛି। ଦେଖିବାକୁ ଗଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri