ସୃଷ୍ଟିର ଅବିଚ୍ଛେଦ୍ୟ ଅଙ୍ଗ

ଭଗବାନଙ୍କ ସୃଷ୍ଟିରେ ପୁରୁଷ ଓ ନାରୀ ଦୁଇ ଅଭିନ୍ନ ଅଂଶ ହୋଇଥିବା ବେଳେ ଆଉ ଏକ ବୈଚିତ୍ର୍ୟ ଦେଖିବାକୁ ମିଳିଥାଏ। ଏହା ହିଁ ହେଉଛନ୍ତି କିନ୍ନର ବା ଟ୍ରାନ୍ସଜେଣ୍ଡର। ଏମାନେ ପୁରୁଷରେ କିମ୍ବା ନାରୀରେ ପରିଗଣିତ ହୋଇ ନ ଥାନ୍ତି। କାରଣ ଏମାନଙ୍କ ଚେହେରା ପୁରୁଷ ଭଳି ହୋଇଥିବା ବେଳେ ମନ ନାରୀ ଭଳି କିମ୍ବା ଏହାର ବିପରୀତ ହୋଇଥାଏ। ସମଗ୍ର ବିଶ୍ୱରେ କିନ୍ନରମାନେ ଭେଦଭାବ ସାମ୍ନା କରୁଥିବାରୁ ଏହା ବିରୋଧରେ ଜନସଚେତନତା ସୃଷ୍ଟି କରାଯାଉଛି।
ଆମ ଦେଶରେ ଜାତୀୟ ଆଇନ ସେବା ପ୍ରାଧିକରଣ (ଏନଏଲଏସ୍‌ଏ ) ଦ୍ୱାରା ଆଗତ ଏକ ମାମଲାର ବିଚାରକରି ସୁପ୍ରିମକୋର୍ଟ ୨୦୧୪ ଏପ୍ରିଲ ୧୪ରେ ଏକ ଐତିହାସିକ ରାୟ ପ୍ରଦାନ କରି କିନ୍ନରମାନଙ୍କୁ ତୃତୀୟ ଲିଙ୍ଗର ମାନ୍ୟତା ପ୍ରଦାନ କରିବା ସହ ସମ୍ବିଧାନର ସମସ୍ତ ଅଧିକାର ପ୍ରଦାନ କରିବା ନିମନ୍ତେ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। କିନ୍ନରମାନଙ୍କ ପାଇଁ ସମାଜରେ ଥିବା ଭେଦଭାବ, ଶିକ୍ଷା ବ୍ୟବସ୍ଥାରେ ଦୁର୍ବଳତା, ବେକାରି ଓ ସ୍ବାସ୍ଥ୍ୟସେବା ପାଇବାରେ ରହିଥିବା ଅସୁବିଧାଗୁଡ଼ିକ ଦୂରକରିବା ସହ ନ୍ୟାୟ ପ୍ରଦାନ କରିବା ନିମନ୍ତେ ଭାରତ ସରକାର ଟ୍ରାନ୍ସଜେଣ୍ଡର ବ୍ୟକ୍ତି ( ଅଧିକାରର ସୁରକ୍ଷା) ଆଇନ, ୨୦୧୯କୁ ପ୍ରଣୟନ କରିଥିଲେ। ଭାରତରେ ପ୍ରଥମ ଥର ପାଇଁ ୨୦୧୧ର ଜନଗଣନାରେ ପୁରୁଷ-୧, ମହିଳା-୨ ସହିତ ଅନ୍ୟାନ୍ୟ-୩ ବୋଲି କୋଡ୍‌ର ବ୍ୟବସ୍ଥା କରାଯାଇଥିଲା ଯେଉଁଥିରେ କିନ୍ନରମାନଙ୍କୁ ଗଣନା କରାଯାଇ ସେମାନଙ୍କ ସଂଖ୍ୟା ଓଡ଼ିଶାରେ ୨୦,୩୩୨ ସମେତ ୪,୮୭,୮୦୩ ବୋଲି ଜଣାପଡ଼ିଥିଲା। ଓଡ଼ିଶାରେ ଚିହ୍ନଟ ହୋଇଥିବା କିନ୍ନରଙ୍କ ମଧ୍ୟରେ ୨୧୨୫ ଜଣ (୦-୬) ଛୁଆ, ୩୨୩୬ ଜଣ ଏସ୍‌ସି, ୪୫୫୩ ଏସ୍‌ଟି ଥିଲାବେଳେ ସାକ୍ଷରତା ହାର ୫୪.୩୫% ବୋଲି ୨୦୧୧ ଜନଗଣନାରୁ ଜଣାପଡ଼େ।
ଶିବ ପୁରାଣ ଅନୁସାରେ ସୃଷ୍ଟିର ସଂରଚନା ସମୟରେ ମଣିଷ ଓ ଜୀବଜନ୍ତୁ ସୃଷ୍ଟି କରିବାରେ ବ୍ରହ୍ମାଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ତେଣୁ ବ୍ରହ୍ମା ମହାଦେବଙ୍କୁ ସହାୟତା ମାଗିଥିଲେ। ଫଳରେ ମହାଦେବ ନିଜ ଶରୀରରୁ ଅର୍ଦ୍ଧନାରୀଶ୍ୱର ରୂପ ଉତ୍ପନ୍ନକଲେ ଯେଉଁ ରୂପରେ କି ମହାଦେବ ପୂର୍ଣ୍ଣରୂପରେ ପୁରୁଷ ନା ସ୍ତ୍ରୀ ଥିଲେ। ଏହିଠାରେ ହିଁ କିନ୍ନର ମାନଙ୍କ ପରିକଳ୍ପନା ହେଲା ଯେଉଁଥିପାଇଁ ମହାଦେବଙ୍କୁ କିନ୍ନରମାନଙ୍କ ସୃଷ୍ଟିକର୍ତ୍ତା ବୋଲି ମାନ୍ୟତା ରହିଛି।
ସେହିପରି ତ୍ରେତୟା ଯୁଗରେ ଶ୍ରୀରାମଙ୍କ ବନବାସ ସମୟରେ ଭରତ ଯେତେବେଳେ ଶ୍ରୀରାମଙ୍କୁ ଫେରାଇ ଆଣିବା ପାଇଁ ଚିତ୍ରକୂଟ ଗଲେ ସେତେବେଳେ ତାଙ୍କ ସହ ସମସ୍ତ ଅଯୋଧ୍ୟାବାସୀ ମଧ୍ୟ ଯାଇଥିଲେ। ଶ୍ରୀରାମ କିନ୍ତୁ ସମସ୍ତ ନରନାରୀ ରାଜ୍ୟକୁ ଫେରିଯାଅ ବୋଲି ଅନୁରୋଧ କରିଥିଲେ। ସବୁ ନରନାରୀ ଫେରି ଆସିଲେ, କିନ୍ତୁ କିନ୍ନରମାନେ ରହିଗଲେ। ଶ୍ରୀରାମ ଯେଉଁଦିନ ବନବାସ ସାରି ଫେରିଲେ ସେତେବେଳେ ଦେଖିଲେ କିନ୍ନରମାନେ ସେମିତି ସେହି ଜାଗାରେ ବସିଛନ୍ତି। ଶ୍ରୀରାମ ପଚାରିଲେ ତୁମେ କାହିଁକି ବସିଛ? କିନ୍ନରମାନେ କହିଲେ, ପ୍ରଭୁ! ଆପଣ ସବୁ ନରନାରୀ ଫେରିଯାଅ ବୋଲି କହିଥିଲେ, କିନ୍ତୁ ଆମ ପାଇଁ କିଛି କହି ନ ଥିଲେ। ତେଣୁ ଆମେ ୧୪ ବର୍ଷ ହେଲା ଆପଣଙ୍କ ଫେରିବା ବାଟକୁ ଏମିତି ଅନାଇ ବସିଛୁ। ଶ୍ରୀରାମ କିନ୍ନରମାନଙ୍କ ଭକ୍ତିରେ ଖୁସି ହୋଇ ବରଦାନ ଦେଲେ ଯେ ତୁମେମାନେ ଆଜିଠାରୁ ଯାହାକୁ ଯାହା ଆଶୀର୍ବାଦ ଦେବ ତାହା ନିଶ୍ଚୟ ଫଳିବ।
ଦ୍ୱାପରଯୁଗରେ ପାଣ୍ଡବମାନଙ୍କ ଅଜ୍ଞାତବାସ ସମୟରେ ଅର୍ଜୁନ ବିରାଟ ରାଜାଙ୍କ ଦରବାରରେ ବୃହନ୍ନଳା ନାମକ କିନ୍ନର ବେଶରେ ରହିଥିଲେ। ସେହିପରି ମହାଭାରତ ଯୁଦ୍ଧରେ ଶିଖଣ୍ଡି ଚରିତ୍ର ମଧ୍ୟ ଅନେକ ମୂଲ୍ୟବାନ ଭୂମିକା ନିର୍ବାହ କରିଛି। ଶାନ୍ତି ପର୍ବରେ ଭୀମ କିନ୍ନର ମାନଙ୍କୁ ବହୁତ ସଦାଚାରୀ ଓ ମହାକବି କାଳିଦାସ ତାଙ୍କର କୁମାର ସମ୍ଭବରେ କିନ୍ନରମାନଙ୍କ ମନୋହାରୀ ବୋଲି ବର୍ଣ୍ଣନା କରିବା ଯୁଗେ ଯୁଗେ କିନ୍ନରମାନଙ୍କ ଅବସ୍ଥିତି ଓ ସେମାନଙ୍କ ପାଇଁ ଦିଆଯାଇଥିବା ସମ୍ମାନ ସମ୍ପର୍କରେ ଜଣାପଡ଼େ। ମୋଗଲ ସାମ୍ରାଜ୍ୟରେ ମଧ୍ୟ କିନ୍ନରମାନେ ବେଗମମାନଙ୍କ ଦେହରକ୍ଷୀ ଭାବରେ ନିଯୁକ୍ତି ପାଇବା ଇତିହାସରୁ ଜଣାପଡ଼େ। କୈଳାସ ପର୍ବତ ମଧ୍ୟ କିନ୍ନରମାନଙ୍କ ପ୍ରଧାନ ସ୍ଥାନ ବୋଲି ଉଲ୍ଲେଖ ରହିଛି ଓ ତାମିଲନାଡୁର ଭିଲ୍ଲୁପୁରମ ଜିଲାର କୁଭାଗମ ଗ୍ରାମରେ ଥିବା ଆରବାନ ଦେବତାଙ୍କ ମନ୍ଦିରରେ ମହାଭାରତ ସମୟରୁ ୧୮ ଦିନ ଧରି କିନ୍ନରମାନଙ୍କ ଦ୍ୱାରା ପାଳନ ହେଉଥିବା ଉତ୍ସବ ବିଶ୍ୱ ପ୍ରସିଦ୍ଧ, ଯେଉଁଥିରେ କି ଦେଶ ବିଦେଶରୁ ବହୁ ସଂଖ୍ୟାରେ କିନ୍ନର ଆସି ଯୋଗଦାନ କରନ୍ତି।
ସାରା ବିଶ୍ୱରେ ଏମାନଙ୍କ ସଂଖ୍ୟା ବହୁତ କମ୍‌ ହୋଇଥିଲେ ମଧ୍ୟ ସେମାନେ ଏବେ ବହୁ ସାମାଜିକ ଅନୁଷ୍ଠାନରେ ସାମିଲହୋଇ ସମାଜର ଉନ୍ନତିରେ ସହଭାଗୀ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ତାମିଲନାଡୁର ସତ୍ୟଶ୍ରୀ ଶର୍ମିଳା ୨୦୧୮ରେ ଦେଶର ପ୍ରଥମ କିନ୍ନର ଓକିଲ ଭାବରେ ନିଜକୁ ଉପସ୍ଥାପନ କରିଥିବା ବେଳେ ପୃଥିକା ୟାସିନୀ ଦେଶର ପ୍ରଥମ ମହିଳା ଟ୍ରାନ୍ସଜେଣ୍ଡର ପୋଲିସ ସବ୍‌ ଇନ୍ସପେକ୍ଟର ଭାବରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ୨୦୧୬ରେ ନିତାଶା ବିଶ୍ୱାସଙ୍କୁ ଭାରତର ପ୍ରଥମ ଟ୍ରାନ୍ସଜେଣ୍ଡର ବ୍ୟୁଟି କୁଇନ୍‌ ଉପାଧି ପ୍ରଦାନ କରାଯାଇଛି। କିନ୍ନର ଓ ଗରିବ ଝିଅମାନଙ୍କ ଅବାଧ ଚାଲାଣ ଓ ଯୌନ ବ୍ୟାପାରକୁ ବିରୋଧ କରିବା ପାଇଁ ଅଣ୍ଟା ଭିଡ଼ି ଆଗେଇ ଆସିଛନ୍ତି ବିଶିଷ୍ଟ ଲେଖିକା, ଗଣମାଧ୍ୟମ ପ୍ରତିନିଧି, ଅଭିନେତ୍ରୀ ତଥା ବେଶ୍‌ ଜଣାଶୁଣା ଆଙ୍କର କଳ୍‌କି ସୁବ୍ରମଣ୍ୟମ। କିନ୍ନରମାନେ ମଧ୍ୟ ବହୁ କଳାର ଅଧିକାରିଣୀ ହୋଇଛନ୍ତି। ଏମାନଙ୍କ ଜୀବନ ସଂଘର୍ଷପୂର୍ଣ୍ଣ। କଦାପି ହାର ନ ମାନି ସମାଜରେ କିନ୍ନରମାନଙ୍କ ଯେଉଁ ବଦନାମ ଚେହେରା ରହିଛି ତାହାକୁ ଭୁଲ୍‌ ବୋଲି ପ୍ରମାଣକରି ଅନ୍ୟମାନଙ୍କର ପ୍ରେରଣାର ଉତ୍ସ ହୋଇପାରିଛନ୍ତି।
ଓଡ଼ିଶା ସରକାରଙ୍କ ଟ୍ରାନ୍ସଜେଣ୍ଡାର ପଲିସି ୨୦୧୭ ଓ ସ୍ବୀକୃତି ଯୋଜନା ଅନୁଯାୟୀ ସେମାନଙ୍କର ସର୍ବେକ୍ଷଣ କରାଯାଇ ଚିହ୍ନଟ କରିବା, ପ୍ରମାଣପତ୍ର ଓ ବହୁମୁଖୀ ସ୍ମାର୍ଟ କାର୍ଡ ପ୍ରଦାନ କରିବା, ଅଭିଭାବକମାନଙ୍କୁ ସହାୟତା ଓ ପିଲାମାନଙ୍କୁ ଶିକ୍ଷାବୃତ୍ତି ପ୍ରଦାନ କରିବା,ସ୍ବାସ୍ଥ୍ୟ ସୁବିଧା,ନ୍ୟାୟ ଓ ସଚେତନତା କାର୍ଯ୍ୟକ୍ରମ ପାଇଁ ଜାଗରଣ ସୃଷ୍ଟି କରିବା ଇତ୍ୟାଦି ଲାଗି ପଦକ୍ଷେପ ନିଆଯାଉଛି।
ଟ୍ରାନ୍ସଜେଣ୍ଡରମାନେ ଆମ ସମାଜର ଅବିଚ୍ଛେଦ୍ୟ ଅଙ୍ଗ। ସେମାନେ ମଧ୍ୟ ଆମ ପରି ଜଣେ ଜଣେ ମଣିଷ। ତେଣୁ ସେମାନଙ୍କୁ ଆମେ ସାଧାରଣ ମଣିଷ ପରି ଦେଖିବା ସହ ଉପଯୁକ୍ତ ସମ୍ମାନ ଦେଇପାରିଲେ ସମାଜରେ ଏକ ସୁସ୍ଥ ବାତାବରଣ ନିଶ୍ଚିତ ଭାବରେ ସୃଷ୍ଟିହେବ ଏଥିରେ ଦ୍ୱିମତ ହେବାର ନାହିଁ।
କଚେରିସାହି,ଦେବଗଡ଼
ମୋ: ୯୪୩୭୨୧୮୯୧୭


Enter your email to get our daily news in your inbox.

All Right Reserved By Dharitri.Com

ଅହିଂସା ଓ ଅସ୍ପୃଶ୍ୟତା

ଅହିଂସାକୁ ହିନ୍ଦୁଧର୍ମରେ ଶ୍ରେଷ୍ଠ ସଦାଚାର ବା ଗୁଣ ବୋଲି ବିବେଚନା କରାଯାଏ। ଏହା ସଦାଚାରୀ ସନ୍ନ୍ୟାସୀ, ଦୟାଶୀଳ ଋଷି ତଥା ଶ୍ରେଷ୍ଠ ନୈତିକ ଜୀବନର ଭାବମୂର୍ତ୍ତିକୁ ପରିପ୍ରକାଶକରେ।…

ଏମିତି ଥିଲା ଗାଁ

ଭାରତର ଆତ୍ମା ହେଉଛି ଗାଁ। ସଭ୍ୟତା, ସଂସ୍କୃତି, ପରମ୍ପରା, ସାମାଜିକ ବନ୍ଧନ ଓ ସଦାଚାରର ପ୍ରାଣକେନ୍ଦ୍ର ଯେଉଁଠି ଗୋଟିଏ ଘରେ ସୋରିଷ ଫୁଟିଲେ ସମ୍ପୂର୍ଣ୍ଣ ଗାଁକୁ ବାସିଥାଏ।…

କୃଷି ରପ୍ତାନିର ନୂତନ ଆଶା

ରାଜ୍ୟର କୃଷିବିକାଶ ଓ କୃଷକମାନଙ୍କ ଆୟବୃଦ୍ଧି ପାଇଁ କୃଷି-ରପ୍ତାନି ଏକ ପ୍ରମୁଖ ମାର୍ଗ। କୃଷି-ରପ୍ତାନି ପାଇଁ ପାରମ୍ପରିକ ଜୈବିକ କୃଷି ଓ ଅତ୍ୟାଧୁନିକ କୃଷି ଅଧିକ ସୁଯୋଗ…

ଲକ୍ଷ୍ୟହୀନ ଯୁଦ୍ଧ

ଇରାନ୍‌ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ପରେ ମଧ୍ୟପ୍ରାଚ୍ୟରେ ସୃଷ୍ଟି ହୋଇଥିବା ଯୁଦ୍ଧ ୨୩ ମାର୍ଚ୍ଚରେ ଭିନ୍ନ ମୋଡ଼ରେ ପହଞ୍ଚିଥିଲା। ଏହିଦିନ ଆମେରିକା ରାଷ୍ଟ୍ରପତି…

ଜୀବନର ନୈତିକ ମୂଲ୍ୟବୋଧ

କଥାରେ ଅଛି-‘ଥିଲେ ଥାଉ ପଛେ ଗୁଣ ହଜାର, ଚରିତ୍ର ନଥିଲେ ସବୁ ଅସାର।’ ସୁତରାଂ ଆମ ଜୀବନରେ ନୈତିକ ମୂଲ୍ୟବୋଧର ଏକ ମୁଖ୍ୟ ଆଧାର ହେଉଛି –…

ପେଟ୍ରୋଡଲାର ସାମ୍ରାଜ୍ୟ

ପୃଥିବୀର କୌଣସି ଏକ ପେଟ୍ରୋଲ୍‌ ପମ୍ପରେ ଗାଡ଼ିରେ ଇନ୍ଧନ ଭରିବା ଦୃଶ୍ୟ ସାଧାରଣ ହୋଇପାରେ, କିନ୍ତୁ ଏହା ପ୍ରଚ୍ଛଦପଟରେ ଏକ ବିଶାଳ ଆର୍ଥିକ ବ୍ୟବସ୍ଥା କାମ କରୁଥାଏ,…

ଆମେରିକା ଅପଦସ୍ଥ

ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜକୁ ୪୮ ଘଣ୍ଟା ମଧ୍ୟରେ ସମ୍ପୂର୍ଣ୍ଣ ଖୋଲା ନ କଲେ ଇରାନକୁ ଭୟାବହ ସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ…

ତିନି ଚିରଞ୍ଜୀବୀଙ୍କ ବିଚାର

ଶହୀଦ ଭଗତ ସିଂ, ସୁଖଦେବ ଓ ଶିବରାମ ରାଜଗୁରୁଙ୍କ ଅପରାଧଜନିତ ବିଚାରକୁ କଦାପି ବିଚାର କୁହାଯାଇ ପାରିବ ନାହିଁ। ତାହା ଅନ୍ୟାୟ, ଅବିବେକିତା ଓ ଅସଭ୍ୟତାର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri