ଚାଷ ବେଉସାରେ ଚାଷୀ ଆତ୍ମନିର୍ଭର ତ

ଇଂ. ଶକ୍ତି ପ୍ରସାଦ ଦାସ

ଦିନକୁ ଦିନ ବଢୁଥିବା କୋଭିଡ୍‌ ୧୯ ମାମଲା ଓ ଏହାର ଅର୍ଥନୈତିକ ପ୍ରଭାବକୁ ପ୍ରଶମିତ କରିବା ପାଇଁ ମୋଦି ସରକାର ଅନ୍ୟାନ୍ୟ କ୍ଷେତ୍ର ସହିତ କୃଷି କ୍ଷେତ୍ରରେ ଅର୍ଥନୀତିକୁ ପୁନର୍ଜୀବିତ କରିବା ପାଇଁ ନିକଟରେ ଏକାଧିକ ଘୋଷଣା କରିଛନ୍ତି। ମହାମାରୀ କାରଣରୁ ବିଶ୍ୱର ଯୋଗାଣ ଶୃଙ୍ଖଳା ବ୍ୟାହତ ହେବା ସହିତ ଚାଇନା ସହ ସୀମା ବିବାଦରୁ ମୁହାଁମୁହିଁ ସ୍ଥିତିରେ ପ୍ରଧାନମନ୍ତ୍ରୀ ମୋଦି ଆତ୍ମନିିର୍ଭର ଭାରତ ପାଇଁ ଆହ୍ବାନ ଦେଇଛନ୍ତି। ଅନେକେ ଏହାକୁ ସଂରକ୍ଷଣବାଦ ବୋଲି ଅଭିହିତ କରିଛନ୍ତି। ବାସ୍ତବରେ, ଏହି ଆତ୍ମନିିର୍ଭରତାର ଅର୍ଥ କ’ଣ? ସମସ୍ତ ଅତ୍ୟାବଶ୍ୟକ ଦ୍ରବ୍ୟରେ ଆତ୍ମନିିର୍ଭରଶୀଳତା ନା ସ୍ବୟଂସମ୍ପନ୍ନତା? ସେଭଳି ଦେଖିଲେ, ଖଣିଜତୈଳ ଏକ ଅତ୍ୟାବଶ୍ୟକ ଦ୍ରବ୍ୟ ଓ ଦେଶର ସମୁଦାୟ ଆମଦାନିର ୩୨ ପ୍ରତିଶତ। ଭାରତ ଖଣିଜତୈଳରେ ଆତ୍ମନିିର୍ଭର ହୋଇପାରିବ କି? ତେଣୁ, ଏହାର ବ୍ୟବହାରିକ ଅର୍ଥକୁ ସ୍ବୟଂସମ୍ପନ୍ନତା ବୋଲି ଧରିନିଆଯାଇପାରେ।
୧୩୭ କୋଟି ଜନସଂଖ୍ୟାର ଦେଶ ଭାରତ ତା’ର ଖାଦ୍ୟ ଆବଶ୍ୟକତାକୁ ଦେଶ ଭିତରୁ ହିଁ ବାହାର କରିବାକୁ ପଡିବ। ଷାଠିଏ ଦଶକରେ ଖାଦ୍ୟ ପାଇଁ ଆମେରିକା ଉପରେ ଅତ୍ୟଧିକ ନିର୍ଭରଶୀଳତା ପାଇଁ କେତେ ରାଜନୈତିକ ମୂଲ୍ୟ ଦେଇଛୁ ତାହା ଆମକୁ ଜଣା। ନବେ ଦଶକରେ ଆରମ୍ଭ ହୋଇଥିବା ଆର୍ଥିକ ସଂସ୍କାର ଦେଶର ଗଚ୍ଛିତ ବୈଦେଶିକ ବିନିମୟ ମୁଦ୍ରା ପରିମାଣ ୧.୧୦ବିଲିୟନ ଡଲାରରୁ (୧୯୯୧) ୫୦୨ବିଲିୟନ ଡଲାର (୨୦୨୦)ରେ ପହଞ୍ଚାଇବାରେ ସକ୍ଷମ ହୋଇପାରିଛି। ବୈଦେଶିକ ମୁଦ୍ରା ବିନିମୟ ମୂଲ୍ୟର ସଂଶୋଧନ ସହ ବିଶ୍ୱ ଅର୍ଥନୀତି ସହିତ ସମୟକ୍ରମେ ଏକୀକୃତ ହେବାର ଦକ୍ଷତା ହାସଲ କରିବା ଭାରତ ପାଇଁ ଗତ ତିନି ଦଶନ୍ଧି ମଧ୍ୟରେ ସବୁଠାରୁ ବଡ ସଂସ୍କାର ବୋଲି କୁହନ୍ତି ବିଶିଷ୍ଟ କୃଷି ଅର୍ଥନୀତିଜ୍ଞ ଅଶୋକ ଗୁଲାଟି। ଏହି ସଂସ୍କାର ଖାଦ୍ୟ କ୍ଷେତ୍ରରେ ଦେଶକୁ ଆତ୍ମନିିର୍ଭରଶୀଳତା ଦେଇପାରିଛି।
ଦେଶ ଖାଦ୍ୟ କ୍ଷେତ୍ରରେ ଆତ୍ମନିିର୍ଭରଶୀଳ ହୋଇଛି ସତ, କିନ୍ତୁ ଏହାକୁ ଉତ୍ପାଦନ କରିଥିବା ଚାଷୀ ଆତ୍ମନିିର୍ଭର ହୋଇଛି କି? ଗତ ଦୁଇ ଦଶନ୍ଧି ଧରି ଭାରତ ବଳକା ଖାଦ୍ୟ ଶସ୍ୟ ଉତ୍ପାଦନ କରିଚାଲିଛି। କିନ୍ତୁ ସେହି ତୁଳନାରେ ଚାଷୀର ଆୟରେ ବୃଦ୍ଧି ହୋଇଛି କି? ସ୍ବାଧୀନତା ପରଠାରୁ ଦେଶର କୃଷି ଉତ୍ପାଦନ ଉତ୍ପାଦକ ଅଭିମୁଖୀ ନ ହୋଇ ମୁଖ୍ୟତଃ ଉପଭୋକ୍ତା ଅଭିମୁଖୀ ହୋଇଛି। କୃଷି ଉତ୍ପାଦରୁ ଅର୍ଜିତ ଆୟ, ଖର୍ଚ୍ଚଠାରୁ ଊଣା ହେଲେ ବଳକା ଖାଦ୍ୟଶସ୍ୟ ଉତ୍ପାଦନ ଚାଷୀକୁ ଲାଭ ଦେବ ବୋଲି ଭାବିବା ଭୁଲ୍‌। ଉତ୍ପାଦନ ବୃଦ୍ଧି ପାଇଥିଲେ ମଧ୍ୟ ଏହା ଚାଷୀର ଆୟ ବୃଦ୍ଧିରେ ସହାୟକ ହୋଇନାହିଁ। ଅର୍ଥାତ୍‌ ଦେଶ ଆତ୍ମନିିର୍ଭରଶୀଳ ହୋଇଛି, କିନ୍ତୁ ଚାଷୀ ଆତ୍ମନିିର୍ଭର ହୋଇନାହିଁ।
ଚାହିଦା ହ୍ରାସ ଯୋଗୁଁ ଗତ ଦୁଇବର୍ଷ ହେଲା ଅନ୍ତର୍ଜାତୀୟ ଓ ଘରୋଇ ବଜାରରେ କୃଷି ଉତ୍ପାଦର ମୂଲ୍ୟବୃଦ୍ଧି ହେଉନାହିଁ। ମହାମାରୀଜନିତ ଲକ୍‌ଡାଉନ୍‌ ଦେଶର ସାମଗ୍ରିକ ଅର୍ଥନୀତିର ଅଣ୍ଟା ଭାଙ୍ଗି ଦେଇଛି। ସୌଭାଗ୍ୟର କଥା ଲକ୍‌ଡାଉନ୍‌ ଦ୍ୱାରା କୃଷି କ୍ଷେତ୍ର କମ୍‌ ପ୍ରଭାବିତ ହୋଇଛି। ଚଳିତ ମୌସୁମୀ ବର୍ତ୍ତମାନ ଦେଶପ୍ରତି ସଦୟ ଅଛି। କୃଷି ଉତ୍ପାଦନର ଅଭିବୃଦ୍ଧି ପାଇବାର ସବୁ ଲକ୍ଷଣ ଦେଖାଯାଉଛି। ଅସଲ କଥା ହେଲା ଉତ୍ପାଦନ ବୃଦ୍ଧି ସହିତ ଚାହିଦା ମଧ୍ୟ ତାଳ ଦେଇ ବଢିବାର ଅଛି। କିନ୍ତୁ ଚାହିଦା ହ୍ରାସ ପାଉଥିବାରୁ ଭାରତୀୟ ଚାଷୀର ଆୟ ବଢୁନାହିଁ। ଏହି ପରିସ୍ଥିତି ବଳବତ୍ତର ରହିଲେ ବଳକା ଯୋଗାଣ ଦ୍ୱାରା ମୂଲ୍ୟ ହ୍ରାସ ହିଁ ସାର ହେବ।
ଘରୋଇ ଚାହିଦାକୁ ପୁନର୍ଜୀବିତ କରିବାର ଏକମାତ୍ର ଉପାୟ ହେଉଛି ଗରିବଙ୍କ ପାଇଁ ସରକାରୀ ଖର୍ଚ୍ଚ ବୃଦ୍ଧି କରିବା, ବିଶେଷତଃ ଗ୍ରାମାଞ୍ଚଳରେ। କାରଣ, ଏମାନେ ରୋଜଗାରର ଏକ ବଡ଼ ଅଂଶ କୃଷିଜାତ ଦ୍ରବ୍ୟ ତଥା ଖାଦ୍ୟ ବାବଦରେ ଖର୍ଚ୍ଚ କରିଥାଆନ୍ତି। ଏହା ବାଦ୍‌ ସରକାର କେବଳ ଚାଉଳ ଓ ଗହମ ନୁହେଁ ବରଂ ଡାଲି, ତୈଳବୀଜ ଓ ଅନ୍ୟାନ୍ୟ ପ୍ରମୁଖ ଫସଲକୁ ସର୍ବନିମ୍ନ ସହାୟତା ମୂଲ୍ୟରେ ଯଥାସମ୍ଭବ କିଣିନେବା ଅବଶ୍ୟକ।
ଅନ୍ତର୍ଜାତୀୟ ବଜାରରେ କୃଷି-ବାଣିଜ୍ୟ କଥା ଦେଖିଲେ, ୧୯୯୧ ପରଠାରୁ ଭାରତ କୃଷି ଉତ୍ପାଦର ନିଟ୍‌ ରପ୍ତାନିକାରୀ ହେବା ଆରମ୍ଭ କରିଛି। ୨୦୧୩-୧୪ରେ ୨୪.୭ ବିଲିୟନ ଡଲାରର ନିଟ୍‌ ବଳକା କୃଷି-ବାଣିଜ୍ୟ କାରବାର କରିବାରେ ସକ୍ଷମ ହୋଇଥିଲା। ୨୦୧୪ ପରଠାରୁ କୃଷି-ରପ୍ତାନି ମନ୍ଥର ହୋଇଛି। ୨୦୧୯-୨୦ରେ ନିଟ୍‌ ବଳକା କୃଷି ବାଣିଜ୍ୟ ମାତ୍ର ୧୧.୨ ବିଲିୟନ ଡଲାର ରହିଛି। କୃଷି-ବାଣିଜ୍ୟକୁ ଦୃଢୀଭୂତ କରିବାକୁ ହେଲେ, ଆମକୁ ଏକ ରଣନୀତି ଆପଣାଇବାକୁ ପଡିବ। କେଉଁ ଉତ୍ପାଦର ରପ୍ତାନି ବୃଦ୍ଧି କରାଯିବ ଓ କେଉଁ କ୍ଷେତ୍ରରେ ଆମଦାନିକୁ ସଙ୍କୁଚିତ କରାଯିବ ସ୍ଥିର କଲାବେଳେ ଆମକୁ ‘କମ୍ପାରେଟିଭ୍‌ ଆଡ୍‌ଭେଣ୍ଟେଜ୍‌’ ବା ତୁଳନାତ୍ମକ ସୁବିଧା ବିଷୟରେ ସଚେତନ ହେବାକୁ ପଡିବ ବୋଲି ଗୁଲାଟି କହନ୍ତି। ଅର୍ଥାତ୍‌ ଯେଉଁ କ୍ଷେତ୍ରରେ ଆମେ ଅଧିକ ପ୍ରତିଯୋଗିତାମୂଳକ ରହିଛୁ, ସେଠାରେ ଅଧିକ ରପ୍ତାନି କରିବା ଏବଂ ଯେଉଁଠି ପ୍ରତିଦ୍ୱନ୍ଦ୍ୱିତାରେ ଊଣା ରହିଛୁ ସେଠାରେ ଆମଦାନି କରିବା।
ଚାଉଳ ଓ ଚିନି ରପ୍ତାନିରେ ‘ତୁଳନାତ୍ମକ ସୁବିଧା’ ଉଚ୍ଚ ଇନପୁଟ୍‌ ସବ୍‌ସିଡି (ଶକ୍ତି ଓ ସାର)ରେ ଲୁଚି ରହିଛି। ଗୁରୁତ୍ୱପୂର୍ଣ୍ଣ କଥା ହେଲା ପରୋକ୍ଷ ଭାବରେ ଏହି ଉତ୍ପାଦ ଦୁଇଟି ଦୁର୍ଲଭ ଜଳର ରପ୍ତାନି ଆଡକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି। କାରଣ, ଏକ କିଲୋଗ୍ରାମ୍‌ ଚାଉଳ ୩,୫୦୦-୫,୦୦୦ ଲିଟର ଜଳ ଆବଶ୍ୟକ କରୁଥିବାବେଳେ ଏକ କିଲୋଗ୍ରାମ୍‌ ଚିନି ପ୍ରାୟ ୨,୦୦୦ ଲିଟର ଜଳସେଚନ ଆବଶ୍ୟକ କରେ। ଏହା ସାରର ଅକାରଣ ବ୍ୟବହାର ବଢାଉଛି। ଚାଉଳ ଓ ଚିନି ଭଳି ଫଳ ଓ ପନିପରିବା, ମସଲା, ଚା ଏବଂ କଫି କିମ୍ବା ସୂତା ପରି ଉଚ୍ଚ ମୂଲ୍ୟଯୁକ୍ତ କୃଷି ଉତ୍ପାଦ ରପ୍ତାନି ପାଇଁ ଆମେ କାହିଁକି ସମାନ ପ୍ରୋତ୍ସାହନ ପ୍ରଦାନ କରୁନାହୁଁ? ନୀତି ନିର୍ମାତାମାନେ ତୁଳନାତ୍ମକ ସୁବିଧା ନୀତିକୁ ଆଖିରେ ରଖି ଏ ବିଷୟରେ ଚିନ୍ତା କରିବା ଆବଶ୍ୟକ।
କୃଷି-ଆମଦାନି କ୍ଷେତ୍ରରେ, ଖାଇବା ତେଲ ଓ ଡାଲି ଜାତୀୟ ସାମଗ୍ରୀ ଗୁରୁତ୍ୱ ବହନ କରୁଛି। ଡାଲି ଜାତୀୟ ଶସ୍ୟରେ ଦେଶ ଆଗାମୀ ଦିନରେ ପ୍ରାୟତଃ ଆତ୍ମନିିର୍ଭର ହେବାକୁ ଯାଉଥିବାର ସୂଚନା ଆସୁଛି। ଖାଇବା ତେଲର ଆମଦାନି ମୂଲ୍ୟ ପ୍ରାୟ ୧୦ବିଲିୟନ ଡଲାର ରହିଛି। ଉତ୍ପାଦନ ବୃଦ୍ଧି ଓ ତୈଳବୀଜରୁ ତେଲ ନିଷ୍କାସନର ଅନୁପାତ ବୃଦ୍ଧି ପାଇଁ ଉପଯୁକ୍ତ ପ୍ରଯୁକ୍ତିବିଦ୍ୟାର ଉପଯୋଗ ଜରୁରୀ।
ଘରୋଇ ବଜାର ବାବଦରେ ସରକାର ନିକଟରେ ବର୍ତ୍ତମାନ ଉତ୍ପାଦନ ସହିତ ବିକ୍ରିବଟା ଉପରେ ଅଧିକ ଧ୍ୟାନ ଦେବାର ସମୟ। ଏହି ସମସ୍ୟାକୁ ସରକାର ବୁଝିଛନ୍ତି ଏବଂ ସମଗ୍ର ଦେଶରେ ଏକ ଜାତୀୟ କୃଷି ବଜାର ସୃଷ୍ଟି କରିବାକୁ ଯାଉଛନ୍ତି। ସାମ୍ପ୍ରତିକ ମହାମାରୀ ପରିପ୍ରେକ୍ଷୀରେ ସରକାର କିଛି ଗୁରୁତ୍ୱପୂର୍ଣ୍ଣ ଅଧ୍ୟାଦେଶ ଆଣିଛନ୍ତି: କୃଷକଙ୍କ ଉତ୍ପାଦର ବାଣିଜ୍ୟ ଓ ବିକ୍ରିବଟା (ପ୍ରୋତ୍ସାହନ ଓ ସୁବିଧା) ଅର୍ଡିନାନ୍ସ ୨୦୨୦, ମୂଲ୍ୟ ଆଶ୍ୱାସନା ଓ କୃଷି ସେବା ଉପରେ କୃଷକ ପାଇଁ ଚୁକ୍ତିନାମା (ସଶକ୍ତୀକରଣ ଓ ସୁରକ୍ଷା) ଅର୍ଡିନାନ୍ସ ୨୦୨୦ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ଅଧିନିୟମରେ ସଂଶୋଧନ ଅର୍ଡିନାନ୍ସ ୨୦୨୦। ଘରୋଇ ବ୍ୟବସାୟୀଙ୍କ ପ୍ରତ୍ୟକ୍ଷ ଯୋଗଦାନରୁ ଚାଷୀ ପ୍ରତିଯୋଗିତାମୂଳକ ଦରରେ ଉତ୍ପାଦ ବିକି ଅଧିକ ଲାଭବାନ ହେବ ବୋଲି ଆଶା କରାଯାଉଛି। ଏସବୁର ସଫଳ କାର୍ଯ୍ୟକାରିତା ଉପରେ ଚାଷୀର ଭବିଷ୍ୟତ ନିର୍ଭର କରୁଛି। ଘରୋଇ ବ୍ୟବସାୟୀଙ୍କ କୃଷି ବଜାର ପ୍ରବେଶକୁ ସାବଧାନତାର ସହ ବେଳକୁ ବେଳ ପର୍ଯ୍ୟାଲୋଚନା କରି ନିୟମାବଳୀର ଆବଶ୍ୟକ ସଂଶୋଧନ ସହିତ ଆଗକୁ ବଢିବାର ଅଛି।
ଛୋଟ ଚାଷୀଟି ନିକଟରେ ନିଜର ସ୍ବଳ୍ପ ଉତ୍ପାଦ ପାଇଁ ଖୋଲା ବଜାରରେ ବ୍ୟକ୍ତିଗତ ମୂଲଚାଲ କରିବାର କ୍ଷମତା ନ ଥାଏ। ଲକ୍ଷ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କଠାରୁ ସେମାନଙ୍କ ସ୍ବଳ୍ପ ଉତ୍ପାଦକୁ ଘରୋଇ ବ୍ୟବସାୟୀ ଘର ଘର ବୁଲି କିଣିବାକୁ ଯିବେନାହିଁ। ଏହି ପରିଦୃଶ୍ୟରେ ଚାଷୀ ଉତ୍ପାଦକ ସଂଘ (ଏଫ୍‌ପିଓ) ଏମାନଙ୍କୁ ଏକ ପ୍ରତିସ୍ପର୍ଦ୍ଧାତ୍ମକ ମଞ୍ଚ ଯୋଗାଇ ଦେଇପାରିବ। ପ୍ୟାକେଜିଂ, ସର୍ଟିଂ, ଗ୍ରେଡିଂ, ପରିବହନ ଓ ଷ୍ଟୋରେଜ୍‌ ସୁବିଧା ଯୋଗାଇ ଦେଇ ଘରୋଇ ବ୍ୟବସାୟୀଙ୍କ ସହିତ ମୂଲଚାଲ କରିବାର ଦକ୍ଷତା ରଖିପାରିବ। ସମୟକ୍ରମେ ଏହି ଏଫ୍‌ପିଓଗୁଡିକ ନିଜକୁ ସମୃଦ୍ଧ ଉଦ୍ୟୋଗ-କ୍ଲଷ୍ଟର ଭାବରେ ଗଢି ତୋଳିବାକୁ ସକ୍ଷମ ହୋଇପାରିବେ।
ଘରୋଇ ତଥା ଅନ୍ତର୍ଜାତୀୟ ବଜାରରେ ଆମର କୃଷି ଉତ୍ପାଦ ପ୍ରତିଯୋଗିତାମୂଳକ ହୋଇପାରୁ ନାହିଁ। ଏଥିପାଇଁ ଆମ କୃଷିକୁ ଅଧିକ ଦକ୍ଷ କରିବାକୁ ପଡିବ। ଅର୍ଥାତ୍‌ ଉତ୍ପାଦକତାରେ ଯଥେଷ୍ଟ ଉନ୍ନତି ଆଣିବାର ଅଛି। ଡିଜେଲ, ବିଦ୍ୟୁତ୍‌ ଶୁଳ୍କ, ସାର, କୀଟନାଶକ ଇତ୍ୟାଦି ଇନ୍‌ପୁଟ ସାମଗ୍ରୀର ମୂଲ୍ୟ ବୃଦ୍ଧି ଓ ଆଧୁନିକ କୃଷି ପରିଚାଳନା ଅଭ୍ୟାସର ଉପଲବ୍ଧତାର ଅଭାବରୁ କୃଷିକ୍ଷେତ୍ର ଯୁଗ ସହିତ ତାଳଦେଇ ଦକ୍ଷତା ବଢାଇବାରେ ସକ୍ଷମ ହୋଇପାରୁନାହିଁ। ସରକାର ଇନପୁଟ୍‌ ସାମଗ୍ରୀଗୁଡିକର ମୂଲ୍ୟ ହ୍ରାସ କରିବାକୁ ପ୍ରୟାସ କରିବା ସହିତ ଅତ୍ୟାଧୁନିକ ଜ୍ଞାନକୌଶଳକୁ ଚାଷୀ ନିକଟରେ ପହଞ୍ଚାଇବାର ଅଛି।
ଚାଷ ବେଉସା ଦକ୍ଷ ନ ହେଲେ, ଲକ୍ଷ ଲକ୍ଷ ଚାଷୀ କୃଷି କ୍ଷେତ୍ର ଛାଡି ଶିଳ୍ପ ତଥା ସେବା କ୍ଷେତ୍ରରେ ଅନୌପଚାରିକ କାମ ସନ୍ଧାନରେ ସହରମୁହାଁ ହୋଇ ଆତ୍ମସମ୍ମାନ ଟିକକ ହରାଇ ପ୍ରବାସୀ ଶ୍ରମିକର ଜୀବନଯାପନ କରିବେ। ଭାରତ ଭଳି ଦେଶରେ କୃଷି କ୍ଷେତ୍ରରେ ଆତ୍ମନିିର୍ଭରଶୀଳତା ହାସଲ କରିବାକୁ ହେଲେ ଜମି ସଂସ୍କାର, କୃଷିକ୍ଷେତ୍ରରେ ବେସରକାରୀ ପୁଞ୍ଜି ବିନିଯୋଗ, ରଣନୈତିକ କୃଷି-ବାଣିଜ୍ୟ, କ୍ରିୟାଶୀଳ ଘରୋଇ କୃଷି ବଜାର ଓ କୃଷି ଗବେଷଣା କାର୍ଯ୍ୟକ୍ରମ (ଆର୍‌ଆଣ୍ଡ୍‌ଡି) ଇତ୍ୟାଦିରେ ବଡ ଧରଣର ସଂସ୍କାରର ସୁଫଳ ଚାଷୀ ନିକଟରେ ପହଞ୍ଚିବାର ଅଛି।
ଶ୍ରୀଜଗନ୍ନାଥ ବିହାର, ବରମୁଣ୍ଡା, ଭୁବନେଶ୍ୱର, ମୋ:୯୪୩୭୧୬୪୬୧୧


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପକ୍ଷୀ ଜୀବନ ଏବେ ସଙ୍କଟରେ। ଜଳବାୟୁ ପରିବର୍ତ୍ତନ,ସହରୀକରଣରେ ବାସସ୍ଥାନ ଓ ଖାଦ୍ୟ ଅଭାବ ଯୋଗୁ ବଂଶବୃଦ୍ଧି ନ ହୋଇ ବହୁ ପ୍ରଜାତିର ପକ୍ଷୀ ଏବେ ବିଲୁପ୍ତିର ଦ୍ୱାରଦେଶରେ।…

ପରୀକ୍ଷା ପାଇଁ ପ୍ରସ୍ତୁତି

ଚଳିତ ବର୍ଷ ଫେବୃଆରୀଠାରୁ ଆମ ରାଜ୍ୟରେ ବିଭିନ୍ନ ପରୀକ୍ଷା ଆରମ୍ଭ ହେଉଛି। ଏଥି ନିମନ୍ତେ ପ୍ରତ୍ୟେକ ପରୀକ୍ଷାର୍ଥୀ ଜୋର୍‌ସୋରରେ ପ୍ରସ୍ତୁତି ଚଳାଇଛନ୍ତି। ପରୀକ୍ଷାର୍ଥୀମାନେ ପରୀକ୍ଷା ପାଇଁ ଯେତିକି…

ଗାଈ ସଂଗ୍ରହାଳୟ

ଉତ୍ତର ପ୍ରଦେଶର ଏକ ସରକାରୀ ସଂସ୍ଥା ‘ଉତ୍ତର ପ୍ରଦେଶ ବ୍ରଜ ତୀର୍ଥ ବିକାଶ ପରିଷଦ’ ମଥୁରାଠାରେ ଭାରତର ପ୍ରଥମ ‘କାଓ କଲ୍‌ଚର ମ୍ୟୁଜିୟମ୍‌’ ବା ଗାଈ ସଂସ୍କୃତି…

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ପାଖ ବିଦେଶ

ବାଂଲାଦେଶ ଜାତୀୟ ନିର୍ବାଚନରେ ଭୋଟ ହୋଇଥିବା ୨୯୯ ଆସନ ମଧ୍ୟରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନ୍‌ପି) ଏକାକୀ ୨୦୯ ଆସନ ପାଇଥିବା ବେଳେ ସହଯୋଗୀଙ୍କୁ ମିଶାଇଲେ ସଂଖ୍ୟା ୨୧୨…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri