ଯେଉଁ ଭାଇରସ୍‌ର ଟିକା ନାହିଁ

ରଞ୍ଜନ କୁମାର ଦାସ

ପିଲାବେଳେ ଆମେ ବଡ଼ମାନଙ୍କ ମୁହଁରୁ ଶୁଣୁ ଯେ ଶାଗ ଖିଆକୁ ପେଯ ଖିଆ ଦେଖି ସହି ପାରେନି। ସେତେବେଳେ ଏ କଥାର ମର୍ମ ବୁଝିବାକୁ ଆମର ଆଗ୍ରହ ବା ପ୍ରୟାସ ବି ନ ଥିଲା। ଧୀରେ ଧୀରେ ବଡ଼ ହେଲା ପରେ ଜାଣିଲୁ ଯେ ସାଧାରଣ ଲୋକ ତାଙ୍କଠୁ କେହି ଭଲରେ ରହିଲେ ତାକୁ ସହିପାରନ୍ତିନି। ତା’ପ୍ରତି ଈର୍ଷା କରନ୍ତି। ତାକୁ ପଛରୁ ଟାଣିବାକୁ ଚେଷ୍ଟା କରନ୍ତି। ଏପରିକି ତାକୁ ତଳିତଳାନ୍ତ କରିବାର ଚେଷ୍ଟା କରନ୍ତି। ୟାର ବହୁ ଉଦାହରଣ ଆମ ସମାଜରେ ଅଛି। ଇତିହାସରେ ବି ଥିଲା। ଈର୍ଷା ମଣିଷର ଏକ ସହଜାତ ପ୍ରକୃତି। ସେ ତାକୁ ସହଜେ ଛାଡ଼ିବ ବା କେମନ୍ତେ!
ଆମ ଗଁା ଚାଳିଶ ବର୍ଷ ତଳେ ଏକ ଅନୁନ୍ନତ ଅଞ୍ଚଳ ଥିଲା ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ। ଉଭୟ ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ମାନଚିତ୍ରରେ ସେତେବେଳେ ଢେଙ୍କାନାଳକୁ ଏକ ପଛୁଆ ଅଞ୍ଚଳ ରୂପେ ବିବେଚନା କରାଯାଉଥିଲା।
ରାସ୍ତାଘାଟ, ବାଣିଜ୍ୟ ବେପାର, ଔଦ୍ୟୋଗିକ ବିକାଶ ସବୁ ଦୃଷ୍ଟିରୁ ଏହା ଥିଲା ଅନଗ୍ରସର। ଲୋକଙ୍କ ଭିତରେ ବି ବିକାଶର ଭୋକ ନ ଥିଲା। ସେମାନେ ଅଳ୍ପରେ ସନ୍ତୁଷ୍ଟ ଥିଲେ। ମୋର ଜଣେ ଦାଦା ସେଇ ସମୟରେ କଲେଜ ପଢ଼ା ସାରି ଯେତେବେଳେ ଘରକୁ ଫେରିଲେ ସ୍ଥିର କଲେ ଯେ ସେ ଚାକିରି ପଛରେ ନ ଗୋଡ଼େଇ ବରଂ ଚାଷ ଓ ବ୍ୟବସାୟ କରିବେ। ବ୍ୟାଙ୍କରୁ ଲୋନ୍‌ ନେଇ ସେ ଗୋଟେ ଗୋପାଳନ ଫାର୍ମ କଲେ। ଜର୍ସି, ସିନ୍ଧି, ଛଡ଼ା ହଲସ୍ତିନ ଆଦି ଭଲଭଲ ପ୍ରଜାତିର ଗାଈ ସବୁ ଆଣି ରଖିଲେ। ହଲସ୍ତିନ ଗାଈ ଗୋଟେ ଗୋଟେ ଦେଖିଲା ଭଳି। ଥରକେ ସେ କୋଡ଼ିଏ ପଚିଶ ଲିଟର କ୍ଷୀର ଦିଏ। ସେତେବେଳେ ଆମ ଅଞ୍ଚଳରେ କେହି ବ୍ୟବସାୟିକ ଭାବେ ଗୋପାଳନ କରୁନଥିଲେ। ତେଣୁ ଏତେ କ୍ଷୀର ଦଉଥିବା ଗାଈକୁ ଦେଖିବାକୁ ଲୋକେ ଆସନ୍ତି। ଗାଈ ପାଇଁ ସ୍ବତନ୍ତ୍ର ଗୁହାଳ ତିଆରି ହେଲା। ତା’ ଭିତରେ ଫ୍ୟାନ ଲାଗିଲା। ସେତେବେଳେ ମଣିଷମାନେ ବି ଫ୍ୟାନ ତଳେ ଶୋଇବାର ସୌଭାଗ୍ୟ ପାଉନଥିଲେ। ତେଣୁ ଗାଈ ଯେ ଫ୍ୟାନ ତଳେ ଶୋଇବ ଏକଥା ଚର୍ଚ୍ଚାର ବିଷୟ ହେଲା। ଗାଈକୁ ମଶା ଡାଆଁଶ ନ ଲାଗିବା ପାଇଁ ଜାଲି ସବୁ ଲାଗିଲା। ଗାଈ ଗୋବରରୁ ଆମର ବାୟୋ ଗ୍ୟାସ ପ୍ଲାଣ୍ଟ ହେଲା। ଲୋକେ କୁହାକୁହି ହେଲେ ତାଙ୍କ ଗାଈ ଗୋବରରୁ ଇଲେକ୍ଟ୍ରି ବାହାରୁଛି।
ସବୁ ଠିକ୍‌ଠାକ୍‌ ଚାଲିଥିଲା। କିଛିଦିନ ପରେ ଛଅଟା ଯାକ ଗାଈ ଗୋଟାକ ପରେ ଗୋଟେ ଅସୁସ୍ଥ ହେଲେ। କାହାର ଚୀରରୁ କ୍ଷୀର ବଦଳରେ ରକ୍ତ ବାହାରିଲା ତ କିଏ ବାରମ୍ବାର ଗର୍ଭପାତ କଲା। ଆମେ ପଶୁ ଡାକ୍ତରଙ୍କୁ ଆଣି ଦେଖେଇଲୁ।
ଯେହେତୁ ଏଭଳି ଫାର୍ମ ସେ ଅଞ୍ଚଳର ପ୍ରଥମ ଥିଲା ପଶୁ ଡାକ୍ତରଙ୍କର ମଧ୍ୟ ଆଗ୍ରହ ଥିଲା । ସେ ସବୁବେଳେ ଆସୁଥିଲେ। ମାତ୍ର ତାଙ୍କର ସବୁ ଉଦ୍ୟମ ବିଫଳ ହେଲା। ଧୀରେ ଧୀରେ ଗୋଟେ ପରେ ଗୋଟେ ଗାଈ ମରିଗଲେ। ଶେଷରେ ଗୁହାଳ ସବୁ ଭଙ୍ଗା ହେଇଗଲା। ଆଉ ଗାଈ ରଖିବାକୁ ମନ ହେଲାନି। ଗୁହାଳ ଯେତେବେଳେ ଭଙ୍ଗା ହେଲା ସେଠୁ କିଛି ଫୁଲ, ସିନ୍ଦୂର, ଚନ୍ଦନ, ବନ୍ଧା ପୁଡ଼ିଆ ବାହାରିଲା। ଜଣେ ଲୋକ କହିଲା ଗୁଣିଟୁଣି ବୋଧେ କିଏ କରିଥିଲା। ନ ହେଲେ ଏଡ଼େ ସୁଠାମ ସୁନ୍ଦର ଗାଈଗୁଡ଼ାକ କିଛି ନ ଥାଇ ହଠାତ୍‌ ଠକ୍‌ଠାକ୍‌ ମରିଗଲେ? ମନକୁ ଅବୈଜ୍ଞାନିକ ଲାଗିଲେ ମଧ୍ୟ କଥାଟି ଛାତି ଭିତରେ କୋଉଠି ନା କୋଉଠି ଅଟକିଗଲା। ଦାଦା ଯାଇ ଆମ ଅଞ୍ଚଳର ଜଣେ ଗୁଣିଆକୁ ଡାକି ଆଣିଲେ। ସେ ମଧ୍ୟ ସେଇ କଥା ଦୋହରାଇଲେ। ଗୁଣିଆ ଉପରେ ବିଶ୍ୱାସ କରିବା ହୁଏତ ଆମର ଅନ୍ଧବିଶ୍ୱାସ ବୋଲି ଆମେ କହିପାରୁ। ମାତ୍ର ଏ ସମଗ୍ର ଘଟଣାରେ ଯେ କିଛି ଲୋକଙ୍କର ଈର୍ଷା, ପରଶ୍ରୀକାତରତା ବା ଦ୍ୱେଷ ରହିଥାଇପାରେ ଏକଥା ଲୋକଙ୍କ ଆଲୋଚନାରୁ ସ୍ପଷ୍ଟ ହେଉଥିଲା। କିଛି ଲୋକ କହିଲେ ଗାଈଗୁଡ଼ାକ ଦୃଷ୍ଟିଆ ହେଇଗଲେ। ପାଠକମାନେ ଦେଖିଥିବେ ଗାଁ ଗହଳରେ ଏପରିକି ସହରରେ ମଧ୍ୟ ଛୁଆମାନେ କାଳେ ଦୃଷ୍ଟିଆ ହେଇଯିବେ ବୋଲି ତାଙ୍କ ମଥା ବା ପାଦରେ କଳା ଲଗେଇ ଦିଆଯାଏ। ଡେଉଁରିଆ ପିନ୍ଧାଯାଏ, ବଳାଗଣ୍ଠିରେ କଳା ସୂତା ମଧ୍ୟ ବାନ୍ଧି ଦିଆଯାଏ। ମା’ ମାନେ ଭାବନ୍ତି କିଛି ଲୋକଙ୍କର ଏଭଳି ଖର ଦୃଷ୍ଟି ଯେ ସେମାନଙ୍କ ଦୃଷ୍ଟି ପଡ଼ିଗଲେ ବା ଯାହାକୁ କୁହାଯାଏ ନଜର ଲାଗିଲେ ଛୁଆମାନେ ଜର, ଝାଡ଼ା ବାନ୍ତିରେ ପଡ଼ିଯାଆନ୍ତି। ତେଣୁ ସେମାନଙ୍କ ଦୃଷ୍ଟିରୁ ଛୁଆମାନଙ୍କୁ ଏଡ଼େଇ ରଖାଯାଏ। ଦୁର୍ଯୋଗ କ୍ରମେ ଯଦି ସେମାନଙ୍କ ଦୃଷ୍ଟିରେ ଛୁଆ ପଡ଼ିଯାଆନ୍ତି ତେବେ ଝଡ଼ା ଫୁଙ୍କାର ଆଶ୍ରୟ ନେବାକୁ ପଡ଼େ। ଏକଥା ଯେତେ ଅବୈଜ୍ଞାନିକ ଲାଗୁଥିଲେ ମଧ୍ୟ ସମାଜରେ ଥିବା ଈର୍ଷା, ଦ୍ୱେଷ ଓ ପରଶ୍ରୀକାତରତା ଯେ ଅଛି ଏ କଥାକୁ ଅସ୍ବୀକାର କରିହେବ ନାହିଁ। ଶୁଭକାମନାର ଯଦି ପ୍ରଭାବ ଅଛି ବୋଲି ଆମେ ବିଶ୍ୱାସ କରୁ ତେବେ ଅଶୁଭ କାମନାର ପ୍ରଭାବ କାହିଁକି ନଥିବ?
ଯାହାହେଉ, ଆମେ ପ୍ରଥମେ ପ୍ରଥମେ ଭାବୁଥିଲୁ ଏସବୁ ଗାଁ ଗହଳରେ ବା ଅଶିକ୍ଷିତ, ଅଳ୍ପଶିକ୍ଷିତ ଲୋକଙ୍କ ଭିତରେ ବେଶି ଚାଲେ। ମୁଁ ଯେତେବେଳେ ଚାକିରି କରି ବାହାରକୁ ଗଲି କୋରାପୁଟରେ ପ୍ରଥମେ ପୋଷ୍ଟିଂ ହେଲା। ସେଇ ସମୟରେ ମୋ ବାହାଘର ବି ହେଲା। କୋରାପୁଟରେ ସେ ସମୟରେ ବହୁତ ଶୀତ ହୁଏ। ତେଣୁ ବାହାଘରରେ ହେଇଥିବା କୋଟ୍‌ଟି ପିନ୍ଧି ଦିନେ ଅଫିସ ଯାଇଥାଏ। ମୁଁ ଦେଖିଲି ଅଫିସ ସାରା ମତେ ଦେଖି ଟୁପୁରୁ ଟାପୁରୁ ହେଲେ। ଅଡୁଆ ଅଡୁଆ ଲାଗିଲା। ଭାବିଲି ଖୋଲିଦେବି। ପରେ ପୁଣି ଭାବିଲି କୋଟ୍‌ ପିନ୍ଧିବାଟା କ’ଣ ଗୋଟେ ଦୋଷାବହ କାମ ଯେ ଖୋଲି ଦେବି? ମଧ୍ୟାହ୍ନ ବେଳକୁ ସର୍ବୋଚ୍ଚ ଅଫିସରଙ୍କଠାରୁ ଡାକରା ଆସିଲା। ସେ ମତେ ଆପାଦ ମସ୍ତକ ନିରୀକ୍ଷଣ କଲା ପରେ କହିଲେ, ଏ ଅଫିସରେ ଗାଁର ମଳିମୁଣ୍ଡିଆ ଲୋକଙ୍କ ସହ କାମ କରିବାକୁ ପଡ଼ିବ। ଏଠି କୋଟ୍‌ ପେଣ୍ଟ ବାବୁଗିରି ଚଳିବନି। ତମେ କାଲିଠୁ କାଶୀପୁର ଯାଅ। ସେଠି କ୍ୟାମ୍ପରେ କାମ କରିବ। କାଶୀପୁର ସେତେବେଳେ ବହୁତ ଦୁର୍ଗମ ଅଞ୍ଚଳ ଥିଲା। ପନିଶ୍‌ମେଣ୍ଟ ଏରିଆ ବୋଲି ଲୋକେ ଭାବୁଥିଲେ। ମୋ ମୁଣ୍ଡରେ ବଜ୍ର ପଡ଼ିଲା। କିଛି କହିବାର ବାଟ ବି ନଥିଲା। ବାହାରକୁ ଆସିଲା ପରେ ଜଣେ ବନ୍ଧୁ କହିଲେ, କୋଟ୍‌ ପିନ୍ଧିବାର ପରିଣାମ କ’ଣ ଜାଣିଲ ତ? ଆରେ ବାବୁ, ଯେ ଦେଶେ ଯାଇ ସେ ଫଳ ଖାଇ। ତମେ ଏଠି କୋଟ୍‌ ପିନ୍ଧି ସେ ବୁଢ଼ା ଆଗକୁ ଗଲେ ସେ ତମକୁ ସହିବ ବୋଲି ଭାବିଥିଲ? ତା’ ଦେହକୁ ଗଲାନି ତମ ବେଶ। ତେଣୁ ଶ୍ୟାମନାଗର ହେ ଆଉ ଏ ବେଶ ହୋଇବ ନାହିଁ। ସତକୁ ସତ ମୁଁ କୋରାପୁଟରେ କାର୍ଯ୍ୟକାଳ ସରିବା ଯାଏ ଆଉ କୋଟ୍‌ ପିନ୍ଧିନଥିଲି। ସୁଏଟରରେ ହିଁ କାମ ଚଳେଇ ଦେଲି। ମଝିରେ ମଝିରେ ଭୁବନେଶ୍ୱର ଆସିଲେ କୋଟ୍‌ ପିନ୍ଧେ।
ଏ ଘଟଣା ପ୍ରାୟ ତିରିଶ ବର୍ଷ ତଳର। ମାତ୍ର ଏବେ ବି ପରିସ୍ଥିତିରେ ବିଶେଷ ସୁଧାର ଆସିଚି ବୋଲି ମୋର ମନେ ହୁଏନି। ଏବେ ମଧ୍ୟ କେହି ତଳିଆ କର୍ମଚାରୀ ଭଲ ଇଂଲିଶ କହିଲେ, ଭଲ ଡ୍ରେସ ପିନ୍ଧିଲେ, ଭଲରେ ରହିଲେ, ଏପରିକି ଭଲ ଫୁଲ ବଗିଚାଟେ କ୍ୱାଟର ଆଗରେ କଲେ କି ଦେହରେ ଟିକେ ପରଫ୍ୟୁମ ପକେଇଲେ ତାକୁ ଉପର ଲୋକେ ସହିପାରନ୍ତିନି। ସପ୍ତାହାନ୍ତରେ ସେ ପରିବାରକୁ ନେଇ କୁଆଡ଼େ ବୁଲିବାକୁ ଗଲେ ଲୋକଙ୍କୁ ଭଲ ଲାଗେନି। ଏଲ.ଟି.ସି.ରେ ଯିବାକୁ ଦରଖାସ୍ତ ନେଲେ ଏମିତି ବ୍ୟବହାର କରାଯାଏ ଯେମିତି ସେ ପାପଟେ କରିଦେଇଛି। କର୍ମଚାରୀଟି ଯଦି କଳାକାର ହୋଇଥିବ ତେବେ ତ ତାକୁ ଆହୁରି ଈର୍ଷା। କ’ଣ କରାଯିବ ଏ ଅସହିଷ୍ଣୁତା ଓ ପରଶ୍ରୀକାତରତାର ଯେଉଁ ଭାଇରସ ମଣିଷ ମନରେ ଅଛି ତା’ର ଟିକା ଏ ଯାଏ ବାହାରିନି। ତେଣୁ ବିଶ୍ୱାସ ଥାଉ ନ ଥାଉ, ଡେଉଁରିଆ କଳାସୂତା, ଲଗେଇ ବୁଲିବାକୁ ପଡ଼ିବ। ନିଜକୁ ଦରିଦ୍ର ଓ ନିଃସ୍ବ ଭାବେ ପ୍ରଦର୍ଶିତ କରିବାକୁ ହେବ।
ନିର୍ଦ୍ଦେଶକ, ସଂସ୍କୃତି ବିଭାଗ
ମୋ -୯୪୩୭୨୮୬୫୧୨


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପକ୍ଷୀ ଜୀବନ ଏବେ ସଙ୍କଟରେ। ଜଳବାୟୁ ପରିବର୍ତ୍ତନ,ସହରୀକରଣରେ ବାସସ୍ଥାନ ଓ ଖାଦ୍ୟ ଅଭାବ ଯୋଗୁ ବଂଶବୃଦ୍ଧି ନ ହୋଇ ବହୁ ପ୍ରଜାତିର ପକ୍ଷୀ ଏବେ ବିଲୁପ୍ତିର ଦ୍ୱାରଦେଶରେ।…

ପରୀକ୍ଷା ପାଇଁ ପ୍ରସ୍ତୁତି

ଚଳିତ ବର୍ଷ ଫେବୃଆରୀଠାରୁ ଆମ ରାଜ୍ୟରେ ବିଭିନ୍ନ ପରୀକ୍ଷା ଆରମ୍ଭ ହେଉଛି। ଏଥି ନିମନ୍ତେ ପ୍ରତ୍ୟେକ ପରୀକ୍ଷାର୍ଥୀ ଜୋର୍‌ସୋରରେ ପ୍ରସ୍ତୁତି ଚଳାଇଛନ୍ତି। ପରୀକ୍ଷାର୍ଥୀମାନେ ପରୀକ୍ଷା ପାଇଁ ଯେତିକି…

ଗାଈ ସଂଗ୍ରହାଳୟ

ଉତ୍ତର ପ୍ରଦେଶର ଏକ ସରକାରୀ ସଂସ୍ଥା ‘ଉତ୍ତର ପ୍ରଦେଶ ବ୍ରଜ ତୀର୍ଥ ବିକାଶ ପରିଷଦ’ ମଥୁରାଠାରେ ଭାରତର ପ୍ରଥମ ‘କାଓ କଲ୍‌ଚର ମ୍ୟୁଜିୟମ୍‌’ ବା ଗାଈ ସଂସ୍କୃତି…

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ପାଖ ବିଦେଶ

ବାଂଲାଦେଶ ଜାତୀୟ ନିର୍ବାଚନରେ ଭୋଟ ହୋଇଥିବା ୨୯୯ ଆସନ ମଧ୍ୟରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନ୍‌ପି) ଏକାକୀ ୨୦୯ ଆସନ ପାଇଥିବା ବେଳେ ସହଯୋଗୀଙ୍କୁ ମିଶାଇଲେ ସଂଖ୍ୟା ୨୧୨…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri