ବନୀକରଣ ଓ ବନବାସ୍ତବତା

ଦିନେ ଏହି ପୃଥିବୀ ଥିଲା ନିବିଡ଼ ନିରନ୍ଧ୍ର ଅରଣ୍ୟାନୀରେ ପରିପୂର୍ଣ୍ଣ। ମାତ୍ର ଜଙ୍ଗଲ ଉପରେ ଅତ୍ୟାଚାର ବଢ଼ିବା ପରେ ବିଗିଡ଼ିବାକୁ ଲାଗିଲା ସୁସ୍ଥ ସୁନ୍ଦର ପରିବେଶ। ସଭ୍ୟତା ଆରମ୍ଭରେ ଜଙ୍ଗଲ କ୍ଷୟର କାରଣ ଥିଲା ଚାଷର ବିସ୍ତାର। ମଣିଷ କୃଷିକାର୍ଯ୍ୟ ଶିଖିବା ପରେ ଆବଶ୍ୟକ ହେଲା ଚାଷ ଜମି। ଏଇଠୁ ଆରମ୍ଭ ହେଲା ଜଙ୍ଗଲ ଜମିକୁ ଚାଷ ଜମିରେ ପରିଣତ କରିବାର ପ୍ରକ୍ରିୟା। ଜନସଂଖ୍ୟା ବଢ଼ିବା ସହିତ ଅଧିକରୁ ଅଧିକ ଚାଷଜମି ଆବଶ୍ୟକ ହେଲା ସତ, କିନ୍ତୁ ସେ ସମୟରେ ମଣିଷକୁ ଗ୍ରାସ କରି ନ ଥିଲା ଅତ୍ୟଧିକ ଭୋଗ ଲାଳସା। ବଞ୍ଚିବା ପାଇଁ ଯେତିକି ଆବଶ୍ୟକ ପ୍ରକୃତିଠାରୁ ସେତିକି ସଂଗ୍ରହ କରୁଥିଲା ।
ବିଶେଷକରି ବୃକ୍ଷର ସହିଷ୍ଣୁତା ଗୁଣ ମଧ୍ୟରେ ସେ ଦେଖିଥିଲା ବିଶ୍ବ ପ୍ରକୃତିର ମୌଳିକ ପର୍ଯ୍ୟାୟ। ଆରମ୍ଭ ହେଲା ଧାର୍ମିକ ଭାବନା ନେଇ ବୃକ୍ଷ ରୋପଣ କରିବାର ପରମ୍ପରା। ବିଶେଷକରି ଗାଁ ମୁଣ୍ଡରେ ବର ଅଶ୍ବତ୍ଥ ଗଛ ଲଗେଇ ପୂଜା କରୁଥିଲେ ଏବଂ ରୌଦ୍ରଦଗ୍ଧ ବୈଶାଖ ମାସରେ ତା’ ମୂଳରେ ଢାଳୁଥିଲେ ପାଣି। ମାତ୍ର ଶିଳ୍ପ ସଭ୍ୟତାର ବିକାଶ ପରେ ମଣିଷର ଜୀବନ ବଞ୍ଚିବା ଶୈଳୀ ବଦଳିବା ସହିତ ଆରମ୍ଭ ହେଲା ପରିବେଶ ପ୍ରଦୂଷଣ।
ଲାଭ ଓ ଲୋଭ ଶିଳ୍ପାୟନର ମୂଳକଥା ହୋଇଥିବାରୁ ପ୍ରକୃତି ସହିତ ମିତ୍ରତା କରି ବଞ୍ଚିବା ପରିବର୍ତ୍ତେ ଚାଲିଲା ପ୍ରକୃତିର ଦୋହନ କରି ଆଗକୁ ବଢ଼ିବାର ପ୍ରତିଯୋଗିତା। ମଣିଷର ଏହି ଅପରିଣାମଦର୍ଶିତା ପାଇଁ ଧ୍ବଂସ ପାଇଲା ହଜାର ହଜାର ହେକ୍ଟର ସବୁଜ ବନାନୀ। ଜଳବାୟୁ ବଦଳିବା ସାଙ୍ଗକୁ ଋତୁଚକ୍ରରେ ଆସିଲା ବିଭ୍ରାଟ। ଚିନ୍ତା ପ୍ରକଟ କଲେ ପରିବେଶ ବିଜ୍ଞାନୀ। ଏହାକୁ ଦୃଷ୍ଟିରେ ରଖି ଜଙ୍ଗଲ ସୁରକ୍ଷା ପାଇଁ ସ୍ବାଧୀନ ଭାରତରେ ତିଆରି ହେଲା କଠୋର ଆଇନ। ଏଥିସହିତ ସାମାଜିକ ବନୀକରଣ ପାଇଁ କାର୍ଯ୍ୟକାରୀ ହେଲା ଅନେକ ଯୋଜନା। ମାତ୍ର ସବୁ ସଜାଗ ଓ ସତର୍କତା ସତ୍ତ୍ବେ ବି ବଢ଼ି ଚାଲିଲା ଜଙ୍ଗଲ କ୍ଷୟ। କେଉଁଠି ବନବିଭାଗ ଓ ଜଙ୍ଗଲ ତସ୍କରଙ୍କ ମଧୁଚନ୍ଦ୍ରିକାରେ ଜଙ୍ଗଲ ସଫା ହେଲା ତ ଅନ୍ୟ କେଉଁଠି ବନାଗ୍ନିରେ ଧ୍ବଂସ ପାଇଲା ଶହ ଶହ ହେକ୍ଟର ଜଙ୍ଗଲ। ଜଙ୍ଗଲ କ୍ଷୟର ସବୁଠାରୁ ବଡ଼ କାରଣ ହୋଇ ଉଭା ହେଲା ବିକାଶମୂଳକ କାର୍ଯ୍ୟକ୍ରମ। ବୋଧହୁଏ ସରକାରଙ୍କ ଦୃଷ୍ଟିରେ ବିକାଶ ଓ ଜଙ୍ଗଲ ପରସ୍ପର ଶତ୍ରୁ। କହିବାର ତାତ୍ପର୍ଯ୍ୟ ସରକାର ଚାହିଁଲେ ପୁରାତନ ବୃକ୍ଷକୁ ସୁରକ୍ଷା ଦେବା ପାଇଁ ବଦଳିଯାଇ ପାରନ୍ତା ବିଭିନ୍ନ ପ୍ରକଳ୍ପର ନକ୍ସା। ବୁଲେଇ ଦେଇ ହୁଅନ୍ତା ରାସ୍ତାର ଗତି। କି ପରିବେଶ ପ୍ରସଙ୍ଗଠାରୁ ସରକାରଙ୍କ ପାଇଁ ଅଧିକ ଗୁରୁତ୍ୱ ବହନ କରେ ରାଜନୈତିକ ଲାଭକ୍ଷତିର ହିସାବ। କୁହାଯାଏ ଜଙ୍ଗଲର ଦୁର୍ଭାଗ୍ୟ ହେଉଛି ତା’ ତଳେ ସାଇତା ହୋଇ ରହିଥିବା ମୂଲ୍ୟବାନ ଖଣିଜ ସଂପଦର ଭଣ୍ଡାର। ସେତକ ଲୁଟିନେବା ପାଇଁ ସରକାର ତଥା ବଡ଼ବଡ଼ ଶିଳ୍ପସଂସ୍ଥା ପକ୍ଷରୁ ଚାଲେ କେତେ ପ୍ରକାର ଫନ୍ଦି ଫିକର। ସେମାନଙ୍କ ଦୃଷ୍ଟିରେ ଜଙ୍ଗଲ ଜୀବଜଗତର ଜୀବନ ନାଟିକା ନୁହେଁ, ବରଂ ବସ୍ତୁ ଆବଶ୍ୟକତା ପୂରଣର ଏକ ଶ୍ରେଷ୍ଠ ଭଣ୍ଡାର। ଆମର ଏହି ପରିବେଶ ବିରୋଧୀ ମନୋଭାବ ଯୋଗୁ ଜଙ୍ଗଲ କ୍ଷୟର କଳା ତାଲିକାରେ ଅନେକ ଆଗରୁ ଆମ ଦେଶର ନାମ ଯୋଡ଼ି ହୋଇ ସାରିଛି ଏବଂ ବ୍ରାଜିଲ ଓ ଇଣ୍ଡୋନେସିଆ ତଳକୁ ଭାରତର ସ୍ଥାନ ଏବେ ତୃତୀୟ। ତଥ୍ୟ କହେ ଗତ ୩୦ ବର୍ଷ ଭିତରେ ଭାରତ ନିପାତ କରିସାରିଛି ୬ ଲକ୍ଷ ୬୮ ହଜାର ୪୦୦ ହେକ୍ଟର ଜଙ୍ଗଲ।
ଜଙ୍ଗଲ ହେଉଛି ଏକ ଜଟିଳ ପରିସଂସ୍ଥା। ତାକୁ ସୁରକ୍ଷା ଦେବାରେ ସରକାର ବିଫଳ ହେବା ପରେ ବଢ଼ିଛି ସାମାଜିକ ବନୀକରଣର ଗୁରୁତ୍ୱ। ଏହା ପ୍ରାକୃତିକ ଜଙ୍ଗଲର ପ୍ରତିସ୍ଥାପନ ନୁହେଁ ସତ, ପାରିବେଶିକ ଆବଶ୍ୟକତା ଦୃଷ୍ଟିରୁ ଏହା ଅତ୍ୟନ୍ତ ସ୍ବାଗତଯୋଗ୍ୟ ଅଭିଯାନ। ମାତ୍ର ତା’ର ଦିଶାହୀନ ପରିଚାଳନା କଥା ଭାବିଲେ ମନରେ ଭରିଯାଏ ନୈରାଶ୍ୟ। କହିବାର ତାତ୍ପର୍ଯ୍ୟ ଆମେ ଗଛ ଲଗେଇବା କ’ଣ ପାଇଁ? ଭାଗବତରେ ଲେଖା ଅଛି – ‘ଜଳପବନ ଲାଗି ଦେହ,ଏଥୁ ଅଧିକ ଥିଲେ କହ’। ଅର୍ଥାତ ଜୀବନ ବଞ୍ଚିବାର ଅପରିହାର୍ଯ୍ୟ ଆବଶ୍ୟକତା ହେଉଛି ପବନ ଓ ପାଣି। ଯେଉଁ ପାଣି ପବନ ବିନା ଆମର ଜୀବନ ଧାରଣ ଅସମ୍ଭବ, ତାକୁ ପାଇବାର ମାଧ୍ୟମ ହେଉଛି ବୃକ୍ଷ। ଏହାକୁ ଦୃଷ୍ଟିରେ ରଖି ଆମେ ଏମିତି କିସମର ଗଛ ଲଗେଇବା ଦରକାର, ଯିଏ ଆମକୁ ପ୍ରଚୁର ପରିମାଣର ଅମ୍ଳଜାନ ଦେବ ଏବଂ ଉପଯୋଗୀ ସାବ୍ୟସ୍ତ ହେବ ବୃଷ୍ଟିପାତ ପାଇଁ। ପୃଥିବୀରେ ବୃକ୍ଷ ହିଁ ମଙ୍ଗଳମୟ ଶିବଙ୍କର ଅମୃତ ଅବତାର। ବିଶ୍ବର କଲ୍ୟାଣ ପାଇଁ ଶିବ ଯେପରି ହଳାହଳ ଗରଳ ପାନ କରି ନୀଳକଣ୍ଠ ସାଜିଥିଲେ, ବୃକ୍ଷ ସେମିତି ଜୀବଜଗତର ମଙ୍ଗଳ ପାଇଁ ବାୟୁମଣ୍ଡଳରୁ ଶୋଷି ନିଏ ଅଙ୍ଗାରକାମ୍ଳ ରୂପକ ଗରଳ। ତେଣୁ ବନୀକରଣ ଜରିଆରେ ଏମିତି ବୃକ୍ଷ ରୋପଣ କରିବା ଆବଶ୍ୟକ, ଯେଉଁ ବୃକ୍ଷ ପାଖରେ ଥିବ ବାୟୁମଣ୍ଡଳରୁ ସର୍ବାଧିକ ବିଷ ଶୋଷି ନେବାର ସାମର୍ଥ୍ୟ। ଚାରା ରୋପଣ ପରିପ୍ରେକ୍ଷୀରେ ମନେପଡ଼ିଯାଏ ପିଲାଦିନେ ଛବି ବହିରେ ପଢ଼ିଥିବା ପ୍ରସଙ୍ଗ-‘ଗଛ ଲଗାଇବି କାହା ପାଇଁ’? କହିବାର କଥା ଏମିତିକା ଗଛ ଲଗେଇବା ଆବଶ୍ୟକ, ଯାହା ବିଳମ୍ବରେ ହେଲେ ମଧ୍ୟ ଅଜାଡ଼ି ଦେବ ଅଜସ୍ର ଫଳ। ଆମ ପୂର୍ବଜମାନେ ରାସ୍ତା କଡ଼ରେ ବର ଓ ଅଶ୍ବତ୍ଥ ଭଳି ଗଛ ଲଗାଉଥିଲେ, ଯାହା ଛାଇ ତଳେ ବସି କ୍ଲାନ୍ତି ମେଣ୍ଟାଇ ପାରେ ପଥିକ। ବିଡମ୍ବନାର ବିଷୟ ବୃକ୍ଷର ଉପରୋକ୍ତ ଉପଯୋଗିତାକୁ ଉପେକ୍ଷା କରି ବନୀକରଣ ପାଇଁ ପ୍ରସ୍ତୁତ ହେଉଛି ଚାରା। କାରଣ ଦାୟିତ୍ୱରେ ଥିବା ଅଧିକାରୀମାନେ ଏମିତି ଚାରାଗଛ ରୋପଣ କରିବାକୁ ଚାହାନ୍ତି, ଯାହାକୁ ଗୋରୁ ଛେଳି ଖାଇବେନି ଏବଂ ବଢ଼ି ପାରୁଥିବ ସହଳ। ବିଶେଷଜ୍ଞଙ୍କ ମତରେ ସହଳ ବଢ଼ି ପାରୁଥିବା ଗଛ ଗୁଡିକ ଭୂତଳ ଜଳ ଶୋଷିବାରେ ପ୍ରବୀଣ। ପ୍ରଶ୍ନ ଉଠେ ବନବିଭାଗ ଅଧିକାରୀମାନେ ଏକଥା ଜାଣି ସୁଦ୍ଧା ସେଭଳି ଚାରା ନିର୍ଣ୍ଣୟ କରନ୍ତି କାହିଁକି?
ପ୍ରାକୃତିକ ଜଙ୍ଗଲ ସୁରକ୍ଷା କ୍ଷେତ୍ରରେ ବନ ବିଭାଗର ବିଫଳତା ହିଁ ଦର୍ଶାଏ ସେ ବିଭାଗରେ ଆଉ ଦକ୍ଷ ଅଧିକାରୀ ନାହାନ୍ତି ବା ପରିସ୍ଥିତି ଚାପରେ ସେମାନେ ଏବେ ନିଷ୍ପ୍ରଭ ଓ ନିର୍ବାକ। ଏକଥା ସତ୍ୟ ଯେ ବନ ସମ୍ପଦର ସୁରକ୍ଷା କେବଳ ବନ କର୍ମଚାରୀଙ୍କ ଦ୍ବାରା ସମ୍ଭବ ନୁହେଁ, ଏଥିପାଇଁ ଜନ ସଂପୃକ୍ତି ଆବଶ୍ୟକ। ଜନସମ୍ପର୍କ ପାଇଁ ଲୋଡ଼ା ଜନ ସଚେତନତା। ଏ ଦିଗରେ ଆଦୌ ଉତ୍ସାହଜନକ ନୁହେଁ ବନବିଭାଗର ପ୍ରୟାସ। କାରଣ ସଫଳତା ଯେଉଁଠି ଲକ୍ଷ୍ୟ ନୁହେଁ, ସେଠାରେ କି ଗୁରୁତ୍ୱ ବହନ କରେ ଜନ ସଂପୃକ୍ତି ଓ ସହଯୋଗ ? ସାମାଜିକ ବନୀକରଣ ଦାୟିତ୍ୱ ପ୍ରାୟତଃ ସେହିମାନଙ୍କ ଉପରେ ନ୍ୟସ୍ତ, ଯେଉଁମାନଙ୍କ ପାଖରେ ଅଛି ପ୍ରାକୃତିକ ଜଙ୍ଗଲ ସୁରକ୍ଷା କ୍ଷେତ୍ରରେ ବିଫଳତାର ଦୀର୍ଘ ଅଭିଜ୍ଞତା। ଅଥଚ ଏମାନଙ୍କୁ ଜଣାଅଛି ଆଇନକୁ ଆଖିଠାର ମାରି ସବୁଜୀକରଣ ପଇସାରେ ମଉଜ କରିବାର ଚମତ୍କାର କଳା। ଜଙ୍ଗଲ ବିଭାଗ କହେ ଗୋଟିଏ ଗଛ କାଟିଲେ ତା’ ବଦଳରେ ଅନୂ୍ୟନ ଦଶଟି ଗଛ ଲାଗିବା ଉଚିତ। ତେବେ ରାସ୍ତା କଡ଼ରୁ କଟାଯାଇଥିବା ଗୋଟିଏ ଗୋଟିଏ ମହାଦ୍ରୁମ ବଦଳରେ ଦଶ ଦଶଟି କନିଅର ଗଛ ଲଗେଇବା କ’ଣ ଯଥେଷ୍ଟ?
କେବଳ ବନ ବିଭାଗ ନୁହେଁ, ଗଣମାଧ୍ୟମରେ ଛାଇ ଯାଉଛି ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷଙ୍କ ପକ୍ଷରୁ ହେଉଥିବା ବୃକ୍ଷରୋପଣ ଦୃଶ୍ୟ। ମାତ୍ର ଫଟୋ ଉଠିବା ପରେ କେତେ ଗଛ ବଞ୍ଚିଲା ଓ ଆଉ କେତେ ଗଛ ଯତ୍ନ ଅଭାବରୁ ମଲା ବା ଛେଳି ଗୋରୁଙ୍କ ପାଟିରେ ଗଲା, ସେ ହିସାବ ନ ଥାଏ କାହାରି ପାଖରେ। ତଥ୍ୟ କହେ ବିଗତ କୋଡ଼ିଏ ବର୍ଷ ମଧ୍ୟରେ ଓଡ଼ିଶାରେ ଯେତେ ଲକ୍ଷ ହେକ୍ଟର ବନୀକରଣ ହୋଇଛି, ତାହା ରାଜ୍ୟର ସମୁଦାୟ ସ୍ଥଳଭାଗଠାରୁ ଅଧିକ। ଅଥଚ ଗୋଦରା କୋଡ଼େ ଯେତେ ମାଡ଼େ ସେତେ ନ୍ୟାୟରେ ସବୁଜିମା ପରିବର୍ତ୍ତେ ବଢୁଛି ଶୁଷ୍କ ଓ ନିର୍ଜୀବ ପରିବେଶ।
ଅବସରପ୍ରାପ୍ତ ଅଧ୍ୟକ୍ଷ, ବିଜୁ ପଟ୍ଟନାୟକ ନଗର, ଭଦ୍ରକ
ମୋ: ୬୩୭୧୬୪୨୪୬୪


Enter your email to get our daily news in your inbox.

All Right Reserved By Dharitri.Com

ଏସିଆନ ଗେମ୍ସର ଓପନିଂ ମ୍ୟାଚ୍‌ରେ ଭାରତର ବଡ଼ ବିଜୟ

କାକାମିଗାହାରା,୨୦ା୯: ଏସିଆନ ଗେମ୍ସ ପୁରୁଷ ହକି ପୁଲ୍‌ ‘ଏ’ର ଓପନିଂ ମ୍ୟାଚରେ ଭାରତ ୧୩-୧ ଗୋଲ୍‌ରେ ଇଣ୍ଡୋନେସିଆକୁ ହରାଇ ଦେଇଛି। ଷ୍ଟ୍ରାଇକର ଦିଲ୍‌ପ୍ରୀତ ସିଂ ଏକାକି ୪ଟି…

ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ଆନ୍ଦୋଳନର ସମସ୍ତ ମାମଲା ପ୍ରତ୍ୟାହାର….

କୋଲକାତା,୨୦ା୯: ପଶ୍ଚିମବଙ୍ଗରେ କୁର୍ମି ସମୁଦାୟକୁ ନେଇ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ। ପୂର୍ବ ସରକାରଙ୍କ ସମୟରେ କୁର୍ମି ଆନ୍ଦୋଳନ ସହ ଜଡ଼ିତ ଯେଉଁ ସବୁ…

ଟି୨୦ କ୍ରିକେଟରେ ଇତିହାସ ରଚିଲେ ମନ୍ଧାନା

ନିଶିନ,୨୦ା୯: ଭାରତୀୟ ଓପନର ସ୍ମୃତି ମନ୍ଧାନା ରବିବାର ନିଜ କ୍ୟାରିୟରରେ ଆଉ ଏକ ରେକର୍ଡର ଅଧିକାରୀ ହୋଇଛନ୍ତି। ବାଂଲାଦେଶ ବିପକ୍ଷ ଏସିଆନ ଗେମ୍ସ ସେମିଫାଇନାଲ ମ୍ୟାଚ୍‌ରେ ୩୭…

‘ଛାତ୍ରୋଁ କୀ ଗୁଞ୍ଜ୍‌’ କାର୍ଯ୍ୟକ୍ରମରେ ହାସ୍ୟାଭିନେତାଙ୍କ ଦ୍ୱାରା ମୋଦିଙ୍କୁ ନକଲ, ଦେଶରେ ହଇଚଇ!

ନୂଆଦିଲ୍ଲୀ,୨୦ା୯: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ରାଜନୈତିକ ବିବାଦ ଜୋର ଧରିଛି । ମଧ୍ୟପ୍ରଦେଶର ଇନ୍ଦୋରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ‘ଛାତ୍ରୋଁ କୀ ଗୁଞ୍ଜ୍‌’…

ଶେଫାଳିଙ୍କ ଦମ୍‌ଦାର ଶତକ: ଫାଇନାଲରେ ଭାରତ

ନିଶିନ,୨୦ା୯: ଶେଫାଳି ବର୍ମାଙ୍କ ଶତକ ବଳରେ ଖେଳାଯାଇଥିବା ସେମିଫାଇନାଲ ମ୍ୟାଚ୍‌ରେ ଭାରତ ୧୧୪ ରନ୍‌ରେ ବାଂଲାଦେଶକୁ ହରାଇ ମହିଳା କ୍ରିକେଟ ଟି୨୦ ଇଭେଣ୍ଟ ଫାଇନାଲରେ ପ୍ରବେଶ କରିଛି।…

ଖଣ୍ଡୁଆଳମାଳି ବକ୍ସାଇଟ୍ ଖଣି ଖନନକୁ ବିରୋଧ, ଅମଠାଗୁଡ଼ାରେ ୨୦ ଗାଁର ଶତାଧିକ ଆନ୍ଦୋଳନକାରୀ….

ଥୁଆମୂଳ ରାମପୁର,୨୦।୯(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍ କର୍ଲାପାଟ୍ ଅଞ୍ଚଳର ଖଣ୍ଡୁଆଳମାଳିରୁ ବକ୍ସାଇଟ୍ ଖନନକୁ ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ବିରୋଧ ତୀବ୍ର ହେବାରେ ଲାଗିଛି…

ବିଦ୍ୟାଳୟରୁ ଚାଉଳ-ଖେଳଣା ଚୋରି, ୩ ଅଭିଯୁକ୍ତଙ୍କୁ ବାନ୍ଧିଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୨୦।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ପଞ୍ଚାୟତ ବୀରପଦ୍ମନାଭପୁର ଗ୍ରାମ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଷ୍ଟୋର ରୁମରୁ ୩୦ ପ୍ୟାକେଟ ଚାଉଳ ଏବଂ…

ବରିଷ୍ଠ କିରାଣି ଜୟନ୍ତ ପ୍ରଧାନଙ୍କୁ ନିଲମ୍ବନ କଲେ କେନ୍ଦ୍ରାପଡ଼ା DEO

ଡେରାବିଶ, ୨୦।୯(ବେବର୍ତା ଅଜୟ ଦାସ): ଡେରାବିଶ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିବା ବରିଷ୍ଠ କିରାଣୀ ଜୟନ୍ତ କୁମାର ପ୍ରଧାନଙ୍କୁ ନିଲମ୍ବିତ କରାଯାଇଛି । ନିଜ କାର୍ଯ୍ୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?