ନୂଆଦିଲ୍ଲୀ,୬।୨: ଆହତ ସମସ୍ୟା ଯୋଗୁ ଭାରତୀୟ ଟିମ୍ରୁ ବାହାରେ ଅଛନ୍ତି ଅନୁଭବୀ ଦ୍ରୁତ ବୋଲର ଭୁବନେଶ୍ୱର କୁମାର। ପଡ଼ିଆ ବାହାରେ ଥିବାରୁ ସେ କ୍ରିକେଟକୁ ବହୁତ ମନେ ପକାଉଛନ୍ତି। କାରଣ କ୍ରିକେଟକୁ ବହୁତ ଭଲପାଆନ୍ତି ଭୁବି। ୧୯୯୯ରେ ବିଶ୍ୱକପ୍ରେ ଭାରତ ନ୍ୟୁଜିଲାଣ୍ଡଠାରୁ ହାରିବା ସମୟରେ ସେ କାନ୍ଦି ପକାଇଥିଲେ। ଉକ୍ତ ମ୍ୟାଚ୍କୁ ଭୁବି ଭଉଣୀଙ୍କ ସହ ଦେଖୁଥିଲେ। ଯେତେବେଳେ ଭାରତ ହାରି ଯାଇଥିଲା, ସେ ଭୋ ଭୋ ହୋଇ କାନ୍ଦି ଥିଲେ। ସେହି ମୂହୁର୍ତ୍ତରେ କ୍ରିକେଟ ପ୍ରତି ତାଙ୍କ ମନରେ କେତେ ଶ୍ରଦ୍ଧା ଅଛି ତାହା ଜଣାପଡ଼ିଥିଲା ବୋଲି ସେ କୁହନ୍ତି।
ଭୁବନେଶ୍ୱର ଗତବର୍ଷ ଆଇପିଏଲ୍ରେ ଚେନ୍ନାଇ ସୁପରକିଙ୍ଗ୍ସ ବିପକ୍ଷରେ ମ୍ୟାଚ୍ ଖେଳୁଥିବା ସମୟରେ ଆହତ ହୋଇଥିଲେ। ତାଙ୍କ ଜଙ୍ଘରେ ଆଘାତ ଲାଗିବା ଯୋଗୁ ସେ ପଡ଼ିଆ ବାହାରକୁ ଚାଲିଯାଇଥିଲେ। ଏହାପରେ ସେ ଏନ୍ସିଏରେ ରିହାବିଲିଟେଶନ ପୂରଣ କରୁଥିଲେ।


