ବଲାଙ୍ଗୀର,୧।୧୧(ସୁନିଲ କୁମାର ମହାନ୍ତି): ଷଷ୍ଠ ‘ବଲାଙ୍ଗୀର ଦିନ୍’ ଉତ୍ସବ ପାଳନ ଆଜି ରବିବାର ଏକ ଭବ୍ୟ ସାଂସ୍କୃତିକ ଶୋଭାଯାତ୍ରା ସହ ଶୁଭାରମ୍ଭ ହୋଇଯାଇଛି। ବଲାଙ୍ଗୀର ଦିନ୍ ଆୟୋଜକ ସମିତିର ଅଧ୍ୟକ୍ଷ ଗୋପାଲଜୀ ପାଣିଗ୍ରାହୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପୂର୍ବାହ୍ନ ସାଢ଼େ ୧୧ଟାରେ ସ୍ଥାନୀୟ କୋଶଳ କଳାମଣ୍ଡଳ ପଡ଼ିଆରୁ ଏହି ଆକର୍ଷଣୀୟ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା। ଏହି ରଙ୍ଗାରଙ୍ଗ ଶୋଭାଯାତ୍ରାରେ ଜିଲାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ସାଂସ୍କୃତିକ ଦଳ, ଅନୁଷ୍ଠାନର ପ୍ରତିନିଧି, ରାଜନେତା, ଜନପ୍ରତିନିଧି ଏବଂ ହଜାର ହଜାର ସାଧାରଣ ଜନତା ଉତ୍ସାହର ସହ ସାମିଲ ହୋଇଥିଲେ।

ଶୋଭାଯାତ୍ରାରେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ, ବଲାଙ୍ଗୀର ଜିଲା ପରିଷଦ ସଭାପତି ଦେବକୀ, ପୌରାଧ୍ୟକ୍ଷା ଲିକା ସାହୁ, ବ୍ଲକ୍ ଅଧ୍ୟକ୍ଷା ସରିତା ବାଗ, ବିଧୁଭୂଷଣ ତ୍ରିପାଠୀ, ଗୋପାଲ ପ୍ରଧାନ, ଲୋଟସ୍ ଷଡ଼ଙ୍ଗୀ, ଦିନେଶ ଶର୍ମା, ପ୍ରତାପ ଚନ୍ଦ୍ର ରଥ, ବିନୋଦ କାଲସାଏ, ସନ୍ଦୀପ କୁଅଁର, ଗୋଲାପ ବାଗ, ମହେନ୍ଦ୍ର ବାଗ, ବିକାଶ ସାଏ, ସୋମନାଥ ମିଶ୍ର, ଜୟକୃଷ୍ଣ ମିଶ୍ର, ଚକ୍ରପାଣି ଦାସ, ବିଶ୍ୱଜିତ୍ ନାଥ, ସରିତା ଦାଶ, ନୂତନ ଦାସ, ସଙ୍ଗୀତା ଦାସ, ପୂଜା ସାହୁ, ରୁବି ବାଗଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ।

ସାଂସ୍କୃତିକ ଶୋଭାଯାତ୍ରାଟି କୋଶଳ କଳାମଣ୍ଡଳ ପଡ଼ିଆରୁ ବାହାରି ଭାଗିରଥ ଛକ, ପତିତପାବନ ଏକାଡେମୀ ଛକ, ବିକ୍ରମ ଛକ, ଡେଲି ମାର୍କେଟ, ସମଲେଶ୍ୱରୀ ମନ୍ଦିର, ପାଟଣେଶ୍ୱରୀ ମନ୍ଦିର, ମହାଦେବ ମନ୍ଦିର ଛକ, ପାଟଣା ଛକ ଏବଂ ମେନ୍ ମାର୍କେଟ ଦେଇ ପୁନର୍ବାର କଳାମଣ୍ଡଳ ପଡ଼ିଆକୁ ଫେରିଥିଲା।

ଶୋଭାଯାତ୍ରା ପରିକ୍ରମା ସମୟରେ ଦେବୀ ସମଲେଶ୍ୱରୀ, ଦେବୀ ପାଟଣେଶ୍ୱରୀ ଓ ଦୁର୍ଗା ମନ୍ଦିରରେ ନିଷ୍ଠାର ସହ ପୂଜାର୍ଜନା କରାଯାଇଥିଲା। ପୂଜା ପରେ ପୌରାଧ୍ୟକ୍ଷା ଲିକା ସାହୁ କଳାକାରମାନଙ୍କ ସହ ପବିତ୍ର ଦୀପ ଧରି କଳାମଣ୍ଡଳ ପଡ଼ିଆକୁ ଫେରିବା ପରେ ସେଠାରେ ଆନୁଷ୍ଠାନିକ ଭାବେ ମଞ୍ଚ ପୂଜା ସମ୍ପନ୍ନ ହୋଇଥିଲା।

