ସାଇକେଲ ଏକ ବିକଳ୍ପ

ବୈକୁଣ୍ଠନାଥ ମିଶ୍ର

 

ଗତ ଶତାବ୍ଦୀର ସତୁରି ଦଶକ ପର୍ଯ୍ୟନ୍ତ ଗ୍ରାମାଞ୍ଚଳରେ ଶଗଡ଼ଗାଡ଼ିର ବହୁଳ ପ୍ରଚଳନ ଥିଲା। ସେହିପରି ଜଳପଥରେ ପାଲଟଣା ଜାହାଜ ଓ ବୋଇତରେ ଯାତ୍ରୀ ଓ ମାଲ୍‌ ପରିବହନ ହେଲା; ଯାହା କି ବାୟୁସ୍ରୋତର ଅନୁକୂଳରେ ଗତିକରୁଥିଲା। ରାଜା, ଜମିଦାର ବରିଷ୍ଠ ରାଜକର୍ମଚାରୀ, ମହାଜନ ଓ ସମ୍ଭ୍ରାନ୍ତ ଶ୍ରେଣୀୟ ବ୍ୟକ୍ତିବିଶେଷ ଅଶ୍ୱ ଓ ଗଜ ଆରୋହଣ କରି ଦୂରପଥ ଅତିକ୍ରମ କରୁଥିଲେ। ଆଜିକାଲି ବଳଦଗାଡ଼ି ସ୍ବପ୍ନ ହେଲାଣି ଓ ଶଗଡ଼ କେବଳ ଏକ ଆଭିଧାନିକ ଶବ୍ଦରେ ପରିଣତ ହେବାକୁ ଯାଉଛି। ସେହିପରି ‘ବଳଦ’ ଶବ୍ଦ ମଧ୍ୟ ଆଧୁନିକ ଶିଶୁମାନଙ୍କ ପାଇଁ ଏକ ଦୁର୍ବୋଧ୍ୟ ଶବ୍ଦ ହେବାକୁ ବସିଲାଣି। ଗାଁ ଗହଳିରେ ଆଉ ନାହିଁ ଶଗଡ଼ଗୁଳା କିମ୍ବା ଚଷା ଭାଇର ଅନ୍ତରଙ୍ଗ ବିଶ୍ୱସ୍ତ ବନ୍ଧୁ କାଳିଆ କସରା। ଅବଶ୍ୟ ଉତ୍ତର ଭାରତରେ କାଁ ଭାଁ ସ୍ବଳ୍ପ ସଂଖ୍ୟକ ଘୋଡ଼ାଗାଡ଼ି ଏବେ ମଧ୍ୟ ଦୃଶ୍ୟମାନ। ପୁରାଣ ଯୁଗରୁ ଇତିହାସ ଯୁଗ ପର୍ଯ୍ୟନ୍ତ ତାଲିମପ୍ରାପ୍ତ ଅଶ୍ୱ ଓ ଗଜମାନେ ଥିଲେ ସମ୍ଭ୍ରାନ୍ତନୀୟ ଭାବାବେଗର ପ୍ରତୀକ। ହୃଷ୍ଟପୁଷ୍ଟ ଓ ଦୁର୍ଦ୍ଦାନ୍ତ ଅଶ୍ୱମାନଙ୍କର ଚାହିଦା ଖୁବ୍‌ ବେଶି ଥିଲା। ବିଶ୍ୱବିଜୟୀ ଆଲେକ୍‌ଜାଣ୍ଡାରଙ୍କର ଦିଗ୍‌ବିଜୟ ପଛରେ ତାଙ୍କ ପ୍ରିୟ ଅଶ୍ୱ ‘ବୁସିଫାଲସ୍‌’ର ଅବଦାନ ଥିଲା ଇତିହାସ ପ୍ରସିଦ୍ଧ।
ଊନବିଂଶ ଶତାବ୍ଦୀର ପ୍ରାରମ୍ଭରେ ବିଶ୍ୱରେ ଯାନ୍ତ୍ରିକ ସଭ୍ୟତାର ଅୟମାରମ୍ଭ ହେଲା। ୧୮୧୬ରେ ଜର୍ମାନୀରେ ପ୍ରଥମେ ସାଇକେଲର ଉଦ୍ଭାବନ ହେଲା। ଏହାର ଉଦ୍ଭାବକ ଥିଲେ ‘କାର୍ଲ ଭୋନ୍‌ ଡ୍ରାଇସ୍‌’। ଏହି ଦୁଇଚକିଆ ଯାନଟିର ପେଡାଲ ନ ଥିଲା ଓ ଏହାର ଫ୍ରେମ୍‌ କାଠରେ ତିଆରି। ଡ୍ରାଇସ୍‌ ଏହି ସାଇକେଲ୍‌ଟିର ନାମ ରଖିଥିଲେ ‘ସୁଇପ୍ଟ ୱାକର’। ଏହାର ଗୋଟିଏ ସିଟ୍‌, ଦୁଇଟି ଚକ ଓ ଗୋଟିଏ ହ୍ୟାଣ୍ଡଲ୍‌ ଥିଲା। ଏହା ଏକ ସ୍ପ୍ରିଙ୍ଗ୍‌ ଦ୍ୱାରା ଚାଳିତ ହେଉଥିଲା। ସ୍ପ୍ରିଙ୍ଗ୍‌ଟି ଚକ ସଂଯୁକ୍ତ ଥିଲା। ପ୍ରଥମେ ଥରେ ଚକକୁ ଘୂରାଇବାକୁ ହେଉଥିଲା। ଚକ ଭୂମି ସଂଲଗ୍ନ ହେବା ମାତ୍ରେ ସ୍ପ୍ରିଙ୍ଗ୍‌ ସଂପ୍ରସାରିତ ହୋଇ ଚକକୁ ଗତିଶୀଳ କରାଉଥିଲା। ଏହାର ଦ୍ରୁତତମ ଗତି ଥିଲା ଘଣ୍ଟାପ୍ରତି ସର୍ବାଧିକ ୧୦ ମାଇଲ୍‌। ଏହାପରେ ୧୮୧୭ରେ ଇଂଲଣ୍ଡରେ ଏକ ସାଇକେଲ୍‌ ନିର୍ମିତ ହେଲା। ଯୁଦ୍ଧ କ୍ଷେତ୍ରକୁ ଯୁଦ୍ଧାସ୍ତ୍ର ଓ ସେନାମାନଙ୍କ ପାଇଁ ଖାଦ୍ୟ ପାନୀୟ ପରିବହନ ଲାଗି ଏହା ଉଦ୍ଦିଷ୍ଟ ଥିଲା। ଏହାର ନାମ ରଖାଯାଇଥିଲା ବି.ଏସ୍‌.ଏ. (ବ୍ରିଟିଶ୍‌ ସୋର୍ଡ ଆର୍ମି)। ଏହି ସାଇକେଲର ଚାହିଦା ବେଶ୍‌ ବୃଦ୍ଧି ପାଇଲା। ଉକ୍ତ ସାଇକେଲର ଆଧୁନିକ ସଂସ୍କରଣ ହୋଇ ଏବେ ମଧ୍ୟ ସେହି ବି.ଏସ୍‌.ଏ. ନାମରେ ବଜାରରେ ଉପଲବ୍ଧ। ବି.ଏସ୍‌.ଏ. ସାଇକେଲର ସଫଳତାକୁ ଦେଖି କ୍ରମେ ରାଲେ, ହମ୍ବର, ଫିଲିପ୍‌ସ ଓ ଆଟ୍‌ଲାସ୍‌ କମ୍ପାନୀଗୁଡ଼ିକ ଉତ୍ତମମାନର ସାଇକେଲ ପ୍ରସ୍ତୁତ କରି ବଜାରକୁ ଛାଡ଼ିଲେ। ଊନବିଂଶ ଓ ବିଂଶ ଶତାବ୍ଦୀକୁ ସାଇକେଲ ଯୁଗ କହିଲେ ଅତ୍ୟୁକ୍ତି ହେବ ନାହିଁ। ଇଷ୍ଟଇଣ୍ଡିଆ କମ୍ପାନୀ ଇଷ୍ଟର୍ନଷ୍ଟାର ନାମକ ଏକ ସାଇକେଲ ଭାରତ ବଜାରକୁ ଛାଡ଼ିଲା। କ୍ରମେ ରାଲେ, ହମ୍ବର କମ୍ପାନୀ ସେମାନଙ୍କ ଉପତ୍ାଦ ଭାରତ ବଜାରକୁ ଛାଡ଼ିଲେ। ବିଦେଶୀ ସାଇକେଲ ବ୍ୟତୀତ ଭାରତର ଆସାନ୍‌ସୋଲ୍‌ଠାରେ କାରଖାନା ପ୍ରତିଷ୍ଠା କରାଯାଇ ଅବିକଳ ଇଂଲିଶ ମଡେଲର ରାଲେ ସାଇକେଲ ତିଆରି ହେଲା; ଯାହା କେବଳ ଲୋକପ୍ରିୟ ହେଲା ନାହିଁ, ବରଂ ଆଭିଜାତ୍ୟର ସ୍ବାକ୍ଷର ବହନ କଲା। କାଳକ୍ରମେ ସାଇକେଲ ଭାରତୀୟ ଜନଜୀବନରେ ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ହୋଇଗଲା।
ସାଇକେଲ ଚାଳନାର ତିନିଟି ପ୍ରମୁଖ ଉପକାରିତା ମଧ୍ୟରୁ ଗୋଟିଏ ହେଲା ଶାରୀରିକ, ଅନ୍ୟ ଦୁଇଟି ହେଲା ପାରିବେଶିକ ଓ ଆର୍ଥିକ। ସାଇକେଲ ଚାଳନା ଶରୀରର ଅଙ୍ଗପ୍ରତ୍ୟଙ୍ଗଗୁଡ଼ିକୁ କାର୍ଯ୍ୟକ୍ଷମ କରେ ଓ ରକ୍ତ ସଞ୍ଚାଳନକୁ ସୁଗମ କରେ। ଏହା ରକ୍ତଚାପ, ହୃଦ୍‌ରୋଗ ଓ ଡାଇବେଟିସ୍‌ ଭଳି ରୋଗକୁ ପ୍ରତିହତ କରେ। ସାଇକେଲ ଚାଳନା ଏକ ଉତ୍କୃଷ୍ଟ ବ୍ୟାୟାମ। ପ୍ରତ୍ୟହ ୧୦/୧୫ କିଲୋମିଟର ସାଇକେଲ ଚଳାଇବା ସ୍ବାସ୍ଥ୍ୟପକ୍ଷେ ହିତକର। ପରିବେଶ ସୁରକ୍ଷା ଦୃଷ୍ଟିରୁ ସାଇକେଲ ଏକ ଇନ୍ଧନମୁକ୍ତ ଯାନ ହୋଇ ଥିବାରୁ ଏଥିରୁ ମୋଟରଯାନ ପରି କ୍ଷତିକାରକ କାର୍ବନ ମନୋକ୍‌ସାଇଡ୍‌ ଓ ଅଙ୍ଗାରକାମ୍ଳ ବାଷ୍ପ ନିର୍ଗତ ହେବାର ସମ୍ଭାବନା ନାହିଁ। ଏଥିରେ ଶବ୍ଦ ପ୍ରଦୂଷଣର ସମ୍ଭାବନା ମଧ୍ୟ ନାହିଁ। ପରିବେଶ ସୁରକ୍ଷାରେ ସାଇକେଲ ଚାଳନାର ଅବଦାନ ଅତୁଳନୀୟ। ପୁନଶ୍ଚ ଆର୍ଥିକ ଦୃଷ୍ଟିରୁ ସାଇକେଲ ସବୁବର୍ଗର ଲୋକଙ୍କ ପାଇଁ ଗ୍ରହଣୀୟ। କ୍ଷୁଦ୍ର ଭ୍ରମଣକାରୀ ବ୍ୟବସାୟୀଙ୍କ ପାଇଁ ସାଇକେଲ ତ ଜୀବନ ଓ ଜୀବିକା ଲାଗି ପ୍ରମୁଖ ଉତ୍ସ ପାଲଟିଛି। ଯୁବବର୍ଗ ସାଇକେଲ ଚାଳନା ପ୍ରତି ଆସକ୍ତ ହେବା ବାଞ୍ଛନୀୟ।
ମୋଟର ଯାନର ଦ୍ରୁତ ଅଭିବୃଦ୍ଧି ମଣିଷକୁ ପାରମ୍ପରିକ ଗମନାଗମନର ମାଧ୍ୟମଠାରୁ ଦୂରେଇ ନେଲା। ଫଳରେ ଆଧୁନିକ ମଣିଷ ସାଇକେଲ ପ୍ରତି କ୍ରମେ ବିମୁଖ ହେବାକୁ ଲାଗିଲା। ମୋଟରଯାନର ସଂଖ୍ୟା ବୃଦ୍ଧି ସହ ତାଳଦେଇ ସାଇକେଲ କ୍ରମେ ଅବକ୍ଷୟ ହେବାରେ ଲାଗିଛି। ଏକ ପରିସଂଖ୍ୟାନ ଅନୁଯାୟୀ ୧୯୭୦ ସୁଦ୍ଧା ପୃଥିବୀରେ ମୋଟର ଯାନର ସଂଖ୍ୟାଥିଲା ପ୍ରାୟ ୨୫କୋଟି। ୨୦୧୫ ସୁଦ୍ଧା ଏହା ୧୫୦ କୋଟିରେ ପହଞ୍ଚତ୍ଲାଣି। ସେହିପରି ୨୦୧୦ରେ ଭାରତରେ ମୋଟର ଯାନ ସଂଖ୍ୟାଥିଲା ୨କୋଟି ୮୦ ଲକ୍ଷ। ବର୍ତ୍ତମାନ ଏହା ପ୍ରାୟ ୫ କୋଟିରେ ପହଞ୍ଚତ୍ଲାଣି। ମୋଟର ଯାନଜନିତ ଦୁର୍ଘଟଣାରେ କେବଳ ଭାରତରେ ପ୍ରତିବର୍ଷ ୧ଲକ୍ଷ ୧୦ ହଜାର ବ୍ୟକ୍ତି ପ୍ରାଣ ହରାଉଛନ୍ତି। ଓଡ଼ିଶାରେ ମଧ୍ୟ ବିଗତ ୧୦ ବର୍ଷ ମଧ୍ୟରେ ଦୈନିକ ହାରାହାରି ୧୨ଜଣଙ୍କର ସଡ଼କ ଦୁର୍ଘଟଣାରେ ପ୍ରାଣହାନି ଘଟୁଛି। ଆହତମାନଙ୍କ ସଂଖ୍ୟା ମଧ୍ୟ ଯଥେଷ୍ଟ ଅଧିକ। ଏହା ବ୍ୟତୀତ ମୋଟର ଯାନରୁ ନିର୍ଗତ ବିଷାକ୍ତ ଧୂଆଁ ବାୟୁମଣ୍ଡଳର ଉଷ୍ମତା ବୃଦ୍ଧିର ଅନ୍ୟତମ କାରଣ। ସେଥିପାଇଁ ସରକାର ଇ-ଭେହିକିଲ୍‌ (ବିଦ୍ୟୁତ୍‌ଚାଳିତ)କୁ ପ୍ରୋତ୍ସାହିତ କରୁଛନ୍ତି।
ତେଣୁ ମୋଟାମୋଟି ଭାବେ ପରିବେଶ ସୁରକ୍ଷା ଶରୀର ସୁରକ୍ଷା ଓ ଅଯଥା ଖର୍ଚ୍ଚରୁ ରକ୍ଷା ପାଇବା ପାଇଁ ସାଇକେଲ୍‌ ହିଁ ଏକମାତ୍ର ବିକଳ୍ପ। ଅନ୍ତତଃ ଦୈନିକ ୧୦/୧୨କିଲୋମିଟର ସାଇକେଲ ଚାଳନା ଶରୀର ପକ୍ଷେ ହିତକର। ଆସନ୍ତୁ ଆଦରର ସହ ସାଇକେଲକୁ ଆପଣେଇ ନେବା। ପିଲାମାନଙ୍କୁ ଏଥି ପାଇଁ ପ୍ରୋତ୍ସାହିତ କରିବା।
ସିଦ୍ଧଳ, ଜଗତ୍‌ସିଂହପୁର, ମୋ-୯୪୩୮୭୮୫୭୩୮


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବହୁ ସମୟରେ ବ୍ୟକ୍ତି ସମ୍ମୁଖରେ ବୟସ ହାର ମାନେ, ଯାହାର ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଜମ୍ମୁରେ। ୭୨ ବର୍ଷ ବୟସରେ ବିଦ୍ୟା କୌର ନିର୍ଭୟରେ କାର ଚଳାଇ…

ପିତୃ ଶବ୍ଦର ମହାନତା

ପିତୃ’ ବା ତତ୍ସମ ଶବ୍ଦ ଯଥା ପିତା, ତାତ, ଜନକ, ବାପା, ବାପୁ, ବାବୁ, ପାପା, ନନା, ବାବା, ଡାଡି, ଡାଡ୍‌, ଡେ’ ଏହିପରି ଏକାର୍ଥବୋଧକ ଯେତେ…

ମଣିମା ଶୁଣିମା ହେଉ

ବାଲ୍ୟକାଳରେ ଶୁଣିଥିବା କାହାଣୀ ବେଳେବେଳେ ବିସ୍ମୃତିରୁ ବାହୁଡ଼ିଆସେ। ସେତେବେଳେ ଶିଶୁମନକୁ ଖୁବ୍‌ ପ୍ରଭାବିତ କରିଥିବା କାହାଣୀର ବିଲୋଳ ଚରିତ୍ର ଆଖି ଆଗରେ ଉଭାହୁଏ। ସାମ୍ପ୍ରତିକ ସମୟର ଲାଞ୍ଚମିଛ,…

କେବଳ ଦର୍ଶକ

ମଧ୍ୟପ୍ରାଚ୍ୟ ଯୁଦ୍ଧ ଏବେ ଦ୍ୱିତୀୟ ମାସରେ ପ୍ରବେଶ କରିଛି। ଏହା ଏକ ଲମ୍ବା ଯୁଦ୍ଧ ହେବାକୁ ଯାଉଛି ଏବଂ ଏ ସମ୍ପର୍କରେ ମୁଁ କିଛି ଟିପ୍ପଣୀ ଦେବା…

ସନ୍ତାନ ପାଳନ ଓ ମାର୍ଗ ଦର୍ଶନ

ଈଶ୍ୱରଙ୍କ ସୃଷ୍ଟିରେ ମଣିଷ ସର୍ବଶ୍ରେଷ୍ଠ ଜୀବ ରୂପେ ପରିଗଣିତ ହୋଇଥାଏ। ଏହାର କାରଣ ହେଲା ଜୀବଜନ୍ତୁମାନେ ଭଲ, ମନ୍ଦ, ଭୁଲ୍‌, ଠିକ୍‌ ବିବେଚନା କରିବାରେ ଅସମର୍ଥ ହୋଇଥିବା…

ନିର୍ବାଚନ: ଆଞ୍ଚଳିକ ଦଳ ବନାମ ଏନ୍‌ଡିଏ

କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀ ସହ ୪ଟି ରାଜ୍ୟ ବିଧାନସଭା ପାଇଁ ଚଳିତ ମାସରେ ନିର୍ବାଚନ ଅନୁଷ୍ଠିତ ହେବ। ଏହି ସମସ୍ତ ରାଜ୍ୟରେ ରହିଛି ମୋଟ ୮୨୪ଟି…

ଶାସନରେ ଭୟ

ଭାରତରେ ଯେବେ ଏକ ପ୍ରକଳ୍ପ ଅଟକିଯାଏ, ଖର୍ଚ୍ଚ ବଢ଼ିଯାଏ ଆମେ ସ୍ବାଭାବିକ ଭାବରେ ସେଥିରେ ଦୁର୍ନୀତି କଥା ଉଠାଇଥାଉ। କିନ୍ତୁ ବେଳେ ବେଳେ ବ୍ୟବସ୍ଥାର ନିଷ୍କ୍ରିୟତା ଯୋଗୁ…

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri