କଲ୍ୟାଣସିଂହପୁର, ୨୬।୮ (ଦୀପକ କୁମାର ପରିଡା): ରାୟଗଡ଼ା ଜିଲାରେ ବଲାଙ୍ଗୀର ଜିଲା ପୋଲିସ ଚଢ଼ାଉ କରି ବିପୁଳ ପରିମାଣର ଚୋରି ସୁନା ଓ ରୂପା ଅଳଙ୍କାର ଜବତ କରିବା ସହ ଦୁଇ ଜଣଙ୍କୁ ଅଟକ ରଖିଛି। କଲ୍ୟାଣସିଂହପୁର ଥାନା ଅନ୍ତର୍ଗତ ସିଙ୍ଗାରି ପଞ୍ଚାୟତର ଖରଯୋଡ଼ା ଗ୍ରାମରେ ଏହି ଚଢ଼ାଉ କରାଯାଇଛି।
ସୂଚନା ଅନୁଯାୟୀ, ବଲାଙ୍ଗୀର ଜିଲାରେ ଘଟିଥିବା ଏକ ବଡ଼ଧରଣର ଚୋରି ମାମଲାର ତଦନ୍ତ ସୂତ୍ର ଧରି ବଲାଙ୍ଗୀର ପୋଲିସର ଏକ ସ୍ୱେଶାଲ ଟିମ୍ ଖରଯୋଡ଼ା ଗ୍ରାମରେ ପହଞ୍ଚିଥିଲା। ପୋଲିସ ସେଠାରେ ଦୁଇ ଜଣ ସନ୍ଦିଗ୍ଧଙ୍କ ଘରେ ଅଚାନକ ଚଢ଼ାଉ କରିଥିଲା। ଏହି ଚଢ଼ାଉ ବେଳେ ବହୁ ପରିମାଣର ଚୋରି ସୁନା ଓ ରୂପା ଅଳଙ୍କାର ଜବତ ହେବା ସହ ଦୁଇ ଅଭିଯୁକ୍ତଙ୍କୁ ପୋଲିସ ନିଜ ହେପାଜତକୁ ନେଇଛି।
ଏହି ଘଟଣାଟି ସତ୍ୟ ବୋଲି ରାୟଗଡ଼ା ଏସଡିପିଓ (SDPO) ଗୌରହରୀ ସାହୁ ସୂଚନା ଦେଇଛନ୍ତି। ବଲାଙ୍ଗୀର ଚୋରି ଘଟଣାରେ ରାୟଗଡ଼ାର କିଛି ଦୁର୍ବୃତ୍ତଙ୍କ ସମ୍ପୃକ୍ତି ଥିବା ସ୍ପଷ୍ଟ ହୋଇଛି। ତେବେ ଏହି ଘଟଣାରେ ଅନ୍ୟ କେତେଜଣ ସାମିଲ ଅଛନ୍ତି ଏବଂ ଜବତ ଅଳଙ୍କାରର ମୋଟ ପରିମାଣ ଓ ମୂଲ୍ୟ କେତେ, ସେନେଇ ପୋଲିସର ବିସ୍ତୃତ ତଥ୍ୟକୁ ଅପେକ୍ଷା କରାଯାଇଛି।

