Posted inଜାତୀୟ

ଅର୍ଣ୍ଣବ ଉପାଖ୍ୟାନ

ମୁମ୍ବାଇ/ନୂଆଦିଲ୍ଲୀ,୨୩ା୧: ବ୍ୟକ୍ତିଗତ ସ୍ବାର୍ଥ ସାଧନ ପାଇଁ ଦେଶର ସର୍ବୋଚ୍ଚ କ୍ଷମତା କେନ୍ଦ୍ର ସହିତ ଟିଭି ଚ୍ୟାନେଲର ଜଣେ ମାଲିକଙ୍କ ସମ୍ପର୍କ କେତେ ନିବିଡ଼ ହୋଇପାରେ ତାହା ମୁମ୍ବାଇ ପୋଲିସ ଦାଖଲ କରିଥିବା ଚାର୍ଜଶିଟ୍‌ର ପୁଞ୍ଜା ପୁଞ୍ଜା ହ୍ବାଟ୍ସଆପ୍‌ ଚାଟ୍‌ରୁ ଜଣାପଡ଼ୁଛି ।
ସାମଗ୍ରିକ ଭାବେ ଦେଖିଲେ ସମସ୍ତଙ୍କୁ ବିବସ୍ତ୍ର କରିଦେଇଛି ଏହି ସମ୍ପୂର୍ଣ୍ଣ ପ୍ରକରଣ। ଅର୍ଣ୍ଣବ ଗୋସ୍ବାମୀ ନିଜ ସଫେଇରେ ହ୍ବାଟ୍ସଆପ୍‌ ମେସେଜକୁ ଜାଲ୍‌ ବୋଲି ଅଦ୍ୟାବଧି ଖଣ୍ଡନ କରି ନ ଥିଲେ ବି ଧରିତ୍ରୀ ଏହାର ପ୍ରାମାଣିକତାକୁ ସ୍ବତନ୍ତ୍ର ରୂପେ ସ୍ପଷ୍ଟ କରୁନାହିଁ ।

ଚା’ ଖଟିରୁ ନେଇ ସରକାରୀ ଦପ୍ତର ସବୁଠି ‘ଅର୍ଣ୍ଣବ ଚାଟ୍‌ଗେଟ୍‌’କୁ ନେଇ ଚର୍ଚ୍ଚା। ଟେଲିଭିଜନ ରେଟିଂ ପଏଣ୍ଟସ୍‌ (ଟିଆର୍‌ପି) ଜାଲିଆତି ମାମଲାର ତନାଘନା କରୁଥିବା ମୁମ୍ବାଇ ପୋଲିସ ଜାନୁୟାରୀ ୧୧ରେ ସପ୍ଲିମେଣ୍ଟାରି ଚାର୍ଜଶିଟ୍‌ ଦାଖଲ କରିବା ପରଠୁ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି ‘ଅର୍ଣ୍ଣବ ଉପାଖ୍ୟାନ’। ରିପବ୍ଲିକ୍‌ ଟିଭି ଏଡିଟର-ଇନ୍‌-ଚିଫ୍‌ ଅର୍ଣ୍ଣବ ଗୋସ୍ବାମୀ ଓ ଟେଲିଭିଜନ ରେଟିଂ ସଂସ୍ଥା ବ୍ରଡ୍‌କାଷ୍ଟ ଅଡିଏନ୍ସ ରିସର୍ଚ୍ଚ କାଉନ୍‌ସିଲ (ବିଏଆର୍‌ସି)ର ପୂର୍ବତନ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ପାର୍ଥୋ ଦାସଗୁପ୍ତାଙ୍କ ମଧ୍ୟରେ ହୋଇଥିବା ହ୍ବାଟ୍ସଆପ୍‌ ବାର୍ତ୍ତାଳାପକୁ ପ୍ରଘଟ କରିଛି ୩,୬୦୦ ପୃଷ୍ଠା ସମ୍ବଳିତ ଉକ୍ତ ଅଭିଯୋଗପତ୍ର। ୨୦୦ ପୃଷ୍ଠାର ଚାଟ୍‌ ଦୁହିଁଙ୍କ ଘନିଷ୍ଠତା ସାମ୍ନାକୁ ଆସିଛି। ବର୍ତ୍ତମାନ ଜେଲରେ ଥିବା ଦାସଗୁପ୍ତାଙ୍କ ପାଇଁ ଜଣାଶୁଣା ସାମ୍ବାଦିକ ଅର୍ଣ୍ଣବ ଏକାଧିକ ଥର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ) ସମେତ ଅନେକ ଉଚ୍ଚସ୍ଥାନରେ ସୁପାରିସ କରିବା ନେଇ ତାଙ୍କୁ ଅଫର୍‌ ଦେଇଥିଲେ। ଗୋଟିଏ ସମୟରେ ସେ ଦାବି କରିଥିଲେ, ‘ସବୁ ମନ୍ତ୍ରୀ ଆମ ସହିତ ଅଛନ୍ତି’। ୨୦୧୭ ଜାନୁୟାରୀରୁ ୨୦୨୦ ଅକ୍ଟୋବର ମଧ୍ୟରେ ହୋଇଥିବା ଉଭୟଙ୍କ ନିୟମିତ କଥୋପକଥନ କେବଳ ସୁପାରିସ ପ୍ରସଙ୍ଗରେ ସୀମିତ ନ ଥିଲା। ଏଥିରେ ଦେଶର ଜାତୀୟ ସୁରକ୍ଷାକୁ ବିପନ୍ନ କରିବା ଭଳି ବାଲାକୋଟ୍‌ ଏୟାର ଷ୍ଟ୍ରାଇକ୍‌ ଓ ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ ହଟାଯିବା ନେଇ ଅନେକ ଆଗୁଆ ସୂଚନା ଉଲ୍ଲେଖ ରହିଛି। କେବଳ ଏତିକି ନୁହେଁ, ଦାସଗୁପ୍ତାଙ୍କ ଯୋଗୁ ରିପବ୍ଲିକ୍‌ ଟିଭି ବେଆଇନ ଭାବେ କୋଟି କୋଟି ଟଙ୍କାର ଫାଇଦା ପାଇଥିବା ମୁମ୍ବାଇ ପୋଲିସ ଦାବି କରିଛି। କଂଗ୍ରେସ,ଏନ୍‌ସିପି, ଶିବସେନା ଏବଂ ଟିଏମ୍‌ସି ସମେତ ବିରୋଧୀ ଦଳଗୁଡ଼ିକ ଯୁଗ୍ମ ସଂସଦୀୟ କମିଟି (ଜେପିସି) ଦ୍ୱାରା ଏହାର ତଦନ୍ତ ଓ ଅର୍ଣ୍ଣବଙ୍କ ଗିରଫଦାରି ଦାବି କରିଛନ୍ତି। ମହାରାଷ୍ଟ୍ରର ଉଦ୍ଧବ ସରକାର ତାଙ୍କୁ ଗିରଫ କରିବା ଲାଗି ଆଇନଗତ ପରାମର୍ଶ ଲୋଡ଼ୁଛନ୍ତି। ପୁଲୱାମା ଶହୀଦଙ୍କ ପରିବାର ଅର୍ଣ୍ଣବଙ୍କୁ ଭର୍ତ୍ସନା କରିଛନ୍ତି। କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) କିମ୍ବା ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ଦ୍ୱାରା ଏହାର ଯାଞ୍ଚ କରାଯାଉ ବୋଲି ଦାବି ଉଠିଛି। ଏପରି କି ଶତ୍ରୁ ରାଷ୍ଟ୍ର ପାକିସ୍ତାନ ମଧ୍ୟ ଭାରତ ଉପରକୁ ଅଙ୍ଗୁଳି ଉଠାଇବା ପାଇଁ ସୁଯୋଗ ପାଇଛି।

ମୋଦି ଲିକ୍‌ କରାଇଥିଲେ କି: ରାହୁଲ

ବାଲାକୋଟ ଏୟାର ଷ୍ଟ୍ରାଇକ୍‌ ଭଳି ଗୋପନୀୟ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ, ବାୟୁସେନା ମୁଖ୍ୟ, ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଏବଂ ପ୍ରତିରକ୍ଷା ମନ୍ତ୍ରୀ ଜାଣିଥାଆନ୍ତି। ଏମାନଙ୍କ ମଧ୍ୟରୁ କେହି ଜଣେ ଅର୍ଣ୍ଣବଙ୍କୁ ସୂଚନା ଦେଇଛନ୍ତି। ସମ୍ପୃକ୍ତ ସୂଚନାଦାତାଙ୍କୁ ଖୋଜି ବାହାର କରିବାକୁ ପଡ଼ିବ। ଯିଏ ସୂଚନା ଦେଇଛନ୍ତି ଓ ଯିଏ ପାଇଛନ୍ତି ଉଭୟଙ୍କୁ ଜେଲ୍‌ ଯିବାକୁ ପଡ଼ିବ। ଏହି ପ୍ରକ୍ରିୟା ଆରମ୍ଭ ହେବା ଉଚିତ। କିନ୍ତୁ ଏହାକୁ ଆରମ୍ଭ କରାଯିବ ନାହିଁ। କାରଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉକ୍ତ ସୂଚନା ଦେଇଥାଇପାରନ୍ତି ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ ସନ୍ଦେହ ବ୍ୟକ୍ତ କରିଛନ୍ତି। ମଙ୍ଗଳବାର ଏକ ଖବରଦାତା ସମ୍ମିଳନୀରେ ରାହୁଲ ହ୍ବାଟ୍ସଆପ୍‌ ଚାଟିଂର ସ୍କ୍ରିନ୍‌ଶଟ୍‌ ସୋସିଆଲ ମିଡିଆରେ ଲିକ୍‌ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ନୀରବତାକୁ ନେଇ ପ୍ରଶ୍ନ ଉଠାଇଥିଲେ। ଯଦି ଅର୍ଣ୍ଣବ ଏହା ବିଷୟରେ ଜାଣିଥିଲେ ଓ ତାଙ୍କ ହ୍ବାଟ୍ସଆପ୍‌ରେ ଏହା ଥିଲା, ତେବେ ପାକିସ୍ତାନୀମାନେ ମଧ୍ୟ ଜାଣିଥିବେ ବୋଲି ରାହୁଲ ଦାବି କରିଥିଲେ।

ବାଲାକୋଟରୁ ଧାରା ୩୭୦

ମୁମ୍ବାଇ ପୋଲିସ ହାତରେ ଲାଗିଥିବା ଅର୍ଣ୍ଣବ ଓ ଦାସଗୁପ୍ତାଙ୍କ ମେସେଜ୍‌ ୩ ବର୍ଷରୁ ଅଧିକ ଅବଧିର। ଏହି ମେସେଜଗୁଡ଼ିକୁ ପଢ଼ିଲେ ମନେହେଉଛି ଯେ, ଅର୍ଣ୍ଣବ ପ୍ରତ୍ୟହ ଅନ୍ୟ ନ୍ୟୁଜ୍‌ ଚ୍ୟାନେଲ ଓ ସେଗୁଡ଼ିକର ପର୍ଫମାନ୍ସ ଉପରେ ନଜର ରଖୁଥିଲେ। ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣରୁ ନେଇ ସମ୍ବିଧାନର ଅନୁଚ୍ଛେଦ ୩୭୦ ହଟାଯିବା ଓ ବାଲାକୋଟ ଏୟାର ଷ୍ଟ୍ରାଇକ୍‌ ପର୍ଯ୍ୟନ୍ତ ସବୁକିଛି ହ୍ବାଟ୍ସଆପ୍‌ରେ ଚର୍ଚ୍ଚା ହୋଇଥିଲା। ୨୦୧୯ ଫେବୃୟାରୀ ୧୪ରେ ପୁଲଓ୍ବାମା ଆକ୍ରମଣରେ ୪୦ରୁ ଊର୍ଦ୍ଧ୍ୱ ଯବାନ ଶହୀଦ ହୋଇଥିଲେ। ସେହିଦିନ ଅପରାହ୍ନ ୫ଟା ୪୩ରେ ଦାସଗୁପ୍ତାଙ୍କୁ ମେସେଜ କରି ଅର୍ଣ୍ଣବ କହିଥିଲେ ଯେ, ଏହି ମାମଲା ଯୋଗୁ କୌଣସି ପ୍ରକାରେ ତାଙ୍କ ଚ୍ୟାନେଲକୁ ଟିଆର୍‌ପି ସାଉଣ୍ଟିବାରେ ଫାଇଦା ମିଳିଛି। ଫେବୃୟାରୀ ୨୬ରେ ପାକିସ୍ତାନର ବାଲାକୋଟରେ ଭାରତୀୟ ବାୟୁସେନା ପକ୍ଷରୁ ସାମରିକ କାର୍ଯ୍ୟାନୁଷ୍ଠାନ ପୂର୍ବରୁ ଏନେଇ ଅର୍ଣ୍ଣବଙ୍କୁ ଜଣାଥିଲା। ଏହା ଏକ ଗୋପନୀୟ ମିଶନ ହୋଇଥିଲେ ହେଁ ୨୩ ତାରିଖରେ ସେ ଲେଖିଥିଲେ, କିଛି ଗୋଟିଏ ବଡ଼ ହେବାକୁ ଯାଉଛି। ଦାସଗୁପ୍ତା ପଚାରିଥିଲେ, କ’ଣ ଏହା ଦାଉଦ। ଏହା ଉପରେ ଅର୍ଣ୍ଣବ କହିଥିଲେ, ନା ସାର୍‌, ପାକିସ୍ତାନ। ଏଥର କିଛି ବଡ଼ ହେବ। ସାଧାରଣ ଷ୍ଟ୍ରାଇକ୍‌ଠାରୁ ବଡ଼। କଶ୍ମୀରରେ ମଧ୍ୟ କିଛି ବଡ଼ ହେବ। ଗତବର୍ଷ ଅକ୍ଟୋବରରେ ମୁମ୍ବାଇ ପୋଲିସ ତଦନ୍ତ ଆରମ୍ଭ କରିବା ପରେ ଉଭୟଙ୍କ ମଧ୍ୟରେ ଚାଟିଂ ବନ୍ଦ ହୋଇଥିଲା।

ଟିଆର୍‌ପି ଜାଲିଆତି

୨୦୨୦ ଅକ୍ଟୋବର ୮ରେ ମୁମ୍ବାଇ ପୋଲିସ ଏକ ବଡ଼ଧରଣର ର଼୍ୟାକେଟର ପର୍ଦ୍ଦାଫାଶ କରିଥିଲା। ଉକ୍ତ ର଼୍ୟାକେଟ ଜାଲିଆତି କରି ରିପବ୍ଲିକ୍‌ ଟିଭି ସମେତ ଆଉ କେତେକ ଟିଭି ଚ୍ୟାନେଲର ଟିଆର୍‌ପି ବଢ଼ାଇଥିବା ପୋଲିସ ଦାବି କରିଥିଲା। ମୁମ୍ବାଇ ପୋଲିସ କମିଶନର ପରମବୀର ସିଂ ଏକ ଖବରଦାତା ସମ୍ମିଳନୀ ଡାକି କହିଥିଲେ, ରିପବ୍ଲିକ୍‌, ଫକ୍ତ ମରାଠୀ ଓ ବକ୍ସ ସିନେମା ଏହି ଅସାଧୁ କାର୍ଯ୍ୟରେ ସମ୍ପୃକ୍ତ। ସାରା ଦେଶର ବିଭିନ୍ନ ଅଜ୍ଞାତ ଘରେ ଟିଆର୍‌ପି ମାପିବା ମାପକାଠି ରଖାଯାଇଥିଲା। ବିଏଆର୍‌ସି ଯେଉଁ ମାନଦଣ୍ଡ ଅନୁସାରେ ଚ୍ୟାନେଲଗୁଡ଼ିକର ଟିଆର୍‌ପି ଆକଳନ କରିଥାଏ ସେହି ହିସାବରେ ଏହା କରାଯାଇଥିଲା। ବିଏଆର୍‌ସି ପକ୍ଷରୁ ଚୁକ୍ତି କରାଯାଇଥିବା ହନ୍ସା ରିସର୍ଚ୍ଚ ଗ୍ରୁପ୍‌ର ପୂର୍ବତନ କର୍ମଚାରୀମାନଙ୍କୁ କେତେକ ଚ୍ୟାନେଲ ଟଙ୍କା ଦେଇଥିଲେ। ଏହା ବଦଳରେ ସେମାନେ ଘର ପିଛା ୫୦୦ ଟଙ୍କା ଦେଇ ରିପବ୍ଲିକ୍‌ ଟିଭି ବଜାୟ ରଖିବାକୁ କହିଥିଲେ। ଏପରି କି ଇଂଲିଶ ଜାଣି ନ ଥିବା ଦର୍ଶକମାନେ ମଧ୍ୟ ଅର୍ଣ୍ଣବଙ୍କ ଟିଭି ଚ୍ୟାନେଲ ବଜାୟ ରଖିବାରୁ ତାଙ୍କ ଟିଆର୍‌ପି ବଢ଼ିଯାଇଥିଲା। ଏଥିଯୋଗୁ ବିଜ୍ଞାପନଦାତା ଓ ଆଡ୍‌ ଏଜେନ୍ସିଗୁଡ଼ିକୁ କୋଟି କୋଟି ଟଙ୍କା କ୍ଷତି ସହିବାକୁ ପଡ଼ିଥିଲା। ଏହି ମାମଲାରେ ବର୍ତ୍ତମାନ ସୁଦ୍ଧା ୧୫ ଜଣ ଗିରଫ ହୋଇଥିବାବେଳେ ଅର୍ଣ୍ଣବଙ୍କ ମୁଣ୍ଡ ଉପରେ ଗିରଫଦାରି ଖଣ୍ଡା ଝୁଲୁଛି।

ଜେଲରେ ପାର୍ଥୋ ଦାସଗୁପ୍ତା

ଟିଆର୍‌ପି ଜାଲିଆତି ମାମଲାରେ ଡିସେମ୍ବର ୨୪ରେ ଗିରଫ ହୋଇଥିବା ବିଏଆର୍‌ସିର ପୂର୍ବତନ ସିଇଓ ପାର୍ଥୋ ଦାସ ଗୁପ୍ତାଙ୍କୁ ଜାମିନ ମିଳୁନାହିଁ। ମୁମ୍ବାଇର ଏକ ସେସନ୍ସ କୋର୍ଟରେ ଦାସଗୁପ୍ତାଙ୍କ ଓକିଲ ତାଙ୍କ ପାଇଁ ଜାମିନ ଆବେଦନ କରିଥିଲେ। ଏହାକୁ ଅଦାଲତ ଖାରଜ କରିଦେବା ପରେ ହାଇକୋର୍ଟରେ ଜାମିନ ଆବେଦନ କରାଯିବ ବୋଲି ତାଙ୍କ ଓକିଲ କହିଛନ୍ତି। ଦାସଗୁପ୍ତା ନିଜ କ୍ଷମତାର ଅପବ୍ୟବହାର କରି ଏଆର୍‌ଜି ଆଉଟ୍‌ଲିୟର ମିଡିଆ ପ୍ରାଇଭେଟ ଲିଃ ଓ ଅର୍ଣ୍ଣବ ଗୋସ୍ବାମୀଙ୍କ ସହ ମିଶି ରିପବ୍ଲିକ୍‌ ଟିଭିର ଟିଆର୍‌ପି ବଢ଼ାଇଥିବା ଅଭିଯୋଗ ହୋଇଛି। ରିପବ୍ଲିକ୍‌ ଟିଭିକୁ ୧ ନମ୍ବର ଚ୍ୟାନେଲରେ ପରିଣତ କରିବା ପାଇଁ ଦାସଗୁପ୍ତା ଅର୍ଣ୍ଣବଙ୍କଠାରୁ ବିପୁଳ ଲାଞ୍ଚ ନେଇଥିଲେ। ଉକ୍ତ ଅର୍ଥରେ ସେ ଅଳଙ୍କାର ଓ ଅନ୍ୟ ମୂଲ୍ୟବାନ ସାମଗ୍ରୀ କିଣିଥିଲେ। ତଦନ୍ତ ଜାରି ରହିଥିବାରୁ ସ୍ବତନ୍ତ୍ର ପବ୍ଲିକ୍‌ ପ୍ରୋସିକ୍ୟୁଟର୍‌ ଶିଶିର ହିରାୟ ତାଙ୍କ ଜାମିନ ଆବେଦନକୁ ବିରୋଧ କରିଥିଲେ।

ମୋତେ ମିଡିଆ ଆଡ୍‌ଭାଇଜର କରାଇଦିଅ

ଏହି ମେସେଜ୍‌ରୁ ଜଣାପଡ଼ୁଛି ଯେ, ପାର୍ଥୋ ଦାସଗୁପ୍ତା ପିଏମ୍‌ଓ ସହ ଅର୍ଣ୍ଣବ ଗୋସ୍ବାମୀଙ୍କ ସମ୍ପର୍କ ନେଇ ଭଲଭାବେ ଅବଗତ ଥିଲେ। ଏଥିପାଇଁ ୨୦୧୯ ଅକ୍ଟୋବର ୧୬ରେ ଅର୍ଣ୍ଣବଙ୍କ ସହ ଚାଟ୍‌ କଲାବେଳେ ସେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ତାଙ୍କୁ ମିଡିଆ ପରାମର୍ଶଦାତା ରୂପେ ନିଯୁକ୍ତ କରାଇଦେବା ଲାଗି ସୁପାରିସ କରିବାକୁ ଅନୁରୋଧ କରିଥିଲେ। ଏହାର ଦିନକ ପୂର୍ବରୁ ଅର୍ଣ୍ଣବ ‘ଏଏସ୍‌’ଙ୍କ ସହ ସାକ୍ଷାତ ନେଇ ଉଲ୍ଲେଖ କରିଥିଲେ। ଏହି ‘ଏଏସ୍‌’ କିଏ ତାହା ସ୍ପଷ୍ଟ ହୋଇ ନ ଥିଲେ ବି ଅନେକେ ଅମିତ୍‌ ଶାହା ବୋଲି ସନ୍ଦେହ କରୁଛନ୍ତି। ପ୍ରକାଶ ଯେ, ଦାସଗୁପ୍ତା ୨୦୧୯ ଅକ୍ଟୋବରରେ ବିଏଆର୍‌ସି ସିଇଓ ପଦରୁ ଅବସର ନେଇଥିଲେ। ଏହା ପରେ ମଧ୍ୟ ସେ ଉଚ୍ଚପଦରେ ନିଯୁକ୍ତି ଲାଗି ଉଦ୍ୟମ ଚଳାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?