ନୂଆଦିଲ୍ଲୀ,୧୬।୧୧: ସୋମବାର ସକାଳେ ଭାରତୀୟ କ୍ରିକେଟ ପ୍ରଶଂସକଙ୍କ ପାଇଁ ଏକ ବଡ଼ ଖବର ଆସିଛି: ଜୟ ଶାହାଙ୍କୁ ଆଇସିସି (ICC) ଅଧ୍ୟକ୍ଷ ଭାବରେ କ୍ରମାଗତ ଦ୍ୱିତୀୟ କାର୍ଯ୍ୟକାଳ ପାଇଁ ପୁନଃ ନିଯୁକ୍ତ କରାଯାଇଛି। ସେ ର୍ନିଦ୍ୱନ୍ଦ୍ୱରେ ଏହି ପଦ ପାଇଁ ନିର୍ବାଚିତ ହୋଇଛନ୍ତି। ଜୟ ଶାହା ପ୍ରଥମେ ୨୦୨୪ ଅଗଷ୍ଟ ୨୭ରେ ଆଇସିସି ଅଧ୍ୟକ୍ଷ ହୋଇଥିଲେ ଏବଂ ୨୦୨୪ ଡିସେମ୍ବର ୧ରୁ ଆନୁଷ୍ଠାନିକ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ସେବେଠାରୁ ସେ ଆନ୍ତର୍ଜାତୀୟ କ୍ରିକେଟ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ତାଙ୍କର ଉତ୍କୃଷ୍ଟ କାର୍ଯ୍ୟକୁ ସ୍ବୀକୃତି ଦେଇ, ତାଙ୍କୁ ବର୍ତ୍ତମାନ ଆଇସିସି ଅଧ୍ୟକ୍ଷ ଭାବରେ ପୁନଃ ନିଯୁକ୍ତ କରାଯାଇଛି, ଯାହା ୨୦୨୬ ନଭେମ୍ବର ୧୬ରୁ କାର୍ଯ୍ୟକାରୀ ହେବ।
ଏହା ପୂର୍ବରୁ, ସ୍ବରାଷ୍ଟ୍ରମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟି (BJP) ର ବରିଷ୍ଠ ନେତା ଅମିତ ଶାହାଙ୍କ ପୁତ୍ର ଜୟ ଶାହା, ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ର ସଚିବ ଭାବରେ କାର୍ଯ୍ୟ କରିଥିଲେ। ଆଇସିସି ଅଧ୍ୟକ୍ଷ ଭାବରେ ତାଙ୍କର ପୁନଃ ନିଯୁକ୍ତି ସମ୍ପର୍କିତ ଖବରକୁ ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ର ଅଫିସିଆଲ ‘X’ (ଟୁଇଟର) ଆକାଉଣ୍ଟରେ ଏକ ପୋଷ୍ଟ ମାଧ୍ୟମରେ ନିଶ୍ଚିତ କରାଯାଇଛି।
ଆଇସିସି (ICC) ଅଧ୍ୟକ୍ଷ ଭାବରେ ଜୟ ଶାହାଙ୍କ ପୁନଃନିଯୁକ୍ତି ସମ୍ପର୍କରେ ସୂଚନା ଦେଇ ଆଇସିସି କହିଛି: ‘ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ବୋର୍ଡ ଏହା ଘୋଷଣା କରି ଖୁସି ଅନୁଭବ କରୁଛି ଯେ, ବାଲି ଠାରେ ଅନୁଷ୍ଠିତ ବୋର୍ଡ ଏବଂ କମିଟି ବୈଠକ ସମୟରେ ଆଇସିସି ନିର୍ଦ୍ଦେଶକମାନଙ୍କ ପ୍ରସ୍ତାବ କ୍ରମେ, ଶ୍ରୀ ଜୟ ଶାହାଙ୍କୁ ଆଇସିସି ଅଧ୍ୟକ୍ଷ ଭାବରେ ଦ୍ୱିତୀୟ କାର୍ଯ୍ୟକାଳ ପାଇଁ ନିର୍ବିରୋଧ ଭାବେ ପୁନଃନିଯୁକ୍ତ କରାଯାଇଛି। ଏହି ନିଷ୍ପତ୍ତି ଶ୍ରୀ ଶାହାଙ୍କ ନେତୃତ୍ୱ ଉପରେ ବୋର୍ଡର ଆସ୍ଥାକୁ ପ୍ରତିଫଳିତ କରେ। ଏହା କ୍ରିକେଟ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସମୟରେ ନିରନ୍ତରତା ସୁନିଶ୍ଚିତ କରେଯେଉଁ ସମୟରେ ବିଶ୍ୱସ୍ତରୀୟ ସମ୍ପ୍ରସାରଣ, ପ୍ରଶଂସକଙ୍କ ସଂଖ୍ୟା ବୃଦ୍ଧି ଏବଂ ବ୍ୟବସାୟିକ ବିକାଶ ପାଇଁ ଏକ ରଣନୀତିକ ଯୋଜନା କାର୍ଯ୍ୟକାରୀ କରିବା ଉପରେ ବିଶେଷ ଧ୍ୟାନ ଦିଆଯାଉଛି।’ଆଇସିସି ଅଧ୍ୟକ୍ଷ ଭାବରେ ପୁନଃନିଯୁକ୍ତ ହେବା ପରେ ଜୟ ଶାହା କହିଛନ୍ତି: ‘ବୋର୍ଡ ମୋ ଉପରେ ଯେଉଁ ବିଶ୍ୱାସ ରଖିଛି, ସେଥିପାଇଁ ମୁଁ ନିଜକୁ ଅତ୍ୟନ୍ତ ସମ୍ମାନିତ ମନେ କରୁଛି। ମୋ ଉପରେ ନିରନ୍ତର ଆସ୍ଥା ଏବଂ ସମର୍ଥନ ବଜାୟ ରଖିଥିବାରୁ ମୁଁ ପ୍ରତ୍ୟେକ ନିର୍ଦ୍ଦେଶକଙ୍କ ନିକଟରେ ହୃଦୟରୁ କୃତଜ୍ଞତା ଜଣାଉଛି। ଆଇସିସି ଅଧ୍ୟକ୍ଷ ଭାବରେ କାର୍ଯ୍ୟ କରିବା ଏକ ସୌଭାଗ୍ୟ ଏବଂ ଦାୟିତ୍ୱ ଉଭୟ ଅଟେ। ବିଶ୍ୱବ୍ୟାପୀ କ୍ରିକେଟର ହିତ ସାଧନ ପାଇଁ ଆମର ସଦସ୍ୟମାନଙ୍କ ସହ ମିଶି କାମ କରିବାକୁ ମୁଁ ସମ୍ପୂର୍ଣ୍ଣ ପ୍ରତିବଦ୍ଧ।’

