ମହିଳାଙ୍କ ଗଳା କାଟି ହତ୍ୟା ଘଟଣା: ଅଭିଯୁକ୍ତଙ୍କୁ ଧରାଇଲା ୟୁପିଆଇ ପେମେଣ୍ଟ, ସ୍ବାମୀଙ୍କ ସମେତ ୩ ଗିରଫ

କଟକ/କଟକ ସଦର,୧୬ା୧୨(କାର୍ତ୍ତିକ ସାହୁ/ ସୁଶାନ୍ତ କୁମାର ଜେନା): ହତ୍ୟାର ଶିକାର ମହିଳା ହେଲେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଥାନା ଅନ୍ତର୍ଗତ ଭିତର ସୋବଳା ଗ୍ରାମର ପଦ୍ମାବତୀ ସାମଲ(୩୫)। ତାଙ୍କୁ ତାଙ୍କ ସ୍ବାମୀ ବଳରାମ ଦେହୁରୀ(୩୨), ଦିଅର ଜଗନ୍ନାଥ ଦେହୁରୀ ଓରଫ ବାବୁ(୨୭) ଓ ସମ୍ପର୍କୀୟ ଦିଅର ହାପି ଦେହୁରୀ(୨୦) ହତ୍ୟା କରିଛନ୍ତି। ପରକୀୟା ପ୍ରୀତି ସନ୍ଦେହରେ ଏହି ହତ୍ୟାକାଣ୍ଡ ଘଟିଥିବା କଟକ ଡିସିପିଙ୍କ କାର୍ଯ୍ୟାଳୟରେ ରବିବାର ଆୟୋଜିତ ଖବରଦାତା ସମ୍ମିଳନୀରେ ପୋଲିସ କମିଶନର ଏସ୍‌. ଦେବଦତ୍ତ ସିଂ ସୂଚନା ଦେଇଛନ୍ତି।
କମିଶନର ସୂଚନା ଅନୁଯାୟୀ, ପରମହଂସ ଗ୍ରାମ ନିକଟ କାଠଯୋଡ଼ି ନଦୀପଠାରେ ଗୁରୁବାର ରାତିରେ ମହିଳାଙ୍କ ଗଳା କାଟି ପଥରରେ ଛେଚି ହତ୍ୟା କରାଯାଇଥିଲା। ଶୁକ୍ରବାର ସକାଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସାଇଣ୍ଟିଫିକ୍‌ ଟିମ୍‌ ସହାୟତାରେ ତଦନ୍ତ କରିବା ପରେ ମୃତଦେହ ବ୍ୟବଚ୍ଛେଦ ପାଇଁ କଟକ ବଡ଼ ଡାକ୍ତରଖାନା ପଠାଇଥିଲା। ହେଲେ ମୁହଁ ବିକୃତ ହୋଇଯାଇଥିବାରୁ ମହିଳାଙ୍କ ପରିଚୟ ଜାଣିବା କଷ୍ଟକର ହୋଇପଡିଥିଲା। ହତ୍ୟାକାଣ୍ଡ ନିକଟବର୍ତ୍ତୀ ଅଞ୍ଚଳରେ ଲାଗିଥିବା ସିସିଟିଭି ଫୁଟେଜ୍‌ ଯାଞ୍ଚ କରିଥିଲେ ମଧ୍ୟ ଅଭିଯୁକ୍ତଙ୍କ ସମ୍ପର୍କରେ ଜଣାପଡ଼ି ନ ଥିଲା। ହେଲେ ଘଟଣାସ୍ଥଳରୁ ରକ୍ତଛିଟା ଲାଗିଥିବା ପ୍ୟାଣ୍ଟଶାର୍ଟ ପୋଲିସ ଜବତ କରିଥିଲା। ଉକ୍ତ ପ୍ୟାଣ୍ଟଶାର୍ଟରୁ ‘ନିୟୁ ଷ୍ଟାର’ ନାମକ ଏକ ଟେଲର ଦୋକାନର ରସିଦ୍‌ ମିଳିଥିଲା। ପୋଲିସ ଉକ୍ତ ରସିଦ୍‌ ସମ୍ପର୍କରେ ଗଣମାଧ୍ୟମରେ ଜଣାଇଥିଲା। ଏହାସହ ‘ନିୟୁ ଷ୍ଟାର’ ନାମରେ ଥିବା ଓଡ଼ିଶାର ପ୍ରାୟ ୧୦ଟି ଟେଲର ଦୋକାନର ରସିଦ୍‌ ବହିକୁ ପୋଲିସ ଯାଞ୍ଚ କରିଥିଲା। ହେଲେ ସେଗୁଡ଼ିକ ସହ ଜବତ ରସିଦ୍‌ ମେଳ ଖାଇ ନ ଥିଲା। ପରେ ଭଞ୍ଜନଗର ଅଞ୍ଚଳରେ ସେହି ନାମରେ ଏକ ଟେଲର ଦୋକାନ ଥିବା ଜଣେ ବ୍ୟକ୍ତି କଟକ ଡିସିପି ଜଗମୋହନ ମୀନାଙ୍କୁ ହ୍ବାଟ୍‌ସଆପ୍‌ ମାଧ୍ୟମରେ ଜଣାଇଥିଲେ। କମିଶନରେଟ୍‌ ପୋଲିସ ଏ ସମ୍ପର୍କରେ ଗଞ୍ଜାମ ପୋଲିସକୁ ଅବଗତ କରିଥିଲା। ଭଞ୍ଜନଗର ଏସ୍‌ଡିପିଓ ବିଭିନ୍ନ ଅଞ୍ଚଳ ଯାଞ୍ଚ କରିବା ପରେ ଜଗନ୍ନାଥପ୍ରସାଦ ଥାନା ଅଞ୍ଚଳରେ ଉକ୍ତ ନାମରେ ଟେଲର ଦୋକାନ ଥିବା ଜାଣିବାକୁ ପାଇଥିଲେ। ସ୍ଥାନୀୟ ପୋଲିସ ଉକ୍ତ ଦୋକାନରେ ପହଞ୍ଚି ଯାଞ୍ଚ କରିବା ପରେ ଉକ୍ତ ରସିଦ୍‌ ମିଶି ନ ଥିଲା। ହେଲେ ଟେଲର ଦୋକାନୀ ପୋଲିସକୁ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଥିଲେ। ସେ ଗୁଜରାଟର ସୁରଟରେ ପୂର୍ବରୁ କାମ କରୁଥିବାରୁ ସେଠାରେ ‘ନିୟୁ ଷ୍ଟାର’ ନାମରେ ଟେଲର ଦୋକାନ ଥିବା ପୋଲିସକୁ ଜଣାଇଥିଲେ। ଏନେଇ ଓଡ଼ିଶା ପୋଲିସ ସୁରଟ ପୋଲିସକୁ ଅବଗତ କରାଇଥିଲା। ସେଠାକାର ପୋଲିସ ସେହି ଏକା ନାମରେ ରହିଥିବା ୭/୮ଟି ଟେଲର ଦୋକାନ ଯାଞ୍ଚ କରିବା ପରେ ଗୋଟିଏ ଦୋକାନର ରସିଦ୍‌ ସହିତ ତାହା ମେଳ ଖାଇଥିଲା। ଉକ୍ତ ରସିଦ୍‌ରେ କେବଳ ବାବୁ ବ୍ୟତୀତ ଅନ୍ୟ କିଛି ଲେଖା ନ ଥିଲା। ମାତ୍ର ଦୋକାନୀ ଜଣକ ସିଲେଇ ମଜୁରି ବାବଦକୁ ବାବୁ ୟୁପିଆଇ ଜରିଆରେ ୧୦୦ ଟଙ୍କା ଦେଇଥିବା କହିଥିଲେ। ଉକ୍ତ ୟୁପିଆଇ ନମ୍ବର ଯାଞ୍ଚ କରିବା ପରେ ବାବୁ ନାମକ ଯୁବକ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଥାନା ବଡ଼ସୋବଳା ଗ୍ରାମର ଜଗନ୍ନାଥ ଦେହୁରୀ ବୋଲି ଜଣାପଡ଼ିଥିଲା। ତାଙ୍କ ମୋବାଇଲ ଫୋନ୍‌ ଟ୍ରାକ୍‌ କରାଯିବା ପରେ ସେ ଟ୍ରେନ୍‌ରେ ସୁରଟ ଯାଉଥିବା ଜଣାପଡ଼ିଥିଲା। ତୁରନ୍ତ ରାୟଗଡ଼ା ପୋଲିସ ସହ ଯୋଗାଯୋଗ କରିଥିଲା କମିଶନରେଟ୍‌ ପୋଲିସ। ରାୟଗଡ଼ା ପୋଲିସର ଏକ ଟିମ୍‌ ମୁନିଗୁଡା ନିକଟରେ ଉକ୍ତ ଟ୍ରେନ୍‌କୁ ଯାଞ୍ଚ କରିବା ପରେ ବାବୁଙ୍କୁ କାବୁ କରିଥିଲା। ତାଙ୍କୁ ପଚରାଉଚରା କରାଯିବା ପରେ ମୃତ ମହିଳାଙ୍କ ପରିଚୟ ଜଣାପଡ଼ିଥିଲା।
ଅପରପକ୍ଷରେ କଟକ ଡିସିପି ଜଗମୋହନ ମୀନା କହିଛନ୍ତି, ସ୍ତ୍ରୀ ପଦ୍ମାବତୀଙ୍କ ଚରିତ୍ରକୁ ଅଭିଯୁକ୍ତ ବଳରାମ ସନ୍ଦେହ କରୁଥିଲେ। ଏଥିପାଇଁ ଉଭୟଙ୍କ ମଧ୍ୟରେ ଦୀର୍ଘଦିନ ଧରି ତିକ୍ତତା ଲାଗି ରହିଥିଲା। ସ୍ତ୍ରୀଙ୍କୁ ରାସ୍ତାରୁ ହଟାଇବା ପାଇଁ ସୁରଟରେ ଥିବା ସାନଭାଇ ଜଗନ୍ନାଥଙ୍କ ସହ ବଳରାମ ଷଡ଼ଯନ୍ତ୍ର ରଚିଥିଲେ। ଘଟଣା ଦିନ ସୁରଟରୁ ଏକ ଚାପଡ ଆଣି ପହଞ୍ଚତ୍ଥିଲେ ଜଗନ୍ନାଥ। ଏପଟେ ଚିକିତ୍ସା କରାଇବା ପାଇଁ କହି ପଦ୍ମାବତୀଙ୍କୁ ବଳରାମ ଘରୁ ଆଣିଥିଲେ। ପୂର୍ବ ଯୋଜନା ଅନୁଯାୟୀ ଅଭିଯୁକ୍ତମାନେ ମହିଳାଙ୍କୁ ହତ୍ୟା କରିବା ପରେ ପଥରରେ ଛେଚି ମୁହଁକୁ ବିକୃତ କରିଦେଇ ଫେରାର ହୋଇଯାଇଥିଲେ। ମୁଖ୍ୟ ଅଭିଯୁକ୍ତ ବାବୁ ଓରଫ ଜଗନ୍ନାଥଙ୍କୁ ରାୟଗଡ଼ାରୁ ଗିରଫ କରାଯାଇଥିବାବେଳେ ଅନ୍ୟ ଦୁଇଜଣଙ୍କୁ ମହାକାଳପଡ଼ାରୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଏନେଇ କନ୍ଦରପୁର ଥାନାରେ ଏକ ମାମଲା(ନଂ.୨୨୪/୨୪) ରୁଜୁ ହୋଇଛି। ଏହି ଖବରଦାତା ସମ୍ମିଳନୀରେ କନ୍ଦରପୁର ଥାନା ଅଧିକାରୀ ରାଧାକାନ୍ତ ସାହୁ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?