ସଇତାନ ସାବଧାନ

ମାୟାଧର ନାୟକ

 

ସାରା ଦୁନିଆର ନଜର ଏବେ ଇସ୍ରାଏଲ୍‌-ପାଲେଷ୍ଟାଇନ୍‌-ଗାଜା ମହାଯୁଦ୍ଧ ଉପରେ। ଯୁଦ୍ଧରେ ନିର୍ଦ୍ଦୋଷଙ୍କୁ ହତ୍ୟା କରାଯାଉଛି। ଏ ଯୁଦ୍ଧରେ ଉଭୟପକ୍ଷ ପାଗଳ ଭଳି ଲଢୁଛନ୍ତି। ସାମ୍ରାଜ୍ୟବାଦୀମାନଙ୍କର କୌଣସି ଜାତି ନଥାଏ କି ନୀତି ନଥାଏ, ବିବେକ ନଥାଏ କି ହୃଦୟ ନଥାଏ। ଏ ଦେଶଗୁଡ଼ିକ ଯେକୌଣସି ହିଂସ୍ର ପଶୁଠାରୁ ବି ଅଧିକ କ୍ଷତିକାରକ। ଏମାନେ ନିଜ ଦେଶକୁ ଧ୍ୱଂସମୁଖକୁ କେବଳ ଟାଣିନିଅନ୍ତି ନାହିଁ- ବିଶ୍ୱର ବହୁ ଦେଶକୁ ପ୍ରଭୂତ କ୍ଷତି ପହଞ୍ଚାଇଥା’ନ୍ତି। କଥାରେ ଅଛି- ‘ଗୋଟିଏ ଦେଶ ଧ୍ୱଂସ ହେବା ପାଇଁ ଜଣେ ‘ମୂର୍ଖରାଜା’, ନିଷ୍କ୍ରିୟ ପ୍ରଜା ଓ ବିକ୍ରିଯୋଗ୍ୟ ଗଣମାଧ୍ୟମ ହିଁ ଯଥେଷ୍ଟ।’ ଏବେ ଇସ୍ରାଏଲ୍‌ରେ ତାଙ୍କ ପ୍ରଧାନମନ୍ତ୍ରୀଙ୍କୁ ଅଯୋଗ୍ୟ କହି ଇସ୍ତଫା ଦାବି କଲେଣି। ବୁଦ୍ଧିଆମାନେ ଲଢ଼ିବା ପୂର୍ବରୁ ଜିତିଥାଆନ୍ତି। ମୂର୍ଖମାନେ ଜିତିବା ପାଇଁ ଲଢୁଥାଆନ୍ତି। ଏବେ ଏହା ରୁଷିଆ-ୟୁକ୍ରେନ୍‌ ଓ ଇସ୍ରାଏଲ୍‌-ପାଲେଷ୍ଟାଇନ୍‌ ଯୁଦ୍ଧରେ ଦେଖାଦେଇଛି। ଏହା କୁରୁକ୍ଷେତ୍ର ସହ ତୁଳନା କରାଯାଇପାରେ। ପାଣ୍ଡବମାନେ ଶ୍ରୀକୃଷ୍ଣଙ୍କ ନେତୃତ୍ୱରେ ଯୁଦ୍ଧ ପୂର୍ବରୁ ଜିତି ଯାଇଥିଲେ। କପଟି ଶକୁନୀ ବୁଦ୍ଧିରେ କୌରବକୁଳ ମିଛଟାରେ ଜିତିବା ପାଇଁ ଲଢ଼ି ଲଢ଼ି ଧ୍ୱଂସ ହୋଇଗଲେ। ଅହଂକାର, କ୍ରୋଧ, ରାଗ, ଅପରାଧର କୌଣସି ସୀମା ନାହିଁ।
ଇସ୍ରାଏଲ୍‌କୁ ଚାରିପଟୁ ଆକ୍ରମଣ। ହମାସ୍‌ ସହ ଇସ୍‌ଲାମିକ୍‌ ଜିହାଦ୍‌, ଲେବାନନ୍‌ ହଜିବୁଲ୍ଲା ଆକ୍ରମଣ କରିଥିବାବେଳେ ଏବେ ୟେମନର ହାଉଥି ବିଦ୍ରୋହୀ ଡ୍ରୋନ୍‌ ଓ ମିଶାଇଲ୍‌ ମାଧ୍ୟମରେ ଆକ୍ରମଣ କରିଛନ୍ତି। ହାଉଥି ବିଦ୍ରୋହୀଙ୍କୁ ଇରାନ୍‌ ସମର୍ଥନ ଯୋଗାଇଛି। ଏମାନଙ୍କ ପାଖରେ ୨ଲକ୍ଷ ସେନା ଅଛନ୍ତି। ଏମାନେ ସିଧାସଳଖ ଯୁଦ୍ଧକ୍ଷେତ୍ରକୁ ଓହ୍ଲାଇଲେ ଇସ୍ରାଏଲ୍‌ ପାଇଁ ବଡ଼ସମସ୍ୟା ସୃଷ୍ଟି କରିବ। ଆମେରିକା ସେନା ଇସ୍ରାଏଲ୍‌ ସେନାଙ୍କ ସହ ମିଶି ଯୁଦ୍ଧ କରିପାରନ୍ତି। ଏଣେ ଇସ୍ରାଏଲ୍‌କୁ ଚାରିପଟୁ ଆକ୍ରମଣ ବଢୁଥିବାବେଳେ ଇରାନ୍‌, ରୁଷ, ଚାଇନା ଯୁଦ୍ଧକୁ ଡେଇଁଲେ ଅବସ୍ଥା ଅସମ୍ଭାଳ ହୋଇଯିବ। ୩ୟ ବିଶ୍ୱଯୁଦ୍ଧରେ ବିଶ୍ୱର ସବୁଦେଶ ଦୁଇଭାଗରେ ବିଭକ୍ତ ହୋଇ ଲଢ଼ିବେ- ପରମାଣୁ ବୋମା ପକାଇବାକୁ କେହି ପଛଘୁଞ୍ଚା ଦେବେନି। ବିଶ୍ୱଧ୍ୱଂସର କାରଣ ହେବ।
ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୨୨ମାସରୁ ଊର୍ଦ୍ଧ୍ୱ ହେଲା ଚାଲିଛି। ୭ ଅକ୍ଟୋବର ୨୦୨୩ରୁ ହମାସ୍‌-ଇସ୍ରାଏଲ୍‌ ରକ୍ତଯୁଦ୍ଧ ଚାଲିଛି। ଏହି ଦୁଇଯୁଦ୍ଧରେ ଶାନ୍ତି ପ୍ରତିଷ୍ଠା ପାଇଁ ଜାତିସଂଘ ବିଫଳ ହୋଇଛି। ୨ୟ ବିଶ୍ୱଯୁଦ୍ଧ ପରେ ଜାତିସଂଘ ପ୍ରତିଷ୍ଠା ହୋଇଥିଲା। ଏଥିରେ ପୃଥିବୀର ପ୍ରାୟ ସବୁଦେଶ ସଦସ୍ୟ ହୋଇଥିଲେ। ଶୀତଳ ଯୁଦ୍ଧ ପରେ ୧୯୯୦ରେ ସୋଭିଏତ୍‌ ୟୁନିୟନ୍‌ର ପତନ ଘଟିଲା। ଆମେରିକା ଆଧିପତ୍ୟ ବୃଦ୍ଧି ପାଇଲା। ଆମେରିକାର ସୈନ୍ୟମାନେ ଆଫଗାନିସ୍ଥାନ, ମାଲି, ଲିବ୍ୟା ଓ ଇରାକରେ ପଶିଗଲେ। ସେତେବେଳେ ବିଶ୍ୱ ଅର୍ଥନୀତି ସଂକଟଜନକ ପରିସ୍ଥିତିରେ। ଏହି ଖଣ୍ଡଯୁଦ୍ଧମାନଙ୍କରେ ଜାତିସଂଘର ଭୂମିକା ରହିଲା ନାହିଁ। ୨୦୦୮ ପରେ ଆମେ ଜଟିଳ ଯୁଦ୍ଧର ସାମ୍ନା କରୁଛେ। ଜାତିସଂଘରେ ୫ ମହାରଥୀ ଆମେରିକା, ଚାଇନା, ରୁଷିଆ, ଇଂଲଣ୍ଡ, ଫ୍ରାନ୍ସର ‘ଭିଟୋ’ ଅଖଣ୍ଡ କ୍ଷମତାଧାରୀ। ଗୋଟିଏ ଦେଶ ‘ଭିଟୋ’ ପ୍ରୟୋଗକଲେ ପ୍ରସ୍ତାବ କାଟ୍‌ ଖାଇଯିବ।
ବିଶ୍ୱ ଅନ୍ଧାରି ଯୁଗରେ ପହଞ୍ଚଗଲାଣି। କୌଣସି ଦେଶରେ ଡାକ୍ତରଖାନା, ଆମ୍ବୁଲାନ୍ସ, ରେଡ୍‌କ୍ରସ୍‌, ଔଷଧ ଦୋକାନ ଉପରେ ଆକ୍ରମଣ ମନା ବୋଲି ଅନ୍ତର୍ଜାତୀୟ ଆଇନ ପ୍ରଣୟନ କରାଯାଇଛି। ହେଲେ ଇସ୍ରାଏଲ୍‌ ଏ ଆଇନକୁ ଫୁତ୍କାରରେ ଉଡ଼ାଇଦେଇ ବୋମା ବର୍ଷଣ କରିଚାଲିଛି।
ଯେତେବେଳେ ଯୁଦ୍ଧ ହୁଏ, ମାନବତା କ୍ରନ୍ଦନ କରେ। ଅନ୍ତର୍ଜାତୀୟ କାନୁନକୁ କେହି ମାନୁନାହାନ୍ତି। ଗାଜାବାସୀ କହୁଛନ୍ତି – ‘ଆମେ ପଶୁନୋହୁଁ, ମଣିଷ।’ ଆମ ମାତୃଭୂମି ରକ୍ଷାପାଇଁ ମରିଯିବୁ ପଛେ ମୁଣ୍ଡ ନୁଆଁଇବୁ ନାହିଁ। ଗାଜାବାସୀ ଏଭଳି ଏକ ଭୂଗୋଳରେ ବାସ କରୁଛନ୍ତି- ସେଠାରୁ ଅନ୍ୟତ୍ର ବାସକରିବା ଅସମ୍ଭବ। ଆମେରିକା, ଇସ୍ରାଏଲ୍‌, ଫ୍ରାନ୍ସ, ବ୍ରିଟିଶ୍‌, ରୁଷିଆ, ଚାଇନା ପ୍ରମୁଖ ଦେଶ ବିଶ୍ୱର ଅନ୍ୟାନ୍ୟ ଦେଶକୁ ଯୁଦ୍ଧାସ୍ତ୍ର ବିକ୍ରି କରନ୍ତି। ଯୁଦ୍ଧାସ୍ତ୍ର ବେପାରରୁ ଏମାନେ ନାହିଁନଥିବା ଅର୍ଥ ଲାଭକରନ୍ତି। ତେଣୁ ଏମାନେ ଯୋଜନାବଦ୍ଧ ଭାବେ ଦେଶେଦେଶେ ଯୁଦ୍ଧ ଲଗେଇଦିଅନ୍ତି। ଯୁଦ୍ଧରେ ଯୁଦ୍ଧାସ୍ତ୍ର ନଷ୍ଟ ହୁଏ। ପୁଣି ନୂଆ ଯୁଦ୍ଧାସ୍ତ୍ର କିଣିବାକୁ ବହୁଦେଶ ସାଧାରଣ ନାଗରିକଙ୍କ ଟିକସ ଟଙ୍କାରେ ରାଜକୋଷରୁ ସିଂହଭାଗ ଖର୍ଚ୍ଚ କରନ୍ତି।
ଛକାପଞ୍ଝାରେ ଛଳ ବେପାରୀଙ୍କ ଏ ଯୁଦ୍ଧ ଲାଭଜନକ ବ୍ୟବସାୟ। ଯେଉଁମାନେ ଉଭୟ ପକ୍ଷକୁ ଯୁଦ୍ଧାସ୍ତ୍ର ବିକ୍ରି କରନ୍ତି- ଯୁଦ୍ଧରେ କିଏ ଜିତିଲା କିଏ ହାରିଲା ଯୁଦ୍ଧ ବେପାରୀଙ୍କର କିଛି ଯାଏଆସେନା। ଅର୍ଥ ହିଁ ଏମାନଙ୍କର ସର୍ବସ୍ବ। ବିଶ୍ୱ ଇତିହାସରେ ଏକବିଂଶ ଶତାବ୍ଦୀରେ ଭୟଙ୍କର ଯୁଦ୍ଧରେ ପ୍ରାୟ ସବୁଦେଶ ପରୋକ୍ଷ ବା ପ୍ରତ୍ୟକ୍ଷରେ ମାତିଯିବେ। ଯୁଦ୍ଧ ପାଇଁ ଅର୍ଥ, ପୁଣି ଅର୍ଥ ପାଇଁ ଯୁଦ୍ଧ। ଯୁଦ୍ଧରେ ଧ୍ୱଂସ ପାଇଥିବା କୋଠାବାଡ଼ି ପ୍ରମୁଖ ପୁନଃ ନିର୍ମାଣ ପାଇଁ ଅର୍ଥ ଦରକାର। ସବୁଥିରେ ଅର୍ଥ। କଥାରେ ଅଛି- ଟଙ୍କା ଖାଇ ଗୋଡ଼ାଏ, ଯାହାପାଖରେ କିମ୍ବା ଦେଶରେ ଅମାପମାପ ଅର୍ଥ ଅଛି ସେ ପାଗଳ ହୋଇଯିବ। ସେ ମଣିଷ କି ଦେଶ ବିଶ୍ୱଧ୍ୱଂସର କାରଣ ହୁଅନ୍ତି। ସମ୍ପ୍ରତି ୟୁକ୍ରେନ୍‌କୁ ଆମେରିକା ଓ ‘ନାଟୋ’ ଦେଶ, ରୁଷିଆକୁ ଚାଇନା, ଇରାନ୍‌ ଯୁଦ୍ଧାସ୍ତ୍ର ବାକିରେ ଦେଉଛନ୍ତି। ସେମାନେ ଏ ବାକିଆ ଅର୍ଥକୁ ପରିଶୋଧ କରି ନ ପାରିଲେ ଭୟଙ୍କର ପରିସ୍ଥିତି ସୃଷ୍ଟି ହେବ। ଏହା ବଦଳରେ ସାରାଦେଶର ଜଳସ୍ଥଳ, ଭୂତଳ, ଆକାଶକୁ ବନ୍ଧା ରଖିବେ। ଋଣ ପରିଶୋଧ ପର୍ଯ୍ୟନ୍ତ ସେ ଦେଶର ସମ୍ପତ୍ତି ମନଇଚ୍ଛା ବୋହିନେବେ। ଯେମିତି ଭାରତରୁ ବ୍ରିଟିଶ୍‌ମାନେ ଦୁଇଶହ ବର୍ଷ ଧରି ଆମ ସମ୍ପତ୍ତି ହରଣ କରୁଥିଲେ।
ଯୁଦ୍ଧ କେବେ ସରେନି – ଯୁଦ୍ଧ କେବେ ସରିବାର ନାହିଁ। ମଣିଷର ଜୀବନ ବିନିମୟରେ ମାରଣାସ୍ତ୍ର ବିକ୍ରୟ ଏକମାତ୍ର ଲକ୍ଷ୍ୟ। ନିୟମିତ ଜାରି ରହିଥିବା ମାରଣାସ୍ତ୍ର ଉତ୍ପାଦନର ଅନ୍ତୁଡ଼ିଶାଳର ନିଆଁ ଭିତରୁ ଏ ଯୁଦ୍ଧାସ୍ତ୍ର ଜନ୍ମ। ଯାହାର ପଣ- ଏ ଜୀବନ୍ତ ଗ୍ରହକୁ ଏକ ମୃତପିଣ୍ଡର ମୁଠେ ପାଉଁଶ ଏବଂ ଡିନାମାଇଟ୍‌ଠୁ ଆରମ୍ଭ କରି ପରମାଣୁ ବୋମା ପର୍ଯ୍ୟନ୍ତ ଯେଉଁ ଅସ୍ତ୍ର ବେପାର ସେ ଶସ୍ୟଶ୍ୟାମଳା ପୃଥିବୀକୁ ମରୁଗ୍ରହରେ ପରିଣତ କରିବାର ଯୋଜନାରେ ଆଜି ମଧ୍ୟ ପ୍ରବୃତ୍ତ। କ୍ଷୋଭର ବିଷୟ ଯେ- ସେମାନଙ୍କୁ ମିଳୁଛି ପ୍ରଚୁର ପ୍ରଶସ୍ତିର ପାଉଣା। ଯଥା- ଡିନାମାଇଟର ଉଦ୍ଭାବକ ଆଲ୍‌ଫ୍ରେଡ୍‌ ନୋବେଲ୍‌- ଯାହାଙ୍କର ବିପୁଳ କାଳ ମୁନାଫାର ଏକ ନଗଣ୍ୟ ଅଂଶ ପୃଥିବୀର ବିଭିନ୍ନ କ୍ଷେତ୍ର ବିଷୟକ ଦିଗରେ ପୁରସ୍କାର ପାଇଁ ପ୍ରେରିତ ହୋଇଆସୁଛି। ମାତ୍ର କିଛି କୋଟି ଟଙ୍କାର ପୁରସ୍କାରକୁ କୁକୁର ଆଗରେ ଅଇଁଠା ଫିଙ୍ଗିଲା ପରି ଫିଙ୍ଗିଦିଆଯାଇ ୮ଶହ କୋଟି ଜନସଂଖ୍ୟକ ତମାମ ପୃଥିବୀରୁ ଅସୁଲ କରାଯାଉଛି – ଅପରିମେୟ ଯଶ ଓ ଜୟ ଜୟକାର। ଏଣୁ ମଣିଷ ମାର – ମୁନାଫା କର – ଆହେ ଯୁଦ୍ଧଖୋର। ଏ ହେଉଛି ବର୍ତ୍ତମାନର ମାରଣାସ୍ତ୍ର ବଜାରିଙ୍କ ଭିତିରିଆ ବିଜ୍ଞାପନ। ସବୁବେଳେ ଯୁଦ୍ଧର ଇତିହାସ ବିଚିତ୍ର ଓ ଅତ୍ୟନ୍ତ ପୀଡ଼ାଦାୟକ। ସବୁ ଯୁଦ୍ଧ ଯୋଜନାବଦ୍ଧ ,ଏଥିରେ ତିଳେମାତ୍ର ସନ୍ଦେହ ନାହିଁ।
ସମ୍ପ୍ରତି ଧର୍ମଯୋଦ୍ଧାମାନଙ୍କର ଯୁଗ ଶେଷ। ବର୍ତ୍ତମାନ ପୃଥିବୀ ପ୍ରେମଯୋଦ୍ଧାମାନଙ୍କୁ ଦରକାର କରେ। କାରଣ ଧର୍ମଯୁଦ୍ଧ ଏ ଦୁନିଆରେ ସୃଷ୍ଟି କରିଛି ମଣିଷରକ୍ତର ଦଙ୍ଗା। ମାତ୍ର ଆସନ୍ନ ପ୍ରେମଯୁଦ୍ଧ ଏ ପୃଥିବୀରେ ଆଣିବ ମହାପ୍ଳାବନମୟ ମଣିଷ ହୃଦୟର ମହାଗଙ୍ଗା। ତେଣୁ ସଇତାନ ସାବଧାନ।
ଯାଜପୁର ରୋଡ, ଯାଜପୁର
ମୋ: ୯୮୬୧୦୩୪୧୬୩


Enter your email to get our daily news in your inbox.

All Right Reserved By Dharitri.Com

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

ଏଇ ଭାରତରେ

କେରଳମର ଯୁବ ଫଟୋଗ୍ରାଫର ନନ୍ଦୁ କେ.ଏସ୍‌. କହନ୍ତି, କ୍ୟାମେରା କେବଳ ସୁନ୍ଦର ଦୃଶ୍ୟ ଉତ୍ତୋଳନ ପାଇଁ ନୁହେଁ; ବରଂ ଏହା ସ୍ବଚ୍ଛତା, ଏକତା ଆଣିପାରେ, ପଦକ୍ଷେପ ପାଇଁ…

ଏକାଧିକ ବ୍ୟାଙ୍କ ଆକାଉଣ୍ଟ ରହିଛି କି

ମୋ କଲେଜ ପଢ଼ା ସମୟର ସାଙ୍ଗ ‘ନରେନ୍ଦ୍ର’ କଥା କହୁଛି। ତାଙ୍କର ଏକ ଭଲ ଅଭ୍ୟାସ ଥିଲା ଡାକଘର ବ୍ୟତୀତ ସେ ସମୟରେ ଯେତେ ସବୁ ଛୋଟବଡ଼…

ପୁସ୍ତକରେ ବନ୍ଦୀ ଶୈଶବ

ଏକ ସମୟ ଥିଲା, ସା ହେଲେ ପିଲାଙ୍କ ଚିତ୍କାର ଓ ଦୌଡ଼ାଦୌଡ଼ିରେ ଗାଁର ଖେଳପଡ଼ିଆ ହସୁଥିଲା। ଖେଳପଡ଼ିଆରେ ସେମାନେ ଶିଖୁଥିଲେ ସହଯୋଗ, ମିତ୍ରତା, ସହନଶୀଳତା ଓ ଜୀବନର…

ଦୁଇ ଆଞ୍ଚଳିକ ପ୍ରତିଦ୍ୱନ୍ଦ୍ୱୀ

ନିକଟରେ ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓ ଭାରତ ଗସ୍ତରେ ଆସିଥିଲେ। ସେତେବେଳେ ସେ କହିଥିଲେ, ଭାରତ ହେଉଛି ଆମେରିକାର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ରଣନୈତିକ ଭାଗୀଦାରି ।…

ପରିଚୟ ଖୋଜୁଛି ଭଦ୍ରକ ଗୁଡ଼

ଉପକୂଳ ଓଡ଼ିଶାରେ ଆଖୁଚାଷ କହିଲେ ଭଦ୍ରକ ଆଖୁକୁ ବୁଝାଏ। ଭଦ୍ରକ ଗୁଡ଼ର ବି ସେତିକି ଚାହିଦା ଥିଲା। ା ଯାଜପୁର, ବାଲେଶ୍ୱର,କେନ୍ଦୁଝରକୁ ଭଦ୍ରକ ଗୁଡ଼ ରପତ୍ାନି ହୁଏ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri