
ଭଞ୍ଜନଗର,୨୨।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ଗୁରୁବାର ଖାରିଗୁଡ଼ା ଟୋଲ୍ ଗେଟ ନିକଟରୁ ବେଆଇନ ଭାବେ ମଇଁଷି ଚାଲାଣ କରୁଥିବା ଅଭିଯୋଗରେ ୪ଜଣ ଯୁବକଙ୍କୁ ଗିରଫ କରିଛି। ସେମାନେ ହେଲେ କନ୍ଧମାଳ ଜିଲା ବାଲିଗୁଡା ଅଞ୍ଚଳର ଆଶିଷ କନ୍ଧ ପାଣି, ଆକାଶ ନାୟକ, ଆଲବର୍ଟ ନାୟକ ଓ ଭଞ୍ଜନଗର ଥାନା ଅନ୍ତର୍ଗତ ଖଣ୍ଡିକୋଟିର ନାରାୟଣ ଗୌଡ। ଗିରଫ ସମସ୍ତ ଅଭିଯୁକ୍ତଙ୍କୁ ଗୁରୁବାର ସନ୍ଧ୍ୟାରେ ଭଞ୍ଜନଗର କୋର୍ଟ ଚାଲାଣ କରାଯାଇଛି।
ଘଟଣାରୁ ପ୍ରକାଶ ଯେ, ଅଭିଯୁକ୍ତମାନେ ମୁଜାଗଡରୁ ଦୁର୍ଗାପ୍ରସାଦ ଦେଇ ୧୧ଟି ମଇଁଷକୁ ଏକ ପିକଅପ ଭ୍ୟାନ୍ରେ ନେଉଥିଲେ। ଅନ୍ୟପକ୍ଷେ ଏକ ଛୋଟିଆ ଭ୍ୟାନରେ ୧୧ଟି ମଇଁଷିକୁ ରଶିରେ ଅମାନବିକ ଭାବେ ବାନ୍ଧି ନେଉଥିଲେ। ଏହି ସମ୍ପର୍କରେ ଭଞ୍ଜନଗର ଥାନା ଅଧିକାରୀ ଜୀବନାନନ୍ଦ ଜେନା ଖବର ପାଇ ସମ୍ପୃକ୍ତ ରାସ୍ତାରେ ପାଟ୍ରୋଲିଁ କରୁଥିବା ଏସ୍ଆଇ ସମୀର ମହାନ୍ତିଙ୍କୁ ଚଢାଉ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ପରେ ଏସ୍ଆଇ ମହାନ୍ତି ସେମାନଙ୍କୁ ପିଛା କରି ଟୋଲ୍ ଗେଟ ନିକଟରେ ଅଭିଯୁକ୍ତମାନଙ୍କୁ କାବୁ କରିଥିଲେ। ଏଥିସହ ଉଦ୍ଧାର ମଇଁଷକୁ ଏକ ଆଶ୍ରମରେ ରଖାଯାଇଥିବା ଜଣାପଡିଛି।