ଦିଗପହଣ୍ଡି,୧୩|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ଗ୍ରାମ ନିକଟରେ ଏକ ଯାତ୍ରୀବାହୀ ଅଟୋକୁ ଅଟକାଇ ଦମ୍ପତିଙ୍କୁ ହତ୍ୟା ଉଦ୍ୟମ କରିବା ସହ ୨୨୦୦ ଟଙ୍କା ଲୁଟ୍ କରାଯାଇଥିବା ଘଟଣାରେ କେ.ନୂଆଗାଁ ପୋଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରି ଗୁରୁବାର ଅପରାହ୍ନରେ କୋର୍ଟ ଚାଲାଣ କରିଛି। ଅଭିଯୁକ୍ତମାନେ ହେଲେ ଦିଗପହଣ୍ଡି ବ୍ଲକ ଗଡ଼ଗୋବିନ୍ଦପୁର ପଞ୍ଚାୟତ ଧାନରାଶି ଗ୍ରାମର ସାଗର ପ୍ରଧାନ (୨୬), ଏମ. ବାପି (୨୦) ଏବଂ କାଳିଆ ଓରଫ କୃଷ୍ଣଚନ୍ଦ୍ର ପ୍ରଧାନ (୧୮)। ଥାନା ମାମଲା ନଂ. ୨୭୯/୨୬ ବିଏନ୍ଏସ୍ର ବିଭିନ୍ନ ଦଫା ଅନୁଯାୟୀ ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତମାନଙ୍କୁ ଦିଗପହଣ୍ଡି ସବ୍ ଜେଲ ହାଜତକୁ ପଠାଇ ଦିଆଯାଇଛି।
ଗତ ବୁଧବାର ବମୋକେଇ ଗ୍ରାମର ବିଷ୍ଣୁ ପ୍ରସାଦ ସେଠୀ ଓ ତାଙ୍କ ସ୍ତ୍ରୀ କାମନା ସେଠୀ ନିକଟସ୍ଥ ବେଲପଡ଼ା ଗ୍ରାମର ଜଣେ ବ୍ୟକ୍ତିଙ୍କ ଜମିରେ ଧାନ ତଳି ରୋଇ ଅନ୍ୟ କିଛି ବ୍ୟକ୍ତିଙ୍କ ସହ ଏକ ଅଟୋରେ ସନ୍ଧ୍ୟା ପ୍ରାୟ ୭ଟାରେ ଗାଁକୁ ଫେରୁଥିଲେ। କୁମରଡ଼ା-ବମୋକେଇ ଗାଁ ମଧ୍ୟବର୍ତ୍ତୀ ରାସ୍ତାରେ ଅଭିଯୁକ୍ତମାନେ ଏକ କଳା ରଙ୍ଗର ବଜାଜ ପଲସର ବାଇକ (ନଂ. ଓଡି ୦୭ ଏଆର-୩୫୦୩) ଯୋଗେ ଆସି ଅଟୋକୁ ରାସ୍ତାରେ ଅଟକାଇ ସମସ୍ତଙ୍କୁ ଆପତ୍ତିଜନକ ଭାଷାରେ ଗାଳି କରି ଟଙ୍କା ମାଗିଥିଲେ। ବିଷ୍ଣୁ ପ୍ରସାଦ ଅଟୋରୁ ଓହ୍ଲାଇ ଆପତ୍ତି କରିବାରୁ ଜଣେ ଅଭିଯୁକ୍ତ ହାତରେ ପିନ୍ଧିଥିବା ଲୁହା ଖଡୁରେ ତାଙ୍କ ମୁଣ୍ଡକୁ ମାଡ଼ ମାରିବାରୁ ମୁଣ୍ଡ ଫାଟି ରକ୍ତ ବାହାରିଥିଲା। ଅଟୋ ଚାଳକ ପ୍ରତିବାଦ କରିବାରୁ ୩ ଅଭିଯୁକ୍ତ ତାଙ୍କୁ ଘେରି ଯାଇ ମାଡ଼ ମାରିଥିଲେ। ବିଷ୍ଣୁ ପ୍ରସାଦଙ୍କ ସ୍ତ୍ରୀ କାମନା ସ୍ବାମୀଙ୍କୁ ସେମାନଙ୍କ କବଳରୁ ଉଦ୍ଧାର କରିବାକୁ ଯିବାରୁ ସେମାନେ ତାଙ୍କୁ ମଧ୍ୟ ଟଣାଓଟରା କରି ମାଡ଼ ମାରିଥିଲେ। ଅନ୍ୟମାନେ ପାଟି କରିବାରୁ ସେମାନେ ସେଠାରୁ ବାଇକ ଯୋଗେ ଚମ୍ପଟ ମାରିଥିଲେ।
ଅଟୋରେ ସମସ୍ତେ କେ.ନୂଆଗାଁ ଥାନାରେ ପହଞ୍ଚି ଉପସ୍ଥିତ ପୋଲିସ କର୍ମଚାରୀଙ୍କୁ ସମସ୍ତ ଘଟଣା ଜଣାଇଥିଲେ ଏବଂ ବିଷ୍ଣୁ ପ୍ରସାଦଙ୍କ ସ୍ତ୍ରୀ କାମନା ଏତଲା ଦେଇଥିଲେ। ଏତଲାକୁ ଭିତ୍ତି କରି ଆଇଆଇସି ବିଶ୍ୱଜିତ ନାୟକ ଅଭିଯୁକ୍ତମାନଙ୍କ ନାଁରେ ମକଦ୍ଦମା ରୁଜୁ କରି ଆହତମାନଙ୍କୁ ଚିକିତ୍ସା ନିମନ୍ତେ ବମୋକେଇ ଗ୍ରାମ ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ। ତଦନ୍ତକାରୀ ଅଧିକାରୀ ତଥା ନୂଆପଡ଼ା ଫାଣ୍ଡି ଅଧିକାରୀ ଏସ୍.ଆଇ ଅତିଥି ଚରଣ ନାୟକ ଗୁରୁବାର ସକାଳ ପ୍ରାୟ ୯ଟାରେ ଅଭିଯୁକ୍ତମାନଙ୍କୁ ଗିରଫ କରି ସେମାନଙ୍କ ନିକଟରୁ ଲୁଟ୍ରେ ବ୍ୟବହୃତ ବାଇକ, ୧୧ ଶହ ଟଙ୍କା, ୩ଟି ମୋବାଇଲ ଫୋନ୍, ହତ୍ୟା ଉଦ୍ୟମରେ ବ୍ୟବହୃତ ଲୁହାଖଡୁ ଓ ଭଙ୍ଗା ଚୁଡ଼ିଖଣ୍ଡ ଜବତ କରିଛନ୍ତି।

