ନୂଆଦିଲ୍ଲୀ, ୧୮।୮: କକରୋଚ ଜନତା ପାର୍ଟି (CJP) ସାରା ଦେଶରେ ‘ସ୍କୁଲ ଠିକ କର’ ଅଭିଯାନ ଚଳାଉଛି। ଏହି ମଧ୍ୟରେ ମହାରାଷ୍ଟ୍ରର ହିଙ୍ଗୋଲି ଜିଲାର ଏକ ସ୍କୁଲରେ ମଦ୍ୟପାନ କରି ସ୍କୁଲ ଆସୁଥିବା ପ୍ରଧାନଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି। ତାଙ୍କୁ ନିଲମ୍ବିତ କରାଯାଇଛି। ପ୍ରଧାନଶିକ୍ଷକ ଜଣକ ମଦ ପିଇ ସ୍କୁଲ ଆସୁଥିଲେ। CJPର ପ୍ରତିଷ୍ଠାତା ଅଭିଜିତ ଦୀପକେ ଏନେଇ ସୂଚନା ଦେଇଛନ୍ତି। ଏହି ସମୟରେ ସେ ଅବଦୁଲ ଏବଂ ତାଙ୍କ ଦିବଙ୍ଗତ ପିତାଙ୍କ ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି।
CJPର ପ୍ରତିଷ୍ଠାତା ଅଭିଜିତ ଦୀପକେ ସୋସିଆଲ ମିଡିଆ ‘ଏକ୍ସ’ରେ ଲେଖିଛନ୍ତି, ହିଙ୍ଗୋଲି ଜିଲାର ଲିମ୍ବାଲା ଗାଁବାସୀଙ୍କ ପାଇଁ ଏହା ପ୍ରଥମ ବଡ଼ ବିଜୟ। ମଦ୍ୟପ ପ୍ରଧାନଶିକ୍ଷକଙ୍କୁ ନିଲମ୍ବିତ କରାଯାଇଛି। ମୁଁ ଏହି ବିଜୟକୁ ଅବଦୁଲ ଏବଂ ତାଙ୍କ ପିତାଙ୍କୁ ସମର୍ପିତ କରିବାକୁ ଚାହୁଁଛି। ଯେପରି ଅବଦୁଲ ଗତକାଲି (୧୭ ଅଗଷ୍ଟ) କହିଥିଲେ, ‘ଏବେ ଆଉ ଅଟକିବା ନାହିଁ, ସ୍କୁଲକୁ ଠିକ କରିକି ହିଁ ରହିବୁ।’
ଦୀପକେ କହିଛନ୍ତି ଯେ, ଏଠାକାର ଗାଁବାସୀମାନେ ଏପର୍ଯ୍ୟନ୍ତ ୫ ଥର ଲିଖିତ ଭାବେ ଅଭିଯୋଗ କରିଥିଲେ। ଏହା ସତ୍ତ୍ୱେ ମଧ୍ୟ ଏଠାକାର ଅଧିକାରୀମାନେ କୌଣସି ପଦକ୍ଷେପ ନେଇନଥିଲେ। କିନ୍ତୁ ଯେତେବେଳେ ଆମେ ଶନିବାର ଏହି ପ୍ରସଙ୍ଗ ଉଠାଇଲୁ ଏବଂ କହିଲୁ ଯେ, ଯଦି ସେହି ପ୍ରଧାନଶିକ୍ଷକଙ୍କୁ ହଟାଯାଏ ନାହିଁ, ତେବେ ଆମେ ଏଠାରେ ଆନ୍ଦୋଳନ କରିବୁ। ଏହାପରେ ଆଜି ସକାଳେ ସେହି ପ୍ରଧାନଶିକ୍ଷକଙ୍କୁ ହଟାଇ ଦିଆଯାଇଛି।

