ଦେବଗଡ଼, ୧୭ା୯(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲାରେ ଏକ ଅତ୍ୟନ୍ତ ଚାଞ୍ଚଲ୍ୟକର ଓ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ପ୍ରେମିକା ଘରକୁ ଯାଇଥିବା ବେଳେ ପ୍ରେମିକଙ୍କୁ ନିର୍ମମ ଭାବେ ହତ୍ୟା କରାଯିବା ପରେ ତାଙ୍କ ମୃତଦେହକୁ ପେଟ୍ରୋଲ ଢାଳି ଜାଳି ଦିଆଯାଇଥିବା ଅଭିଯୋଗ ହୋଇଛି। ଜିଲାର ରିଆମାଳ ଥାନା ଅଞ୍ଚଳରେ ବିଳମ୍ବିତ ରାତିରେ ଏହି ନୃଶଂସ କାଣ୍ଡ ଘଟିଛି। ମୃତ ଯୁବକଜଣକ ହେଉଛନ୍ତି ବାବରାକୋଟ ଗାଁର ୨୮ ବର୍ଷିୟ ସିଲୁ ରାୟ।
ମିଳିଥିବା ସୂଚନା ଅନୁସାରେ, ସିଲୁ ବିଳମ୍ବିତ ରାତିରେ ତାଙ୍କ ପ୍ରେମିକାଙ୍କ ଘରକୁ ଯାଇଥିଲେ। ତେବେ ସେଠାରେ ଉପସ୍ଥିତ ଥିବା ପ୍ରେମିକାଙ୍କ ପରିବାର ଲୋକେ ତାଙ୍କୁ ଧରି ପକାଇଥିଲେ। ଏହାପରେ ଘର ବାରଣ୍ଡାରେ ହିଁ ସିଲୁଙ୍କୁ ହତ୍ୟା କରାଯାଇଥିଲା। ଅପରାଧକୁ ଲୁଚାଇବା ଓ ପ୍ରମାଣ ନଷ୍ଟ କରିବା ଉଦ୍ଦେଶ୍ୟରେ ପରିବାର ଲୋକେ ମୃତଦେହ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି।
ଏହି ଘଟଣା ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଖବର ପାଇ ରିଆମାଳ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ସନ୍ଦେହରେ ପୋଲିସ କେତେକ ଲୋକଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି।

