ଦିଗପହଣ୍ଡି,୧୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମର ୬୧ ବର୍ଷୀୟ ବୃଦ୍ଧ ବି. କାଳିଆଙ୍କୁ ଏକ ହତ୍ୟା ଉଦ୍ୟମ ମାମଲାରେ ଦିଗପହଣ୍ଡି ପୋଲିସ ଗିରଫ କରି ଗୁରୁବାର ଅପରାହ୍ନରେ କୋର୍ଟ ଚାଲାଣ କରିଛି। ଥାନା ମାମଲା ନଂ. ୩୨୨/୨୬ ଏବଂ ବିଏନ୍ଏସର ବିଭିନ୍ନ ଦଫା ଅନୁଯାୟୀ କୋର୍ଟରେ ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତଙ୍କୁ ଦିଗପହଣ୍ଡି ସବ୍ ଜେଲ୍ ହାଜତକୁ ପଠାଇ ଦିଆଯାଇଛି।
ମିଳିଥିବା ସୂଚନା ମୁତାବକ, ପ୍ଲଟ୍ ଓ ଘର କ୍ରୟ କରିବା ପାଇଁ କୁଶପଡ଼ା ଗ୍ରାମର ବି. ବାୟା ଦୋରା ଗତ ୨୦୧୪ ମସିହାରେ ନିଜ ମାମୁଁ କାଳିଆଙ୍କୁ ୪୦ ହଜାର ଟଙ୍କା ଦେଇଥିଲେ। କିନ୍ତୁ କାଳିଆ ଉକ୍ତ ଘର ଓ ପ୍ଲଟ୍କୁ ବାୟାଙ୍କ ନାଁରେ ରେଜିଷ୍ଟ୍ରି କରି ନ ଦେବାରୁ ଗତ ୯ ତାରିଖ ଦିନ ପୂର୍ବାହ୍ନ ପ୍ରାୟ ୧୧ଟା ସମୟରେ ଗ୍ରାମର ଚାଷ ଜମିରେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ଏବଂ ଗଣ୍ଡଗୋଳ ହୋଇଥିଲା। ଏହି ସମୟରେ କାଳିଆ ଉତ୍ତେଜିତ ହୋଇ ହାତରେ ଧରିଥିବା ଠେଙ୍ଗାରେ ବାୟାଙ୍କ ମୁଣ୍ଡକୁ ଲକ୍ଷ୍ୟ କରି ଆକ୍ରମଣ କରିଥିଲେ, କିନ୍ତୁ ବାୟା ସମୟରେ ଘୁଞ୍ଚିଯିବାରୁ ଠେଙ୍ଗା ପ୍ରହାର ତାଙ୍କ ବାମ କାନ୍ଧରେ ବାଜିଥିଲା ଏବଂ ସେ ଆହତ ହୋଇଥିଲେ। ଏହାପରେ ବାୟା ମଧ୍ୟ ପ୍ରତିଆକ୍ରମଣ କରିବାରୁ କାଳିଆ ମଧ୍ୟ ଆହତ ହୋଇ ଚିକିତ୍ସିତ ହେଉଥିଲେ। ଚିକିତ୍ସା ପରେ ଫେରିବା ପରେ ପୋଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି।

