ବୈଶେଷିକ ଦର୍ଶନରେ ପରମାଣୁବାଦ

ଡା. ଗୋପାଳ ଚନ୍ଦ୍ର ଦାଶ

ସୃଷ୍ଟିର ଅନୁଭୂତ ସମସ୍ତ ଦ୍ରବ୍ୟ ଅବୟବି। ଅର୍ଥାତ୍‌ ଅବୟଗୁଡ଼ିକର ସମବାୟ ବା ସଂଯୋଗ ଦ୍ୱାରା ଅବୟବି ବସ୍ତୁ ସୃଷ୍ଟି ହୋଇଥାଏ। ଏଗୁଡ଼ିକ ବିନାଶଶୀଳ ଓ ଅନିତ୍ୟ। ଯଦି ଅବୟବି ବସ୍ତୁର ଅବୟବଗୁଡ଼ିକୁ ପୃଥକ୍‌ କରାଯାଏ, ତେବେ ବୃହତ୍‌ ଅଂଶରୁ କ୍ଷୁଦ୍ର ଅଂଶ, କ୍ଷୁଦ୍ରରୁ କ୍ଷୁଦ୍ରତର ଅଂଶରେ ଓ ପରିଶେଷରେ କ୍ଷୁଦ୍ରତର ଅଂଶରୁ କ୍ଷୁଦ୍ରତମ ଅଂଶରେ ଉପନୀତ ହେବାକୁ ପଡ଼ିଥାଏ। ଏହି କ୍ଷୁଦ୍ରତମ ଅଂଶକୁ ଆଉ ଭାଗ କରାଯାଇପାରେ ନାହିଁ। ଏହି ଅଦୃଶ୍ୟ ଓ ଅବିଭାଜ୍ୟ ଅଂଶକୁ ପରମାଣୁ କୁହାଯାଏ। ଏହା ବସ୍ତୁର ମୌଳିକ ଉପାଦାନ। ଏହା ସୃଷ୍ଟି ହୋଇ ନ ଥିବାରୁ ନିତ୍ୟ ଓ ଅନ୍ୟ ସମସ୍ତ ଜଡ଼ ପଦାର୍ଥ ଏହି ପରମାଣୁଗୁଡ଼ିକର ସଂଯୋଗରୁ ଉତ୍ପନ୍ନ। ତେଣୁ ସୃଷ୍ଟିର ଅର୍ଥ ପରମାଣୁଗୁଡ଼ିକର ସଂଯୋଗ ଓ ପ୍ରଳୟ ଅର୍ଥ ପରମାଣୁଗୁଡ଼ିକର ବିଭାଜନ।
ମୁନିଋଷିମାନେ ଅତି ପ୍ରାଚୀନ କାଳରୁ ଏହି ଜଡ଼ ଜଗତକୁ ପରମାଣୁ ସାହାଯ୍ୟରେ ବ୍ୟାଖ୍ୟା କରିଆସିଛନ୍ତି। ଉପନିଷଦରେ କୁହାଯାଇଛି, ବିଶ୍ୱର ସମସ୍ତ ଜଡ଼ ପଦାର୍ଥ- କ୍ଷିତି, ଅପ୍‌, ତେଜଃ ଓ ମରୁତ ଆଦି ମୌଳିକ ଉପାଦାନ ଦ୍ୱାରା ସୃଷ୍ଟ। ତେଣୁ ସୂତ୍ରଶାସ୍ତ୍ର ଅନୁସାରେ ପରମାଣୁ ୪ ଶ୍ରେଣୀର। ଯଥା- କ୍ଷିତି, ଅପ୍‌, ତେଜସ୍‌ ଓ ମରୁତ। ମାତ୍ର ଆକାଶ ପାରମାଣବିକ ନୁହେଁ। ପ୍ରତ୍ୟେକ ପରମାଣୁ ବିଶେଷ ଓ ଏହାର ସ୍ଥିତି ସ୍ବତନ୍ତ୍ର। ପରମାଣୁଗୁଡ଼ିକ ମଧ୍ୟରେ ଗୁଣଗତ ଓ ପରିମାଣଗତ (ସଂଖ୍ୟା)ରେ ପାର୍ଥକ୍ୟ ଅଛି। ବାୟୁ ପରମାଣୁରେ ସ୍ପର୍ଶ ଗୁଣ, ତେଜସ୍‌ ପରମାଣୁରେ ସ୍ପର୍ଶ ଓ ରୂପ, ଜଳ ପରମାଣୁରେ ସ୍ପର୍ଶ, ରୂପ ଓ ଗନ୍ଧ ତଥା କ୍ଷିତିର ପରମାଣୁରେ ସ୍ପର୍ଶ, ରୂପ, ଗନ୍ଧ ରସଗୁଣ ବିଦ୍ୟମାନ। ଏତଦ୍‌ଭିନ୍ନ ପରମାଣୁଗୁଡ଼ିକର ବେଗ ଓ ସଂଖ୍ୟା ମଧ୍ୟ ଅଛି। ପରମାଣୁଗୁଡ଼ିକ ସ୍ବଭାବତଃ ନିଷ୍କ୍ରିୟ, ମାତ୍ର ବାହାର ଶକ୍ତି ଦ୍ୱାରା ସେମାନେ ଗତିଶୀଳ ହୋଇଥାଆନ୍ତି। ପ୍ରଳୟ ଅବସ୍ଥାର ପରମାଣୁଗୁଡ଼ିକ ନିଷ୍କ୍ରିୟ, ଗତିହୀନ ଓ ବିଚ୍ଛିନ୍ନ ଅବସ୍ଥାରେ ଥାଆନ୍ତି। ସୃଷ୍ଟି ପ୍ରାରମ୍ଭରେ ଈଶ୍ୱରଙ୍କର ଅଦୃଷ୍ଟ ଶକ୍ତି ବଳରେ ପରମାଣୁଠାରେ ସ୍ପନ୍ଦନ ସୃଷ୍ଟି ହୁଏ ଓ ସେମାନେ ଜ୍ୟାମିତିକ ଧାରାରେ ଏକୀଭୂତ ହୋଇ ପରସ୍ପର ସହିତ ମିଳିତ ହୋଇ ଥାଆନ୍ତି। ଦୁଇଟି ପରମାଣୁ ଏକତ୍ର ହୋଇ ଦ୍ୟୁଣୁକକୁ ସୃଷ୍ଟି କରନ୍ତି, ଯାହା ଗୋଟିଏ ସୂକ୍ଷ୍ମ ଅଣୁ ଅଟେ। ତିନିଗୋଟି ଦ୍ୟୁଣୁକ ଏକତ୍ର ହୋଇ ତ୍ରିଣୁକ ସୃଷ୍ଟି କରନ୍ତି; ଯାହା ମହତ୍‌, ଦୀର୍ଘ ଓ ଦୃଶ୍ୟ। ଏହିପରି ଜ୍ୟାମିତିକ ଧାରାରେ କ୍ଷିତି, ଅପ୍‌, ତେଜସ୍‌ ଓ ମରୁତ ଚାରି ମହାଭୂତ ସୃଷ୍ଟି ହୋଇଥାଏ। ଏହି କ୍ରମରେ ଜଗତର ଆବିର୍ଭାବ ହୋଇଥାଏ। ପୁନର୍ବାର ଈଶ୍ୱରଙ୍କର ସଂହାର ଇଚ୍ଛାରେ ପ୍ରଳୟ ସମୟରେ ପରମାଣୁଗୁଡ଼ିକର ଶରୀର ଓ ଇନ୍ଦ୍ରିୟ ଘାତ ପ୍ରତିଘାତ ଦ୍ୱାରା ନଷ୍ଟ ହୋଇଯାଏ। ଅନ୍ତିମରେ ଚାରି ପ୍ରକାର ପରମାଣୁ ରହିଥାଏ, ଯାହା ସୃଷ୍ଟି ନିର୍ମାଣରେ ସାହାଯ୍ୟ କରେ। ପ୍ରଳୟ ଅବସ୍ଥା ଅପସରି ଯିବା ପରେ ବାୟୁ ପରମାଣୁର ମହାନ୍‌ ବାୟୁ, ତୈଜସ ପରମାଣୁରୁ ତୈଜ, ଜଳୀୟ ପରମାଣୁରୁ ଜଳ ଓ ପ୍ରାର୍ଥିବ ପରମାଣୁରୁ ପୃଥିବୀ ଉତ୍ପନ୍ନ ହୋଇଥାଏ। ଏହିପରି ବିଶ୍ୱ ବ୍ରହ୍ମାଣ୍ଡର ପୁନଃ ନିର୍ମାଣ ହୋଇଥାଏ। ଏଥିପାଇଁ ପରମାଣୁଗୁଡ଼ିକ ଜଗତର ଉପାଦାନ କାରଣ ଓ ଈଶ୍ୱର ଏହାର ନିମତ୍ତ କାରଣ।
ଗ୍ରୀକ୍‌ ଦାର୍ଶନିକ ଡିମୋକ୍ରିଟସ୍‌ଙ୍କ ମତ ଅନୁସାରେ ପରମାଣୁ ଜଡ଼ ପଦାର୍ଥର ମୌଳିକ ଉପାଦାନ ଓ ଜଗତର ଉପଦାନ କାରଣ। ଏହା ବୈଶେଷିକ ଦର୍ଶନର ପରମାଣୁବାଦ ସିଦ୍ଧାନ୍ତ ଉପରେ ଆଧାରିତ। ଗ୍ରୀକ୍‌ ଦର୍ଶନ ପରମାଣୁଗୁଡ଼ିକର କେବଳ ସଂଖ୍ୟାଗତ ପଦାର୍ଥ ଦର୍ଶାଇଥିବା ବେଳେ ଭାରତୀୟ ଦର୍ଶନ ପରମାଣୁର ଉଭୟ ଗୁଣଗତ ଓ ସଂଖ୍ୟାଗତ ପାର୍ଥକ୍ୟ ଦର୍ଶାଇଥାଏ। ଗ୍ରୀକ୍‌ ମତର ପରମାଣୁ ଗତିଶୀଳ, ମାତ୍ର ବୈଶେଷିକ ମତରେ ଏହା ନିଷ୍କ୍ରିୟ ଓ ଗତିହୀନ। ଗ୍ରୀକ୍‌ ମତରେ ଆତ୍ମା ପରମାଣୁ ଦ୍ୱାରା ଗଠିତ ମାତ୍ର ବୈଶେଷିକ ମତରେ ଉଭୟ ଆତ୍ମା ଓ ପରମାତ୍ମା ବିଶେଷ ପଦାର୍ଥ ହୋଇଥିବାରୁ ପରମାଣୁଠାରୁ ଭିନ୍ନ ଅର୍ଥାତ୍‌ ପରମାଣୁ ଆତ୍ମାର ଉପାଦାନ କାରଣ ନୁହେଁ। ଏଥିରୁ ଅନୁମେୟ ଯେ ଗ୍ରୀକ୍‌ ମତ ଯାନ୍ତ୍ରିକ, ମାତ୍ର ବୈଶେଷିକ ମତ ଆଧ୍ୟାତ୍ମିକ ଓ ଈଶ୍ୱରବାଦୀ। ଜୈନ ମତରେ ପରମାଣୁଗୁଡ଼ିକ ସମଜାତୀୟ, ବସ୍ତୁର ମୌଳିକ ଉପାଦାନ, ଅନିତ୍ୟ, ଅବିଭାଜ୍ୟ ଓ ସେମାନଙ୍କ ମଧ୍ୟରେ ଗୁଣଗତ ପାର୍ଥକ୍ୟ ନାହିଁ। ମାତ୍ର ବୈଶେଷିକ ଦର୍ଶନ ଅନୁସାରେ ପରମାଣୁଗୁଡ଼ିକ ବାସ୍ତବ ମୌଳିକ ଉପାଦାନ ହୋଇଥିବାରୁ ତାହା ନିତ୍ୟ ଓ ସେମାନଙ୍କର ଗୁଣ ସ୍ବତନ୍ତ୍ର। ଜଗତ୍‌ଗୁରୁ ଶଙ୍କରାଚାର୍ଯ୍ୟ ବୈଶେଷିକ ପରମାଣୁବାଦର ସମାଲୋଚକ ଓ ପରମାଣୁଗୁଡ଼ିକ ସକ୍ରିୟତା ତଥା ନିଷ୍କ୍ରିୟତା ଦ୍ୱାରା ସୃଷ୍ଟିର ରଚନା ଓ ବିନାଶ ହୁଏ ବୋଲି ବିଶ୍ୱାସ କରନ୍ତି ନାହିଁ।
କଣାଦ ତାଙ୍କ ସୂତ୍ରରେ ପ୍ରକାଶ୍ୟରେ ଈଶ୍ୱରଙ୍କୁ ଉଲ୍ଲେଖ କରିନାହନ୍ତି। ସେ ଏକ ଅଦୃଷ୍ଟ ସାହାଯ୍ୟରେ ପରମାଣୁଗୁଡ଼ିକ ଆଦ୍ୟକ୍ରିୟାକୁ ବ୍ୟାଖ୍ୟା କରିଛନ୍ତି। ଏହି ଅଦୃଷ୍ଟ, ଜଡ଼ ବା ଚେତନ ତାହା ସ୍ପଷ୍ଟ ଉଲ୍ଲେଖ ନ ଥିବାରୁ, ଅନ୍ୟ ଦର୍ଶନଗୁଡ଼ିକ ବୈଶେଷିକ ଦର୍ଶନର ନିରାଶ୍ୱରବାଦକୁ କଠୋର ସମାଲୋଚନା କରିଛନ୍ତି। କଣାଦଙ୍କ ପରିପନ୍ଥୀମାନେ ଅଦୃଷ୍ଟକୁ ପରିଚାଳନା କରିବା ପାଇଁ ଚିତ୍‌ଶକ୍ତି ବା ଈଶ୍ୱରଙ୍କ ଆବଶ୍ୟକତା ଅଛି ବୋଲି ଉପଲବ୍ଧି କରି ଈଶ୍ୱରଙ୍କୁ ଜଗତର ନିମିତ୍ତ କାରଣ ଓ ପରମାଣୁଗୁଡ଼ିକ ଉପାଦାନ କାରଣ ବୋଲି ଦର୍ଶାଇଛନ୍ତି। ଅର୍ଥାତ୍‌ ପରମାଣୁଗୁଡ଼ିକୁ କ୍ରିୟାଶୀଳ କରିବା ପାଇଁ ଯେଉଁ ଚିତ୍‌ ଶକ୍ତିର ଆବଶ୍ୟକତା ଅଛି, ସେହି ଶକ୍ତି ଈଶ୍ୱର ଅଟନ୍ତି। ସୃଷ୍ଟିକର୍ତ୍ତା ଏକ ଓ ସେ ଈଶ୍ୱରଙ୍କ ଭିନ୍ନ ଅନ୍ୟ କେହି ନୁହନ୍ତି। ଈଶ୍ୱର ଆପ୍ତକାମ ଅର୍ଥାତ୍‌ ନିପୁଣ ପୁରୁଷ। ତାଙ୍କର ଇଚ୍ଛା ଓ ପ୍ରଯତ୍ନଗୁଣଗୁଡ଼ିକ ସ୍ବାଭାବିକ। ସୃଷ୍ଟି ନିର୍ମାଣ ପାଇଁ ତାଙ୍କୁ ଶରୀରର ଆବଶ୍ୟକତା ପଡ଼େ ନାହିଁ।
ବିଶ୍ୱର ସୃଷ୍ଟି ଓ ପ୍ରଳୟକୁ ଆଧ୍ୟାତ୍ମିକ ଓ ତାତ୍ତ୍ୱିକ ଦୃଷ୍ଟିକୋଣରୁ ବିଶ୍ଳେଷଣ କଲେ ଜଣାପଡ଼େ ଯେ ବିଶ୍ୱର ମୌଳିକ ଉପାଦାନଗୁଡ଼ିକ ହେଲା- କ୍ଷିତି, ଅପ୍‌, ତେଜଃ ଓ ମରୁତ ପରମାଣୁ ଏବଂ ଦିଗ, କାଳ, ଆକାଶ, ମନ ଓ ଆତ୍ମା ପଞ୍ଚ ଦ୍ରବ୍ୟ। ଏଗୁଡ଼ିକ ନିତ୍ୟ ଅର୍ଥାତ୍‌ ଏହାର ସୃଷ୍ଟି ବା ବିନାଶ ହୁଏ ନାହିଁ। ଦ୍ୱିଣିକଠାରୁ ଆରମ୍ଭ କରି ଅନ୍ୟ ସମସ୍ତ ଯୌଗିକ ପଦାର୍ଥ ଅନିତ୍ୟ। ଯୌଗିକ ପଦାର୍ଥଗୁଡ଼ିକ ପରମାଣୁଗୁଡ଼ିକର ସଂଯୋଗରୁ ଉତ୍ପନ୍ନ। ସମଗ୍ର ବିଶ୍ୱ ୪ ପ୍ରକାର ପରମାଣୁ ସଂଯୋଗରୁ ଉତ୍ପନ୍ନ। ଅଦୃଶ ଚେତନ ଆତ୍ମା ସହିତ ଯୁକ୍ତ ହେଲେ ପରମାଣୁଗୁଡ଼ିକର ପରିସ୍ପନ୍ଦନ ସୃଷ୍ଟି ହୁଏ। ପରମାଣୁଗୁଡ଼ିକ ଦ୍ୟୁଣକ, ତ୍ର୍ୟଣୁକ ଇତ୍ୟାଦି କ୍ରମରେ ସଂଯୁକ୍ତ ହୋଇ ମରୁତ ପରମାଣୁ, ମରୁତ ମହାଭୂତ, ଅପ୍‌ ପରମାଣୁ ଅପ୍‌ ମହାଭୂତ, କ୍ଷିତି ପରମାଣୁ କ୍ଷିତି ମହାଭୂତ ଓ ତେଜସ୍‌ ପରମାଣୁ ତେଜସ୍‌ ମହାଭୂତ ସୃଷ୍ଟି କରନ୍ତି। ଏହି କ୍ରମରେ ବିଶ୍ୱବ୍ରହ୍ମାଣ୍ଡର ସୃଷ୍ଟି ହୋଇଥାଏ। ବିଶ୍ୱର ସମସ୍ତ ଭୌତିକ ପଦାର୍ଥ, ପ୍ରାଣୀମାନଙ୍କର ଶରୀର, ମନ, ଇନ୍ଦ୍ରିୟ, ବୁଦ୍ଧି ଓ ଅହଂକାର। ଏମାନେ ଦିଗ୍‌, କାଳ ଓ ଆକାଶରେ ପରସ୍ପର-ପରସ୍ପର ଉପରେ କ୍ରିୟାଶୀଳ। ସମଗ୍ର ବିଶ୍ୱ ଭୌତିକ ଓ ଆଧ୍ୟାତ୍ମିକ ନୀତି ଉପରେ ପ୍ରତିଷ୍ଠିତ। ପ୍ରଳୟ ସମୟରେ ପ୍ରଥମେ କ୍ଷିତି, ତା’ପରେ ଅପ୍‌, ତା’ପରେ ତେଜସ୍‌ ଓ ଶେଷରେ ବାୟୁ ମହାଭୂତ ଧ୍ୱଂସ ହୋଇଥାଏ। ପଞ୍ଚ ଦ୍ରବ୍ୟ- ଦିଗ୍‌, କାଳ, ଆକାଶ, ମନ ଓ ଆତ୍ମା ଅଦୃଷ୍ଟ ଭାବରେ ରହିଯାଆନ୍ତି। ପ୍ରଳୟ ବା ଧ୍ୱଂସର ଅର୍ଥ ମୌଳିକ ଉପାଦାନଗୁଡ଼ିକର ବିଭାଜନ। ଏହା ସୃଷ୍ଟି ଓ ପ୍ରଳୟ କ୍ରିୟାର ଦାର୍ଶନିକ ତଥା ଆଧ୍ୟାତ୍ମିକ ରୂପରେଖ।
ମୋ: ୭୮୪୮୮୫୦୯୫୦


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦେଶର ବିଭିନ୍ନ ସ୍ଥାନରେ ବିଜୟାଦଶମୀରେ ରାବଣ ପୋଡି ସହ ଦଶହରା ଶେଷ ହେଉଥିବାବେଳେ ଛତିଶଗଡ଼ରେ ଏହି ପର୍ବରେ କିଛି ଭିନ୍ନତା ଦେଖିବାକୁ ମିଳେ। ଏହି ରାଜ୍ୟର...

ଏଇ ଭାରତରେ

ପାଞ୍ଚଟି ଗାଁରେ୧୪ ବର୍ଷ ପରେ ସ୍କୁଲ ଖୋଲାଯିବା ଘଟଣା ଦେଖିବାକୁ ମିଳିଛି ଛତିଶଗଡ଼ରେ। ବିଜାପୁର ଜିଲାରେ ଇନ୍ଦ୍ରାବତୀ ଜାତୀୟ ଉଦ୍ୟାନ ଅଞ୍ଚଳରେ ରହିଥିବା ପାଞ୍ଚଟି ଗାଁରେ...

ଏଇ ଭାରତରେ

ବାଇକ୍‌ ଚଢ଼ୁଛି ଗୁଆଗଛ। ଆଶ୍ଚର୍ଯ୍ୟ ଲାଗୁଥିତ୍ଲେ ବି ଏହା ସତ। ଏମିତିକା ବାଇକ୍‌ ନିର୍ମାଣ କରିଛନ୍ତି କର୍ନାଟକର କୃଷକ ଗଣପତି ଭଟ୍ଟ। ମାଙ୍ଗାଲୁରର କୋମେଲ ଗଁାର...

ଟିକାରେ ଫିକା

ବିମଳ ପାଣ୍ଡିଆ ଏପ୍ରିଲ ୮ ତାରିଖରେ ପ୍ରଧାନମନ୍ତ୍ରୀ କୋଭିଡ ଟିକାର ଦ୍ୱିତୀୟ ଡୋଜ ନେବା ଅବସରରେ ଏକ ଟୁଇଟ୍‌ କରି ଦେଶବାସୀଙ୍କୁ କହିଲେ ଯେ, ‘ଯଦି...

ଏଇ ଭାରତରେ

ମହାଭାରତରେ ଏକଲବ୍ୟଙ୍କ ଗୁରୁଦକ୍ଷିଣା ସମ୍ପର୍କରେ ଆମେ ଜାଣିଛେ। ଏବେ ପଞ୍ଜାବରେ ଏହାର ଏକ ଉଦାହରଣ ସୃଷ୍ଟି କରିଛନ୍ତି କେତେଜଣ ଖେଳାଳି। କ୍ରୀଡ଼ାକୁ ଜୀବନ୍ତ ରଖିବା ପାଇଁ...

ପ୍ରବାସୀଙ୍କୁ କରୋନା: ସାମାନ୍ୟ ସ୍ଥିତିକୁ ଫେରିବାର ସୁଯୋଗ

ବିମଳ ପାଣ୍ଡିଆ ମୁଁ ଯୋଉ ହିସାବ ଦେବି ସେଥିରୁ କିଛି ଠୋସ୍‌ ରୂପରେଖଟିଏ ବାରିବା ହୁଏତ ଅନେକଙ୍କୁ ଅଡୁଆ ଲାଗିପାରେ, କିନ୍ତୁ ମୋତେ ଏଇଥିରୁ କିଛି...

ଆଇନର ଶାସନ

ଆକାର ପଟେଲ ମିଳିତ ଜାତିସଂଘ ଆଇନର ଶାସନକୁ ନିମ୍ନ ପ୍ରକାରେ ସଂଜ୍ଞାବଦ୍ଧ କରିଛନ୍ତି: ଏହା ଏକ ପ୍ରକାର ଶାସନ ନୀତି, ଯେଉଁଥିରେ ରାଷ୍ଟ୍ର ସମେତ ସମସ୍ତ...

ଆଞ୍ଚଳିକ ଭାଷା ଓ ବୈଷୟିକ ଶିକ୍ଷା

ଲଳିତ କୁମାର ପାତ୍ର ସର୍ବୋଚ୍ଚ କ୍ଷମତାର ପରିଚାଳକଭାବେ କେନ୍ଦ୍ର ସରକାରଙ୍କ ଦାୟିତ୍ୱ ହେଉଛି ରାଷ୍ଟ୍ର ମଧ୍ୟରେ ଥିବା ସମସ୍ତ ଆଞ୍ଚଳିକ ଭାଷାର ସୁରକ୍ଷା ଓ ସମୃଦ୍ଧି...

Advertisement
Archives

Model This Week