ଯୁଦ୍ଧରହିତ ଜଗତ ଜରୁରୀ

ମାୟାଧର ନାୟକ

 

ସାରା ବିଶ୍ୱ ଚାହିଁରହିଛି ଯୁଦ୍ଧରେ ବିଜୟ କାହାର ହେବ! ଶାନ୍ତି କେବେ ପ୍ରତିଷ୍ଠା ହେବ! ୨୦୨୨ ଫେବୃୟାରୀ ୨୪ରୁ ରୁଷିଆ-ୟୁକ୍ରେନ୍‌ ଘମାଘୋଟ ଯୁଦ୍ଧ ଚାଲିଛି। ଥମିବାର ନାଁ ଧରୁନି। ୨୦୨୩ ଅକ୍ଟୋବର ୭ରୁ ଆରମ୍ଭ ହୋଇଥିବା ଇସ୍ରାଏଲ-ପାଲେଷ୍ଟାଇନ୍‌ ଯୁଦ୍ଧ ରକ୍ତତାଣ୍ଡବର ସୀମା ଟପିଗଲାଣି। ବିଶ୍ୱର ବର୍ତ୍ତମାନ କୌଣସି ନେତା କି ଦେଶ କିମ୍ବା ସଂସ୍ଥା ନାହିଁ ଯୁଦ୍ଧର ମୂଳ କାରଣକୁ ବିଶ୍ୱବାସୀଙ୍କ ପାଖରେ ଖୋଲାଖୋଲି ସତ୍ୟ ପ୍ରକାଶ କରିବାକୁ। କାରଣ ଏ ଯୁଦ୍ଧ ଯୋଜନାବଦ୍ଧ। ଆମେରିକା ଇସ୍ରାଏଲ ନିଆଁରେ ଘିଅ ଢାଳିବାରେ ଲାଗିଛି। ଯୁଦ୍ଧାସ୍ତ୍ର, ଅର୍ଥ ଇସ୍ରାଏଲ ମୁଣିରେ ଓଜାଡି ଦେଉଛି। ପାଲେଷ୍ଟାଇନ୍‌-ଗାଜା ସପକ୍ଷରେ ଆରବଦେଶ ସମୂହ ସମର୍ଥନ କରୁଛନ୍ତି। ବିଶ୍ୱର ଶକ୍ତିଶାଳୀ ହିଜବୁଲ୍ଲା, ହାଇଥି ବିଦ୍ରୋହୀ ଗୋଷ୍ଠୀ ଗାଜା ସପକ୍ଷରେ ରହି ଇସ୍ରାଏଲ ସୀମାରେ ଆକ୍ରମଣ କରିଦେଇଛନ୍ତିି। ଲୋହିତ ସାଗରରେ ଆମେରିକାର ଅସ୍ତ୍ର ଓ ଅନ୍ୟାନ୍ୟ ପଦାର୍ଥ ବୋଝେଇ ୩ଟି ଜଳ ଜାହାଜକୁ ‘ହାଇଥି’ମାନେ ଅପହରଣ କରିନେଇଛନ୍ତି। ଚାଇନା, ଉତ୍ତରକୋରିଆ, ରୁଷିଆ, ରୁଷିଆର ଭଡାଟିଆ ସୈନ୍ୟ ୱାଗନର୍‌ ଗ୍ରୁପ୍‌ ଗାଜା ସପକ୍ଷରେ। ଏବେ ଇସ୍ରାଏଲ ଅର୍ଥନୀତି ଧ୍ୱଂସମୁଖୀ। ପ୍ରତିଦିନ ଯୁଦ୍ଧରେ ୨୬୦ ମିଲିୟନ ଡଲାର ଖର୍ଚ୍ଚ କରୁଛି। ତା’ର ରିଜର୍ଭ ୩ଲକ୍ଷ ୫୦ହଜାର ସୈନ୍ୟରୁ ଯୁଦ୍ଧକ୍ଷେତ୍ରକୁ ୨ଲକ୍ଷ ୩୦ହଜାର ଛାଡିଛି। ଯାହାଫଳରେ ଇସ୍ରାଏଲର ଅର୍ଥଭଣ୍ଡାର ଯୁଦ୍ଧାସ୍ତ୍ର ସରିସରି ଆସୁଛି। ରାଜନୈତିକ ଉଦ୍ଦେଶ୍ୟ ରଖି ନେତାନ୍ୟାହୁ ଯୁଦ୍ଧ ଚଳାଇଛନ୍ତି। ସଫଳ ହେବ କି ନ ହେବ ତାହା ଇତିହାସ କହିବ। ଯୁଦ୍ଧରହିତ ଜଗତ ଜରୁରୀ ବୋଲି କେବେ ଏମାନେ ବୁଝିବେ ?
ୟୁକ୍ରେନ୍‌ ଗାଜାକୁ ନେଇ ସମଗ୍ର ବିଶ୍ୱରେ ଦ୍ୱନ୍ଦ୍ୱ ବଢିଚାଲିଛି। ଇସ୍ରାଏଲ ପାଲେଷ୍ଟାଇନ୍‌ ମାଟିରୁ ଗାଜାର ଚିହ୍ନବର୍ଣ୍ଣ ଲୋପ କରିଦେବାକୁ ବସିଛି। ରୁଷିଆ ମାଡିବସିଥିବା ୟୁକ୍ରେନ୍‌ ଭୂଖଣ୍ଡକୁ ନେଇ ଯୁଦ୍ଧ ଚାଲିଛି। ରୁଷିଆ ଅନ୍ୟାୟରେ ୟୁକ୍ରେନ୍‌କୁ ଆକ୍ରମଣ କରୁଛି। ହମାସ୍‌ ନେତାଙ୍କୁ, ପାଲେଷ୍ଟାଇନ୍‌ ଜନଗଣଙ୍କୁ ଯେତେ ଗଣହତ୍ୟା କଲେ ବି ଭବିଷ୍ୟତରେ ଦ୍ୱନ୍ଦ୍ୱ ଲାଗିରହିବ। ସମସ୍ତେ ବର୍ତ୍ତମାନ ଆମେରିକା ଉପରେ ଦୋଷ ଲଦୁଛନ୍ତି। ଆମେରିକା ବି ଇସ୍ରାଏଲ ପାଇଁ ହତାଶ ହୋଇଗଲାଣି। ତେଣୁ ଆମେରିକା, ଇସ୍ରାଏଲ, ୟୁକ୍ରେନ୍‌ ଏବଂ ରୁଷିଆ ଏ ଭୟଙ୍କର ବିପଦରୁ ବର୍ତ୍ତିବା ପାଇଁ ରାସ୍ତା ବାହାର କରନ୍ତୁ।
ଭୋକରେ ଛଟପଟ ହେଉଛନ୍ତି ଗାଜାର ଜନସାଧାରଣ। ପ୍ରବଳ ବର୍ଷାରେ ଆଶ୍ରିତଙ୍କ ଦୁଃଖ କହିଲେ ନ ସରେ। ଏକପ୍ରକାର ଦୁର୍ଭିକ୍ଷ ପରିସ୍ଥିତି ସୃଷ୍ଟି ହୋଇଛି। ପାତାଳ ଭିତରୁ ‘ହମାସ୍‌’ମାନଙ୍କୁ ଠାବ କରି ନ ପାରି ପାଲେଷ୍ଟାଇନ୍‌-ଗାଜାବାସୀଙ୍କ ଉପରେ ରାଗ ଶୁଝାଇ ଇସ୍ରାଏଲ ନିରୀହ ଶିଶୁ, ମହିଳା, ସାଧାରଣ ଲୋକଙ୍କୁ ବୋମାପକାଇ ମାରୁଛି। ଘରଦ୍ୱାର, ଡାକ୍ତରଖାନା, ସ୍କୁଲ କଲେଜ, ରିଫ୍ୟୁଜି କ୍ୟାମ୍ପ, ମସ୍‌ଜିଦକୁ ଧ୍ୱଂସସ୍ତୂପରେ ପରିଣତ କରିସାରିଲାଣି। ତାଙ୍କ ଦୋମୁହାଁ ନୀତିକୁ କେହି ବିରୋଧ କରିବାକୁ ନାହିଁ। ଗଣମାଧ୍ୟମ ତାଙ୍କର କୋଳାଶ୍ରିତ।
ପାଖାପାଖି ଗାଜାରେ କାର୍ଯ୍ୟରତ ୧୦୦ ସାମ୍ବାଦିକଙ୍କୁ ଇସ୍ରାଏଲ ସୈନ୍ୟ ହତ୍ୟା କଲେଣି। ଯେଉଁ ସାମ୍ବାଦିକମାନଙ୍କୁ ପାଉନାହାନ୍ତି ତାଙ୍କ ପରିବାରକୁ ଅତ୍ୟନ୍ତ ଜଘନ୍ୟ ଭାବେ ହତ୍ୟା କରୁଛନ୍ତି। ଏବେ ସୁଡଙ୍ଗରେ ସମୁଦ୍ରପାଣି ଭର୍ତ୍ତି କରୁଛି। ଏ ପର୍ଯ୍ୟନ୍ତ ୪୦ହଜାର ଟନ୍‌ ବାରୁଦ ଫିଙ୍ଗିଲାଣି। ଏଣେ ‘ହମାସ୍‌’ ଚେତାବନୀ ଦେଇଛି – ଆମ ଗାଜା ନାଗରିକଙ୍କୁ ଗିରଫକରି ଜେଲ୍‌ରେ ରଖିଛ- ଶୀଘ୍ର ଛାଡ। ଆମେ ତମ ପଣବନ୍ଦୀଙ୍କୁ ଛାଡିବୁ। ଆଲୋଚନାକୁ ଆସ। ନଚେତ୍‌ ପଣବନ୍ଦୀଙ୍କୁ ହତ୍ୟା କରିବୁ।
ପାଶ୍ଚାତ୍ୟ ଗଣତନ୍ତ୍ର ଏବେ ସମ୍ପୂର୍ଣ୍ଣ ଛଳନାପୂର୍ଣ୍ଣ। କେବଳ ସାଇନ୍‌ବୋର୍ଡ- ଆମେରିକା, ଇଂଲଣ୍ଡ, ଫ୍ରାନ୍ସ, ଜର୍ମାନୀ, ଇଟାଲି, ଇସ୍ରାଏଲ ପ୍ରମୁଖ ଆପଣାକୁ ଗଣତାନ୍ତ୍ରିକ ରାଷ୍ଟ୍ର ଡିଣ୍ଡିମ ପିଟୁଥିଲାବେଳେ ଗାଜାରେ ଗଣହତ୍ୟା ଜାରିରଖିବାକୁ ଜାତିସଂଘରେ ଆମେରିକା ‘ଭିଟୋ’ ପ୍ରୟୋଗକରି ଇସ୍ରାଏଲକୁ ଯୁଦ୍ଧାସ୍ତ୍ର, ସବୁ ଆବଶ୍ୟକ ପଦାର୍ଥ ଯୋଗାଉଛି। ଏମାନେ ସବୁ ଗଣତନ୍ତ୍ରର ଖୋଳପା ପିନ୍ଧି ସାରା ଦୁନିଆକୁ ଚକ୍‌ମା ଦେଖାଉଛନ୍ତି। ସେଠାକାର ଶାସକମାନେ ଗଣତନ୍ତ୍ର ନାଁରେ ଏକଚ୍ଛତ୍ରବାଦୀ ଶାସନ ଚଳାଇଛନ୍ତି।
ଯୁଦ୍ଧର ୬୪ ଦିନ ପରେ ବିଶ୍ୱର ୪୦ଟି ଦେଶର ପଦାର୍ଥବିଜ୍ଞାନୀ, ଗଣିତଜ୍ଞ, ଜୀବବିଜ୍ଞାନୀ, ରସାୟନବିତ୍‌, ଚିକିତ୍ସକ, ଶିକ୍ଷା ଓ ଶିଳ୍ପ ପ୍ରତିଷ୍ଠାନ ସହ ଯୁକ୍ତ ୧୩୦୦ରୁ ବେଶି ଅନ୍ତର୍ଜାତୀୟ ବିଜ୍ଞାନୀ ଓ ବିଶିଷ୍ଟ ଜନ ଭର୍ଚୁଆଲ ମାଧ୍ୟମରେ ଏକ ବୈଠକରେ ମିଳିତ ହୋଇ ପ୍ରସ୍ତାବ ଗ୍ରହଣ କରିଛନ୍ତି ଯେ ଗାଜାରେ ଅବିଳମ୍ବେ ଯୁଦ୍ଧବିରତି ଓ ଗଣହତ୍ୟା ବନ୍ଦ କରାଯାଉ। ନିର୍ବିଚାରରେ ଗଣହତ୍ୟା ସଙ୍ଗେ ସଙ୍ଗେ ଗାଜା ଭୂଖଣ୍ଡକୁ ଅବୈଧ ଭାବେ ଇସ୍ରାଏଲ ଦଖଲ କରୁଛି। ଏହି ପ୍ରସ୍ତାବ ସପକ୍ଷରେ ୯୭ ପର୍ସେଣ୍ଟ ଭୋଟ ମିଳିଛି। ସମୟ ବଦଳିଯାଇଛି – ଯେଉଁ ବୈଜ୍ଞାନିକମାନଙ୍କ ବୁଦ୍ଧିକୁ କ୍ରୟକରି ପରମାଣୁ ବୋମା ପର୍ଯ୍ୟନ୍ତ ନିର୍ମାଣ କରାଯାଇଛି। ଯେଉଁ ଅସ୍ତ୍ର ସବୁ ମଣିଷମାରଣ ପାଇଁ ପ୍ରସ୍ତୁତ କରିଥିଲେ- ଏବେ ଗଣହତ୍ୟା ବନ୍ଦ କରିବାକୁ ରଡି ଛାଡୁଛନ୍ତି। ତାଙ୍କ କଥା କେହି ଶୁଣିବାକୁ ନାହିଁ।
ଏ ଯୁଦ୍ଧ ଯୋଜନାବଦ୍ଧ। ଜୀବ-ଯୁଦ୍ଧରୁ ଜୀବାଣୁ-ଯୁଦ୍ଧ ଯାଏ ଏ ଜଗତ ଓ ଜୀବନ ଜର୍ଜରିତ। ରାଶିରାଶି ରୋଗ ସୃଷ୍ଟିକାରୀ ରାସାୟନିକ ସମରାଭ୍ୟାସର ସଙ୍କଟପର୍ବ ସମ୍ପ୍ରତି ସାବ୍ୟସ୍ତ କରୁଛି ମଣିଷ ଉପରେ ଅମଣିଷର ଭୂତ ସବାର ହେବାର ସଙ୍ଗିନ ସତ୍ୟ। ବଡ ସାଂଘାତିକ ଏ ଶୋଚନୀୟ ସାମରିକତା – ଯାହା ଆମର ଏ ଜୀବନ୍ତ ଗ୍ରହର ଭବିଷ୍ୟତକୁ ଗୋଟାଏ ପାଉଁଶ ପିଣ୍ଡୁଳାର ପରିଣତି ପ୍ରଦାନ ନିମନ୍ତେ ନିତ୍ୟନିୟତ ଷଡଯନ୍ତ୍ରରତ ! ତଥାପି ଚେତୁନି ଆମର ବୁଦ୍ଧି-ବିଚାର-ବିବେକ। ପ୍ରତିବାଦର ପ୍ରଖରତା କାମ୍ୟ । ଏ ସୁନ୍ଦର ସଂସାରକୁ ନିଜ ଶାଗୁଣାଡେଣାର ଛାଇତଳେ ଛାରଖାର କରିଦେବାର ଯୋଜନା ଜାଲ ବିଛାଇ ବସୁଛନ୍ତି କେଉଁ କୁଳପାଂଶୁଳ କୁଚକ୍ରୀଏ ? ହଁ, ମଣିଷ ହାଡର ହିଡ ଉପରେ ବସି, ନିଜ ମାରଣାସ୍ତ୍ର ବଜାରର ମୁନାଫା ମାହୋଲକୁ ମତୁଆଲା କରିବାର ଅଭିସନ୍ଧି କରିଚାଲିଥିବା ସେଇ ଜନତନ୍ତ୍ରର ଜଘନ୍ୟ ଜହ୍ଲାଦଗଣ ସେମାନେ- ମାନବିକତାର ମୃତ୍ୟୁଦୂତ, ସାମରିକ ଅସ୍ତ୍ରବିକ୍ରେତା ବୀଭତ୍ସ ବଣିକତନ୍ତ୍ରର କୁତ୍ସିତ କରାଳ କୀଟବର୍ଗ! ପୃଥିବୀରେ ଆଜି ଅଶାନ୍ତ ଅଶୁଭ ଝଡ ସବୁଠି। ବିକଳ ବିବ୍ରତ ଆଜିର ମଣିଷ ମହାବିତ୍ପାତର ବିଷାକ୍ତ ବୂ୍ୟହବଳୟରେ!
ପୃଥିବୀ ଧ୍ୱଂସଆଡକୁ ଅଗ୍ରସର ହେବାକୁ ଯାଉଛି। ପ୍ରାକୃତିକ, ମନୁଷ୍ୟକୃତ ବିପଦ ଏକାକାର ହୋଇଗଲାଣି। ଯୁଦ୍ଧ ଯୋଗୁ ଜଗତରେ ଜଘନ୍ୟ ଘଟଣାମାନ ଘଟିଚାଲିଛି। ଯୁଦ୍ଧ, ଭୋକ-ରୋଗରେ ସାରାସଂସାର ଜୀବଜଗତ ଛଟପଟ ହେଉଛନ୍ତି। ଯେଉଁମାନଙ୍କ ପାଖରେ ପରମାଣୁ ବୋମା ଅଛି ସେମାନେ ଯଦି ରାଗରେ ବଟନ୍‌ ଦବେଇ ଦିଅନ୍ତି – ତା’ହେଲେ ସମଗ୍ର ବିଶ୍ୱରେ ଘୋର ବିପର୍ଯ୍ୟୟ ଘଟିବ। ବିଶ୍ୱ ଧ୍ୱଂସର କାରଣ ହେବ।
ଆମର ଏ ବିଶ୍ୱ ଏବେ ଏକ ବିୟୋଗାତ୍ମକ ବିଶ୍ୱ, ଯାହା ଦିନ ଦିନ, ମାସ ମାସ, ମସିହା ମସିହା ଧରି ଲଗାତର ଲହୁଲୁହାଣ, ମଣିଷମରା ଯୁଦ୍ଧ-ମହାଯୁଦ୍ଧର ଜଘନ୍ୟତମ ହିଂସ୍ରହୁଙ୍କାରମୟ ଅବଦାନ- ଏ ମୁମୂର୍ଷୁ ମଣିଷଜାତିକୁ। ଯୋଜନାବଦ୍ଧ ଏ ବର୍ବର ଯୁଦ୍ଧପର୍ବର ଧୂସର ଦସ୍ତାବିଜ ତିଆରି କରିଛି ସେହି ଅତନ୍ଦ୍ର ଅମାନୁଷିକ ଦର୍ଶନ – ଯାହାର ପାପପ୍ରେରଣାରେ କରୋନାର କୃତାନ୍ତ କାଳ କବଳିତ କଲା ଆମର ଏ ଫୁଲଫସଲର ଦରଫୁଟା ପୃଥିବୀ ଗ୍ରହକୁ। ରାଜନୀତି-ଅର୍ଥନୀତି-ସମାଜନୀତିକୁ ପଙ୍ଗୁକରି ବ୍ୟକ୍ତିବାଦର ଏକ ବିତ୍ପାତକାରୀ ବ୍ୟଭିଚାରୀ ବିକୃତବିଳାସୀ ବଣିକତନ୍ତ୍ର ନିଜ ମୁଣାଗୁଡାକରେ ମାଣିକ ଭରିବା ପାଇଁ ଆମ ସୁନାକୁ ଭେଣ୍ଡି କଲା ଆଉ ତମାମ ମଣିଷର ମଇଦାନରେ ଖେଳାଇ ଦେଲା ଘୃଣା, ସଂଶୟ, ସଙ୍କଟର ବିକଟ ଜୀବାଣୁ- ପରସ୍ପର ପ୍ରତି ସଦ୍ୟସନ୍ଦିଗ୍ଧ ପରସ୍ପରର ପୀଡିତ ମାନସଜଗତରେ ! ଯୋଜନାବଦ୍ଧ ଏପରି ଅଭାବନୀୟ ଅବିଶ୍ୱାସ୍ୟ ଯୁଦ୍ଧମହାଯୁଦ୍ଧର ଭିତ୍ତିପ୍ରସ୍ତର ସ୍ଥାପକବର୍ଗ ହୁସିଆର। ବନ୍ଦ କର ଏ ଉଭୟ ଯୁଦ୍ଧ।
ଯାଜପୁର ରୋଡ୍‌, ଯାଜପୁର
ମୋ : ୯୮୬୧୦୩୪୧୬୩


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଉତ୍ତରପ୍ରଦେଶର ଭାରତୀୟ ବନ ସେବା (ଆଇଏଫ୍‌ଏସ୍‌) ଅଧିକାରୀ ବିକାଶ ନାୟକ ଇକୋଟୁରିଜମ୍‌କୁ ପ୍ରୋତ୍ସାହିତ କରି ଏକ ଉଦାହରଣ ସୃଷ୍ଟି କରିଛନ୍ତି। ବଡ଼ କଥା ହେଉଛି ଏକ...

ତୁମ ଆଡ଼େ କେମିତ

ଡ. ଦ୍ୱିତୀ ଚନ୍ଦ୍ର ସାହୁ ସକାଳୁ ସକାଳୁ ମନେ ପଡ଼ିଗଲା କି କ’ଣ ଦୂର ବାଟ ବନ୍ଧୁ ଜଣେ ଫୋନ୍‌ କଲେ। ଚାଲି ଚାଲି ମୋବାଇଲର...

ଓଡ଼ିଶାରେ ଭାଷା

ଲୋକନାଥ ପଣ୍ଡା ଫେବୃଆରୀ ମାସରେ ତିନିଦିନ ଧରି ଭୁବନେଶ୍ୱରଠାରେ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ବହୁ ଆଡ଼ମ୍ବରରେ ଅନୁଷ୍ଠିତ ହୋଇଥିଲା। ଇତିମଧ୍ୟରେ ଓଡ଼ିଆ ବିଶ୍ୱବିଦ୍ୟାଳୟ...

ଓଡ଼ିଆପ୍ରେମୀ ନାହାନ୍ତି

ଓଡ଼ିଶାରେ ନିର୍ବାଚନ ଚାଲିଥିବା ବେଳେ ଏବେ ‘ଅସ୍ମିତା’ ସର୍ବାଧିକ ବ୍ୟବହୃତ ଶବ୍ଦ ପାଲଟିଯାଇଛି। ସବୁ ଦଳ ଏହି ପ୍ରସଙ୍ଗକୁ ନେଇ ପରସ୍ପରକୁ ଦୋଷାରୋପ କରୁଛନ୍ତି। ସାହିତ୍ୟ,...

ଏଇ ଭାରତରେ

ଟେକ୍ସଟାଇଲ ଶିଳ୍ପରୁ ବର୍ଜ୍ୟ କପଡ଼ା ସଂଗ୍ରହ କରି ସେଥିରୁ ଷ୍ଟେସ୍‌ନେରି ଉତ୍ପାଦ ପ୍ରସ୍ତୁତ କରୁଛନ୍ତି ସୁରଟର ରାଶି ଅଗ୍ରଓ୍ବାଲା। ସେ ବର୍ଜ୍ୟରୁ ଡାଏରି, ଜର୍ନାଲ, ପ୍ଲାନର,...

ପ୍ଲାଷ୍ଟିକ୍‌ : ଏକ କ୍ଷୁଦ୍ର ପ୍ରବନ୍ଧ

ଶୈଳେନ୍ଦ୍ର ଦ୍ୱିବେଦୀ   ଆନ୍ତର୍ଜାତିକ ସ୍ତରରେ ପ୍ଲାଷ୍ଟିକ୍‌ ବର୍ଜ୍ୟ ଏବଂ ତଜ୍ଜନିତ ପ୍ରଦୂଷଣ ରୋକିବା ପାଇଁ ବିଶ୍ୱସ୍ତରରେ ରାଜିନାମା କଥା ଗୁରୁତ୍ୱର ସହ ଚିନ୍ତା କରାଯାଉଥିବାବେଳେ...

ମନ୍ତ୍ରଶକ୍ତିର ପ୍ରଭାବ

ଡ. ଛାୟାକାନ୍ତ ଷଡ଼ଙ୍ଗୀ   ବୈଦିକ ଋଷିମାନଙ୍କୁ ମନ୍ତ୍ରଦ୍ରଷ୍ଟା କୁହାଯାଏ। ଦାର୍ଶନାର୍ଥକ ଦୃଶ୍‌ ଧାତୁରୁ ଦ’ କାର ଲୋପ ହୋଇ ଋଷି ଶବ୍ଦ ଗଠିତ। ନିରୁକ୍ତାଚାର୍ଯ୍ୟ...

ଆଇନରୁ ଆଭାସ

ସଂସଦର ପ୍ରାଥମିକ କାର୍ଯ୍ୟ ହେଉଛି ଆଇନ ଗଢ଼ିବା। କିଏ ଆଇନ ଗଢ଼ିବେ ଏବଂ ପାସ୍‌ କରିବେ ତାହା ବିଚାରକରି ଆମେ ଲୋକ ସଭାକୁ ପ୍ରାର୍ଥୀଙ୍କୁ ଚୟନକରୁ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri