ଗର୍ଭପାତ ଅବୈଧ

ଆମେରିକାର ମହିଳାମାନେ ଏବେ ଗର୍ଭପାତ ଅଧିକାର ହରାଇବାକୁ ବସିଲେଣି। ଅର୍ଦ୍ଧଶତାବ୍ଦୀ ତଳର ପୁରୁଣା ‘ରୋ ବାନାମ ଓ୍ବେଡ୍‌’ ନିଷ୍ପତ୍ତିକୁ ଓଲଟାଇ ଆମେରିକା ସୁପ୍ରିମକୋର୍ଟ ୨୪ ଜୁନ୍‌ରେ ଗର୍ଭପାତ ସଂକ୍ରାନ୍ତ ମହିଳାଙ୍କ ସାମ୍ବିଧାନିକ ଅଧିକାରକୁ କ୍ଷୁଣ୍ଣ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଜେନ୍‌ ରୋ ନାମରେ ପରିଚିତ ମହିଳା ଦୁଇ ସନ୍ତାନର ଜନନୀ ହୋଇଥିବାବେଳେ ୧୯୬୯ରେ ଧାରଣ କରିଥିବା ତୃତୀୟ ଭ୍ରୂଣକୁ ଗର୍ଭପାତ କରାଇବାକୁ ଚାହୁଁଥିଲେ। ହେଲେ ତାଙ୍କ ସ୍ବାମୀ ହେନେରି ଓ୍ବେଡ୍‌ ଏଭଳି ନିଷ୍ପତ୍ତିକୁ ବିରୋଧ କରିଥିଲେ। ସେତେବେଳେ ମା’ଙ୍କ ଜୀବନ ରକ୍ଷା ପାଇଁ ଜରୁରୀ ହେଲେ ଗର୍ଭପାତକୁ ଆଇନତଃ ସ୍ବୀକୃତି ମିଳୁଥିଲା। ରୋ’ଙ୍କ ଓକିଲ କୋର୍ଟରେ ସ୍ବାମୀ ହେନେରି ଓ୍ବେଡ୍‌ଙ୍କ ବିରୋଧରେ ପିଟିଶନ ଦାଖଲ କରିଥିଲେ। ପରେ ଏହି ମାମଲା ସୁପ୍ରିମକୋର୍ଟ ଯାଇଥିଲା। ୧୯୭୩ରେ ସୁପ୍ରିମକୋର୍ଟ ରୋ’ଙ୍କ ସପକ୍ଷରେ ରାୟ ଦେଇଥିଲେ। ଫଳରେ ଆମେରିକୀୟ ସମ୍ବିଧାନର ଚତୁର୍ଦ୍ଦଶ ସଂଶୋଧନର ସହାୟତା ନିଆଯାଇଥିଲା, ଯେଉଁଥିରେ ଜଣେ ମହିଳାଙ୍କୁ ଗର୍ଭଧାରଣ ବା ଗର୍ଭପାତର ସ୍ବାଧୀନତା ମିଳିଥିଲା। ଆମେରିକାର ସର୍ବୋଚ୍ଚ ଅଦାଲତଙ୍କ ସେହି ରାୟ ଗର୍ଭପାତ ଅଧିକାରକୁ ଆଇନତଃ ବୈଧ କରିଥିବାବେଳେ ଏବେ ତାହାକୁ ଓଲଟାଇ ଦିଆଯିବା ପ୍ରତ୍ୟେକ ସ୍ବାଧୀନଚେତା ବ୍ୟକ୍ତଙ୍କୁ ବିଚଳିତ କରିଦେବା ସ୍ବାଭାବିକ।
ପ୍ରତ୍ୟେକ ବ୍ୟକ୍ତିଙ୍କର ନିଜ ଶରୀର ଉପରେ ଅଧିକାର ରହିବା କଥା। ଗର୍ଭପାତର ନିଷ୍ପତ୍ତି ବିଭିନ୍ନ କାରଣ ପାଇଁ ନିଆଯାଇଥାଏ। କେବେ ମହିଳାଙ୍କ ଜୀବନ ପ୍ରତି ସଙ୍କଟ ଥିଲେ କିମ୍ବା ଭ୍ରୂଣ ବିକଳାଙ୍ଗ ଥିଲେ ଏହିଭଳି ନିଷ୍ପତ୍ତି ନିଆଯାଇଥାଏ। ବଳାତ୍କାର ଯୋଗୁ ଗର୍ଭଧାରଣା କିମ୍ବା ଘନିଷ୍ଠ ସମ୍ପର୍କୀୟଙ୍କ ଦ୍ୱାରା ଅବୈଧ ସନ୍ତାନ ଜନ୍ମ ନେଇଯିବା ଭୟରେ ଭ୍ରୂଣ ନଷ୍ଟ କରିଦିଆଯାଇଥାଏ। ଏପରିକି ପରିବାରର ଆର୍ଥିକ ସ୍ଥିତି ଓ ସଦସ୍ୟଙ୍କ ସଂଖ୍ୟା ଦେଖି ଅନେକ ସମୟରେ ଗର୍ଭପାତ ନିଷ୍ପତ୍ତି ନିଆଯାଇଥାଏ। ଏହା ଜଣେ ମହିଳା ଓ ତାଙ୍କ ପରିବାରର ବ୍ୟକ୍ତିଗତ ନିଷ୍ପତ୍ତି ହେବା କଥା। ଏଥିରେ ସରକାରଙ୍କ ହସ୍ତକ୍ଷେପ ସମ୍ପୂର୍ଣ୍ଣ ଭାବେ ଅଲୋଡ଼ା।
ଆମେରିକା ସୁପ୍ରିମକୋର୍ଟ ଗର୍ଭପାତ ବିପକ୍ଷରେ ଦେଇଥିବା ମତ ଏବଂ ଏ ସଂକ୍ରାନ୍ତରେ ରାଜ୍ୟଗୁଡ଼ିକ ନିଜସ୍ବ ନିଷ୍ପତ୍ତି ନେଇପାରିବେ ବୋଲି କହିବା ପରେ ମାନବ ଅଧିକାର କର୍ମୀମାନେ ଅଦାଲତଙ୍କ ରାୟକୁ ଅଯୁକ୍ତିକର ବୋଲି ଅଭିହିତ କରିଛନ୍ତି। ଏପରି କି ରାଷ୍ଟ୍ରପତି ଜୋ ବାଇଡେନ୍‌ ସୁପ୍ରିମକୋର୍ଟଙ୍କୁ ସମାଲୋଚନା କରିବା ସହ ଏଭଳି ରାୟ ମହିଳାମାନଙ୍କ ଜୀବନକୁ ବିପଦରେ ପକାଇବ ବୋଲି ଆଶଙ୍କା ବ୍ୟକ୍ତ କରିଛନ୍ତି। କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ, ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍‌ ମାକ୍‌ରଁ, ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌, ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଜେସିଣ୍ଡା ଆର୍ଡେନ୍‌ ପ୍ରମୁଖଙ୍କ ଭଳି ବିଶ୍ୱନେତା ଆମେରିକା ସୁପ୍ରିମକୋର୍ଟଙ୍କ ରାୟ ଚିନ୍ତାଜନକ ବୋଲି କହିଛନ୍ତି। ବାସ୍ତବରେ ଆମେରିକା ସୁପ୍ରିମକୋର୍ଟଙ୍କ ଏଭଳି ରାୟ ଲିଙ୍ଗଗତ ବିଭେଦତାକୁ ବଢ଼ାଇବା ସହ ମହିଳାଙ୍କ ସ୍ଥିତିକୁ ନୂ୍ୟନ କରିଦେବ।
ସମଗ୍ର ବିଶ୍ୱକୁ ମାନବ ଅଧିକାର ବିଷୟରେ ଶିକ୍ଷା ଦେଉଥିବା ଆମେରିକା ନିଜ ଦେଶର ମହିଳାଙ୍କ ସମସ୍ୟା ବୁଝିବାରେ ନ୍ୟାୟିକ ଅସ୍ବାଭାବିକତାର ସମ୍ମୁଖୀନ ହୋଇଛି। ଅନ୍ୟପକ୍ଷରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ସୁପ୍ରିମକୋର୍ଟଙ୍କ ରାୟକୁ ସ୍ବାଗତ କରି ଏହା ବହୁପୂର୍ବରୁ ହେବାର ଥିଲା ବୋଲି କହିଛନ୍ତି। ତାଙ୍କ ପ୍ରଶାସନ ଅମଳରେ ସେ ଯେଉଁ ରକ୍ଷଣଶୀଳ ଚିନ୍ତାଧାରା ପୋଷଣ କରୁଥିବା ବିଚାରପତିମାନଙ୍କୁ ନିଯୁକ୍ତ କରିଥିଲେ ଏହି ନିଷ୍ପତ୍ତି ତାହାର ପ୍ରତିଫଳନ ବୋଲି କୁହାଯାଉଛି। ଆମେରିକା ସୁପ୍ରିମକୋର୍ଟରେ କଞ୍ଜରଭେଟିଭ୍‌ ଜଜ୍‌ଙ୍କ ସଂଖ୍ୟା ଅଧିକ ଥିବାରୁ ଆଗକୁ ଆହୁରି ଏହିଭଳି ରିଗ୍ରେସିଭ୍‌ ବା ପଶ୍ଚାତ୍‌ପଦ ନିଷ୍ପତ୍ତି ଆସିବାର ଆଶଙ୍କା ରହିଛି। ଏଠାରେ ୯ ଜଣ ବିଚାରପତିଙ୍କ ମଧ୍ୟରୁ ୬ ଜଣ ରକ୍ଷଣଶୀଳ ବୋଲି କୁହାଯାଉଛି। ଏବେ ଗର୍ଭପାତ ଅଧିକାର ସମ୍ପର୍କରେ ଦିଆଯାଇଥିବା ରାୟ ଏକ ରାଜନୈତିକ ତିକ୍ତତା ସୃଷ୍ଟି କଲାଣି। ଯେହେତୁ ସର୍ବୋଚ୍ଚ ନ୍ୟାୟାଳୟ କହିଲେ ଯେ, ପ୍ରତ୍ୟେକ ରାଜ୍ୟ ତାହାର ନିଜସ୍ବ ନିଷ୍ପତ୍ତି ନେଇପାରିବ, ସେଥିପାଇଁ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ରିପବ୍ଲିକାନ୍‌ ଦଳ ଦ୍ୱାରା ଶାସିତ ରାଜ୍ୟଗୁଡ଼ିକ ଏହି ରାୟକୁ ତତ୍‌କ୍ଷଣାତ୍‌ କାର୍ଯ୍ୟକାରୀ କରିଦେଲେଣି। ଯେଉଁସବୁ ରାଜ୍ୟରେ ଏବକାର ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ଡେମୋକ୍ରାଟିକ୍‌ ଦଳ ଶାସନ କରୁଛି, ସେଠାରେ ଆଇନର ପରିବର୍ତ୍ତନ ଘଟି ନାହିଁ। ଅର୍ଥାତ୍‌ ମହିଳାମାନେ ସେଠାରେ ଗର୍ଭପାତ କରିବାର ସୁଯୋଗ ପାଇବେ। ବିଡ଼ମ୍ବନାର ବିଷୟ ଗର୍ଭପାତ ନିୟମକୁ ନେଇ ରାଜନୀତି ଚାଲିଥିବା ବେଳେ ମହିଳାଙ୍କ ବ୍ୟକ୍ତିଗତ ସ୍ବାଧୀନତା ଓ ସେମାନଙ୍କ ଭବିଷ୍ୟତ ଘୋର ପ୍ରଭାବିତ ହେବାକୁ ଯାଉଛି। ନାବାଳିକା ତଥା ବଳାତ୍କାର ପୀଡ଼ିତାଙ୍କ ଘଟଣାରେ ମଧ୍ୟ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇ ନାହିଁ। ସବୁଠାରୁ ଆଶ୍ଚର୍ଯ୍ୟର କଥା ଏଭଳି କ୍ଷେତ୍ରରେ ସନ୍ତାନ ଜନ୍ମ ହେବା ପରେ ତାହାର କିଭଳି ଯତ୍ନ ନିଆଯାଇପାରିବ ସେ ସମ୍ପର୍କରେ କୌଣସି ସ୍ପଷ୍ଟୀକରଣ ନାହିଁ। ଅନ୍ୟପକ୍ଷରେ ଯେଉଁଠାରେ ଗର୍ଭପାତ ବେଆଇନ ବୋଲି ବିଚାର କରାଯିବ ସେଠାରେ ଲୁଚାଛପାରେ ଅଧିକ ଗର୍ଭପାତ କରାଯିବାର ବାଟ ଫିଟିଯିବ। ଲୁଚାଛପାରେ ଯେଉଁ କାର୍ଯ୍ୟ ହୁଏ, ସେଥିରେ ମହିଳାଙ୍କ ପ୍ରତି ବିପଦ ବଢ଼ିଯିବା ସୁନିଶ୍ଚିତ।
ଆମେରିକା ସୁପ୍ରିମକୋର୍ଟ ଦକ୍ଷିଣପନ୍ଥୀ ବା ରକ୍ଷଣଶୀଳ ମାନସିକତାରେ ସର୍ବୋଚ୍ଚକୁ ଚାଲିଯାଇଛି। ପୃଥିବୀବ୍ୟାପୀ ବିଭିନ୍ନ ଗଣତାନ୍ତ୍ରିକ ଦେଶରେ ଏହିଭଳି ଆଭିମୁଖ୍ୟ ରଖିଥିବା ନେତାମାନେ କ୍ଷମତା ଦଖଲ କରିବସିଛନ୍ତି। ଭାରତରେ ମଧ୍ୟ ୨୦୧୭ରେ ଚାଲିଥିବା ଆଧାର କାର୍ଡ ସଂକ୍ରାନ୍ତୀୟ ବିବାଦରେ ଭାରତ ସରକାରଙ୍କ ଆଟର୍ନି ଜେନେରାଲ ମୁକୁଲ ରୋହତୋଗୀ ଅଦାଲତରେ ଘୋଷଣା କରିଥିଲେ ଯେ, ଭାରତୀୟ ନାଗରିକଙ୍କର ନିଜ ଶରୀର ଉପରେ ମଧ୍ୟ ସମ୍ପୂର୍ଣ୍ଣ ଅଧିକାର ନାହିଁ। ଏହା ଏକ ବିଚିତ୍ର ଓ ବିପଜ୍ଜନକ ମନୋଭାବ। ଆମେରିକାରେ ଗର୍ଭପାତ ରାୟଠାରୁ ଆରମ୍ଭକରି ଅନେକ ରକ୍ଷଣଶୀଳ ଆଇନକୁ ସମ୍ପୂର୍ଣ୍ଣ ବିରୋଧ କରାଯିବା ଅତ୍ୟନ୍ତ ଆବଶ୍ୟକ। ତାହା କରା ନ ଗଲେ ସମଗ୍ର ପୃଥିବୀରେ ମାନବ ଅଧିକାରକୁ ଅତୁଳନୀୟ କ୍ଷତି ପହଞ୍ଚିବ।


Enter your email to get our daily news in your inbox.

All Right Reserved By Dharitri.Com

ଦରମା ଦେଇପାରୁନି ଆମେରିକା

ଶ୍ବର ବିକଶିତ ଦେଶ ଆମେରିକାରେ ଅଚଳାବସ୍ଥା। ୧୪ ଲକ୍ଷରୁ ଅଧିକ ଫେଡେରାଲ କର୍ମଚାରୀଙ୍କୁ ବେତନ ନ ମିଳବା , ୪୧ ଲକ୍ଷ ନିମ୍ନ ଆୟକାରୀ ଆମେରିକୀୟଙ୍କ...

ମାନବାଧିକାର, ଆମର ଦୈନନ୍ଦିନ ଆବଶ୍ୟକତା

ଆଜି ସାରା ବିଶ୍ୱରେ ଅନ୍ତର୍ଜାତୀୟ ମାନବାଧିକାର ଦିବସ ପାଳନ ହେଉଛି । ଚଳିତ ବର୍ଷ ଜାତିସଂଘ ତରଫରୁ ଏହି ଦିବସ ପାଇଁ ସ୍ଲୋଗାନ ରହିଛି ”ମାନବାଧିକାର,...

ଗାନ୍ଧୀ ବିଭାଜନକାରୀ

ଭାରତ ୨୦୪୭ ସୁଦ୍ଧା ବିକଶିତ ହେବ ବୋଲି କେନ୍ଦ୍ର ସରକାର ବାରମ୍ବାର ଦୋହରାଉଛନ୍ତି। ବିକଶିତ ଦେଶ ଗଢ଼ିବାର ସ୍ବପ୍ନ ଦେଖାଯିବା ନିଶ୍ଚିତ ଭାବେ ସ୍ବାଗତଯୋଗ୍ୟ। କିନ୍ତୁ...

ଏଇ ଭାରତରେ

ଉତ୍ତରପ୍ରଦେଶର ଧୀରଜ ବର୍ମା ଟିଭି ଶୋ’ ଦେଖି ଷ୍ଟ୍ରବେରି ଚାଷ ଆରମ୍ଭକରି ଜଣେ ସଫଳ ଚାଷୀ ହୋଇପାରିଛନ୍ତି। ସେ ବିନା ମାଟି ଅର୍ଥାତ୍‌ କେବଳ ପାଣି...

ଜୀବନ୍ତ ଗ୍ରହର ଜୀବନ ରହସ୍ୟ

ପୃଥିବୀକୁ ମିଶେଇ ଆଠଟା ଗ୍ରହ, ପ୍ଲୁଟୋକୁ ମିଶେଇ ୫ଟା ବାମନଗ୍ରହ, ଚନ୍ଦ୍ରକୁ ମିଶେଇ ଶହ ଶହ ଉପଗ୍ରହ, ଗ୍ରହାଣୁପୁଞ୍ଜ, ଅଗଣିତ ଛୋଟବଡ଼ ପିଣ୍ଡ ଏବଂ ବିଶାଳକାୟ...

ଶିଶୁ ଅନୁକୂଳ ପାଠାଗାର

ଜାତୀୟ ଶିକ୍ଷାନୀତିି ୨୦୨୦ରେ ଏବଂ ଜାତୀୟ ପାଠ୍ୟ ଖସଡ଼ା ୨୦୨୨ରେ ପ୍ରାକ୍‌-ପ୍ରାଥମିକ ଶିକ୍ଷାରେ ଇମରଜେଣ୍ଟ ଲିଟେରାସି ବା ଅଙ୍କୁରିତ ସାକ୍ଷରତା, ଇମରଜେଣ୍ଟ ରିଡିଂ ବା ଅଙ୍କୁରିତ...

ନେହେରୁ ନୁହେଁ, ଭବିଷ୍ୟତକୁ ଦେଖ

‘ବନ୍ଦେ ମାତରମ୍‌’ ଭାରତର ଜାତୀୟ ଗୀତ ଭାବେ ଜଣାଶୁଣା। ବଙ୍କିମ ଚନ୍ଦ୍ର ଚାଟାର୍ଜୀଙ୍କ ଦ୍ୱାରା ଏହା ରଚିତ ହୋଇଥିଲା। ୧୮୭୫ ନଭେମ୍ବର ୭ରେ ପ୍ରଥମେ ‘ବଙ୍ଗଦର୍ଶନ’...

ଏଇ ଭାରତରେ

ବାହାରେ କିମ୍ବା ଘରେ ଅଦରକାରୀ ଜିନିଷ ଠୁଳ ହୋଇ ରହିବା ପ୍ରଦୂଷଣର କାରଣ ପାଲଟୁଛି। ପ୍ରଦୂଷଣ ହ୍ରାସ କରିବା ସକାଶେ ରିସାଇକ୍ଲିଂ ପଦ୍ଧତିରେ ଏଗୁଡ଼ିକର ପୁନଃ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri