ଭିକ୍ଷା, ଭିକ୍ଷୁକ ଓ ଦାନ

ଡ. ସତ୍ୟନାରାୟଣ ମିଶ୍ର

 

ଇତିହାସ ଲେଖା ଅୟମାରମ୍ଭର ବହୁ ପୂର୍ବରୁ ମାନବ ସମାଜରେ ଭିକ୍ଷାର ପ୍ରଚଳନ ହୋଇଆସୁଅଛି। ଭିକ୍ଷା ହେଉଛି ଏକ ନିଷ୍ଠୁର ଓ ଚରମ ପନ୍ଥା, ଯାହା ସମାଜରେ ଏକ ଭିନ୍ନ ଶ୍ରେଣୀର ପରିଚୟ ଦେଇଥାଏ। ଭିକ୍ଷା ହେଉଛି ପ୍ରତିକ୍ରିୟାର କ୍ରିୟା। ଯେତେବେଳେ ମନୁଷ୍ୟଠାରେ ବଞ୍ଚିବାର ସମସ୍ତ ଦ୍ୱାର ଯେକୌଣସି କାରଣରୁ ବନ୍ଦ ହୋଇଯାଏ, ଜୀବନକୁ ବଞ୍ଚାଇବା ପାଇଁ ମଣିଷ ସେତେବେଳେ ଭିକ୍ଷାବୃତ୍ତିକୁ ହିଁ ଆଦରି ନେଇଥାଏ। ବୌଦ୍ଧଧର୍ମରେ ଗୌତମ ବୁଦ୍ଧ ବୌଦ୍ଧ ସନ୍ନ୍ୟାସୀମାନଙ୍କୁ ବୌଦ୍ଧ ଭିକ୍ଷୁ ବୋଲି ପରିଚୟ ଦେଉଥିଲେ । ମୋକ୍ଷ ପ୍ରାପ୍ତି ପାଇଁ ଭିକ୍ଷା ହେଉଛି ଏକମାତ୍ର ପନ୍ଥା ବୋଲି ବୌଦ୍ଧ ଧର୍ମାବଲମ୍ବୀମାନେ ମାନିଥାନ୍ତି ଓ ବଞ୍ଚିବା ପାଇଁ ସେମାନେ ଭିକ୍ଷା ଦେହି … ସ୍ତବକୁ ଆଦରି ନେଇଥାନ୍ତି। ହିନ୍ଦୁଧର୍ମର ବର୍ଣ୍ଣାଶ୍ରମ ନୀତିରେ ଗୃହସ୍ଥମାନେ ଭିକ୍ଷା ପ୍ରଦାନ କରିବା ବିଧେୟ ବୋଲି କୁହାଯାଇଅଛି। ଭାରତବର୍ଷର ପରମ୍ପରାରେ ନିଜର ପରିସ୍ଥିତିକୁ ସାମ୍ନା କରିବାକୁ ଯାଇ ବା ପ୍ରତିଶ୍ରୁତିବଦ୍ଧତାକୁ ପ୍ରମାଣ ଦେବାକୁ ଯାଇ ଭିକ୍ଷା ବୃତ୍ତିକୁ ଧରାପୃଷ୍ଠରେ ଜୀବନ ନିର୍ବାହର ଏକ ପନ୍ଥା ବୋଲି ସ୍ବୀକୃତ ହୋଇଅଛି। ଏପରିକି ଭଗବାନ ବାମନ ଅବତାରରେ ନିଜେ ମଧ୍ୟ ଭିକ୍ଷା ବୃତ୍ତି କରିଛନ୍ତି। ଭିକ୍ଷା ଦୟାର ଅଂଶ ନୁହେଁ। ଭିକ୍ଷା ସୁଖ ସ୍ବାଚ୍ଛନ୍ଦ୍ୟ ଓ ଆମୋଦ ପ୍ରମୋଦ ପାଇଁ ହେଲେ ନିନ୍ଦନୀୟ, ଅପମାନ ଅଟେ। ମାତ୍ର ଭିକ୍ଷା ଯଦି ଜୀବନ ନିର୍ବାହ ଓ ସମୂହ ହିତାର୍ଥେ ପ୍ରୟୋଜନ ହୋଇଥାଏ ତେବେ ତାହା ପୁଣ୍ୟ କର୍ମ। ସୃଷ୍ଟିର ପ୍ରତ୍ୟେକ ମନୁଷ୍ୟ ଜନ୍ମରୁ ଭିକ୍ଷୁକ ହୋଇଥାନ୍ତି ଓ ଜୀବଦ୍ଦଶା ମଧ୍ୟରେ କେବଳ ଭିକ୍ଷା ମାଗି ମାଗି ଜୀବନ ଅତିବାହିତ ହୋଇଥାଏ, ଯାହା ମନୁଷ୍ୟ ନିଜେ ଜାଣିପାରେ ନାହିଁ। ମନୁଷ୍ୟ ପ୍ରଥମେ ଧରାପୃଷ୍ଠରେ ବଞ୍ଚିବା ପାଇଁ ମା’ଠାରୁ ଦୁଗ୍ଧ ପାନର ଭିକ୍ଷା କରିଥାଏ। ଶିକ୍ଷା ନିମିତ୍ତ ଶିଷ୍ୟ ଗୁରୁଠାରୁ ଜ୍ଞାନ ଭିକ୍ଷା ଗ୍ରହଣ କରିଥାନ୍ତି। ଅନ୍ନ ଜଳର ଆବଶ୍ୟକତାକୁ ଲାଘବ ଓ ବଞ୍ଚିବାର ରାହାକୁ ଚରିତାର୍ଥ କରିବା ପାଇଁ ବା ସମାଜର ମଙ୍ଗଳ ନିମିତ୍ତ ଭିକ୍ଷାକୁ ଯଦି ବୃତ୍ତି ହିସାବରେ ନିଆଯାଏ ତେବେ ତାହା ଗ୍ରହଣୀୟ ହୋଇଥାଏ। ମାତ୍ର ଭିକ୍ଷାକୁ ଯଦି ନ୍ୟସ୍ତସ୍ବାର୍ଥ ପ୍ରବୃତ୍ତି କରାଯାଏ ତେବେ ତାହା କର୍ମକାତରତା ଓ ଶଠତାର ପରିଚୟ ଦେଇଥାଏ। ଏହା ଅପରାଧ ବୋଲି ବିବେଚନା କରାଯାଏ ଓ ସେଥିରୁ ନିବୃତ୍ତ ହେବା ଉଚିତ।
ଭାରତରେ ୨୦୧୫ ମସିହା ସୁଦ୍ଧା ୪,୧୩,୬୭୦ ଜଣ ଭିକ୍ଷୁକ ଅଛନ୍ତି ବୋଲି ଏକ ସର୍ବେକ୍ଷଣରୁ ପ୍ରମାଣ ମିଳେ । ସେଥିମଧ୍ୟରୁ ପଶ୍ଚିମବଙ୍ଗ ଓ ଉତ୍ତରପ୍ରଦେଶରେ ସର୍ବାଧିକ ଭିକ୍ଷୁକ ଭିକ୍ଷାକୁ ଆଦରି ଜୀବନ ନିର୍ବାହ କରୁଛନ୍ତି। ଭାରତରେ ସର୍ବପ୍ରଥମେ ମହାରାଷ୍ଟ୍ର ସରକାର ‘ବମ୍ବେ ଭିକ୍ଷା ଦୂରୀକରଣ ଆଇନ’ (ବମ୍ବେ ପ୍ରିଭେନଶନ ଅଫ୍‌ ବେଗିଙ୍ଗ ଆକ୍ଟ (ବିପିବିଏ)୧୯୫୯) ରେ ଏକ ଆଇନ ପ୍ରଣୟନ କରି ଭିକ୍ଷା ବୃତ୍ତିକୁ ନିଷେଧ କରିଥିଲେ ଓ ଏହାର ଉଲ୍ଲଂଘନ କଲେ ସ୍ବତନ୍ତ୍ର ଭିକ୍ଷୁକ ଅଦାଲତରେ ବିଚାର ନିଷ୍ପତ୍ତି କରିଥିଲେ। ମାତ୍ର ପରବର୍ତ୍ତୀ ସମୟରେ ବିଭିନ୍ନ ଦୃଷ୍ଟିକୋଣକୁ ବିଚାରକରି ଦିଲ୍ଲୀର ଉଚ୍ଚତମ ନ୍ୟାୟାଳୟ ଭିକ୍ଷାକୁ ଏକ ଅପରାଧ ବୋଲି ବିବେଚନା କଲେ ନାହିଁ ବରଂ ବଞ୍ଚିବାର ଏକ ପନ୍ଥା ବୋଲି ଅଭିହିତ କଲେ। ସମାଜରେ ଅବହେଳିତ ତଥା ନିଷ୍ପେଷିତ ବ୍ୟକ୍ତିମାନଙ୍କୁ ଭିକ୍ଷା ହିଁ ଏକ ସହାୟକ ପନ୍ଥା ହୋଇଥାଏ ବୋଲି ବିବେଚନା କରିବା ଦରକାର ଓ ଏଥିପ୍ରତି ଏକତରଫା ଭାବେ ଉକ୍ତ ପନ୍ଥାକୁ ବିବେଚନା କରି ବଞ୍ଚିବାର ଶେଷ ରାହାକୁ ଦମନ କରିବା ଅନ୍ୟାୟ ବୋଲି ବିବେଚନା କରାଯାଏ। ପ୍ରକୃତରେ ଭିକ୍ଷା ଜୀବନର ଅନ୍ତିମ ପନ୍ଥା ବୋଲି ବିଚାର କରି ମାନସିକ ଭାରସାମ୍ୟ ହରାଇ ଭିକ୍ଷାବୃତ୍ତି କରିବା ହେଉଛି ବଞ୍ଚିବାର ଏକମାତ୍ର ଶିକ୍ଷା ବ୍ୟତୀତ ଅନ୍ୟ କିଛି ନୁହେଁ।
ଅନ୍ୟ ଦୃଷ୍ଟିରୁ ଆଲୋଚନା କଲେ ସମାଜର ପ୍ରତ୍ୟେକ ବ୍ୟକ୍ତି ହେଉଛନ୍ତି ଜଣେ ଜଣେ ଭିକ୍ଷୁକ। କିଏ ଧର୍ମ ପାଇଁ ଭିକ୍ଷୁକ ତ ପୁଣି କିଏ ଜ୍ଞାନ ପାଇଁ, କିଏ ଧନ ପାଇଁ ଭିକ୍ଷୁକ ତ ପୁଣି କିଏ ଶିକ୍ଷା ପାଇଁ, କିଏ ସେବା ପାଇଁ ଭିକ୍ଷୁକ ତ ପୁଣି କିଏ କର୍ମ ପାଇଁ, କିଏ ମୋକ୍ଷ ପାଇଁ ଇତ୍ୟାଦି ଇତ୍ୟାଦି। ମଣିଷ ଯେତେବେଳେ ମନ୍ଦିରକୁ ଯାଏ ସେତେବେଳେ ଭଗବାନଙ୍କ ନିକଟରେ ନିଜର ମନୋବାଞ୍ଛା ପୂରଣ ପାଇଁ ଭିକ୍ଷା ମାଗିଥାଏ, ଯାହା ଥାଏ ଅଲକ୍ଷ୍ୟ ଭିକ୍ଷା ଓ ସେ ମନ୍ଦିର ମଧ୍ୟରେ ଭଗବାନଙ୍କ ସମ୍ମୁଖରେ ଭିକ୍ଷୁକ। ତାହା ଥାଏ ଦ୍ୱିପାକ୍ଷିକ ଭିକ୍ଷା ଓ ଦାନ। ମାତ୍ର ସେତେବେଳେ ଉକ୍ତ ‘ଭିକ୍ଷୁକ’ର ସଂଜ୍ଞା ପରିବର୍ତ୍ତନ ହୋଇ ‘ଭକ୍ତ’ ହୋଇଥାଏ ଓ ଭଗବାନଙ୍କୁ ନେହୁରା ହୋଇ ଅଭୀଷ୍ଟ ସିଦ୍ଧି ପାଇଁ ମାଗିଥାଏ, ଯାହାକୁ ଭିକ୍ଷା କୁହାଯାଏ। ଠିକ୍‌ ସେହିପରି ମନ୍ଦିରରୁ ବାହାରକୁ ଆସିଲେ ଉକ୍ତ ଭିକ୍ଷୁକ ଭକ୍ତ ‘ଦାତା’ ଭକ୍ତରେ ରୂପାନ୍ତରିତ ହୋଇ ଅନ୍ନଜଳର ସନ୍ଧାନରେ ଖୋଜି ବୁଲୁଥିବା ଭିକ୍ଷୁକମାନଙ୍କୁ ଦେଇଥାନ୍ତି କିଛି କିଛି ଅର୍ଥ ବା ସାମଗ୍ରୀ, ଯାହା ଭିକ୍ଷା ନାମରେ ପରିଚିତ ଓ ଯିଏ ଗ୍ରହଣ କରେ ତାହାକୁ ଭିକ୍ଷୁକ କହନ୍ତି। ଉକ୍ତ ଦିଆନିଆଗୁଡ଼ିକ ସର୍ବଜନରେ ଦୃଶ୍ୟମାନ ହେଉଥିବାରୁ ତାହା ଆଲୋଚନାକୁ ଆସିଥାଏ। ମାତ୍ର ମନ୍ଦିର ମଧ୍ୟରେ ଭଗବାନ ଓ ଭକ୍ତ ମଧ୍ୟରେ ଯେଉଁ ଗୁହାରି ଓ ଭିକ୍ଷା ପ୍ରାର୍ଥନା ହୁଏ ତାହା ଥାଏ ଭିନ୍ନ। ସେଠାରେ ନ ଥାଏ ଅନ୍ନଜଳର ସନ୍ଧାନ ପାଇଁ ଭିକ୍ଷା, ତାହା ଥାଏ ସମ୍ପୂର୍ଣ୍ଣ ଭିନ୍ନ ଭିକ୍ଷା। ମାତ୍ର ସର୍ବଜନରେ ଭିକ୍ଷା ଥାଏ ଅନ୍ନ ଜଳର ସନ୍ଧାନର ଅନ୍ବେଷଣର କର୍ମ।
ଭିକ୍ଷାର ଉପାଦାନ କ’ଣ ଥାଏ ତାହା ଦାତାର ସାମର୍ଥ୍ୟ ଓ ଇଚ୍ଛା ଉପରେ ନିର୍ଭର କରିଥାଏ। ମାତ୍ର ଭିକ୍ଷା ଦେବା ଓ ଭିକ୍ଷା ଗ୍ରହଣ କରିବା ହେଉଛି ଏକ ନମ୍ରତାର ପ୍ରତୀକ। ପତଞ୍ଜଳିଙ୍କର ଅପରିଗ୍ରହ ନୀତି ଦର୍ଶାଇଥାଏ ଯେ କୌଣସି ଦାନ ଗ୍ରହଣ କରିବା ହେଉଛି ଯୋଗସୂତ୍ରର ନୀତିବିରୁଦ୍ଧ। ମାତ୍ର କୂପ ବା ପୁଷ୍କରିଣୀ ଖନନ, ଆଶ୍ରୟ ବିଶ୍ରାମ ଗୃହ ନିର୍ମାଣ, ଚିକିତ୍ସାଳୟ ନିର୍ମାଣ ଆଦି ଦାନ କାର୍ଯ୍ୟ ହେଉଛି ଉତ୍ତମ ଦାନ, ଯାହା ଅହିଂସା, କରୁଣା ଓ ଦୟା ଦ୍ୱାରା ଆଚ୍ଛାଦିତ ହୋଇଥାଏ। ଗୀତାରେ ଦାନର ପ୍ରକାର ଭେଦକୁ ବର୍ଣ୍ଣନା କରି କୁହାଯାଇଛି ଯେ, ସାତ୍ତ୍ୱିିକ ଦାନ ହେଉଛି ଦାନ ଦେଇ ଦାତା କେବେ ପରବର୍ତ୍ତୀ ସମୟରେ ଦାନ ଗ୍ରହୀତାଙ୍କଠାରୁ କିଛି ଆଶା କରେ ନାହିଁ। ତାମସ ଦାନ ହେଉଛି ଅନୁପଯୁକ୍ତ ସମୟ, ଅନୁପଯୁକ୍ତ ସ୍ଥାନ ଓ ଅନୁପଯୁକ୍ତ ବ୍ୟକ୍ତିକୁ ଦାନ ପ୍ରଦାନ କରିବା ଯାହାର ଦାନ ଗ୍ରହଣ କରିବାର ଆବଶ୍ୟକତା ନଥାଏ ବା ଉକ୍ତ ଦାନ ଗ୍ରହଣ କରିବାର ଯୋଗ୍ୟତା ନ ଥାଏ। ଗୀତା ତତ୍ତ୍ୱକୁ ବିନ୍ୟାସ କଲେ ମନ୍ଦିର ନିକଟରେ ଉପଯୁକ୍ତ ଗ୍ରହୀତାଙ୍କୁ ଭିକ୍ଷା ଦେବା ବା ଦାନ କରିବା ହେଉଛି ସାତ୍ତ୍ୱିକ ଦାନ ବା ଭିକ୍ଷା, କାରଣ ସେଥିରେ ଦାତାର ଗ୍ରହୀତାଙ୍କଠାରୁ ଭବିଷ୍ୟତରେ କିଛି ପାଇବାର ଆଶା ନଥାଏ। ବିନୋବା ଭାବେଙ୍କ ଅନୁଯାୟୀ ଭୂ-ଦାନ ଆନ୍ଦୋଳନ ହେଉଛି ଭୂମିହୀନଙ୍କୁ ଭୂମି ଦାନ, ଯାହା ଆବଶ୍ୟକତାକୁ ଚରିତାର୍ଥ କରିଥାଏ। ଭୂମି ଅଧିକ ଥିବା ବ୍ୟକ୍ତି ଭୂମି ନ ଥିବା ବ୍ୟକ୍ତିଙ୍କୁ ଦାନ କରିଥାନ୍ତି, ଯାହାକୁ ଭୂ-ଦାନ ବା ପ୍ରେମଦାନ ବୋଲି କୁହାଯାଏ। କାରଣ ଏଥିରେ ଥାଏ ନିଜର ଇଚ୍ଛା ଓ ଭାବନାର ପ୍ରେମ। ତେଣୁ ଶ୍ରମ ଦାନ, ସମ୍ପତ୍ତି ଦାନ, ବିଦ୍ୟା ଦାନ, ଜୀବନ ଦାନ ଆଦି ଏକ ଏକ ମହତ୍ତର ପରାକାଷ୍ଠା। ଉକ୍ତ ଦାନଗୁଡ଼ିକର ଉଦ୍ଦେଶ୍ୟ ହେଉଛି ସମାଜରେ ପରିବର୍ତ୍ତିତ ପରିସ୍ଥିତିରେ ସମାନୁପାତିକ ସ୍ଥିତାବସ୍ଥାରେ ସମନ୍ବୟ ରକ୍ଷା କରିବା।
ଅଭିଲେଖାଧିକାରୀ, ଜାତୀୟ ଅଭିଲେଖାଗାର
ମୋ-୯୯୩୭୩୪୫୯୦୦


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ ଗଣତନ୍ତ୍ରରେ ଅଭାବୀ ବିକଳ୍ପ

ଏକ ଚା’ ଖଟିରେ ଦୁଇ ବନ୍ଧୁ ପରସ୍ପର ରାଜନୀତି ବିଷୟରେ ଚର୍ଚ୍ଚା କରୁଥିଲେ ଏବଂ ଜଣେ ବନ୍ଧୁ ଅନ୍ୟ ଜଣେ ବନ୍ଧୁଙ୍କ ସହିତ କଥୋପକଥନ ଛଳରେ କହୁଥା’ନ୍ତି-…

ପୁରୁଷ, ନାରୀ ଓ ସଭ୍ୟତା

ଓଡ଼ିଶା ଆଜି ନିଜକୁ ଉନ୍ନତି ପଥରେ ଆଗେଇ ନେବାକୁ ଦୃଢ଼ ଚେଷ୍ଟା କରୁଛି। ନୂଆ ରାସ୍ତା, ବଡ଼ ବଡ଼ କୋଠା, ଶିଳ୍ପ ପାର୍କ, ଡିଜିଟାଲ ସେବା, ସରକାରୀ…

ଚିତାରେ ସତୀ

ୟୁରୋପରେ ସଇତାନଙ୍କୁ ପୂଜା କରୁଥିବା ସନ୍ଦେହରେ ମହିଳାଙ୍କୁ ଡାହାଣୀ ଆଖ୍ୟା ଦେଇ ଖ୍ରୀଷ୍ଟିଆନ୍‌ ଧର୍ମଯାଜକମାନେ ସେମାନଙ୍କୁ ଜିଅନ୍ତା ପୋଡ଼ିଦେଉଥିଲେ। ଆରବରେ ଇସ୍‌ଲାମ ଛାଡ଼ିବାକୁ ମନା କରୁଥିବା ଲୋକଙ୍କୁ…

ଏଇ ଭାରତରେ

ଭାରତରେ ଜଳ ସଙ୍କଟ ବିଷୟ ଆଲୋଚନା କଲାବେଳେ ମହାରାଷ୍ଟ୍ର ଲାଟୁର ଜିଲା ସ୍ଥିତି ସାମ୍ନାକୁ ଆସେ। ତେବେ ଏହି ଜିଲାର ବଂଶଓ୍ବାରଗ୍ରାମର ଗ୍ରାମବାସୀ ଜଳସଙ୍କଟ ଦୂର କରିବାରେ…

ରୋଜଗାରିଆ ଝିଅ ଓ ବେକାର ପୁଅ

ପୁରୁଷ ଓ ନାରୀ ଭଗବାନଙ୍କର ଏକ ଅନବଦ୍ୟ ସୃଷ୍ଟି। ପୁରୁଷ ଜନ୍ମ ନିଏ ନାରୀଠାରୁ ପୁଣି ବିନା ପୁରୁଷରେ ନାରୀର ଜନ୍ମ ଅସମ୍ଭବ। କି ଅଦ୍ଭୁତ ସମନ୍ବୟ।…

ପରିମାଣାତ୍ମକ ନା ଗୁଣାତ୍ମକ ଶିକ୍ଷା

ଥରେ ଜଣେ ରାଜନେତାଙ୍କ ସହିତ ସାକ୍ଷାତ ହେଲା। ପୂର୍ବତନ ଲୋକ ସଭା ସାଂସଦ। ବର୍ତ୍ତମାନର ସରକାରୀ ଦଳର ସେ ଜଣେ ପ୍ରତିଷ୍ଠିତ ନେତା। ବିଭିନ୍ନ ସଭା ସମିତିରେ…

ଯେତିକି ପାରିବ ସେତିକି

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଏବେ ମଣିଷର ପ୍ରତିଟି ପଦକ୍ଷେପକୁ ପରିଚାଳନା କଲାଣି। ପରିବେଶ ପରିସଂସ୍ଥାନକୁ ଇକୋସିଷ୍ଟମ ବୋଲି କହିଥାଉ। ଏବେ ଏଆଇ ଇକୋସିଷ୍ଟମ…

ଏଇ ଭାରତରେ

ପକ୍ଷୀ ଜୀବନ ଏବେ ସଙ୍କଟରେ। ଜଳବାୟୁ ପରିବର୍ତ୍ତନ,ସହରୀକରଣରେ ବାସସ୍ଥାନ ଓ ଖାଦ୍ୟ ଅଭାବ ଯୋଗୁ ବଂଶବୃଦ୍ଧି ନ ହୋଇ ବହୁ ପ୍ରଜାତିର ପକ୍ଷୀ ଏବେ ବିଲୁପ୍ତିର ଦ୍ୱାରଦେଶରେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri