ଭୁବନେଶ୍ୱର,୧୮।୧୧: ରାଜଧାନୀ ଭୁବନେଶ୍ୱରରେ ଅଭାବନୀୟ ଘଟଣା। ପ୍ରେମିକଙ୍କ ସହ ମତାନ୍ତରକୁ କେନ୍ଦ୍ର କରି ଜଣେ ଯୁବତୀ ନିଜ ଦେହରେ ନିଆଁ ଲଗାଇ ଆତ୍ମଦାହ ଉଦ୍ୟମ କରିଥିବା ସୂଚନା ମିଳିଛି। ଇନ୍ଫୋସିଟି ଥାନା ଅନ୍ତର୍ଗତ ପଥରଗାଡ଼ିଆର ୨୦୦ ଫୁଟିଆ ରାସ୍ତାରେ ଏହି ଘଟଣା ଘଟିଛି। ଘଟଣା ସମ୍ପର୍କରେ ସୂଚନା ପାଇ ଇନ୍ଫୋସିଟି ଥାନା ପୋଲିସ ତୁରନ୍ତ ପହଞ୍ଚି ଯୁବତୀଙ୍କୁ ଉଦ୍ଧାର କରିଥିଲା। ତେବେ ନିଆଁରେ ଯୁବତୀଙ୍କ ଶରୀରର ପ୍ରାୟ ୯୦ ପ୍ରତିଶତ ପୋଡ଼ିଯାଇଥିବା ଜଣାପଡ଼ିଛି। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଥିଲା। ପରେ ଅଧିକ ଚିକିତ୍ସା ପାଇଁ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରାଯାଇଛି।
ପ୍ରାଥମିକ ସୂଚନା ଅନୁସାରେ, ପ୍ରେମିକଙ୍କ ସହ କୌଣସି କାରଣକୁ ନେଇ ମତାନ୍ତର ହେବା ପରେ ଯୁବତୀ ଜଣକ ଏଭଳି ଚରମ ପଦକ୍ଷେପ ନେଇଥିବା କୁହାଯାଉଛି। ତେବେ ଘଟଣାର ପ୍ରକୃତ କାରଣ ଓ ଅନ୍ୟାନ୍ୟ ଦିଗକୁ ନେଇ ପୋଲିସର ତଦନ୍ତ ପରେ ଅଧିକ ତଥ୍ୟ ସ୍ପଷ୍ଟ ହେବ।
Dharitri – Odisha’s No.1 Odia Daily

