ପେଟୁଙ୍କୁ ପ୍ରମାଦ

ଶରୀରର ଆବଶ୍ୟକତା ଅନୁସାରେ ସମସ୍ତ ପୁଷ୍ଟି ଯୋଗାଇ ପାରୁଥିବା ପରିମାଣ ଅପେକ୍ଷା ଅଧିକ ଖାଦ୍ୟ ଖାଉଥିବା ଲୋକଙ୍କୁ ସାଧାରଣ ଭାବେ ଆମେ ପେଟୁ ବୋଲି କହିପାରିବା। ଉଦାହରଣ ସ୍ବରୂପ, ପୁଷ୍ଟି ବିଜ୍ଞାନୀମାନେ ଜଣେ ପ୍ରାୟ ୬୫ରୁ ୭୦ କିଲୋଗ୍ରାମ ଓଜନର ସୁସ୍ଥ ପୁରୁଷ ଏବଂ ବିଶେଷ ଶାରୀରିକ ଶ୍ରମ କରୁନଥିବା ଲୋକ ପାଇଁ ନିର୍ଦ୍ଧାରଣ କରିଥିବା ଦୈନିକ ଆହାର ହେଲା ୨୭୦ ଗ୍ରାମ ଚାଉଳ, ଗହମ ଓ ମିଲେଟ ଆଦି ଶ୍ୱେତସାରଯୁକ୍ତ ଖାଦ୍ୟ, ୯୦ ଗ୍ରାମ ଡାଲିଜାତୀୟ ପ୍ରୋଟିନ୍‌ଯୁକ୍ତ ପଦାର୍ଥ, ୧୦୦ ଗ୍ରାମ ଶାଗ ଆଦି ସବୁଜ ପନିପରିବା, ୨୦୦ ଗ୍ରାମ ଅନ୍ୟାନ୍ୟ ପନିପରିବା, ୧୦୦ ଗ୍ରାମ ଚେର ଓ କନ୍ଦାଜାତୀୟ (ଆଳୁ ବ୍ୟତୀତ), ୧୦୦ ଗ୍ରାମ ଫଳମୂଳ, ୩୦୦ ଗ୍ରାମ କ୍ଷୀର, ୩୦ ଗ୍ରାମ ତୈଳ, ଚର୍ବି ଓ ଅନ୍ୟାନ୍ୟ ସ୍ନେହସାର, ୪୦ ଗ୍ରାମ ତୈଳବୀଜ ଓ କୋଳି ଏବଂ ୧୦ ଗ୍ରାମ ମସଲା। ମାଛ ମାଂସ ଖାଉଥିବା ଲୋକେ ଡାଲି ଓ ସ୍ନେହସାରଯୁକ୍ତ ଖାଦ୍ୟ କିଛି କମ୍‌ କରିପାରିବେ। ପୁନଶ୍ଚ ବୟସ, ଲିଙ୍ଗଭେଦ, ସ୍ବାସ୍ଥ୍ୟାବସ୍ଥା, ବୃତ୍ତି ଓ ଶ୍ରମ ଆଦି ଉପରେ ନିର୍ଭର କରି ଏହା ଅଲଗା ଅଲଗା ହୋଇଥାଏ। ଉପରୋକ୍ତ ଖାଦ୍ୟଗୁଡ଼ିକରୁ ମିଳିଥାଏ ଜଣେ ଲୋକର ସାଧାରଣ ଆବଶ୍ୟକତା ପୂରଣ କରିବାକୁ ୧୬୦୦ରୁ ୨୪୦୦ କ୍ୟାଲୋରି ଶକ୍ତି ଏବଂ ତା’ ଶରୀରର ଅନ୍ୟସବୁ କ୍ରିୟା ପ୍ରକ୍ରିୟା ପାଇଁ ଆବଶ୍ୟକ ସମସ୍ତ ପୌଷ୍ଠିକ ଉପାଦାନ। ତହିଁରୁ ଅଧିକ ଭୋଜନ କଲେ ଏବଂ ସେହି ଅନୁପାତରେ ଶାରୀରିକ ଶ୍ରମ ନ କଲେ ତାହା ସ୍ବାସ୍ଥ୍ୟ ପ୍ରତି ଅହିତକର ହୋଇଥାଏ।
ପେଟୁମାନଙ୍କର ଖାଦ୍ୟ ପ୍ରତି ଥାଏ ଅସାଧାରଣ ଆକର୍ଷଣ। ସେମାନେ ଯେ କେବଳ ଅଧିକ ଖାଦ୍ୟ ଖାଆନ୍ତି ତା’ ନୁହେଁ, ତାଙ୍କ ଖାଇବାର ସମୟ ଅସମୟ ନ ଥାଏ। ଅନ୍ୟପକ୍ଷେ ତାଙ୍କ ମଧ୍ୟରୁ ଅନେକ ମାନସିକ କ୍ଷୁଧାର ମଧ୍ୟ ଶିକାର ହୋଇଥା’ନ୍ତି। ପୁନଶ୍ଚ ଏବେ ବଢ଼ି ବଢ଼ି ଚାଲିଛି ନାନାଦି ନୂଆ ପ୍ରକାରର ଅପପୁଷ୍ଟିକାରୀ ସୁସ୍ବାଦୁ ଖାଦ୍ୟ ଓ ପାନୀୟଙ୍କ ଆବିର୍ଭାବ। ସାଧାରଣ ଲୋକଙ୍କର ଏଥିପ୍ରତି ବଢ଼ିବାର ଲାଗିଛି ଆକର୍ଷଣ। ପେଟୁମାନଙ୍କ କ୍ଷେତ୍ରରେ ତାହା ବହୁ ମାତ୍ରାରେ। ଏଗୁଡ଼ିକୁ ସାମଗ୍ରିକ ଭାବେ କୁହାଯାଉଛି ଜଙ୍କ୍‌ ଫୁଡ୍‌ ବା କଳଙ୍କି ଖାଦ୍ୟ। ଉଦାହରଣ ସ୍ବରୂପ, ଆମେ ଗୋଟିଏ ଭୋଜନରେ ଖାଉଥିବା ବଡ଼ ‘ହାମ ବର୍‌ଜର୍‌’ ଓ ସେଥିପ୍ରତି ଅନ୍ୟାନ୍ୟ ଜିନିଷ ଯୋଗାଇଥାଏ ପ୍ରାୟ ୧୫୦୦ କ୍ୟାଲୋରି। ଏଣୁ ଜଣେ ଯଦି ଏହାକୁ ୩ ଥର ଖାଏ, ତା’ ହେଲେ ଦୈନିକ ସେ ପ୍ରାପ୍ତ ହେବ ୪୫୦୦ କ୍ୟାଲୋରି (ସାଧାରଣତଃ ଅତିବେଶୀରେ ଆବଶ୍ୟକତା ୨୪୦୦ରୁ ୨୫୦୦ ହେବା ବେଳେ)। ସେହିପରି ଅଧିକ ମଦ୍ୟପାନ ଏବଂ ଚର୍ବି ଓ ଶର୍କରାବହୁଳ ଖାଦ୍ୟ ପିଜା, କେକ୍‌, ନୁଡୁଲ୍ସ, ନରମ ପାନୀୟ, ଫଳରସ ଇତ୍ୟାଦିରେ ଅତ୍ୟଧିକ କ୍ୟାଲୋରି ଥାଏ, ଯାହାକି ଶରୀର ମଧ୍ୟରେ ଚର୍ବି ରୂପେ ଜମା ହୋଇରହେ।
ଏହି ଅସ୍ବାସ୍ଥ୍ୟକର ଖାଦ୍ୟାଭ୍ୟାସ ସହିତ ଶାରୀରିକ ଶ୍ରମହୀନତା ଏବେ ଆମ ଦେଶ ସମେତ ସାରା ବିଶ୍ୱରେ ସୃଷ୍ଟି କରିଛି ପୃଥୁଳତା ସମସ୍ୟା। ଏକ ଆକଳନରୁ ଜଣାପଡ଼ିଛି ଯେ, ୧୯୬୦ରୁ ୨୦୨୨ ମଧ୍ୟରେ ଯନ୍ତ୍ର ଉପରେ ନିର୍ଭରଶୀଳତା ବଢ଼ି ଚାଲିଥିବା ଦୃଷ୍ଟିରୁ ଶାରୀରିକ ଶ୍ରମ ପ୍ରାୟ ୪୫% ହ୍ରାସ ପାଇଛି। ବିଗତ ମାର୍ଚ୍ଚ ୪ ତାରିଖ ୨୦୨୪ ଦିନ ବିଶ୍ୱ ପୃଥୁଳତା ଦିବସ ପାଳନ ଉପଲକ୍ଷେ ସୁପ୍ରସିଦ୍ଧ ସ୍ବାସ୍ଥ୍ୟ ଗବେଷଣା ପତ୍ରିକା ‘ଲାନ୍‌ସେଟ୍‌’ ପ୍ରଦାନ କରିଥିବା ଏକ ସୂଚନା ଅନୁସାରେ ୨୦୨୨ ମସିହାରେ ପୃଥିବୀରେ ପ୍ରାୟ ୧୦୩୮ ନିୟୁତ ଲୋକ ଥିଲେ ପୃଥୁଳକାୟ। ସେମାନଙ୍କ ମଧ୍ୟରୁ ପ୍ରାୟ ୧୫୯ ନିୟୁତ ଥିଲେ ଶିଶୁ (୫ରୁ ୧୯ ବର୍ଷ ବୟସ) ଏବଂ ପ୍ରାୟ ୮୭୯ ନିୟୁତ ଥିଲେ ପ୍ରାପ୍ତ ବୟସ୍କ। ଭାରତରେ (୨୦ରୁ ୫୯ ବର୍ଷ) ଏମାନଙ୍କ ସଂଖ୍ୟା ଯଥାକ୍ରମେ ୧ କୋଟି ଏବଂ ୭ କୋଟି (ସମୁଦାୟ ୮ କୋଟି)।
ପୃଥୁଳତାକୁ ମପାଯାଏ ‘ବଡିମାସ୍‌ ଇଣ୍ଡେକ୍ସ’ରେ। ଏହା ହେଲା ବ୍ୟକ୍ତିର ଶରୀର ଓଜନ (କିଲୋଗ୍ରାମରେ) ହରଣ ତା’ ଉଚ୍ଚତା (ମିଟରରେ)ର ବର୍ଗ। ଏଥି ଅନୁଯାୟୀ କାହାରି ଏହା ୧୮.୫ରୁ କମ୍‌ ହେଲେ ତାକୁ ‘କମ୍‌ ଓଜନ’ ବୋଲି ଗଣନା କରାଯାଏ ା ଅନ୍ୟପକ୍ଷରେ ‘ବଡିମାସ୍‌ ଇଣ୍ଡେକ୍ସ’ (ବା ବିଏମ୍‌ଆଇ) ୧୮.୬ରୁ ୨୨.୯, ୨୩ରୁ ୨୪.୯ ଏବଂ ୨୫ ବା ଅଧିକ ହେଲେ ସେମାନଙ୍କୁ ସାଧାରଣ (ସୁସ୍ଥ) ଭାରି ଏବଂ ଅତି ଭାରି ବା ପୃଥୁଳ ଶ୍ରେଣୀର ଅନ୍ତର୍ଭୁକ୍ତ କରାଯାଏ। କିଛି ଲୋକ ପତଳା ବା କମ୍‌ ଓଜନ ବିଶିଷ୍ଟ ହେବାର ମୁଖ୍ୟ କାରଣ ହେଲା ଯଥେଷ୍ଟ ମାତ୍ରାରେ ସନ୍ତୁଳିତ ଆହାରର ଅଭାବ। ତେବେ ଏହା ଜିନୀୟ ମଧ୍ୟ ହୋଇପାରେ। ଅନ୍ୟପକ୍ଷରେ ପୃଥୁଳତା ହୋଇଥାଏ ଅଧିକ ମାତ୍ରାରେ ଅଣସନ୍ତୁଳିତ ଭୋଜନ ଏବଂ ଶ୍ରମହୀନତା ଯୋଗୁ ଉଭୟକୁ ଏବେ ‘ଅପପୁଷ୍ଟି’ ଶ୍ରେଣୀଭୁକ୍ତ କରାଯାଉଛି।
ଗଣନାରୁ ଜଣାଯାଇଛି ଯେ, କ୍ରମେ ପୃଥୁଳଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଥିବା ବେଳେ ପତଳାଙ୍କ ସଂଖ୍ୟା କମି କମି ଚାଲିଛି। ଉଦାହରଣ ସ୍ବରୂପ, ଆମ ଦେଶରେ ୧୯୯୦ରୁ ୨୦୨୨ ମଧ୍ୟରେ ୫ରୁ ୧୯ ବର୍ଷୀୟା ଝିଅ ଏବଂ ପୁଅ ତଥା ପ୍ରାପ୍ତବୟସ୍କ, ଅର୍ଥାତ୍‌ ୨୦ରୁ ୫୯ ବର୍ଷୀୟା ନାରୀ ଏବଂ ପୁରୁଷମାନଙ୍କ କ୍ଷେତ୍ରରେ ଯଥାକ୍ରମେ ପୃଥୁଳତା ବୃଦ୍ଧି ଘଟିଛି। ୦.୧ରୁ ୩.୧ ଏବଂ ୦.୧ରୁ ୩.୯ ତଥା ୧.୨ରୁ ୯.୮ ଏବଂ ୦.୫ରୁ ୫.୪ ଶତାଂଶକୁ ଅର୍ଥାତ୍‌ ସଂଖ୍ୟାଦୃଷ୍ଟିରୁ ପୃଥୁଳକାୟ ନାରୀଙ୍କ ସଂଖ୍ୟା ୪.୪ କୋଟି, ପୁରୁଷଙ୍କ ସଂଖ୍ୟା ୨.୬ କୋଟି ବୃଦ୍ଧି ହେଲା ବେଳେ ଶିଶୁଙ୍କ ମଧ୍ୟରେ ପୁଅଙ୍କ ସଂଖ୍ୟା ୭୦ ଲକ୍ଷ ଏବଂ ଝିଅଙ୍କ ସଂଖ୍ୟା ୫୦ ଲକ୍ଷ ବଢ଼ିଛି।
ଅନ୍ୟପକ୍ଷରେ ପତଳାମାନଙ୍କ ସଂଖ୍ୟା ୨୭.୩ରୁ ୨୦.୩ (ପ୍ରାପ୍ତବୟସ୍କା ନାରୀ), ୪୫.୧ରୁ ୨୧.୭ (ପ୍ରାପ୍ତବୟସ୍କ ପୁରୁଷ), ୪୧.୭ରୁ ୧୩.୭ (ଝିଅ) ଏବଂ ୩୯.୮ରୁ ୧୨.୫ (ପୁଅ) ଶତାଂଶକୁ ହ୍ରାସ ପାଇଛି।
ସ୍ବାସ୍ଥ୍ୟ ଉପରେ ପୃଥୁଳତାର ପ୍ରଭାବ ଅତି ସୁଦୂରପ୍ରସାରୀ। ଏଣୁ ‘ଆମେରିକାନ୍‌ ସୋସାଇଟି ଫର ମେଟାବୋଲିକ୍‌ ଆଣ୍ଡ ବାରିଆଟ୍ରିକ ସର୍ଜରି’ ଏହାକୁ ଏକ ଗୁରୁତର ବ୍ୟାଧି ଏବଂ ବହୁବିଧ ବ୍ୟାଧି ସୃଷ୍ଟିକାରୀ ରୂପେ ଅଭିହିତ କରିଛି। ତଦନୁସାରେ ଏହା ଉଚ୍ଚ ରକ୍ତ ଶର୍କରାର ସମ୍ଭାବନା ୧୦ଗୁଣ ଏବଂ ମଧୁମେହ ଟାଇପ୍‌-୨ରେ ଅକାଳ ମୃତ୍ୟୁର ସମ୍ଭାବନା ଦୁଇଗୁଣ ବୃଦ୍ଧି କରେ। ସେହିପରି ଉଚ୍ଚ ରକ୍ତଚାପ ରୋଗୀଙ୍କ ମଧ୍ୟରେ ୪ ଜଣରୁ ୩ ଜଣ ହେଉଛନ୍ତି ପୃଥୁଳକାୟ। ‘ଆମେରିକାନ୍‌ ହାର୍ଟ ଆସୋସିଏଶନ’ ଏହାକୁ ବିଭିନ୍ନ ପ୍ରକାର ହୃଦ୍‌ରୋଗର ଏକ ମୁଖ୍ୟ କାରଣ ରୂପେ ଅଭିହିତ କରିଛି। ଏଥିଅନୁସାରେ ଏହା ହୃତ୍‌ସ୍ପନ୍ଦନକୁ ଅନିୟମିତ କରିଥାଏ ା ପୁନଶ୍ଚ ଏହା ମଧ୍ୟ ଶ୍ୱାସକ୍ରିୟା ସମ୍ପର୍କରେ ସାମର୍ଥ୍ୟ ହ୍ରାସ କରେ।
ଏଣୁ ଶରୀରରେ ଅମ୍ଳଜାନର ଅଭାବ, ଫୁସ୍‌ଫୁସ୍‌ ସଂକ୍ରମଣ, ଶ୍ୱାସରୋଗ ଏବଂ ସଂଘାତ ତଥା ବୃକକ୍‌ ଆଦି ରୋଗର ଏହା କାରଣ । ପୃଥୁଳକାୟଙ୍କ ମଧ୍ୟରେ ୩/୪ ଗୁଣ ଅଧିକ ଶ୍ୱାସରୋଗୀ ଦେଖାଯା’ନ୍ତି। ଅନ୍ୟପକ୍ଷରେ ୫୦ରୁ ୬୦ ଶତାଂଶ ପୃଥୁଳକାୟ ଏବଂ ୯୦ ଶତାଂଶ ଅତ୍ୟଧିକ ପୃଥୁଳକାୟ ‘ଅବ୍‌ଷ୍ଟ୍ରକ୍‌ଟିଭ୍‌ ସ୍ଲିପ୍‌ ଆପ୍ଟେଆ’ର ଶିକାର ହୁଅନ୍ତି। ପୃଥୁଳତା ପ୍ରାୟ ସବୁ ପ୍ରକାର କର୍କଟ ରୋଗର ସମ୍ଭାବନା ବୃଦ୍ଧି କରେ। ଏଣୁ ପୃଥିବୀରେ ୫୨ ଶତାଂଶ ପୁରୁଷ ଏବଂ ୬୨ ଶତାଂଶ ନାରୀ କର୍କଟରୋଗୀ ସାଧାରଣତଃ ପୃଥୁଳକାୟ। ପୃଥୁଳତା ରକ୍ତ ସଂଚାଳନ ପ୍ରକ୍ରିୟା ଉପରେ ଚାପ ପକାଏ। ଏଣୁ ହୃତ୍‌ପିଣ୍ଡରେ ଜ୍ୱଳନ, ପାକସ୍ଥଳୀରେ ଅମ୍ଳସୃଷ୍ଟି, ଅନ୍ତ୍ରନଳୀ ଏବଂ ଖାଦ୍ୟନଳୀ କ୍ଷତିଗ୍ରସ୍ତ ହେବାର ପ୍ରାୟ ୧୦ ଜଣ ପୃଥୁଳକାୟଙ୍କ ମଧ୍ୟରେ ୨ ଜଣଙ୍କଠାରେ ଦେଖାଯାଏ। ହାଡ଼ ଏବଂ ଗଣ୍ଠିକୁ ମଧ୍ୟ ପୃଥୁଳତା କ୍ଷତି ପହଞ୍ଚାଏ। ପୁନଶ୍ଚ ଏହା ଆଣ୍ଠୁଗଣ୍ଠିବାତ, ମେରୁଦଣ୍ଡରେ ଅବ୍ୟବସ୍ଥା, ପୃଷ୍ଠଦେଶରେ ଯନ୍ତ୍ରଣା, ମସ୍ତିଷ୍କ ଉପରେ ଚାପ ବୃଦ୍ଧି ସମେତ ମୁଣ୍ଡବ୍ୟଥା, ଦୃଷ୍ଟିଶକ୍ତି ସମସ୍ୟା, ବିଭ୍ରାନ୍ତି ଇତ୍ୟାଦି ସହିତ ସମ୍ପୃକ୍ତ।
ଏହାର ନିରାକରରଣ ଓ ନିୟନ୍ତ୍ରଣ ଲାଗି କେତେକ ମାର୍ଗଦର୍ଶିକା ଜାରି କରିଛି ଆମେରିକାର ‘ଡିପାର୍ଟମେଣ୍ଟ ଅଫ୍‌ ହେଲ୍‌ଥ କେୟାର ଆଡଲଟସ୍‌’। ନିୟନ୍ତ୍ରିତ ଆହାର, ଅର୍ଥାତ୍‌ ଯେଉଁସବୁ ଖାଦ୍ୟ ପୃଥୁଳତାର କାରଣ ସେସବୁ ନିୟନ୍ତ୍ରଣ କରିବା, ସପ୍ତାହକୁ ଅତିକମ୍‌ରେ ୧୫୦ ମିନିଟ୍‌ ସାଧାରଣ ମାତ୍ରାରେ ବ୍ୟାୟାମ ଯେପରିକି ସାଇକେଲ ଚଳାଇବା, ଶୀଘ୍ରଶୀଘ୍ର ଚାଲିବା ଆଦି ଏ ଦିଗରେ ସହାୟକ ହୋଇପାରେ ବୋଲି ଏଥିରେ ସୂଚିତ କରାଯାଇଛି ।

  • ପ୍ର. ରମେଶ ଚନ୍ଦ୍ର ପରିଡ଼ା
    ମୋ: ୯୯୩୭୩୦୧୪୬୦

Enter your email to get our daily news in your inbox.

All Right Reserved By Dharitri.Com

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

ସମୁଦ୍ରର ନୂଆ ଭୂଗୋଳ

ସମଗ୍ର ପୃଥିବୀରେ ଯେତେ ସମୁଦ୍ର ଅଛି ସେମାନଙ୍କର ଜଳରାଶି ପ୍ରତିବର୍ଷ ୩.୦୬ ମିଲିମିଟର ହାରରେ ବଢିବାରେ ଲାଗିଛି। ସେ ଭିତରୁ ବଙ୍ଗୋପସାଗରରେ ଜଳରାଶି ଅଧିକ ହାରରେ ବୃଦ୍ଧି…

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri