ନବରଙ୍ଗପୁର,୧।୧୦(ସଦାଶିବ ପ୍ରହରାଜ ): ମାନବିକତାକୁ ଲଜ୍ଜିତ କଲା ଅମାନବୀୟ ଘଟଣା । ୮୦ ବର୍ଷୀୟା ବୃଦ୍ଧାଙ୍କୁ ଜଙ୍ଗଲରେ ବଳାତ୍କାର କରାଯାଇଥିବା ନେଇ ଅଭିଯୋଗ ହୋଇଛି । ଜଙ୍ଗଲରୁ ଚିତ୍କାର ଶୁଣି ପଥଚାରି ଦୌଡିଯାଇ ଉଦ୍ଧାର କରିଥିଲେ । ଅଭିଯୁକ୍ତଙ୍କୁ କାବୁ କରି ପୋଲିସର ଜିମା ଦେଲେ । ଏହିଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲା ରାଇଘର ଥାନା ଅଞ୍ଚଳରେ । ଅଭିଯୋଗ ଅନୁଯାୟୀ ସୋମବାର ଗାଁରୁ ନିଜ ଝିଅ ଘରକୁ ଚାଲି ଚାଲି ଯାଉଥିଲେ ୮୦ ବର୍ଷୀୟା ବୃଦ୍ଧା। ରାସ୍ତାରେ ଏକାକୀ ପାଇ ଜଣେ ଯୁବକ ତାଙ୍କୁ ଜଙ୍ଗଲ ଭିତରକୁ ଟାଣି ନେଇ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଘଟଣାଟି ସନ୍ଧ୍ୟା ପ୍ରାୟ ସାଢ଼େ ୬ଟା ହଠାତ୍ ଖୁଟୁଗାଁ ଜଙ୍ଗଲ ଭିତରୁ ଶୁଭିଥିଲା ଜଣେ ବୃଦ୍ଧାଙ୍କ ଆର୍ତ୍ତ ଚିତ୍କାର।
ରାସ୍ତା ଦେଇ ଯାଉଥିବା କିଛି ପଥଚାରି ଯୁବକ ଚିତ୍କାର ଶୁଣି ଜଙ୍ଗଲ ଭିତରକୁ ଦୌଡ଼ି ଯାଇଥିଲେ। ସେଠାରେ ଅଭିଯୁକ୍ତଙ୍କୁ କାବୁ କରିବା ସହ ପୀଡ଼ିତାଙ୍କୁ ଉଦ୍ଧାର କରିଥିଲେ। ଏହାପରେ ଘଟଣାସ୍ଥଳରେ ପହଞ୍ଚିଥିଲେ ଗ୍ରାମବାସୀ। ଅଭିଯୁକ୍ତଙ୍କୁ ଧରି ପୋଲିସକୁ ଖବର ଦେବା ସହ ପୀଡ଼ିତାଙ୍କୁ ରାଇଘର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଅଭିଯୁକ୍ତ ଜଣକ କୁରାବେଡ଼ା ପଞ୍ଚାୟତ ଅନ୍ତର୍ଗତ କଲିଆପଦର ଗାଁର ପିଲାରାମ ଗୌଡ଼ ବୋଲି ପୋଲିସ ଏସ ଡ଼ି ପି ଓ ଶୁଭେନ୍ଦୁ ଶବର ସୂଚନା ଦେଇଛି। ଅଭିଯୋଗ ଅନୁଯାୟୀ ରାଇଘର ଥାନାରେ ୨୪୭/୨୬ ରେ ଏକା ମାମଲା ରୁଜୁ କରାଯାଇଛି । ଚନ୍ଦନ ସାହୁ ମାମଲାରେ ତଦନ୍ତ କରୁଛନ୍ତି। ଘଟଣାକୁ ନେଇ ପୀଡ଼ିତାଙ୍କ ପୁଅ ରାଇଘର ଥାନାରେ ଲିଖିତ ଅଭିଯୋଗ କରିଥିଲେ ପରେ ଘଟଣାକୁ ନେଇ ସାଇଣ୍ଟିଫିକ ଟିମ ଆସି ସମସ୍ତ ତଥ୍ୟ ଓ ପ୍ରମାଣ ସଂଗ୍ରହ କରିଛନ୍ତି। ପୋଲିସ ତଦନ୍ତ ପରେ ଅଭିଯୁକ୍ତଙ୍କୁ ଡାକ୍ତରୀ ମାଇନା କରାଯାଇଥିଲା ଓ କୋର୍ଟ ଚାଲାଣ କରାଯାଇଛି ବୋଲି ପ୍ରେସମିଟ୍ରେ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଅନ୍ୟପଟେ ପୀଡିତା ବୃଦ୍ଧାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।
ଏହିଭଳି ଘଟଣା ଘଟଇଥିବା ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରାଯାଉ ବୋଲି ରାଇଘର ମହିଳା ସମିତି ସଙ୍ଘ ପକ୍ଷରୁ ଦାବି କରିବାକୁ ଥାନାର ଦ୍ୱାରସ୍ଥ ହୋଇଥିଲେ । ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ ସମୟରେ ପୋଲିସ ଗାଡି ଆଗରେ ମହିଳାମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ଏବଂ ଅଭିଯୁକ୍ତଙ୍କୁ ଆମେ ଦଣ୍ଡ ଦେବୁକହି ଅଭିଯୁକ୍ତଙ୍କୁ ଅଟକାଉ ଥିଲେ । ଏହିସମୟରେ ମହିଳା ସମିତି ସଙ୍ଘ ଓ ପୋଲିସ ମଧ୍ୟରେ ଏକ ଅପ୍ରିତିକାର ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହି ଘଟଣା ଏବେ ସ୍ଥାନୀୟ ଲୋକଙ୍କ ମନରେ ଅନେକ ପ୍ରଶ୍ନ ଛାଡ଼ି ଯାଇଛି । ଯେଉଁ ବୟସରେ ଜଣେ ମଣିଷ ସମାଜର ସୁରକ୍ଷା ଓ ସମ୍ମାନ ପାଇବା କଥା, ସେହି ବୟସରେ ଜଣେ ବୃଦ୍ଧାଙ୍କ ସହ ଏଭଳି ବଳାତ୍କାର ଅଭିଯୋଗ ସମାଜ ପାଇଁ ଏହାଠାରୁ ବଡ଼ ଲଜ୍ଜା ଆଉ କଣ ହୋଇପାରେ । ତେବେ ଏହି ଭଳି ଘଟଣା ମଧ୍ୟରେ ଗୋଟିଏ ଆଶାର ଆଲୋକ ଦେଖାଇଛନ୍ତି ଗ୍ରାମବାସୀ।
ଜଣେ ଅସହାୟ ବୃଦ୍ଧାଙ୍କ ଚିତ୍କାର ଶୁଣି ଜଙ୍ଗଲ ଭିତରକୁ ଦୌଡ଼ି ଯାଇ ତାଙ୍କୁ ଉଦ୍ଧାର କରି ଅଭିଯୁକ୍ତଙ୍କୁ ପୋଲିସ ହାତରେ ଦେଇଛନ୍ତି । ଏହିଭଳି ଅମାନବିୟ ଘଟଣା ହୁଏତ ମାନବିକତାକୁ ଧିକାର କରିଛି କିନ୍ତୁ ସେହି ଚିତ୍କାର ଶୁଣି ଦୌଡ଼ି ଆସିଥିବା ମଣିଷମାନେ ପ୍ରମାଣ କରିଛନ୍ତି ଯେ ମଣିଷ ସମାଜରେ ମାନବିକତା ଏବେ ବି ସମ୍ପୂର୍ଣ୍ଣ ମରି ଯାଇନାହିଁ ।

