ଦିଗପହଣ୍ଡି,୨୦|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ମଙ୍ଗଳବାର ବ୍ରହ୍ମପୁର ସଦର ଥାନା ବାଲିପଡ଼ା ଗ୍ରାମର ରାଜେନ୍ଦ୍ର ଗୌଡ଼ ଓରଫ ଅନ୍ତରା (୨୩), ଗୋଳନ୍ଥରା ଥାନା ଜୁଗୁଡ଼ି ଗ୍ରାମର ସୁମନ ଗୌଡ଼(୨୯) ଏବଂ ଦିଗପହଣ୍ଡି ଥାନା ବଡ଼ଡୁମ୍ବୁଳା ଗ୍ରାମର ସାଗର ଗୌଡ଼(୨୨) ଙ୍କୁ ଗତ ଶନିବାର ଚେନ୍ନାଇ ରୁ ଗିରଫ କରି ମଙ୍ଗଳବାର ଦିଗପହଣ୍ଡି କୋର୍ଟ କୁ ଚାଲାଣ କରିଛନ୍ତି। ମାମଲା ନଂ.୪୨୫/୨୬ ବିଏନଏସ ର ଦଫା -୧୯୧(୨)/୧୯୧(୩)/୧୧୫(୨)/୨୯୬/୩୦୩(୨)/୩୫୧(୨)/୧୯୦/୩୧୦(୨)/୧୦୯/୧୧୧(୨)ଏବଂ ମାରଣାସ୍ତ୍ର ନିୟନ୍ତ୍ରଣ ଆଇନର ଧାରା – ୨୫(୧)(ଏ)/୨୭ ଅନୁଯାୟୀ ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତ ମାନଙ୍କୁ ଦିଗପହଣ୍ଡି ସବ ଜେଲ ହାଜତକୁ ପଠାଇ ଦିଆଯାଇଛି। ଗତ ୫ ତାରିଖ ସନ୍ଧ୍ୟା ପ୍ରାୟ ୬ ଟାରେ ଦିଗପହଣ୍ଡି ବ୍ଲକ ବି.ତୁରୁବୁଡି ପଞ୍ଚାୟତ କାଣ୍ଡସର ଗ୍ରାମ ଶ୍ରୀ ତ୍ରିନାଥ ମନ୍ଦିର ପରିସରରେ କିଛି ଯୁବକ ତାସ ଖେଳୁଥିବା ବେଳେ ୫ ଟି ବାଇକ ରେ ୧୫ ରୁ ଉର୍ଦ୍ଧ୍ବ ଯୁବକ ବିଭିନ୍ନ ମାରଣାସ୍ତ୍ର ଧରି ସେଠାରେ ପହଞ୍ଚି ଗ୍ରାମର ଏସ. ଚିତ୍ରସେନ ରେଡ୍ଡୀ ଏବଂ ସେଠାରେ ଉପସ୍ଥିତ ଥିବା ଗୋଷ୍ଠୀର ସଦସ୍ୟ ମାନଙ୍କୁ ଧମକ ଦେଇ ତାସ ଖେଳ ବନ୍ଦ କରିବାକୁ ଧମକ ଦେଇଥିଲେ। ପରେ ଚିତ୍ରସେନ ଙ୍କ ବେକ ରେ ଜଣେ ଯୁବକ ଭୁଜାଲି ରଖି ତାଙ୍କର ଏବଂ ସେଠାରେ ଥିବା ଅନ୍ୟ କିଛି ଯୁବକଙ୍କ ଠାରୁ ୧୨ ଶହ ଟଙ୍କା ଜବରଦସ୍ତ ଛଡାଇ ନେଇଥିଲେ। ଏଠି ଜୁଆଖେଳ ହୋଇପାରିବ ନାହିଁ।ସେମାନେ ଚଳାଉଥିବା ଜୁଆଆଡ୍ଡା ହିଁ ଚାଲିବ କହି ମନ୍ଦିର ର ପିତ୍ତଳ ନିର୍ମିତ ଦାନ ହୁଣ୍ଡି କୁ ନେଇଯାଇଥିଲେ। ସେମାନଙ୍କ ମଧ୍ୟରେ ଧସ୍ତାଧସ୍ତି ଓ ପାଟିତୁଣ୍ଡ ଶୁଣି କିଛି ଗ୍ରାମବାସୀ ଘଟଣାସ୍ଥଳ କୁ ଦୌଡ଼ି ଆସିବାରୁ ସେମାନେ ବାଇକ ଯୋଗେ ଚମ୍ପଟ ମାରିଥିଲେ।ଗଲାବେଳେ ଜଣେ ଯୁବକ ତାଙ୍କ ସୁଜକି ସ୍କୁଟି (ନଂ. ଓଡ଼ି୦୭ଏଏଫ୍ -୨୪୧୨) କୁ ତରବରରେ ଛାଡି ଦେଇ ଚାଲିଯାଇଥିଲେ। ଏନେଇ ଚିତ୍ରସେନ ଦିଗପହଣ୍ଡି ଥାନାରେ ଏତଲା ଦେବାପରେ ଆଇଆଇସି କିଶୋର କୁମାର ସାମଲ ମକଦ୍ଦମା ରୁଜୁ କରିବା ପରେ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ୨ ଟି ଖଣ୍ଡା ଓ ସ୍କୁଟି କୁ ଜବତ କରିଥିଲେ। ପୂର୍ବରୁ ଏହି ଘଟଣାରେ ସମ୍ପୃକ୍ତ ଥିବା ଜରଡ଼ା ଥାନା କୋଳିହଳା ଗ୍ରାମର ରାଜେଶ୍ୱର ବାଡ଼ତ୍ୟା ଓରଫ ରାଜୁ ଏବଂ ବାଲିପଡ଼ା ଗ୍ରାମର ନିଲୁ ଗୌଡ଼ ଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲେ।ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟ ଅଭିଯୁକ୍ତ ମାନେ ଗିରଫ ଭୟରେ ତାମିଲନାଡୁ,ଚେନ୍ନାଇ ପଳାଇଥିବା ନେଇ ପୋଲିସ ସୂଚନା ପାଇବା ପରେ ସେମାନଙ୍କ ମୋବାଇଲ ଫୋନ କୁ ଟ୍ରାକିଂ କରିବାରୁ ସେମାନେ ଚେନ୍ନାଇ ରେ ଥିବା ଜଣାପଡିଥିଲା। ଦିଗପହଣ୍ଡି ଥାନାର ସ୍ଵତନ୍ତ୍ର ଟାସ୍କ ଫୋର୍ସ ଚେନ୍ନାଇ ରେ ପହଞ୍ଚି ଗତ ଶନିବାର ପୂର୍ବାହ୍ନ ପ୍ରାୟ ସାଢେ ୧୦ ଟାରେ ରାଜେନ୍ଦ୍ର,ସୁମନ ଓ ସାଗର ୩ ଅଭିଯୁକ୍ତ ଙ୍କୁ ସେଠାକାର ଥୋମାସ ମାଉଣ୍ଟ ପୋଲିସ ଷ୍ଟେସନ ର ଗାନ୍ଧୀ ମାର୍କେଟ ରୁ ଧରିଥିଲେ।ପରେ ସେମାନଙ୍କୁ ସେଠାକାର କୋର୍ଟ କୁ ଚାଲାଣ କରିଥିଲେ। ମାଜିଷ୍ଟ୍ରେଟ ଅଭିଯୁକ୍ତ ମାନଙ୍କୁ ୪ ଦିନ ପାଇଁ ରିମାଣ୍ଡ ଆଦେଶ ଦେବାପରେ ପୋଲିସ ସେମାନଙ୍କୁ ଧରି ଦିଗପହଣ୍ଡି ରେ ପହଞ୍ଚିଥିଲେ।
ସୂଚନା ଯୋଗ୍ୟ ଏହିକି ଯେ, ଦିଗପହଣ୍ଡି ଥାନା ଅଞ୍ଚଳ ରେ ଏକାଧିକ ଜୁଆଆଡ୍ଡା ଚାଲିଛି। ନଦୀପଠା,ଆମ୍ବ ତୋଟା ଏବଂ ବିଭିନ୍ନ ଗ୍ରାମ ନିକଟ ପାହାଡ଼ ରେ ଚାଲିଥିବା ଜୁଆଆଡ୍ଡା ରେ ଜୁଆଡ଼ିି ମାନେ ପହଞ୍ଚି ଜୁଆ ଖେଳୁଛନ୍ତି। ଜୁଆ ଆଡ୍ଡା ଚାଲୁଥିବା ବିଭିନ୍ନ ରାସ୍ତା ମାନଙ୍କରେ ନିୟୋଜିତ ଖବରୀ ମାନଙ୍କ ଠାରୁ ପୋଲିସ ଚଢାଉ ପୂର୍ବରୁ ଫୋନକଲ୍ ପାଇ ଜୁଆଡି ମାନେ ଚମ୍ପଟ ମାରୁଥିବା ଜଣାପଡ଼ିଛି। କିଛି ନିର୍ଦ୍ଦିଷ୍ଟ ପେଶାଦାର ଅପରାଧୀ ରାଜନୈତିକ ଛତ୍ରଛାୟା ରେ କିଛିଦିନ ହେଲା ଏଠାକାର ଗ୍ରାମାଞ୍ଚଳ ମାନଙ୍କରେ ରୀତିମତ ଜୁଆଆଡ୍ଡା ଚଳାଇଛନ୍ତି।ଗୁପ୍ତ ସୂଚନା ପ୍ରକାରେ ପୋଲିସ ତତ୍କାଳ ଚଢାଉ କରୁଥିଲେ ମଧ୍ୟ ସଫଳତା ପାଉନାହିଁ। ଏହା ପଛରେ ଅନେକ ଲୁକ୍କାୟିତ ରହସ୍ୟ ଲୁଚିଛି। ଦିଗପହଣ୍ଡି ଥାନାର କିଛି ନିର୍ଦ୍ଦିଷ୍ଟ ପୋଲିସ ଅଧିକାରୀ ଙ୍କ ଅଭୟ ଆଶୀର୍ବାଦ ରେ ଜୁଆଆଡ୍ଡା ପରିଚାଳନା କରୁଥିବା ଅପରାଧୀ ଗୋଷ୍ଠୀର ସଦସ୍ୟ ମାନେ ତାଙ୍କ ଇଙ୍ଗିତ ରେ ପ୍ରତିଦିନ ସ୍ଥାନ ବଦଳାଇ ଜୁଆ ଖେଳ ଚଳାଇ ଥିବାସୂଚନା ମିଳିଛି। ଏହି ଜୁଆଆଡ୍ଡା ଗୁଡ଼ିକୁ ପଡୋଶୀ ଆନ୍ଧ୍ର,ତେଲେଙ୍ଗାନା ସମେତ ବ୍ରହ୍ମପୁର, ଚିକିଟି,ପାତ୍ରପୁର,ଆସିକା,ସୋରଡ଼ା,ଭଞ୍ଜନଗର ,ଛତ୍ରପୁର ପ୍ରଭୃତି ଅଞ୍ଚଳରୁ ଜୁଆଡିି ମାନେ ଆସୁଥିବା ସୂଚନା ମିଳିଛି।

