ଚାପରେ ଶିକ୍ଷା ଓ ଶୈଶବ

ଦ୍ୱିତୀ ଚନ୍ଦ୍ର ସାହୁ

‘ଦାଦା! ଯାହା ସବୁ ପଢିଥିଲି, ସେ ସବୁ ଏବେ କାଟିଦେଲେ। ପ୍ରାୟ ସବୁ ୟୁନିଟ୍‌ର ପାଠ କଟିଗଲା। ମୁଣ୍ଡ ଟେନ୍‌ସନ ହୋଇଗଲା ଦାଦା!’ ନିକଟରେ ୩୦ ପ୍ରତିଶତ ପାଠ୍ୟକ୍ରମ କଟିବା ପରେ ପରିବର୍ତ୍ତିତ ପାଠ୍ୟସୂଚୀ ଦେଖି ଦ୍ୱାଦଶ ଶ୍ରେଣୀରେ ପଢୁଥିବା ଝିଆରୀ ହଠାତ୍‌ ଏମିତି କହିଲା। ଅଧିକା ଆଲୋଚନା କରି ଭାରାକ୍ରାନ୍ତ କରିବା ଅପେକ୍ଷା କେବଳ କହିଲି- ”କ’ଣ କରିବା, ପରିସ୍ଥିତି ହିଁ ସେଇଆ। ଆମକୁ ଆଡ୍‌ଜଷ୍ଟ ହେବାକୁ ହେବ। ଆଉ ଟିକେ ଅଧିକ ପରିଶ୍ରମ କର ମାଆ!“ ତାକୁ କହିଦେଲି ସତ। କିନ୍ତୁ ଏଭଳି ବ୍ୟତିକ୍ରମ ପିଲାଙ୍କ ମାନସିକ ସ୍ଥିତିକୁ ଦୋହଲେଇ ଦେବ ଏଥିରେ ସନ୍ଦେହ ନାହିଁ। ଏମିତିରେ ପ୍ରତ୍ୟକ୍ଷ ଶିକ୍ଷାଦାନ ଅଭାବରୁ ଯେନତେନ ଅନ୍‌ଲାଇନ ଶିକ୍ଷାଦାନ ଓ ବିଭିନ୍ନ ଅନ୍‌ଲାଇନ ଟ୍ୟୁଟୋରିଆଲରେ ଦିନରାତି ଏକ କରି ପଢୁଥିବା ପିଲାଟି ପକ୍ଷେ ଏଇ ପରିବର୍ତ୍ତନ ସହଜରେ ଗ୍ରହଣୀୟ ହୋଇପାରିନି। ଅଥଚ ପିଲାଙ୍କ ଚାପମୁକ୍ତି ଲାଗି ଏମିତି ପାଠ୍ୟସୂଚୀରେ ପରିବର୍ତ୍ତନ ଅଣାଯାଇଛି। ଇଏ ତ ଗଲା କଲେଜ ପଢୁଆ ପିଲାଙ୍କ ଅବସ୍ଥା। ତଳ ଶ୍ରେଣୀରେ ପଢୁଥିବା ପିଲାମାନେ ବି କମ୍‌ ଚାପରେ ନାହାନ୍ତିି। ସକାଳୁ ଉଠି ମୁହଁ ଧୋଇବା ମାତ୍ରେ ବାପାମାଆ ଦେଉଛନ୍ତି ମୋବାଇଲ ଏବଂ ଅନ୍‌ଲାଇନ କ୍ଲାସରେ ଯୋଗଦେବାକୁ ତାଗିଦ୍‌। ଆଖିରୁ ନିଦ ଛାଡ଼ି ନ ଥିବା ପିଲାଟି ମୋବାଇଲରେ ମୁହଁ ମାଡି ଆରମ୍ଭ କରିବ ପାଠପଢ଼ା। ସେଥିରେ ବି ନାନା ବ୍ୟତିକ୍ରମ। କେତେବେଳେ ଲିଙ୍କ୍‌ ରହୁଥିବ ତ କେତେବେଳେ କଟିଯାଉଥିବ। ଲିଙ୍କ୍‌ ଥିଲେ ବି ଯୋଗଦେଇଥିବା ଅନେକ ପିଲା ନିଜର ଭିଡିଓ ଓ ଅଡିଓକୁ ବନ୍ଦ ନ କରିବା କାରଣରୁ କୋଳାହଳ ବଢୁଥିବ। ବିଚରା ପିଲାଟି ସେପଟୁ ଶିକ୍ଷକଙ୍କୁ ଦେଖୁଥିବ। କିନ୍ତୁ ଭଲରେ ଶୁଣିପାରୁ ନ ଥିବ। ତା’ପରେ ଆସିବ କିଛି ଭିଡିଓ। ତାକୁ ଦେଖି ସାରିଥିବ କି ନା ପଛକୁ ପଛ ଆସିଯାଇଥିବ ମେଞ୍ଚାଏ ଗୃହକାର୍ଯ୍ୟ। ସେସବୁକୁ ସାରୁ ସାରୁ ମଧ୍ୟାହ୍ନ ଟପିଯିବ। ଖାଇବା ପିଇବାରେ ଆଉ ମନ ନ ଥିବ। ଏସବୁ ସରିଲେ ପିଲାଙ୍କ ଆଉ ଗୋଟେ ଅଭ୍ୟାସ ଏବେ ଅଭିଭାବକଙ୍କ ମୁଣ୍ଡବ୍ୟଥାର କାରଣ ପାଲଟିଛି। ଚାରିକାନ୍ଥ ଭିତରେ ଆବଦ୍ଧ ଥିବା ପିଲାଟି ନିଜକୁ ଟିକେ ହାଲକା କରିବା ପାଇଁ ପୁଣି ସେଇ ମୋବାଇଲ ଭିତରେ ପଶି ଯିବାକୁ ଆଗ୍ରହ ଦେଖାଉଛି। ବିଭିନ୍ନ ଗେମ୍‌ ଭିତରେ ଏକ ନିଶାଖୋର ମଣିଷଟି ଭଳି ଘଣ୍ଟା ଘଣ୍ଟା ସମୟ ଦେଉଛି। ବିଚରା ଅଭିଭାବକ ସବୁ ଦେଖୁଛି, ଜାଣୁଛି, ଅଥଚ କିଛି ବି ଆକଟ କରିପାରୁନି। କାରଣ ସେଇ ଘର ଭିତରେ ରହୁଥିବା ପିଲାଟି ପାଇଁ ବିକଳ୍ପ ମନୋରଞ୍ଜନର ଖୋରାକ କିଛି ଆଉ ନାହିଁ। ଟିଭିରେ କାର୍ଟୁନ ଦେଖିବ ନ ହେଲେ ମୋବାଇଲରେ ୟୁ ଟ୍ୟୁବ୍‌ କିମ୍ବା ଭିଡିଓ ଗେମ୍‌ ଖେଳିବ। ଗପ ବହି ପଢିବାକୁ ଆଉ ପିଲାଙ୍କ ଆଗ୍ରହ କାହିଁ। କରୋନା ପାଇଁ ପ୍ରତ୍ୟକ୍ଷ ଶିକ୍ଷାଦାନ ବାଧାପ୍ରାପ୍ତ ହେତୁ ପିଲାଙ୍କ ମାନସିକତା ବଦଳିଛି। ହାତରେ ଥିବା ମୋବାଇଲଟି ତା’ର ଆଖି ଉପରେ ପ୍ରଭାବ ପକାଇବା ସହ ସୃଜନଶୀଳତାକୁ ନଷ୍ଟ କରୁଛି। ଥିଲାବାଲା ଘରର ଇଏ ଚିତ୍ର। ଗରିବ ପରିବାରର ଚିତ୍ର ଆହୁରି କରୁଣ। ନ ଥିଲା ବାଲା ପରିବାର ତା’ର ପିଲାକୁ ଅନ୍‌ଲାଇନ କ୍ଲାସ ଲାଗି ମୋବାଇଲ ଦେବା ଦୂରର କଥା ମୁଠେ ଭଲ କରି ଖାଇବାକୁ ଦେବା ପାଇଁ ସଂଘର୍ଷ କରୁଛି। କରୋନାଜନିତ ପରିସ୍ଥିତିରେ ଉଜୁଡି ଯାଇଛି ବେଉସା। ରୋଜଗାର ବନ୍ଦ। ଯାହା ସବୁ ସଞ୍ଚୟ ଥିଲା ସରି ସରି ଆସୁଛି। ଅନେକେ ନିଜର ପୂର୍ବ ରୋଜଗାର ଛାଡି ଅନ୍ୟ ରୋଜଗାର ପାଇଁ ମାଧ୍ୟମ ବଦଳେଇଛନ୍ତି। ଅଥଚ ତାହା ଆୟ ପାଇଁ ଯଥେଷ୍ଟ ନୁହଁ। ପରିବାରର ଏଇ ସ୍ଥିତି ହେତୁ ଗାଁ ଗହଳିରେ କିଶୋର କିଶୋରୀମାନେ ପାଠକୁ ଏଡେଇ ବଞ୍ଚିବାର ମୋହରେ ଆୟ ଲାଗି ନିଜେ ଖଟିବାକୁ ଯାଉଛନ୍ତି। ନିକଟରେ ୟୁନେସ୍କୋର ତଥ୍ୟକୁ ଆଧାର କରି ସେଭ୍‌ ଦି ଚିଲଡ୍ରେନ ନାମକ ଶିଶୁ ମଙ୍ଗଳ ସଂସ୍ଥା ପକ୍ଷରୁ କୁହାଯାଇଛି ବିଦ୍ୟାଳୟ କେବେ ଖୋଲିବ ଏବଂ ଆଗାମୀ ଶିକ୍ଷାଦାନ ବ୍ୟବସ୍ଥାର ଠିକ୍‌ ରୂପରେଖ କ’ଣ ହେବ ସ୍ଥିରୀକୃତ ହୋଇପାରୁନି। ସେପଟେ ବିଶ୍ୱବ୍ୟାପୀ ୧୬୦ କୋଟି ପିଲାଙ୍କ ସ୍କୁଲ ଓ କଲେଜ ଯିବା ବନ୍ଦ କରିଦିଆଯାଇଛି। ସେହିପରି କୋଭିଡ୍‌ଜନିତ ଆର୍ଥିକ ମାନ୍ଦାବସ୍ଥା ଯୋଗୁଁ ବିଶ୍ୱବ୍ୟାପୀ ପ୍ରାୟ ୧୨ କୋଟି ପିଲା ଅଭାବ ମଧ୍ୟକୁ ଟାଣି ହୋଇଯାଇଛନ୍ତି। ଘରର ବୋଝ କମାଇବା ପାଇଁ ପ୍ରାୟ ୯୭ଲକ୍ଷ ଛାତ୍ରୀଛାତ୍ର ସ୍ଥାୟୀ ଭାବେ ଆଉ ବିଦ୍ୟାଳୟକୁ ଫେରିବାର ସମ୍ଭାବନା ନାହିଁ। ଏହା ସମଗ୍ର ବିଶ୍ୱ ପାଇଁ ଚିନ୍ତା ବଢେଇଛି। ଘରେ ଥିବା ଶିଶୁଟିର ମାନସିକ ଚାପ ବୃଦ୍ଧି ପାଇଛି। ଅଭିଭାବକ କିଛି କହିଲେ ପିଲାଙ୍କ ଭିତରେ ପ୍ରତିକ୍ରିୟା ସୃଷ୍ଟି ହେଉଛି। ଚିଡିଚିଡା ହେଉଛି ସେ। ଶାନ୍ତଶିଷ୍ଟ ପିଲାଟି ବି ତୁରନ୍ତ ପ୍ରତିକ୍ରିୟାଶୀଳ ହୋଇ ଉଠୁଛି। ଅନେକ ମଧ୍ୟବିତ୍ତ ପରିବାରର ବାପାମାଆ ଏଇ ପରିସ୍ଥିତିରେ ପେଟପାଟଣା ଚିନ୍ତାରେ ପିଲାଙ୍କୁ ବିଶେଷ ସମୟ ଦେଇପାରୁ ନାହାନ୍ତି। ପିଲାଙ୍କ ମାନସିକ ସ୍ଥିତିକୁ ବୁଝିବା ଓ ସେଇ ଅନୁସାରେ କାମ କରିବା ଲାଗି ଘରେ କାହା ପାଖରେ ସମୟ ନାହିଁ। କାରଣ ବଡମାନେ ବି ନିଜ ବୃତ୍ତି ଓ ପ୍ରବୃତ୍ତିଜନିତ ସମସ୍ୟାକୁ ନେଇ ମାନସିକ ଚାପରେ ରହୁଛନ୍ତି। ପିତାମାତା ଚାହୁଁଛନ୍ତି ତାଙ୍କ ପିଲା ଘରୁ ନ ବାହାରୁ ଓ କରୋନାରେ ସଂକ୍ରମିତ ନ ହେଉ। ଅଥଚ ପ୍ରାୟତଃ ସମସ୍ତେ ଅନ୍ୟଦିଗକୁ ଭୁଲିଯାଉଛନ୍ତି ବିଦ୍ୟାଳୟରେ ସାଙ୍ଗସାଥୀ ମେଳରେ ନିଜକୁ ହଜାଇ ମସ୍ତିରେ ଆନନ୍ଦ ପାଉଥିବା ପିଲାଟି ବାସ୍ତବରେ ଘରେ ତା’ର ବିକଳ୍ପ କ’ଣ ପାଇଛି! ସମସ୍ତ ବ୍ୟସ୍ତତା ଭିତରେ ଅଭିଭାବକମାନେ ପ୍ରତି ମୁହୂର୍ତ୍ତରେ ନିଜକୁ ପ୍ରଶ୍ନ କରିବା ଆବଶ୍ୟକ, ଆଉ ପିଲାଙ୍କୁ ପୂର୍ବାପେକ୍ଷା ଯଥେଷ୍ଟ ସମୟ ଦେବା ଆବଶ୍ୟକ। ନ ହେଲେ ହୁଏତ ଆଗାମୀ ପିଢି ପାଇଁ ଏକ ଭିନ୍ନ ମାନସିକତାର ପିଲାଙ୍କୁ ତିଆରି କରିବା। ଯେଉଁଠି ପିଲା ତ ଥିବେ, ଶୈଶବ କିନ୍ତୁ ହଜିଯାଇଥିବ!
ଇନ୍ଦିରା ନଗର, ଚତୁର୍ଥ ଗଳି, ରାୟଗଡା,
ମୋ-୯୫୫୬୨୮୭୭୭୫


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଅଭାବୀ ପରିବାରର ପିଲାମାନେ ଶିକ୍ଷାରୁ ବଞ୍ଚିତ ନ ହେବା ଲାଗି ସୁଯୋଗ ସୃଷ୍ଟି କରିଛନ୍ତି ବେଙ୍ଗାଲୁରୁର ହରେକାଲା ହଜାବ୍ବା। ଏଥିପାଇଁ ତାଙ୍କୁ ଜୀବନରେ ଅନେକ କଷ୍ଟ ସ୍ବୀକାର…

ସବୁକିଛି ବଦଳାଇବା ଠିକ୍‌ କି

ବିକାଶ ଏକ ନିରନ୍ତର ପ୍ରକ୍ରିୟା। ଏହା ସବୁବେଳେ ପୂର୍ବଜଙ୍କ କାନ୍ଧରେ ପାଦ ରଖିଥାଏ। ମୂଳଦୁଆ ଦୁର୍ବଳ ହେଲେ ଆମର ଅସ୍ତିତ୍ୱ ଦୁର୍ବଳ ହୁଏ। ସେହିପରି ପରିବର୍ତ୍ତନ ମଧ୍ୟ…

ଶିକ୍ଷାରେ ନେତୃତ୍ୱ, ନେତୃତ୍ୱରେ ଶିକ୍ଷକ

କୁରୁକ୍ଷେତ୍ର ରଣଭୂମିରେ ଅର୍ଜୁନ ଯେତେବେଳେ ନିଜ କର୍ତ୍ତବ୍ୟ, ସମ୍ପର୍କ ଓ ଭବିଷ୍ୟତକୁ ନେଇ ଗଭୀର ଦ୍ୱନ୍ଦ୍ୱରେ ପଡ଼ିଥିଲେ, ସେତେବେଳେ ଭଗବାନ୍‌ କୃଷ୍ଣ ତାଙ୍କ ହାତରୁ ଗାଣ୍ଡୀବ ନେଇ…

ହିମାଳୟକୁ ଜଗ

ଗୋଟେ ଧାରଣା ଥିଲା ଯେ, ପାହାଡ଼ କିମ୍ବା ପର୍ବତ ଅତ୍ୟନ୍ତ ମଜଭୁତ ଓ ଝୁଙ୍କିବା ଲାଗି ଅନେକ ଶହ ବର୍ଷ ଲାଗେ। ତିବ୍ବତ ସୀମାନ୍ତ କେନ୍ଦ୍ରୀୟ ନେପାଳର…

ଏଇ ଭାରତରେ

ଚେନ୍ନାଇର ଚିତଲାପକ୍କମ ନିକଟରେ ଥିବା ଚିତଲାପକ୍କମ ହ୍ରଦ ନିକଟବର୍ତ୍ତୀ ଅଞ୍ଚଳରେ ଖରାଦିନେ ନଳକୂପ ଶୁଖିଯାଏ। ବର୍ଷର ଅନ୍ୟ ସମୟରେ ବି ସେଗୁଡ଼ିକରୁ ଆବଶ୍ୟକ ପାଣି ବାହାରେ ନାହିଁ।…

ପ୍ରଶାସନିକ ସ୍ବଚ୍ଛତା ଏକ ପ୍ରଶ୍ନବାଚୀ

ପ୍ରଶାସନିକ ବ୍ୟବସ୍ଥାରେ ସ୍ବଚ୍ଛତା ଓ ନିରପେକ୍ଷତା ଆଣିବା ଲାଗି ସରକାର ଯେତେ ଯାହା ପଦକ୍ଷେପ ଗ୍ରହଣ କଲେ ମଧ୍ୟ ତାହା ସଫଳ ହୋଇପାରୁନି। ବିଭିନ୍ନ କ୍ଷେତ୍ରରେ କିଭଳି…

ସମୟ ବ୍ୟାଙ୍କ୍‌ର ସେବାପୁଞ୍ଜି

ବ୍ୟାଙ୍କ୍‌ରେ ସଞ୍ଚତ୍ତ ସମସ୍ତ ଅର୍ଥ ଉଠାଇ ଆଣି ରାଜଧାନୀର ଏକ ପ୍ରମୁଖ ଇଞ୍ଜିନିୟରିଂ କଲେଜରେ ନିଜ ପୁଅର ନାମ ଲେଖାଉଥିବା ଜଣେ ମଧ୍ୟବର୍ଗୀୟ ପିତା ତାଙ୍କ ବନ୍ଧୁକୁ…

ଗରିବ ହୋଇ ରହିବୁ

ଚଳିତ ସପ୍ତାହରେ ଏକ ବିଦେଶୀ ଗଣମାଧ୍ୟମ ମୋର ସାକ୍ଷାତ୍‌କାର ନେଇଥିଲା। ଏହା ଶେଷ ହେବା ପରେ ସାକ୍ଷାତ୍‌କାର ନେଇଥିବା ଖବରଦାତା କହିଥିଲେ, ଭାରତର ସ୍ଥିତି ଏଭଳି ହୋଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri