ନୂଆଦିଲ୍ଲୀ, ୧୭ା୯ : ବାୟୁ ପ୍ରଦୂଷଣ ସଂସ୍ପର୍ଶରେ ଆସିବା ଦ୍ୱାରା ବ୍ୟକ୍ତିଙ୍କ ମଧ୍ୟରେ ଆତ୍ମହତ୍ୟା ପ୍ରବୃତ୍ତି ଏବଂ ଆତ୍ମହତ୍ୟାର ଚିନ୍ତାଧାରା ବୃଦ୍ଧି ପାଉଥିବା ନେଇ ଏକ ନୂତନ ଗବେଷଣାରୁ ପ୍ରକାଶ ପାଇଛି। ଏହି ପ୍ରଦୂଷକଗୁଡ଼ିକ ମଧ୍ୟରେ ବାୟୁରେ ଥିବା ସୂକ୍ଷ୍ମ ଧୂଳିକଣା ପିଏମ୍୨.୫, ପିଏମ୍୧୦ ଏବଂ ନାଇଟ୍ରୋଜେନ ଡାଇଅକ୍ସାଇଡ (ଏନ୍ଓ୨) ଗ୍ୟାସ୍ ଆତ୍ମହତ୍ୟା ଓ ଏହାର ପ୍ରବୃତ୍ତି ବୃଦ୍ଧିରେ ମୁଖ୍ୟ ଭୂମିକା ଗ୍ରହଣ କରୁଛନ୍ତି। ପ୍ରସିଦ୍ଧ ‘ଜର୍ନାଲ ଅଫ୍ ଏପିଡେମିଓଲୋଜି ଆଣ୍ଡ୍ କମ୍ୟୁନିଟି ହେଲ୍ଥ’ରେ ପ୍ରକାଶିତ ରିପୋର୍ଟରେ କୁହାଯାଇଛି, ଆତ୍ମହତ୍ୟା ନିରୋଧୀ ରଣନୀତି ପ୍ରସ୍ତୁତ କରିବା ସମୟରେ ପରିବେଶଗତ ପ୍ରଦୂଷଣକୁ ଏକ ଗୁରୁତ୍ୱପୂର୍ଣ୍ଣ କାରକ ଭାବେ ବିଚାର କରାଯିବା ଆବଶ୍ୟକ।
ଯୁକ୍ତରାଜ୍ୟସ୍ଥିତ କୁଇନ୍ସ ୟୁନିଭର୍ସିିଟି ବେଲଫାଷ୍ଟର ଗବେଷକ ଦଳ ବାୟୁ ପ୍ରଦୂଷଣ ଏବଂ ଆତ୍ମହତ୍ୟା ମଧ୍ୟରେ ଥିବା ସମ୍ପର୍କକୁ ନେଇ ୨୯ଟି ଭିନ୍ନ ଭିନ୍ନ ଗବେଷଣାରୁ ପ୍ରାପ୍ତ ତଥ୍ୟର ବିଶ୍ଳେଷଣ କରିଥିଲେ। ଅଳ୍ପସମୟ କିମ୍ବା ଦୀର୍ଘସମୟ ଧରି ପିଏମ୍୨.୫, ପିଏମ୍୧୦ ଏବଂ ଏନ୍ଓ୨ ର ସଂସ୍ପର୍ଶରେ ଆସିବା ଦ୍ୱାରା ମାନସିକ ଅବସାଦ ବୃଦ୍ଧି ପାଇବା ସହ ଆତ୍ମହତ୍ୟା ଚିନ୍ତାଧାରା ଏବଂ ପ୍ରୟାସ ବଢ଼ୁଥିବା ମେଟା-ଆନାଲିସିସ୍ରୁ ସ୍ପଷ୍ଟ ହୋଇଛି। ଏହାବାଦ ସଲ୍ଫର୍ ଡାଇଅକ୍ସାଇଡ, ଓଜୋନ, ଶବ୍ଦ ପ୍ରଦୂଷଣ ଏବଂ ବିଷାକ୍ତ ରାସାୟନିକ ପଦାର୍ଥ (ଆର୍ସେନିକ, ସୀସା, ଲିଥିୟମ) ଯୁକ୍ତ ଜଳ ଦ୍ୱାରା ସ୍ନାୟୁଗତ ସମସ୍ୟା, କ୍ରୋନିକ ଇନ୍ଫ୍ଲାମେସନ ଏବଂ ମସ୍ତିଷ୍କ କାର୍ଯ୍ୟଦକ୍ଷତା ହ୍ରାସ ପାଉଥିବା ନଜରକୁ ଆସିଛି।
ଅଷ୍ଟ୍ରେଲିଆସ୍ଥିତ କର୍ଟିନ ୟୁନିଭର୍ସିଟିର ପ୍ରଫେସର ବେନ ମଲିନ୍ସଙ୍କ କହିବା ଅନୁଯାୟୀ, ବାୟୁ ପ୍ରଦୂଷଣ ଓ ମାନସିକ ସ୍ବାସ୍ଥ୍ୟ ମଧ୍ୟରେ ସମ୍ପର୍କ ରହିବା ସ୍ବାଭାବିକ, ମାତ୍ର ଏହା ପଛରେ ଜଳବାୟୁର ଚରମ ପରିବର୍ତ୍ତନ ଓ ଆର୍ଥତ୍କ-ସାମାଜିକ କାରଣଗୁଡ଼ିକର ମଧ୍ୟ ପ୍ରଭାବ ରହିଛି। ଏହି ସମସ୍ୟାର ଠିକ୍ କାରଣ ଓ ନିରାକରଣ ସମ୍ପର୍କରେ ଜାଣିବା ପାଇଁ ଆଗାମୀ ଦିନରେ ଅଧିକ ଗବେଷଣାର ଆବଶ୍ୟକତା ରହିଛି।

