ଦର୍ଶକଙ୍କ ଭାଗୀଦାରିତା ନାଟକ କ୍ଷେତ୍ରକୁ ଉତ୍ସାହିତ କରିବ

ଯେଉଁଠି ଦିନେ ନାଟକ ଶିକ୍ଷା ନେଇଥିଲେ ଆଜି ସେହି ଅନୁଷ୍ଠାନର ନିର୍ଦ୍ଦେଶକ ହୋଇଛନ୍ତି ଅଭିନେତା ଚିତ୍ତରଞ୍ଜନ ତ୍ରିପାଠୀ। ଓଡ଼ିଆ ଏବଂ ହିନ୍ଦୀ ସିନେମା ଜଗତରେ ଖୁବ୍‌ ଜଣାଶୁଣା ଚେହେରା ଚିତ୍ତରଞ୍ଜନ ଏବେ ପ୍ରଥମ ଓଡ଼ିଆ ଭାବେ ନ୍ୟାଶନାଲ୍‌ ସ୍କୁଲ ଅଫ୍‌ ଡ୍ରାମା(ଏନ୍‌ଏସ୍‌ଡି)ର ନିର୍ଦ୍ଦେଶକ ଭାବେ ଗୁରୁଦାୟିତ୍ୱ ବହନ କରି ଓଡ଼ିଶା ପାଇଁ ଗର୍ବ ପାଲଟିଛନ୍ତି। ଭଦ୍ରକ ଜିଲା ଚାନ୍ଦବାଲି ଏନ୍‌ଏସି ଅଧୀନ ବାଲିଗାଁରେ ଜନ୍ମିତ ତ୍ରିପାଠୀ ଓଡ଼ିଆ ଚଳଚ୍ଚିତ୍ର ଧଉଳୀ ଏକ୍ସପ୍ରେସ୍‌, ମୁଖ୍ୟମନ୍ତ୍ରୀ, ନେଟ୍‌ଫ୍ଲିକ୍ସରେ ପ୍ରସାରିତ ୱେବ୍‌ସିରିଜ୍‌ ସାକ୍ରେଡ୍‌ ଗେମ୍ସ, ହିନ୍ଦୀ ଫିଲ୍ମ ତେରା ମେରା ତେଢା ମେଢ଼ା, ଇନ୍ଦୁ କି ଜୱାନୀ, ଛପକ୍‌, ଏ ମନସୁନ୍‌ ଡେଟ୍‌, ସିରିଜ୍‌ ଝୋଲାଛାପ୍‌ ଭଳି ଅନେକ ଫିଲ୍ମ, ସିରିଜ୍‌ରେ ଦମ୍‌ଦାର ଅଭିନୟ କରି ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନୂଆଦିଲ୍ଲୀରେ ସୂତ୍ରଧର ନାମକ ଏକ ନାଟକ ସଂସ୍ଥା ଗଠନ କରି ଦୀର୍ଘ ୨୬ବର୍ଷ ହେବ ନାଟକ ଯାତ୍ରା ଜାରି ରଖିଛନ୍ତି। ତାଙ୍କ ସହ ଏଥରର ଧରିତ୍ରୀ ଆଳାପ।

ଏନ୍‌ଏସ୍‌ଡିର ପ୍ରଥମ ଓଡ଼ିଆ ନିର୍ଦ୍ଦେଶକ। ଏହି ଗୁରୁଦାୟିତ୍ୱକୁ କିପରି ସମ୍ପାଦନ କରିବେ?
କ୍ରିଏଟିଭିଟି, କ୍ରିଏଟିଭ୍‌ ଇନ୍‌ପୁଟ୍‌ସ, ଟ୍ରେନିଙ୍ଗ, ଫିଲ୍ଡ ଏକ୍ସପେରିଏନ୍ସ, କ୍ରିଏଟିଭ୍‌ ଫ୍ରିଡମ୍‌ ଏବଂ ନୀତିନିୟମ ହିସାବରେ ସବୁ କ୍ଷେତ୍ରକୁ ନ୍ୟାୟ ଦେବାକୁ ଚେଷ୍ଟା କରିବି। ଏନ୍‌ଏସ୍‌ଡିର ଯେଉଁ ଲିଗାସି ଅଛି, ତା’ଛଡ଼ା ବର୍ତ୍ତମାନର ଟେକ୍ନୋଲୋଜିର ଡେଭଲପ୍‌ମେଣ୍ଟକୁ ନେଇ କିପରି ଦର୍ଶକଙ୍କ ପାଇଁ ନାଟକ କ୍ଷେତ୍ର ଅଧିକ ବ୍ୟାପକ ତଥା ଫଳପ୍ରଦ ହୋଇପାରିବ ତାହାକୁ ଗୁରୁତ୍ୱ ଦେବି।
ଓଡ଼ିଶା ପାଇଁ କିଛି କରିବାକୁ ଚିନ୍ତା କରିଛନ୍ତି କି?
ଏହା ନ୍ୟାଶନାଲ୍‌ ସ୍କୁଲ ଅଫ୍‌ ଡ୍ରାମା। ଏହି ଜାତୀୟ ପ୍ରତିଷ୍ଠାନଟି କୌଣସି ଏକ ରାଜ୍ୟ ପାଇଁ ନୁହେଁ, ପୂରା ଦେଶ ଲାଗି ପ୍ରତିଷ୍ଠା ହୋଇଛି। ଜଣେ ଓଡ଼ିଆ ନିର୍ଦ୍ଦେଶକ ଭାବେ ଯେ ମୁଁ ପକ୍ଷପାତିତା କରି ୫ଜଣଙ୍କୁ ନେଇ ଆସିବି ତାହା ହେବ ନାହିଁ। ହଁ ଓଡ଼ିଶାରେ ନାଟକ ଶିକ୍ଷା ପାଇଁ ୱାର୍କଶପ୍‌ ସଭଳି କିଛି କାର୍ଯ୍ୟକ୍ରମ କରାଯାଇପାରିବ। କାରଣ ଏନ୍‌ଏସ୍‌ଡି ପକ୍ଷରୁ ଆମ ରାଜ୍ୟରେ ଯେତିକି କାମ ହେବା କଥା ଅନ୍ୟ ରାଜ୍ୟ ତୁଳାନାରେ ହୋଇନାହିଁ। ମାତ୍ର ସମସ୍ତଙ୍କ ପ୍ରତି ସମାନ ମନୋଭାବ ରଖି ନିୟମ ଭିତରେ ହିଁ ମୋତେ ଏହାର ସୁପରିଚାଳନା କରିବାକୁ ପଡ଼ିବ।
ଓଡ଼ିଶାରେ ନାଟ୍ୟ ଶିକ୍ଷା ପରିସର ସମ୍ପର୍କରେ କ’ଣ କହିବେ?
ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ କୁହନ୍ତୁ କି ଅନ୍ୟ ଅନୁଷ୍ଠାନଗୁଡିକ ପ୍ରଶିକ୍ଷଣ ଦେଉଛନ୍ତି। ଏକ୍ସପର୍ଟ ମଧ୍ୟ ଆସୁଛନ୍ତି। ପ୍ରକୃତ ଘଟଣା ହେଉଛି, କଳାକାରଙ୍କୁ ସାମ୍ନାକୁ ଆସିବାକୁ ସମାଜ ତରଫରୁ ଭାଗିଦାରୀର ଆବଶ୍ୟକତା ରହିଛି। ଯେ ପର୍ଯ୍ୟନ୍ତ କଳାକାରଟିଏ ସିନେମାରେ ଆସି ପରଦାରେ ଚମ୍‌କି ନାହିଁ, ସେଯାଏ ତାଙ୍କୁ ଆମେ ଅବହେଳା କରନ୍ତି। ତା’ଛଡ଼ା ଲୋକମାନେ ନାଟକ ପ୍ରତି ଉତ୍ସାହିତ ହେବା ଆବଶ୍ୟକ। ଯାହା ବି ନାଟକ ଆସୁଛି ଦେଖିବାକୁ ଯିବା ଦରକାର। କଣ୍ଟେଣ୍ଟ ଭଲ ହୋଇ ନ ଥିଲେ ମଧ୍ୟ ସୁପର୍‌ଷ୍ଟାରଙ୍କୁ ଦେଖି ଲୋକ ଆସନ୍ତି ନାଟକ ଦେଖିବାକୁ। ଆମେ ଚିରାଚରିତ ଢଙ୍ଗରେ ଖାଲି ସମାଲୋଚନା କରିଦେଉ। ସେମିତି ନୁହେଁ ଯେ, କିଛି ହେଉନି। ଲୋକେ ମରିମରି, ତିଳତିଳ ଜଳିଜଳି କାମ କରୁଛନ୍ତି, ମାତ୍ର ତାଙ୍କୁ ସେମିତି ରେସପନ୍ସ ମିଳୁନି। ତେଣୁ ଏ କ୍ଷେତ୍ରରେ ସମାଜର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଦର୍ଶକଙ୍କ ସହଯୋଗ ବା ଭାଗୀଦାରିତା ହିଁ ନାଟକ କ୍ଷେତ୍ରକୁ ଉତ୍ସାହିତ କରିବ।
୨/୪ଟି ଓଡ଼ିଆ ନାଟକରେ ଦର୍ଶକ ହାଉସ୍‌ଫୁଲ୍‌ ହୋଇଛନ୍ତି। କିନ୍ତୁ ସବୁ ନାଟକ କ୍ଷେତ୍ରରେ ଏପରି କାହିଁକି ହେଉନାହିଁ?
ଭଲ ପ୍ରଶ୍ନ ଟିଏ। ଆପଣ ଯଦି ସେ ନାଟକର ପରଦା ପଛର ମଣିଷକୁ ଦେଖିବେ, ଜାଣିପାରିବ ତାହା କାହିଁକି ହାଉସ୍‌ଫୁଲ୍‌। ଗୋଟିଏ କର୍ପୋରେଟ୍‌ ସଂସ୍ଥା ନାଟକ କରୁ କିମ୍ବା ସେଲିବ୍ରିଟିଙ୍କୁ ନେଇ ନାଟକ ହେଉ, ସେ ସବୁକୁ ଲୋକେ ଦେଖିବାକୁ ନିହାତି ଆସିବେ। ସମସ୍ତେ ତ ସେଭଳି ନାଟକ କରିପାରୁ ନାହାନ୍ତି। ମାସରେ ଥରେ ବି ତ ସେଭଳି ହାଉସ୍‌ଫୁଲ୍‌ ନାଟକ ହୋଇପାରୁନି। ସେମାନଙ୍କୁ ସାଧୁବାଦ ଏଭଳି ଇନଭେଷ୍ଟ କରି ନାଟକ କରିପାରିଛନ୍ତି। ମାତ୍ର ଯେଉଁମାନେ ଅନେକ କଷ୍ଟକରି ଦୀର୍ଘବର୍ଷ ହେବ କାମ କରୁଛନ୍ତି ସେମାନଙ୍କୁ ଲୋକଙ୍କ ତରଫରୁ ସେଭଳି ଉତ୍ସାହ ମିଳିପାରୁନାହିଁ।
ଏନ୍‌ଏସ୍‌ଡିରେ ଓଡ଼ିଆ ପିଲାଙ୍କ ସଂଖ୍ୟା କମ୍‌ କାହିଁକିି?
ଯେ ଯେମିତି ପରିଶ୍ରମ କଲା, ଟ୍ୟାଲେଣ୍ଟ ଦେଖାଇଲା, ସେ ସେମିତି ସୁଯୋଗ ପାଇଲା। ଓଡ଼ିଶାରୁ ବୋଲି ଯେ ସୁଯୋଗ ପାଉନାହାନ୍ତି ସେମିତି ନୁହେଁ। ଯେହେତୁ ଏହା ଏକ ରାଷ୍ଟ୍ରୀୟ ସ୍ତରର ଅନୁଷ୍ଠାନ ସେମିତି ପ୍ରଦର୍ଶନ ମଧ୍ୟ ରଖିବା ଆବଶ୍ୟକ।
ନାଟକ ପଢ଼ିଥିବା ପିଲା ସିନେମା କ୍ଷେତ୍ରରେ କାହିଁକି ଅଧିକ ପରିଚୟ ପାଉଛନ୍ତି?
ନାଟକ ହେଉ କି ସିନେମା, ପିଲାଟିଏ ସେଠାକୁ ଯାଇ ସେହି ଅଭିନୟ ହିଁ କରୁଛି। ଯିଏ ବି ନାଟକରେ ପାଠପଢି ଯାଉଛି, ସେ ତ ଆଗ ଷ୍ଟାର୍‌ ହୋଇ ଯାଉନାହିଁ ନା। ୧୦/୧୫ବର୍ଷ ପରେ ସେ ଯେତେବେଳେ ସିନେମାକୁ ଆସୁଛନ୍ତି, ସେତେବେଳେ ଲୋକେ କୁହନ୍ତି ଆରେ ସିଏ ସିନେବାକୁ ପଳାଇ ଆସିଲେ। ମାତ୍ର ସେହି ୧୫ବର୍ଷରେ ସେ କ’ଣ କରିଛନ୍ତି, ତାହାର ହିସାବ କାହା ପାଖରେ ନ ଥିବ। କାରଣ ତାହା ନନ୍‌ ଗ୍ଲାମର୍ସ ଦୁନିଆ। ତେଣୁ ସମାଜ ଆଖିରେ ଯେ ପର୍ଯ୍ୟନ୍ତ କିଛି ହୋଇନ, ତୁମ ବିଷୟରେ କେହି କଥା ହେବେନାହିଁ। ଆଜିକାଲି ଘରେ ଘରେ ଓଟିଟି ପହଞ୍ଚତ୍ଲାଣି। ଯଦି ମୋ ପାଖରେ ଦକ୍ଷତା ଅଛି ତ ମୁଁ ଚାହିଁବି ନା ଲୋକଙ୍କ ଆଗକୁ ଆସିବାକୁ। ସେମିତି ନୁହଁ ଯେ, ନାଟକ ପଢ଼ିଥିବା କେହିଜଣେ ନାଟକ କରୁନାହାନ୍ତି। ବହୁତ ଜଣ କରୁଛନ୍ତି, ମାତ୍ର ସେମାନଙ୍କୁ ଜାଣିବାକୁ କାହା ପାଖରେ ଆଗ୍ରହ ନାହିଁ।
ପିଲାବେଳୁ ଏହି କ୍ଷେତ୍ରରେ ଆସିବାକୁ ଇଚ୍ଛା ରଖିଥିଲେ କି?
ଛୋଟବେଳୁ ନାଟକରେ ଅଭିନୟ କରିବାକୁ ଭଲ ଲାଗୁଥିଲା। ମାତ୍ର ସାହସ ନ ଥିଲା କହିବାକୁ। ମନେ ମନେ ଭାବୁଥିଲି ମୁଁ ଦିନେ ଏଇସବୁ କରନ୍ତି କି।
ପ୍ରିୟ ଖାଦ୍ୟ?
ଭାତ, ଡାଲି, ଆଳୁ ଭଜା ନ ହେଲେ ଆଳୁ ଚକଟା
ଅବସର ସମୟରେ କ’ଣ କରନ୍ତି?
ପରିବାର ପାଇଁ ସମୟ ଦିଏ।
– ସାକ୍ଷାତ୍‌: ଶର୍ମିଷ୍ଠା ପାଣିଗ୍ରାହୀ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?