ଭୁବନେଶ୍ୱରରେ ଉତ୍ପାତ ଦର୍ଶନ

ସହଦେବ ସାହୁ

ସାରଳାଦାସଙ୍କ ମହାଭାରତର ମୂଷଳୀ ପର୍ବରେ ‘ଦ୍ୱାରିକାରେ ନାନା ଉତ୍ପାତ ଦର୍ଶନ…’ ଅଧ୍ୟାୟରେ ଉଲ୍ଲେଖ ଅଛି ଯେ ଅତିଶୟ ସାମାଜିକ ବିଶୃଙ୍ଖଳା ଦେଖାଦେବାରୁ ‘କେବଣ ମତେ ୟେ ସମସ୍ତ କ୍ଷୟ କରାଇବି’ ଭାବି ଶ୍ରୀକୃଷ୍ଣ ‘କୋକୁଆ’ ଭୟ ଭିଆଇଲେ, ପରସ୍ପର ହଣାହଣି ଫଳରେ ବହୁତ ମୃତ୍ୟୁ ଘଟିଲା, ଅବଶିଷ୍ଟ ଲୋକେ ଦୁର୍ବଳ ହୋଇଗଲେ। ଯାଦବମାନେ ସାମାଜିକ ଦୂରତା ରକ୍ଷା କଲେନାହିଁ, ଘରଘେରରେ ରହିବାର ସଂସ୍କୃତି ଭୁଲି ବାହାରେ ବୁଲିଲେ, ଗଣ୍ଡଗୋଳ କଲେ। ଯାଦବମାନଙ୍କ ଆଗରେ ଥିଲା ପଘା, ଲଉଡ଼ି ବା ବାଡ଼ି। ସମସ୍ତେ ପିଟାପିଟି ଓ ବାଡ଼ାବାଡ଼ିରେ ଲାଗିଗଲେ। ବାଡ଼ାବାଡ଼ିରେ ଶ୍ରୀକୃଷ୍ଣଙ୍କ ପ୍ରିୟ କଦମ୍ବ ଗଛର ଛାଲି ଉତୁରିଗଲା ତ ତହିଁରୁ କାଦମ୍ବରୀ କ୍ଷୀର ବୋହିଲା, ଦ୍ୱାରକାର ଭେଣ୍ଡିଆମାନେ ‘ଆପ୍ୟାନ କଲେ ପାଇଣ ତା ସ୍ବାଦୁ’। ଯାଦବମାନଙ୍କ ସୁପ୍ରିମୋ ଶ୍ରୀକୃଷ୍ଣ କାହାକୁ ରୋକିପାରିଲେ ନାହିଁ, ‘ଫ୍ରି ଫର୍‌ ଅଲ୍‌’ ହୋଇଗଲା, ସମସ୍ତେ ହେଲେ ମାତାଲ, ସାହିପଡ଼ିଶାପଣିଆ ଭୁଲିଗଲେ।
୪୦୦୦ ବର୍ଷ ପରେ ଏକାମ୍ରନଗରୀରେ ତଦ୍ରୂପ ଅବକ୍ଷୟ ବା ଉପତ୍ାତ ପରିଲକ୍ଷିତ ହେଉଛି। ୨୦୨୦ଦଶକରେ ‘କରୋନା’ ହେଉଛି କୋକୁଆର ଆଧୁନିକ ସଂସ୍କରଣ। କୋକୁଆ କଟକଣା ଥିଲା ଘରେ ରହିବା, କରୋନା କଟକଣା ତଦ୍ରୂପ, ତା’ ଛଡ଼ା ଘର ବାହାରେ ସାମାଜିକ ଦୂରତା। କୋକୁଆ ଶ୍ରୀକୃଷ୍ଣଙ୍କ କଳ୍ପନାରୁ ସୃଷ୍ଟ, କରୋନା ଚାଇନାର ଲାବରେଟୋରିରୁ ସୃଷ୍ଟ ଏବଂ ସ୍ତନ୍ୟପାୟୀ ପ୍ରାଣୀର ମାଂସ ଜରିଆରେ ବ୍ୟାପ୍ତ। କରୋନା ଭୂତାଣୁ ଏକ ମୃତପ୍ରାୟ କୋଷ; ମଣିଷଦେହକୋଷର ସାଙ୍ଗ ପାଇଲେ ଜୀବନ୍ତ ହୋଇଉଠେ, ମଣିଷ-କୋଷକୁ ହତ୍ୟା କରି ତା’ ସ୍ଥାନ ମାଡ଼ିବସେ, କୋଷ-ବିହୁନେ ମଣିଷ ନାଶ! ମଣିଷରୁ ମଣିଷକୁ ଡିଏଁ, (ଡାକ୍ତରୀଭାଷାରେ ମଣିଷ ଏହାର ବାହକ ବା ‘ଭେକ୍ଟର’), ମଣିଷର ନାକ ଓ ପାଟିରୁ ବାହାରୁଥିବା ବାମ୍ଫ ଭିତରେ ଏହା ବଢ଼େ। ଶ୍ୱାସରେ ବା କଥାରେ ନାଳ ବା ଆର୍ଦ୍ର କଣିକା ସାଙ୍ଗରେ ଦୁଇ ମିଟର ଯାଏ ଡେଇଁପାରେ, ଆଉ ଜଣେ ମଣିଷ ନ ପାଇଲେ ମାଟିରେ ପଡ଼ିଯାଇ ନିଷ୍କ୍ରିୟ ହୋଇଯାଏ। ରୋଗ ରୋକିବାର ଅସ୍ତ୍ର ହେଉଛି ସୋସିଆଲ୍‌ ଡିଷ୍ଟାନ୍ସିଂ, ପରସ୍ପରଠାରୁ ଦୁଇ ମିଟର ଦୂରତା ରଖିବା। କାଳେ କିଏ ତୁମ ଆଗରୁ ତୁମ ବାଟରେ ତା’ର ଶ୍ୱାସର ବା ପାଟିର ବାମ୍ଫ ଛାଡ଼ିଯାଇଥିବ! ତେଣୁ ନାକ ଓ ପାଟିକୁ ଘୋଡ଼ାଇ ରଖ, ମାସ୍କ ପିନ୍ଧ ଯେପରି ପବନରେ ଭାସୁଥିବା କୌଣସି କଣିକା ତୁମ ନାକ ବା ପାଟି ଭିତରେ ପଶିବନାହିଁ।
ଯାଦବ ଭେଣ୍ଡିଆମାନେ ଯେମିତି କୋକୁଆ କଟକଣା ନ ମାନି ଦ୍ୱାରକାର ରାସ୍ତାଘାଟରେ ଗଣ୍ଡଗୋଳ ଭିଆଇଲେ, ଭୁବନେଶ୍ୱର-କଟକ ଦ୍ୱୈତ ନଗରୀର ଅମାନିଆମାନେ କରୋନା କଟକଣାକୁ ନ ମାନି ଧନ ଓ ଇଜ୍ଜତ ଲୁଟ୍‌ କରୁଛନ୍ତି। ସାମାଜିକ ଦୂରତା ମାନୁଥିବା ଲୋକେ ଘରଭିତରେ ପଶି ରହୁଛନ୍ତି। ଭିଡ଼ କର ନାହିଁ ବୋଲି ପୋଲିସର ତାଗିଦା, ତେଣୁ ରାସ୍ତା ଘାଟ ନିଛାଟିଆ। ସଂକ୍ରମଣ ଭୟରେ ପଡ଼ିଶା ବି ପାଖକୁ ଆସିବେ ନାହିଁ। ସହାୟତାର ଅଭାବ ଯେଉଁ ଆବହାୱା ତିଆରି କରୁଛି ତାହା ଅମାନିଆମାନଙ୍କ ଜୁଲୁମକୁ ଉତ୍ସାହିତ କରୁଛି ତ ଖୋଲା ମଦ ଓ ନିଶାର କାରବାର ଅମାନିଆର ବଦମାସୀ-ଇଚ୍ଛାକୁ ବଢ଼ାଉଛି। ଚାରିଆଡ଼େ ଲିକ୍ୱୋର ଶପ୍‌, ଲୁଚାଛପାରେ ନିଶାବିକ୍ରି ସ୍ଥାନ, ଚୋରାଚାଲାଣରେ ଛୁରି ଆଉ ବନ୍ଧୁକ, ଏସବୁ ଲୁଟ୍‌ ଓ ବଳାତ୍କାରକୁ ଖୋରାକ ଯୋଗାଉଛି। ସରକାରୀ ନେତାଙ୍କୁ ସୁରକ୍ଷା ଘେରରେ ରଖିବାକୁ ଦଳ ଦଳ ପୋଲିସ୍‌ ମୁତୟନ, ବିରୋଧୀମାନଙ୍କୁ ଅଟକାଇବାକୁ ମାଇଲିଏ ଦୂରରୁ ପୋଲିସର ଘେର। ତେଣୁ ସାଧାରଣ ଲୋକଙ୍କ ପାଇଁ ଆଇନ ଓ ଶୃଙ୍ଖଳା ରକ୍ଷା କରିବାକୁ ପୋଲିସ୍‌ ନଅଣ୍ଟ। ପୁଣି କରୋନା-କଟକଣା ଲାଗୁ କରିବା ଆଳରେ ପୋଲିସ ବଡ଼ ବଡ଼ ଛକମାନଙ୍କରେ ଛକି ରହୁଛନ୍ତି, କେତେକ ଉପୁରି ଆଦାୟରେ ବ୍ୟସ୍ତ ରହୁଛନ୍ତି। ଉପରିସ୍ଥ ଅଧିକାରୀମାନଙ୍କ ନଜର ରହୁଛି ରାଜନେତାମାନଙ୍କ ଭିଡ଼କୁ ସମ୍ଭାଳିବା ଉପରେ, ଜନସମ୍ମୁଖରେ ନିନ୍ଦିତ ହୋଇଥିବା ମନ୍ତ୍ରୀମାନଙ୍କ ଆବାସ ଜଗିବା ଉପରେ। ଅନ୍ୟପକ୍ଷରେ ସାମାଜିକ ଦୂରତା ରକ୍ଷା କରୁଥିବା ଲୋକ ପଡ଼ୋଶୀ ଘରେ କିଛି ଘଟିଲେ ତା’ ପ୍ରତି ନଜର ରଖୁନାହିଁ। ଲୁଣ୍ଠନ ଧନର ହେଉ କି ଇଜ୍ଜତର, ସବୁ ସହଜ ହେଉଛି – ଉଦ୍ଧାର କରିବାକୁ କେହି ନ ଆସିବାର ସମ୍ଭାବନା ଅପରାଧୀର ଅପରାଧ-ପ୍ରବଣତା ବଢ଼ାଉଛି।
ସରକାର ଯେ ପୋଲିସ୍‌କୁ ତ୍ୱରିତ ଅପରାଧ ଜାଗାରେ ପହଞ୍ଚିବାର ସୁବିଧା କରିନାହାନ୍ତି ତାହା ନୁହେଁ। ନିମ୍ନ ସ୍ତରର ପୋଲିସ କର୍ମଚାରୀମାନଙ୍କ ମୋବିଲିଟି (ଭ୍ରମଣ)ଭତ୍ତା ବଢ଼ିଛି। ୨୦୧୯ରେ କରୋନାଭାଇରସ୍‌ ଚିନ୍ତା ଆସିବା ପୂର୍ବରୁ ଓଡ଼ିଶା ସରକାର ଏଏସ୍‌ଆଇ, ଏସ୍‌ଆଇ ଓ ଇନ୍ସପେକ୍ଟରମାନଙ୍କ ମୋବିଲିଟି ଭତ୍ତା ୭୦୦ ଟଙ୍କାରୁ ୧୦୫୦ଟଙ୍କାକୁ ଏବଂ କନଷ୍ଟେବଲ୍‌, ସିପାହି, ହାବିଲଦାର ଓ ତତୁଲ୍ୟ ପଦବୀର କର୍ମଚାରୀମାନଙ୍କ ପାଇଁ ମାସିକ ୧୫୦ ଟଙ୍କାରୁ ୩୦୦ ଟଙ୍କାକୁ ବଢ଼ାଇ ଦେଇଛନ୍ତି। କିନ୍ତୁ ବଳାତ୍କାର, ହତ୍ୟା, ଡକାୟତି ଓ ଛିନ୍‌ତାଇ ଭଳି ଅପରାଧ ବହୁଳ ପରିମାଣରେ ବଢ଼ିଛି। ରାତ୍ରି କର୍ଫ୍ୟୁ ବଳବତ୍ତର ଥିଲା ବେଳେ ଦୋକାନ ଭିତରୁ, ଘର ଭିତରୁ, ଏଟିଏମ୍‌ କିଓସ୍କରୁ ଲୁଟ ହେଉଛି। ଖୋଲା ଘରେ ପଶି ଘରଲୋକଙ୍କ ମୁହଁ ବନ୍ଦ କରି ହାତ ଗୋଡ଼ ବାନ୍ଧି ଡକାୟତି କରାହେଉଛି, କାରଣ ଘରପାଖ ରାସ୍ତା କେବଳ ଜନଶୂନ୍ୟ ନୁହେଁ ପୋଲିସଶୂନ୍ୟ ବି। ଦିଗ୍‌ବଳୟରେ ପିସିଆର୍‌ ଭ୍ୟାନ୍‌, ତଥାପି ଅମାନିଆ ଓ ବଦମାସ୍‌ମାନେ ଚିନ୍ତାଶୂନ୍ୟ।
ଯାଦବମାନଙ୍କ ହାତରେ ଲଉଡ଼ି ଯେଭଳି କାମ ଦେଉଥିଲା, ଭୁବନେଶ୍ୱରର ଅମାନିଆ ଭେଣ୍ଡିଆମାନଙ୍କ ହାତରେ ବନ୍ଧୁକ ଓ ଛୁରି ସେହିଭଳି କାମ ଦେଉଛି। ପୁଣି ଅଛି ଅତି ଦ୍ରୁତଗାମୀ ପଲ୍‌ସାର୍‌ ବାଇକ୍‌। ରାଜନୈତିକ ଦଳମାନେ ଯେପରି ଅଯଥାଅର୍ଜିତ ପୁଞ୍ଜିକୁ ନିବେଶ କରି ନିର୍ବାଚନ ଜିତୁଛନ୍ତି, ସେମାନଙ୍କ ନୀତିକୁ ‘ନୀତି’ମାନଙ୍କର ରାଜା କହୁଛନ୍ତି, ସେହି ମର୍ମରେ ଅପରାଧ-ବ୍ୟବସାୟରେ ଲାଗିଥିବା ଲୋକେ ଛୁରି ବନ୍ଧୁକ ପଲ୍‌ସାର୍‌ ଆଦିରେ ପୁଞ୍ଜିନିବେଶ କରିବାକୁ ଅର୍ଥନୀତି-ଶାସ୍ତ୍ର ଅନୁମୋଦିତ ବୋଲି କହୁଛନ୍ତି! ଅର୍ଥନୀତି-ଶାସ୍ତ୍ର ଆମୋରାଲ୍‌, ଏହାର ଅର୍ଥ ନୈତିକତା ବିବର୍ଜିତି। ମଣିଷ ଚାଲାଣ ଧରାଯାଉନାହିଁ, ଗଞ୍ଜେଇ ଚାଲାଣ ଧରାଯାଉଛି। ଗାଈ ଛେଳି ନେଉଥିବା ଗାଡ଼ି ଧରାହେଉଛି, ରାସ୍ତାରୁ ପିଲା ବା ମହିଳା ଉଠାଇନେଉଥିବା ଗାଡ଼ିକୁ, କଳା-କାଚ-ଝରକା ବନ୍ଦ କରି ଦଉଡୁଥିବା ଗାଡ଼ିକୁ ଧରାହେଉନାହିଁ। ଛିନ୍‌ତାଇ ଅପରାଧରେ ଅତି ଦ୍ରୁତଗାମୀ ପଲ୍‌ସାର୍‌ ବାଇକ୍‌ ବ୍ୟବହାର ହେଉଛି ତ ତାହାର ଲଗ୍‌ ବୁକ୍‌ ମଝିରେ ମଝିରେ ଯାଞ୍ଚ ହେଉନାହିଁ କାହିଁକି? ରେସିଂରେ ଭାଗ ନେଉନା ତ ଓଡ଼ିଶାର ଯେକୌଣସି ସହରରେ ଏତେ ବେଗରେ ଯିବା ଦୁଇଚକିଆ ଗାଡ଼ି ରଖିବା କ’ଣ ଦରକାର? ପୋଲିସ୍‌ କାହିଁକି ସେ ବାଇକ୍‌ଗୁଡ଼ିକର ଲଗ୍‌ ବୁକ୍‌ ତନଖି କରୁନାହିଁ? ମଝିରେ ମଝିରେ ବେଆଇନ ବନ୍ଧୁକ ଧରିବା ପାଇଁ ଚଢ଼ାଉ ହେଉନାହିଁ କାହିଁକି? ବ୍ୟାଙ୍କରେ ପ୍ରତି ଏକାଉଣ୍ଟରୁ ୱିଥ୍‌ଡ୍ରୟାଲ୍‌ କରୁଥିବା ବ୍ୟକ୍ତିର ଆଧାର ନମ୍ବର ବ୍ୟାଙ୍କ ପାଖରେ ନ ଥିଲେ ତାକୁ ମନାକରାଯାଉ। ସବୁ ୱିଥ୍‌ଡ୍ରୟାଲ୍‌ର ବିବରଣୀ ବ୍ୟାଙ୍କ୍‌ର କମ୍ପୁଟରରେ ରହୁ ଏବଂ ଗ୍ରାହକର ଅଭିଯୋଗ ସତ୍ୟ ପ୍ରମାଣ ହେଲେ ଦୋଷୀବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉ। ଅପରାଧ ଘଟିଥିବା ସ୍ଥାନ ଥାନାସୀମା ଭିତରେ ଘଟିନାହିଁ ଆଳରେ ଏତଲାକାରୀକୁ ଫେରାଇ ନ ଦିଆଯାଉ କି ପୋଲିସ୍‌ ତତ୍ତ୍ୱାବଧାନ ବନ୍ଦ ନ ହେଉ। କାଗଜପତ୍ର ଠିକ୍‌ ନାହିଁ ବା ଯଥେଷ୍ଟ ପଇସା ନାହିଁ ବୋଲି ରୋଗୀ ବା ଆହତକୁ ହସ୍ପିଟାଲ୍‌ ଲେଉଟାଇଦେବା ଧର୍ତ୍ତବ୍ୟ ଅପରାଧ ହେଉ। ଏପରି ବଖାଣିବାର କାରଣ ଯଦି ଆମେ ଶୀଘ୍ର ପରିସ୍ଥିତି ନ ସମ୍ଭାଳୁ ତେବେ ଭୁବନେଶ୍ୱର-କଟକ ଦ୍ୱୈତ ନଗରୀରେ ଉତ୍ପାତ ଦ୍ୱାରିକାର ଉତ୍ପାତକୁ ବଳିଯିବ।
sahadevas@yahoo.com


Enter your email to get our daily news in your inbox.

All Right Reserved By Dharitri.Com

ବିକଳ୍ପର ବାର୍ତ୍ତାବହ

ଅଭିଜିତ ଦୀପ୍‌କେ ରାଜନୀତି ଏଭଳି ଏକ କ୍ଷେତ୍ର, ଯେଉଁଥିରେ ଯାହାଙ୍କର ଯେତେ ବ୍ୟକ୍ତିଗତ ସମ୍ପର୍କ ଥାଏ ସେ ସେତେ ଲୋକପ୍ରିୟତା ଅର୍ଜନ କରିଥାଏ। ହେଲେ ଭାରତୀୟ ରାଜନୈତିକ…

ମାଧବଙ୍କ ଦୃଷ୍ଟିରେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହତ୍ତ୍ୱପୂର୍ଣ୍ଣ ସଫଳତାରେ ପହଞ୍ଚତ୍ୱେ ବୋଲି ରାମ ମାଧବ ଏକ ସୁନ୍ଦର ଲେଖା ଲେଖିଛନ୍ତି। ସେ ଲେଖିଛନ୍ତି, ଜୁନ୍‌ ୧୦ରେ ପ୍ରଧାନମନ୍ତ୍ରୀ ଭାବରେ ମୋଦି…

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

ଏଇ ଭାରତରେ

କେରଳମର ଯୁବ ଫଟୋଗ୍ରାଫର ନନ୍ଦୁ କେ.ଏସ୍‌. କହନ୍ତି, କ୍ୟାମେରା କେବଳ ସୁନ୍ଦର ଦୃଶ୍ୟ ଉତ୍ତୋଳନ ପାଇଁ ନୁହେଁ; ବରଂ ଏହା ସ୍ବଚ୍ଛତା, ଏକତା ଆଣିପାରେ, ପଦକ୍ଷେପ ପାଇଁ…

ଏକାଧିକ ବ୍ୟାଙ୍କ ଆକାଉଣ୍ଟ ରହିଛି କି

ମୋ କଲେଜ ପଢ଼ା ସମୟର ସାଙ୍ଗ ‘ନରେନ୍ଦ୍ର’ କଥା କହୁଛି। ତାଙ୍କର ଏକ ଭଲ ଅଭ୍ୟାସ ଥିଲା ଡାକଘର ବ୍ୟତୀତ ସେ ସମୟରେ ଯେତେ ସବୁ ଛୋଟବଡ଼…

ପୁସ୍ତକରେ ବନ୍ଦୀ ଶୈଶବ

ଏକ ସମୟ ଥିଲା, ସା ହେଲେ ପିଲାଙ୍କ ଚିତ୍କାର ଓ ଦୌଡ଼ାଦୌଡ଼ିରେ ଗାଁର ଖେଳପଡ଼ିଆ ହସୁଥିଲା। ଖେଳପଡ଼ିଆରେ ସେମାନେ ଶିଖୁଥିଲେ ସହଯୋଗ, ମିତ୍ରତା, ସହନଶୀଳତା ଓ ଜୀବନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri