ମାଟି ସିଲଟରେ ଅ… ଆ…

ଅକ୍ଷୟ କୁମାର ମିଶ୍ର

 

ଦିନଥିଲା ପିଲାମାନେ ବିଦ୍ୟାଳୟ ଯିବା ସମୟରେ ସାଙ୍ଗରେ ଏକ ଛୋଟ ବୋତଲରେ ପାଣି ନେଇଯିବା ପାଇଁ ମାଆ ପାଖରେ ଅଝଟ ହେଉଥିଲେ। ଆଜି ଯେମିତି ବହି ବ୍ୟାଗ୍‌ରେ ୱାଟର ବଟଲ ଦେବାକୁ ମାଆମାନେ ଭୁଲୁନାହାନ୍ତି ସେମିତି ସେତେବେଳେ ପ୍ରଥମ କରି ସ୍କୁଲ ଯାଉଥିବା ପୁଅଝିଅଙ୍କର ବହି ବସ୍ତାନିରେ ସିଲଟ ଓ ମଧୁ ବର୍ଣ୍ଣବୋଧ ଦେବାକଥା ଆଦୌ ଭୁଲୁ ନ ଥିଲେ । ସିଲଟରେ ଅବଧାନେ ଗୋଟିଏ ବା ଦୁଇଟି ଅକ୍ଷର ଲେଖିଦେଉଥିଲେ। ସେହି ଅକ୍ଷର ଉପରେ ପିଲାମାନେ ମହି ଚଲାଇବା ସାଙ୍ଗକୁ ବଡ଼ ପାଟିରେ ଡାକୁଥିଲେ ଅ.. ଆ.. କ.. ଖ.. ଇତ୍ୟାଦି। ବାରମ୍ବାର ମହି ଚଲାଇବା ଫଳରେ ସିଲଟ ଉପରୁ ଯେତେବେଳେ ହାତରେ ପୋଛିଲେ ଦାଗ ଲିଭୁ ନ ଥିଲା ସେତେବେଳେ ପାଣି ବୋତଲରୁ ଟୋପେ ଦି’ ଟୋପାପାଣି ପକାଇଦେଇ ପିଲାମାନେ ସିଲଟ ପୋଛୁଥିଲେ ଓ ଖୁସି ମନରେ ଗୀତ ବୋଲୁଥିଲେ ”ନଈ ପାଣି ନଈକୁ ଯା’ ମୋ ସିଲଟ ଶୁଖିଯା“।
ବିଦ୍ୟାଳୟରେ ଶିକ୍ଷକମାନେ ପିଲାଙ୍କର ହାତଧରି ଅକ୍ଷର ଶିଖାଉଥିଲେ। ଅକ୍ଷର ଶିକ୍ଷା ପରେ ସଂଖ୍ୟା ତା’ପରେ ପଣିକିଆ ଶିକ୍ଷା ଦେବା ଥିଲା ପାରମ୍ପରିକ ପଦ୍ଧତି। ମଧୁ ବର୍ଣ୍ଣବୋଧ ଥିଲା ପିଲାଙ୍କ ପାଇଁ ଆଦ୍ୟଗ୍ରନ୍ଥ। ପ୍ରତିଦିନ ଗୋଟିଏ ପୃଷ୍ଠା ହସ୍ତାକ୍ଷର ନ ଲେଖିଲେ ଶିକ୍ଷକମାନେ ଆଦୌ ଛାଡୁ ନ ଥିଲେ। ପୁନଶ୍ଚ ଶ୍ରୁତଲିଖନ ଡାକିବା ଥିଲା ଶିକ୍ଷକମାନଙ୍କର ଆଉ ଏକ ନିୟମିତ କାର୍ଯ୍ୟକ୍ରମ। ପ୍ରତ୍ୟହ ଗଳ୍ପ ମାଧ୍ୟମରେ ନୀତି ଶିକ୍ଷାଦେବା ପାଇଁ ଶିକ୍ଷକମାନେ ଭୁଲୁ ନ ଥିଲେ। ମହାପୁରୁଷମାନଙ୍କର ଜୀବନ କାହାଣୀ ପାଠ୍ୟକ୍ରମର ଏକ ଅଂଶବିଶେଷ ଥିଲା। ଶିକ୍ଷକମାନଙ୍କୁ ପିଲାଙ୍କର ଦ୍ୱିତୀୟ ମାତାପିତା ରୂପେ ବିବେଚନା କରାଯାଉଥିଲା। ଜ୍ଞାନ ଆହରଣର ଏକମାତ୍ର କେନ୍ଦ୍ର ଥିଲା ବିଦ୍ୟାଳୟ। ମାଆବାପାମାନେ ମଧ୍ୟ ତାଙ୍କର ପୁଅଝିଅଙ୍କ ଶିକ୍ଷା କଥା ସମ୍ପୂର୍ଣ୍ଣ ଭାବରେ ଶିକ୍ଷକଙ୍କ ଉପରେ ନ୍ୟସ୍ତ କରିଦେଉଥିଲେ।
କ୍ରମେ ସବୁକିଛିର ପରିବର୍ତ୍ତନ ଘଟିଲା। ବ୍ୟବସ୍ଥା ବଦଳିଲା। ଶିକ୍ଷକ, ଛାତ୍ରୀଛାତ୍ର, ଅଭିଭାବକ ସମସ୍ତଙ୍କ ଭିତରେ ଏକ ବିରାଟ ପରିବର୍ତ୍ତନ ହେଲା। ବିଦ୍ୟାଳୟ ଶିକ୍ଷାର ଏକମାତ୍ର ସାଧନ କେନ୍ଦ୍ର ହୋଇ ରହିଲାନାହିଁ। ବିଭିନ୍ନ ନାମରେ ଶିକ୍ଷାଦାନ କେନ୍ଦ୍ର ସବୁଠି ପ୍ରତିଷ୍ଠା ହେଲା। ପାରମ୍ପରିକ ପଦ୍ଧତିରେ ଶିକ୍ଷାଦାନ ଆଉ ରହିଲା ନାହିଁ। ହସ ଖେଳ ମାଧ୍ୟମରେ ଶିକ୍ଷାଦାନ ପ୍ରକ୍ରିୟା ଆରମ୍ଭ ହେଲା। ସେହି ଅନୁଯାୟୀ ପାଠ୍ୟ ଖସଡ଼ା ପ୍ରସ୍ତୁତ ହେଲା। ପ୍ରଥମ ଶ୍ରେଣୀରେ ପଢ଼ାଯାଉଥିବା ଦୁଇ ଖଣ୍ଡ ବହି ମୋ ପାଠ ବହି ଓ ନୂଆ ଛବି ବହି ଉଠିଗଲା। ଏହି ପୁସ୍ତକ ଦୁଇଟିରୁ ଓଡ଼ିଆ ଅକ୍ଷରର ବର୍ଣ୍ଣମାଳା, ମାତ୍ରା ବିହୀନ ଶବ୍ଦ, ମାତ୍ରାଯୁକ୍ତ ଓ ଫଳାଯୁକ୍ତ ଶବ୍ଦ ଏବଂ ସମସ୍ତ ଯୁକ୍ତାକ୍ଷର ପିଲାମାନେ ଶିଖୁଥିଲେ। ଏବେ ଏହି ଦୁଇଟି ପୁସ୍ତକ ବଦଳରେ ‘ହସ ଖେଳ’ ପ୍ରଥମ ଭାଗ ଓ ଦ୍ୱିତୀୟ ଭାଗ ପଢ଼ାଯାଉଛି । ଅକ୍ଷର ଶିଖି ନ ଥିବା ପିଲାଙ୍କ ପାଇଁ ‘ଟୁଆଁ ଟୁଇଁ’ ଶୀର୍ଷକ ଥିବା ଏକ ମଜାଳିଆ କବିତା ବହିର ପ୍ରଥମ ପାଠ। ଏହି କବିତାରୁ କୁଆଡ଼େ ପିଲାମାନେ ଅକ୍ଷର ଶିକ୍ଷା ଆରମ୍ଭ କରିବେ। କିନ୍ତୁ ବାସ୍ତବତା ଭିନ୍ନ। ବିଦ୍ୟାଳୟରେ ଆଉ ଅକ୍ଷର ଶିକ୍ଷା ହେଉନାହିଁ। ବୋଧହୁଏ କୌଣସି ପିଲାଙ୍କ ବସ୍ତାନିରେ ସିଲଟ ଦେଖିବାକୁ ମିଳିବ ନାହିଁ। ହସ୍ତାକ୍ଷର, ଶ୍ରୁତଲିଖନ, ଅନ୍ତାକ୍ଷରୀ ବୋଲିବା ଆଉ ହେଉନାହିଁ।
ଏସବୁ ଲକ୍ଷ୍ୟ କରି ସଚେତନ ଅଭିଭାବକମାନେ ନିଜ ପିଲାଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରୁଛନ୍ତି । କିଏ ପ୍ଲେ ସ୍କୁଲରେ, କିଏ ବିଭିନ୍ନ ଘରୋଇ ବିଦ୍ୟା ମନ୍ଦିରରେ, କିଏ ନର୍ସରି, ଆଉ କିଏ ଟ୍ୟୁଶନ ସେଣ୍ଟରରେ ପିଲାଙ୍କୁ ଛାଡୁଛନ୍ତି। ଆଉ ଯେଉଁମାନେ ଆର୍ଥିକ ଏବଂ ସାମାଜିକ କ୍ଷେତ୍ରରେ ଦୁର୍ବଳ ସେମାନଙ୍କ ଭରସା ଅଙ୍ଗନଓ୍ବାଡି। ଏହା ଫଳରେ ପ୍ରଥମ ଶ୍ରେଣୀରେ ନାମ ଲେଖାଇବା ବେଳକୁ କିଛି ପିଲା ଅକ୍ଷର ସହିତ ଯୁକ୍ତାକ୍ଷର ଲେଖି ପଢ଼ି ଜାଣିଛନ୍ତି। ଆଉ କିଛି ପିଲାଙ୍କୁ କୌଣସି ଅକ୍ଷର ମାଲୁମ ନାହିଁ।
ଏହାକୁ ନେଇ ଦୁଇଟି କଥା ଉଠିପାରେ। ଉଠିବା ମଧ୍ୟ ସ୍ବାଭାବିକ। ଗୋଟିଏ ହେଲା ବର୍ତ୍ତମାନର ପିଲା ପୂର୍ବାପେକ୍ଷା ବୁଦ୍ଧିମାନ ଓ ବିଚକ୍ଷଣ। ଅଙ୍ଗୁଳି ଦେଖାଇଲେ ବାହୁ ଗିଳି ଦେବାର ଦକ୍ଷତା ତାଙ୍କଠି ଅଛି। ଯେଉଁଠି ପିଲାମାନେ ମୋବାଇଲକୁ ନିଜର ଖେଳଣା ଭାବରେ ବ୍ୟବହାର କରୁଛନ୍ତି, କମ୍ପ୍ୟୁଟର ଚଳାଇ ପାରୁଛନ୍ତି ସେଠାରେ ମାଟି ସିଲଟରେ ମହି ଚଲାଇ ଅକ୍ଷର ଶିକ୍ଷା କରିବେ ଏହା ଭାବିବା ଅପ୍ରାସଙ୍ଗିକ। ଦ୍ୱିତୀୟ କଥାଟି ହେଲା ଶିଶୁଟିଏ ପ୍ରଥମେ ଦେଖେ, ଚିହ୍ନେ, କହେ ତା’ପରେ ଲେଖିବା ଶିଖେ। ପରୀକ୍ଷଣ ଓ ପର୍ଯ୍ୟବେକ୍ଷଣ ଯେମିତି ସନ୍ଧିତ୍ସୁ ମନର କ୍ଷୁଧା ନିବାରଣ କରିପାରେ ସେମିତି ପର୍ଯ୍ୟବେକ୍ଷଣ ପଦ୍ଧତିରେ ଶିକ୍ଷାଦାନ ଶିକ୍ଷାର୍ଥୀର ମସ୍ତିଷ୍କ ବିକାଶରେ ସହାୟକ ହୁଏ। ସେଇଥିପାଇଁ ଏମିତି ପାଠ୍ୟ ପୁସ୍ତକର ପ୍ରଚଳନ ହୋଇଛି; ଯେଉଁଥିରେ ପିଲାଟି ଛବି ଦେଖିବ, ତାକୁ ଚିହ୍ନିବ। ତା’ପରେ କ’ଣ ବୋଲି କହିବ। ଶେଷରେ ଲେଖିବ। ଶିକ୍ଷକ ଶିଖାଇବେ ନାହିଁ, ଶିଖିବାରେ ସହାୟତା କରିବେ; ଫଳରେ ପିଲାଟି ଜିଜ୍ଞାସୁ ହେବ।
ଉପରୋକ୍ତ ଯୁକ୍ତି ଦୁଇଟି ଅକାଟ୍ୟ ନିଶ୍ଚୟ। କିନ୍ତୁ ଏହା ମଧ୍ୟ ସତ୍ୟ ଯେ ପିଲାଙ୍କର ପଠନ ଓ ଲିଖନ ଦକ୍ଷତା ଦୁର୍ବଳ ହୋଇଛି। ବିଭିନ୍ନ ସର୍ଭେର ସନ୍ଦର୍ଭରୁ ଜଣାଯାଏ, ଅଧିକାଂଶ ଛାତ୍ରୀଛାତ୍ର ଯେଉଁ ଶ୍ରେଣୀରେ ଅଧ୍ୟୟନ କରୁଛନ୍ତି ସେହି ଶ୍ରେଣୀର ପିଲାମାନେ ଯେତିକି ଜାଣିବା କଥା ସେତିକି ଜାଣନ୍ତି ନାହିଁ। ପଞ୍ଚମ ଶ୍ରେଣୀରେ ପଢ଼ୁଥିବା ପିଲାଟି ନିଜ ନାମକୁ ନିର୍ଭୁଲ ଲେଖିପାରୁନାହିଁ। ସପ୍ତମ ଶ୍ରେଣୀର ଛାତ୍ରୀଟି ଓଡ଼ିଆ ଭଲ ଭାବରେ ପଢ଼ି ପାରୁନାହିଁ। ଅଷ୍ଟମ ଶ୍ରେଣୀ ବେଳକୁ ଯୋଗ ବିୟୋଗ ଗୁଣନ ହରଣ ନ କରିପାରିବା ମୁଣ୍ଡବିନ୍ଧାର କାରଣ ପାଲଟିଛି। ଏହି ଅପନିନ୍ଦାରୁ ମୁକ୍ତି ପାଇଁ ଉଜ୍ଜ୍ୱଳ, ଉତ୍କର୍ଷ ଭଳି କାର୍ଯ୍ୟକ୍ରମ ହାତକୁ ନେବାକୁ ପଡ଼ୁଛି। ଏହି ସବୁ କାର୍ଯ୍ୟକ୍ରମର ସଫଳତା କାହାଣୀ ଜେଜେ ମାଆର ବୁଢ଼ୀ ଅସୁରୁଣୀ ଗଳ୍ପ ଭଳି ଯେତିକି ଆନନ୍ଦ ଦିଏ ଭବିଷ୍ୟତ କଥା ଭାବିଲେ ମନରେ ସମପରିମାଣରେ ଭୟ ସଞ୍ଚାର ହୁଏ। କୂଅ ଚୋରି ଗଳ୍ପର କଥାବସ୍ତୁ ମନେପଡ଼ିଯାଏ।
କାଗଜ କଲମରେ ସବୁକିଛି ଠିକ୍‌ଠାକ୍‌ ଚାଲିଛି। କିନ୍ତୁ ଶିବ ଧନୁ କିଏ ଭାଙ୍ଗିଛନ୍ତି ବୋଲି ଯଦି ପଚରା ଯାଏ ତେବେ ସମସ୍ତଙ୍କଠାରୁ ଗୋଟିଏ ଉତ୍ତର ଆସିବ ”ମୁଁ ଭାଙ୍ଗି ନାହିଁ।“ ଏହା ହିଁ ବିଡ଼ମ୍ବନା। କେହି ଦୋଷ ସ୍ବୀକାର କରିବାକୁ ପ୍ରସ୍ତୁତ ନୁହନ୍ତି। ଯଦି ଜଣେ ପିଲାକୁ ପଚରା ଯାଏ ତୁମେ ପଞ୍ଚମ ଶ୍ରେଣୀରେ ପଢ଼ୁଛ କିନ୍ତୁ ନିଜ ଦସ୍ତଖତ କରିପାରୁ ନାହଁ କାହିଁକି? ପିଲାଟି କହୁଛି ‘ମୋର ଦୋଷ କ’ଣ ଯେ, ସ୍କୁଲରେ ସାର୍‌ ପ୍ରଥମେ ଗପ ଗୀତ ପଢ଼ାଇଲେ। ତା’ପରେ ବିଭିନ୍ନ ଅକ୍ଷର ଦେଖାଇ ଚିହ୍ନିବାକୁ କହିଲେ। ଯେଉଁମାନେ ଘରୁ ଶିଖିକରି ଆସିଥିଲେ ସେମାନେ ଚଟାପଟ କହିଦେଲେ। ତା’ପରେ ସାର୍‌ ଆଗକୁ ଚାଲିଲେ।’ ଶିକ୍ଷକଙ୍କୁ ପଚାରିଲେ ଉତ୍ତର ଆସିବ ”ଆମେ କ’ଣ କରିବୁ ? ସାତ ଜାଗାରେ ଅଛୁ ତିନି। ସେଥିରେ କିଛି ପୁଣି ବିଭିନ୍ନ ଖାତାପତ୍ର କାମ। ମଧ୍ୟାହ୍ନଭୋଜନର ହିସାବ ରଖିବାକୁ ପଡୁଛି। ପିଲାଙ୍କ ଜାତିଗତ ସାର୍ଟିଫିକେଟ, ବାସିନ୍ଦା ଓ ଆୟ ସାର୍ଟିଫିକେଟ୍‌ ଯାହା ତହସିଲ ଅଫିସ୍‌ର କାମ ଏବେ ଆମକୁ କରିବାକୁ ପଡୁଛି। ସବୁ କାମ ଅନ୍‌ଲାଇନ୍‌ରେ କରିବା ନିର୍ଦ୍ଦେଶ ଆସୁଛି। ନା ଅଛି କମ୍ପ୍ୟୁଟର ନା ଅଛନ୍ତି ଡାଟା ଅପରେଟର। ଏହାପରେ ଅଛି ନାନା ପ୍ରକାରର ଗଣନା କାର୍ଯ୍ୟ। ଏତେସାରି କାମ କରି ଆସିବା ବେଳକୁ ସମୟ କାହିଁ ସବୁ ପିଲାଙ୍କ ସୁବିଧା ଅସୁବିଧା, ଭଲମନ୍ଦ ବୁଝିବାକୁ ?
ପ୍ରଶାସନିକ ଅଫିସରମାନଙ୍କୁ ପଚାରିଲେ ସେମାନେ କହିବେ ”ଏ ସବୁ ସରକାରୀ ନିଷ୍ପତ୍ତି, ଆମେ ପୋଷ୍ଟ ଅଫିସ କାମ କରୁଛୁ ।“ ଆଉ ସରକାରଙ୍କର ଉତ୍ତର ହେଲା, ”ଟଙ୍କା ଗଛରେ ଫଳୁ ନାହିଁ ଯେ ରାତାରାତି ସବୁ ହୋଇଯିବ। ଆମକୁ ସବୁ ବିଭାଗ ପ୍ରତି ଦୃଷ୍ଟିଦେବାକୁ ପଡ଼ିବ। ଏହା ସାଙ୍ଗକୁ ଅଛି ବିଭିନ୍ନ ଜନମଙ୍ଗଳ କାର୍ଯ୍ୟ। ଏ ଦିଗରେ ମାତାପିତାମାନେ ଅଧିକ ସଚେତନ ହେଲେ ସମସ୍ୟା ରହିବ ନାହିଁ।“
ବାସ୍‌ ! ‘ଆରେ ଢମଣା ବୁଲିବୁଲି ଆସି ସେଇ ଅଗଣା।’ ଶେଷରେ ସବୁ ଦୋଷ ପିଲାଙ୍କର ନ ହେଲେ ତାଙ୍କ ମାଆବାପାଙ୍କର। କିନ୍ତୁ ପରସ୍ପର ମଧ୍ୟରେ ଦୋଷର କାଦୁଅକୁ ଫିଙ୍ଗାଫିଙ୍ଗି କରି ମାନବ ସମ୍ବଳର ଭିତ୍ତିଭୂମିକୁ ଦୁର୍ବଳ କରିଦେବା କୌଣସି ଜାତି ପାଇଁ ଶୁଭ ସୂଚନା ନୁହେଁ। ମାଟି ସିଲଟ ସହିତ ଛୋଟ ପିଲାର ସମ୍ପର୍କ ସଦା ଶାଶ୍ୱତ। ସିଲଟରେ ଲେଖା ଅକ୍ଷର ଉପରେ ବାରମ୍ବାର ମହି ଚଲାଇବା ପରେ ତାହା ଯେମିତି ସହଜରେ ଲିଭେ ନାହିଁ ସେମିତି ପିଲା ବେଳର ଏହି ଅନୁଭବ ଓ ଅନୁଭୂତି ଭବିଷ୍ୟତକୁ ପରିପୁଷ୍ଟ କରେ। ମାଟି ସିଲଟରେ ‘ଅ’ ରୁ ‘କ୍ଷ’ ର ଶିକ୍ଷାଦାନ ଜୀବନର ଆଦ୍ୟରୁ ଅନ୍ତଯାଏ ଏକ ଅଭୁଲା ସ୍ମୃତି। ଏହାକୁ ଗୁରୁତ୍ୱହୀନ କରା ନ ଯାଉ।
ପ୍ରାକ୍ତନ ଯୁଗ୍ମ ସାଧାରଣ ସମ୍ପାଦକ, ଓଷ୍ଟା
ମୋ:୭୦୦୮୦୭୩୫୯୯


Enter your email to get our daily news in your inbox.

All Right Reserved By Dharitri.Com

ସାହିତ୍ୟରେ ଶସ୍ତା ରାଜନୀତି

ହଁଆଜ୍ଞା, ଅକବି ଓ ଅଲେଖକ ପ୍ରବଳ! ଚିନ୍ତାରେ କବି ଓ ଲେଖକକୁଳ। ସବଳ ଡମ୍ଫା,ଡହରା,ଟାଉଟର। ଦୁର୍ବଳ, ସ୍ରଷ୍ଟା, ସାଧକ, କଳାକାର। କବିବର ରାଧାନାଥ ରାୟଙ୍କ କାଳଜୟୀ କବିତାଂଶ;…

ବ୍ରିକ୍ସ: ସାମର୍ଥ୍ୟ ଅଛି ଶକ୍ତି ନାହିଁ

ବ୍ରିକ୍ସ କ୍ରମଶଃ ପ୍ରତିଷ୍ଠା ଲାଭ କଲେ ମଧ୍ୟ ଅନ୍ତର୍ଜାତୀୟ ଆହ୍ବାନଗୁଡିକୁ ମୁକାବିଲା କରିବାରେ ସଫଳ ହୋଇପାରୁନାହିଁ। ସେଥିପାଇଁ ଚଳିତ ମାସରେ ନୂଆଦିଲ୍ଲୀରେ ଅନୁଷ୍ଠିତ ବ୍ରିକ୍ସ ବୈଦେଶିକ ମନ୍ତ୍ରୀଙ୍କ…

ନକଲି ଆଇନଜୀବୀ

ଦେଶରେ ଥିବା ଆଇନଜୀବୀଙ୍କ ଶିକ୍ଷାଗତ ଯୋଗ୍ୟତା ଯାଞ୍ଚ ଲାଗି ବାର୍‌ କାଉନ୍‌ସିଲ୍‌ ଅଫ୍‌ ଇଣ୍ଡିଆ (ବିସିଆଇ) ପକ୍ଷରୁ ୨୦୨୫ ଜାନୁଆରୀରେ ଏକ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏଥିରେ…

ଏଇ ଭାରତରେ

ନିଜେ ସମସ୍ୟାରେ ଥିଲେ ବି ଅନ୍ୟଙ୍କ ମୁହଁରେ ଖୁସି ଦେଖି ସନ୍ତୋଷ ଲାଭ କରନ୍ତି ଗୁଜରାଟ କଚ୍ଛର ଆମ୍ମା(ଶ୍ରଦ୍ଧା ନାମ)। ସେ ପ୍ରଚଣ୍ଡ ଗ୍ରୀଷ୍ଣ ପ୍ରବାହରେ ପଥଚାରୀଙ୍କୁ…

କେରଳର ନୂଆ କାଣ୍ଡାରି

ଦଶନ୍ଧିବ୍ୟାପୀ ବାମପନ୍ଥୀ ଶାସନର ଅବସାନ ଘଟାଇ ଯିଏ କଂଗ୍ରେସ ପାଇଁ ଈଶ୍ୱରଙ୍କ ନିଜ ଦେଶ କୁହାଯାଉଥିବା କେରଳରେ ମଞ୍ଚ ତିଆରି କରାଇବାରେ ପ୍ରମୁଖ ଭୂମିକା ନିର୍ବାହ କଲେ,…

ନାଗରିକ ଚେତନା

ଅଷ୍ଟ୍ରେଲିଆର ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ମାଥ୍ୟୁ ହେଡେନଙ୍କୁ ସମ୍ପ୍ରତି ଖେଳ ପଡ଼ିଆରେ ଅଳିଆ ଉଠାଇ ସଫା କରୁଥିବାର ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଦେଖିବାକୁ ମିଳିଥିଲା। ପ୍ରଥମ ଦୃଷ୍ଟିରେ…

ସତ୍ୟରେ ସମାଧାନ

ଗୋଟିଏ ମୁହୂର୍ତ୍ତ ପାଇଁ ଭାବନ୍ତୁ ଯେ ମୁଁ ଜଣେ ଶକ୍ତିଶାଳୀ ବ୍ୟକ୍ତି। ଯିଏ ସହଜରେ ଭାରି ଓଜନ ଉଠାଇପାରେ ଏବଂ ମୁଁ ପୂରା ଫିଟ୍‌। ଯଦି କେହି…

ସମସ୍ୟା- ଅର୍ଥନୀତିର ନା ମୂଲ୍ୟବୋଧର

ଆମେ ଭାରତୀୟମାନେ ଏବେ ଦୈନନ୍ଦିନ ଆମର ଜୀବନଟିକୁ ଯେପରି ବଞ୍ଚୁଛୁ ତାହା ହିଁ ଏବର ଭାରତ ନିର୍ମାଣ କରୁଛି, ଯେଉଁ ଜୀବନ ଦର୍ଶନ ଓ ଜଗତ ଦୃଷ୍ଟିକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri