ମନୁଷ୍ୟ ମଧ୍ୟରେ ପଶୁ ପ୍ରବୃତ୍ତି

ଡ. ପ୍ରମୋଦ କୁମାର ପଣ୍ଡା

 

ମନୁଷ୍ୟ ସବୁ ଜୀବଙ୍କ ମଧ୍ୟରେ ଶ୍ରେଷ୍ଠ। ମନୁଷ୍ୟର ବୁଦ୍ଧି ଓ ଜ୍ଞାନର ପରିସୀମା ଅନନ୍ତ ଆଡକୁ ବ୍ୟାପିଥାଏ। ମନୁଷ୍ୟ ନିଜ ବୁଦ୍ଧି ଓ ଜ୍ଞାନ ବଳରେ ତା’ର ଉପଯୋଗିତାରେ ଲାଗୁଥିବା ଜୀବଜନ୍ତୁ, ବୃକ୍ଷଲତା, ମୃତ୍ତିକା, ଜଳ, ବାଯୁମଣ୍ଡଳକୁ ବୁଝିବାରେ ସକ୍ଷମ ହୋଇଥିବା ବେଳେ ସେଗୁଡ଼ିକର ସଂରକ୍ଷଣ ପାଇଁ କେଉଁ ଆଦିମ କାଳରୁ ପ୍ରୟାସ କରିଆସିଛି। ତୁଳସୀ, ବେଲ ଆଦି ବୃକ୍ଷର ଔଷଧୀୟ ଗୁଣ ଥିବାରୁ ତାକୁ ଧର୍ମ ସହିତ ଜଡ଼ିତ କରିଛି। ସେହିପରି ଜୀବଜନ୍ତୁ ଯଥା ସିଂହ, ଷଣ୍ଢ, ନାଗ, ଗରୁଡ଼, ପେଚା, ମୟୂର, ହଂସ, ମୂଷା ପ୍ରଭୃତିଙ୍କର ସଂରକ୍ଷଣ ପାଇଁ ସେମାନଙ୍କୁ ଭଗବାନଙ୍କର ବାହନ ରୂପେ ପରିକଳ୍ପନା କରିଛି। ସମାଜରେ ପରସ୍ପରର ସୁଖ ଦୁଃଖରେ ସାମିଲ ହୋଇ ବସବାସ କରିବା ପାଇଁ ଗ୍ରାମ୍ୟ ଜୀବନର ପରିକଳ୍ପନା କରିଛି। ପୂର୍ବେ ଆମର ସାମାଜିକ ଜୀବନ ବି ଅତ୍ୟନ୍ତ ସୁନ୍ଦର ଥିଲା। ବିଭିନ୍ନ ପର୍ବପର୍ବାଣି ମାଧ୍ୟମରେ ପରସ୍ପର ମଧ୍ୟରେ ସୁସମ୍ପର୍କ ଗଢ଼ିଉଠୁଥିଲା। ସାମାଜିକ ରୀତିନୀତି ଯଥା ବିବାହ, ବ୍ରତ ଆଦି ପାଳନ ବେଳେ ଭୋଜିଭାତ ଦାରା ପରସ୍ପରର ନିବିଡ଼ତା ବଢୁଥିଲା। ଅନ୍ୟର ଦୁଃଖ ଅସୁବିଧା ସମୟରେ ଲୋକମାନେ ଅଣ୍ଟାଭିଡି ସହଯୋଗର ହାତ ବଢ଼ାଉଥିଲେ। ଯୌଥ ପରିବାରରେ ରୋଗ ବ୍ୟାଧି ଓ ବୃଦ୍ଧ ବୃଦ୍ଧାଙ୍କ ଯତ୍ନ ନେବା ପାଇଁ ପର୍ଯ୍ୟାପ୍ତ ସଦସ୍ୟ ରହୁଥିଲେ। ଜୀବନ ଅତି ଆନନ୍ଦରେ କଟୁଥିଲା। ପରେ ଆମର ସ୍ବାର୍ଥକେନ୍ଦ୍ରିକ ଜୀବନର ଅୟମାରମ୍ଭ ହେଲା। ଆମ୍ଭେମାନେ ଅନ୍ୟର ସୁଖ ଦୁଃଖ ଅପେକ୍ଷା ନିଜ ସାର୍ଥ ସାଧନାରେ ବ୍ରତୀ ହେବାକୁ ଆରମ୍ଭ କଲେ। ପରିବାର ସଂଜ୍ଞା ମଧ୍ୟ ବଦଳିବାରେ ଲାଗିଲା। ଏପରିକି ବର୍ତ୍ତମାନର ଯୁବପିଢ଼ି, ନିଜ ପରିବାର ଅର୍ଥ କେବଳ ସାମୀ ସ୍ତ୍ରୀ ଓ ପୁଅ ଝିଅ ବୋଲି ବୁଝୁଛନ୍ତି। ବୃଦ୍ଧ ମାତାପିତାଙ୍କ ଯତ୍ନ ନେବାକୁ ଯୁବାପିଢ଼ି ସମୟ ଓ ସମ୍ବଳର ଅପଚୟ ବୋଲି ବିବେଚନା କଲେଣି। ଦୁର୍ନୀତି ଓ ଭ୍ରଷ୍ଟାଚାର ନୂଆ ରୂପରେ ଉଭା ହୋଇଛି। ଆଶ୍ଚର୍ଯ୍ୟର କଥା ଯେ ଧନୀ ଓ ଶିକ୍ଷିତମାନେ ଅଧିକ ଭ୍ରଷ୍ଟାଚାରରେ ଲିପ୍ତ ରହୁଛନ୍ତି। ମାନବିକତା ବି ଲୋପ ପାଇଯାଉଛି। ରାଜ ରାସ୍ତାରେ କେହି ଅନ୍ୟମାନଙ୍କୁ ଆକ୍ରମଣ କରୁଥିବାବେଳେ ସାଧାରଣ ଜନତା ଦେଖଣାହାରୀ ସାଜିବା ଅତ୍ୟନ୍ତ ଦୁଃଖଦାୟକ। କେହି ବିପଦରେ ପଡ଼ିଥିବାବେଳେ ଅନେକେ ମୁହଁବୁଲାଇ ଚାଲିଯାଉଛନ୍ତି। ମାତ୍ର ପଶୁପକ୍ଷୀଙ୍କ ପାଖରେ ତା’ର ବିକଳ୍ପ ଆମେ ଡିସ୍କଭରି ଚ୍ୟାନେଲରୁ ଦେଖିବାକୁ ପାଉଛୁ। ଯଦି ଗୋଟିଏ ମଇଁଷିକୁ ବାଘ କିମ୍ବା ସିଂହ ଆକ୍ରମଣ କରେ ତା’ହେଲେ ମଇଁଷି ପଲ ପହଞ୍ଚି ତାକୁ ଉଦ୍ଧାର କରିଥାନ୍ତି। ଆଜିକାଲି ପଶୁପକ୍ଷୀମାନଙ୍କଠାରେ ମାନବତା ଦେଖିବାକୁ ମିଳିଲାଣି, ଯାହାକି ସାଧାରଣତଃ ସେମାନଙ୍କଠୁ ଅପେକ୍ଷିତ ନୁହେଁ। ମନୁଷ୍ୟ ପାଖରେ ନିଜେ ବଞ୍ଚିବା, ନିଜେ ଖାଇବା ଓ ନିଜ ପାଇଁ ସଞ୍ଚୟ ଭଳି ପଶୁ ପ୍ରବୃତ୍ତି ବଢ଼ିବାରେ ଲାଗିଛି।
ଆମ ଦେଶରେ ସାକ୍ଷରତା ହାର କ୍ରମଶଃ ବଢ଼ିବାରେ ଲାଗିଛି। ତା’ ଛଡା ବିଭିନ୍ନ ଧର୍ମାନୁଷ୍ଠାନ ତାଙ୍କର ନୀତିବାଣୀ ଟିଭି, ରଡିଓ, ଇ-ଟ୍ୟୁବ୍‌, ଖବରକାଗଜ, ସଭାସମିତି ମାଧ୍ୟମରେ ଜୋରଦାର ପ୍ରଚାର କରୁଛନ୍ତି, କିନ୍ତୁ ଫଳ ଶୂନ। ଏପରିକି ବଳାତ୍କାର ଓ ଗଣବଳାତ୍କାର ଭଳି ପଶୁ ପ୍ରବୃତ୍ତି କ୍ରମଶଃ ସମାଜରେ ବଢ଼ିବାରେ ଲାଗିଛି। ସମାଜରେ ଶୃଙ୍ଖଳା, ସଂଯମତା, ଆଦର୍ଶବାଦର ଅଭାବ ଅନେକାଂଶରେ ପରିଲକ୍ଷିତ ହେଲାଣି। ମନୁଷ୍ୟ ଏକ ସାମାଜିକ ପ୍ରାଣୀ, ସମାଜର ପ୍ରତ୍ୟକ ସ୍ତରରେ ତାକୁ ଅନ୍ୟର ସହଯୋଗର ଆବଶ୍ୟକତା ପଡ଼ିଥାଏ। ଆମର ବିକାଶରେ ଯେଉଁମାନେ ସାହାଯ୍ୟ କରୁଛନ୍ତି, ସେମାନଙ୍କ ପାଇଁ ଆମର କର୍ତ୍ତବ୍ୟକୁ ମଧ୍ୟ ସମ୍ପାଦନ କରିବାକୁ ପଡ଼ିବ।
ବିବାହ କେବଳ ଶରୀର ସୁଖ ପାଇଁ ଉଦ୍ଦିଷ୍ଟ ନ ଥାଏ। ମିଳିମିଶି ପରସ୍ପର ଅସୁବିଧା ସମୟରେ ସାହାଯ୍ୟ କରିବା ଦ୍ୱାରା ଜୀବନ ମଧୁମୟ ହୋଇଥାଏ। ସ୍ବାମୀ ସ୍ତ୍ରୀ ନିଜେ ନିଜେ ଖୁସି ଅନୁଭବ କରିବା ସହିତ ବୃଦ୍ଧ ମାତାପିତାଙ୍କର ଯତ୍ନ ଦ୍ୱାରା ଜୀବନର ଋଣ ପରିଶୋଧ ଏବଂ ପିଲାଙ୍କର ଲାଳନପାଳନ ଦ୍ୱାରା ମନୁଷ୍ୟ ପିଢ଼ିକୁ ସଂସ୍କାର ଦ୍ୱାରା ଆଗକୁ ବଢ଼ାଇବାର ପ୍ରକ୍ରିୟା ସମ୍ପାଦିତ କରିଥାନ୍ତି। ଫଳରେ ମନୁଷ୍ୟ ପିଢ଼ିର ପୃଥିବୀରେ ଅବସ୍ଥାନ ସୁନିଶ୍ଚିତ ହୋଇଥାଏ। ପରପିଢ଼ିକୁ ଆଗକୁ ବଢ଼ାଇବା ଜୀବଜଗତର ଏକ ସ୍ବୟଂକ୍ରୀୟ ପ୍ରକ୍ରିୟା। କିନ୍ତୁ ପ୍ରତିକୂଳ ପରିସ୍ଥିତିରେ ଭାଙ୍ଗିଯାଇ ଜୀବନ ହାରିବା ବି ଆଜିକାର ଯୁବା ପିଢ଼ିଙ୍କର ଏକ ଅଭ୍ୟାସରେ ପରିଣତ ହୋଇଗଲାଣି। ଆମେ ଯଦି ଶହେ ବର୍ଷର ପୂର୍ବ ସ୍ଥିତିକୁ ତର୍ଜମା କରିବା, ଦେଖାଯିବ ଯେ ସେତେବେଳେ ଗରିବୀ, ଅଭାବ ଅନଟନ, ଖାଦ୍ୟାଭାବ, ରୋଗ ବ୍ୟାଧି, ମରୁଡ଼ି, ବାତ୍ୟା, ବନ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ଇତ୍ୟାଦି କିଛି କମ୍‌ ନ ଥିଲା, ମାତ୍ର ଜନସାଧାରଣଙ୍କ ସହଣିଶକ୍ତି, ଏ ସବୁ ବିପଦରେ ନ ଭାଙ୍ଗିବା ପାଇଁ ପ୍ରଚୁର ସାହସ ଓ ସାମର୍ଥ୍ୟ ଦେଉଥିଲା। ଶୂନ୍ୟତା ଭିତରେ ଆଶା ସଞ୍ଚାର କରି ଉଜୁଡା ଘରକୁ ପୁଣି ସଜାଡ଼ି ନେଉଥିଲା ନିଜ ବୁଦ୍ଧି ବଳରେ। ଦୁଃଖ ଲାଗେ ଉଚ୍ଚଶିକ୍ଷିତ ରୋଜଗାର ସମ୍ପନ୍ନ ଯୁବାଗୋଷ୍ଠୀ ସାମାନ୍ୟ ବ୍ୟାପାରରେ ଦୋହଲିଯାଇ ମୂଲ୍ୟବାନ ଜୀବନ ହାରିବାକୁ ପଛାଉନାହାନ୍ତି। ପଶୁ ପାଖରେ ମାନବତା ଉଦ୍ରେକ ହେଉଥିବା ବେଳେ ମନୁଷ୍ୟଠାରେ ପଶୁର ପରିପ୍ରକାଶ ସଭ୍ୟତାର ବିକାଶ ପାଇଁ ଶୁଭଙ୍କର ନୁହେଁ। ଏହା ସଭ୍ୟତା ଅଭ୍ୟୁଦୟ ନିୟମର ବିପରୀତରେ ଯାଉନାହିଁ ତ ? ଆସନ୍ତୁ ସମସ୍ତେ ମିଶି ସମାଜରୁ ପଶୁ ପ୍ରବୃତ୍ତିର ବିଲୋପ ପାଇଁ ଚେଷ୍ଟା କରିବା।
ମୋ-୮୯୧୭୪୨୬୪୪୦


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତରେ ଜଳ ସଙ୍କଟ ବିଷୟ ଆଲୋଚନା କଲାବେଳେ ମହାରାଷ୍ଟ୍ର ଲାଟୁର ଜିଲା ସ୍ଥିତି ସାମ୍ନାକୁ ଆସେ। ତେବେ ଏହି ଜିଲାର ବଂଶଓ୍ବାରଗ୍ରାମର ଗ୍ରାମବାସୀ ଜଳସଙ୍କଟ ଦୂର କରିବାରେ…

ରୋଜଗାରିଆ ଝିଅ ଓ ବେକାର ପୁଅ

ପୁରୁଷ ଓ ନାରୀ ଭଗବାନଙ୍କର ଏକ ଅନବଦ୍ୟ ସୃଷ୍ଟି। ପୁରୁଷ ଜନ୍ମ ନିଏ ନାରୀଠାରୁ ପୁଣି ବିନା ପୁରୁଷରେ ନାରୀର ଜନ୍ମ ଅସମ୍ଭବ। କି ଅଦ୍ଭୁତ ସମନ୍ବୟ।…

ପରିମାଣାତ୍ମକ ନା ଗୁଣାତ୍ମକ ଶିକ୍ଷା

ଥରେ ଜଣେ ରାଜନେତାଙ୍କ ସହିତ ସାକ୍ଷାତ ହେଲା। ପୂର୍ବତନ ଲୋକ ସଭା ସାଂସଦ। ବର୍ତ୍ତମାନର ସରକାରୀ ଦଳର ସେ ଜଣେ ପ୍ରତିଷ୍ଠିତ ନେତା। ବିଭିନ୍ନ ସଭା ସମିତିରେ…

ଯେତିକି ପାରିବ ସେତିକି

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଏବେ ମଣିଷର ପ୍ରତିଟି ପଦକ୍ଷେପକୁ ପରିଚାଳନା କଲାଣି। ପରିବେଶ ପରିସଂସ୍ଥାନକୁ ଇକୋସିଷ୍ଟମ ବୋଲି କହିଥାଉ। ଏବେ ଏଆଇ ଇକୋସିଷ୍ଟମ…

ଏଇ ଭାରତରେ

ପକ୍ଷୀ ଜୀବନ ଏବେ ସଙ୍କଟରେ। ଜଳବାୟୁ ପରିବର୍ତ୍ତନ,ସହରୀକରଣରେ ବାସସ୍ଥାନ ଓ ଖାଦ୍ୟ ଅଭାବ ଯୋଗୁ ବଂଶବୃଦ୍ଧି ନ ହୋଇ ବହୁ ପ୍ରଜାତିର ପକ୍ଷୀ ଏବେ ବିଲୁପ୍ତିର ଦ୍ୱାରଦେଶରେ।…

ପରୀକ୍ଷା ପାଇଁ ପ୍ରସ୍ତୁତି

ଚଳିତ ବର୍ଷ ଫେବୃଆରୀଠାରୁ ଆମ ରାଜ୍ୟରେ ବିଭିନ୍ନ ପରୀକ୍ଷା ଆରମ୍ଭ ହେଉଛି। ଏଥି ନିମନ୍ତେ ପ୍ରତ୍ୟେକ ପରୀକ୍ଷାର୍ଥୀ ଜୋର୍‌ସୋରରେ ପ୍ରସ୍ତୁତି ଚଳାଇଛନ୍ତି। ପରୀକ୍ଷାର୍ଥୀମାନେ ପରୀକ୍ଷା ପାଇଁ ଯେତିକି…

ଗାଈ ସଂଗ୍ରହାଳୟ

ଉତ୍ତର ପ୍ରଦେଶର ଏକ ସରକାରୀ ସଂସ୍ଥା ‘ଉତ୍ତର ପ୍ରଦେଶ ବ୍ରଜ ତୀର୍ଥ ବିକାଶ ପରିଷଦ’ ମଥୁରାଠାରେ ଭାରତର ପ୍ରଥମ ‘କାଓ କଲ୍‌ଚର ମ୍ୟୁଜିୟମ୍‌’ ବା ଗାଈ ସଂସ୍କୃତି…

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri