ପରିସ୍ଥିତିର ଦାସ

ରୁଷିଆ-ୟୁକ୍ରେନ ଯୁଦ୍ଧ ଡିସେମ୍ବର ୨୧ରେ ଏକ ଭିନ୍ନ ଚିତ୍ର ତୋଳିଛି। ୨୦୦୧ ସେପ୍ଟେମ୍ବର ୧୧ (୯/୧୧)ରେ ଓସମା ବିନ୍‌ ଲାଡେନ୍‌ଙ୍କ ସଙ୍ଗଠନ ଅଲ୍‌-କାଏଦା ଆମେରିକାର ବିଶ୍ୱ ବାଣିଜ୍ୟ କେନ୍ଦ୍ର (ଡବ୍ଲ୍ୟୁଟିସି)ର ଦୁଇଟି ଟାଓ୍ବାର ଉପରେ ଆକ୍ରମଣ କରି ବ୍ୟାପକ କ୍ଷତି କରିଥିଲା। ଡିସେମ୍ବର ୨୧ରେ ୟୁକ୍ରେନର ଡ୍ରୋନ୍‌ ମସ୍କୋଠାରୁ ୮୦୦ କିଲୋମିଟର ପୂର୍ବରେ ଥିବା କାଜାନ ସହରର ଦୁଇଟି ଅଟ୍ଟାଳିକାକୁ ଯେଭଳି ଢଙ୍ଗରେ ଆକ୍ରମଣ କଲା ତାହା ୯/୧୧ର ଭ୍ରମ ସୃଷ୍ଟି କରିଛି। ଆବାସିକ କମ୍ପ୍ଲେକ୍ସ ଥିବା ଉକ୍ତ ବିଲ୍ଡିଂ ଉପରେ ଆକ୍ରମଣ ଯୋଗୁ ଅଗ୍ନିପିଣ୍ଡୁଳା ସୃଷ୍ଟି ହେବା ସହ ଧୂଆଁ ଉଠିଥିବା ଦେଖାଯାଇଥିଲା। ତେବେ ଲୋକଙ୍କୁ ସେଠାରୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା। ଯେଉଁ ୮ଟି ଡ୍ରୋନ୍‌ ୟୁକ୍ରେନ ପକ୍ଷରୁ ଆକ୍ରମଣ କରାଯାଇଥିଲା, ସେଥିମଧ୍ୟରୁ ୬ଟି ଆବାସିକ ଅଟ୍ଟାଳିକା ଓ ଗୋଟିଏ ଶିଳ୍ପ ସଂସ୍ଥାକୁ ଟାର୍ଗେଟ କରିଥିବା ବେଳେ ଅନ୍ୟଟିକୁ ନଦୀରେ ଖସାଇ ଦିଆଯାଇଥିବା ରୁଷିଆ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।
ଏବେ ବିଶ୍ୱବ୍ୟାପୀ ଚର୍ଚ୍ଚା ହେଉଛି ଯେ ରୁଷିଆର ଗୋଇନ୍ଦା ସଂସ୍ଥା ଓ ସାମରିକ ବାହିନୀ ଶକ୍ତିଶାଳୀ ଥିବା ସତ୍ତ୍ୱେ ୟୁକ୍ରେନ୍‌ କିଭଳି ତା’ ଲକ୍ଷ୍ୟ ହାସଲ କରିବାରେ ଲାଗିଛି। ବିଶେଷଜ୍ଞଙ୍କ ମତରେ ଯୁଦ୍ଧ ଯୋଗୁ ରୁଷିଆ ଅର୍ଥନୀତି ଦୁର୍ବଳ ହୋଇ ଚାଲିଛି । ୨୦୨୨ ଫେବୃଆରୀ ୨୪ରେ ରୁଷିଆ ଯେତେବେଳେ ୟୁକ୍ରେନ ଉପରେ ଆକ୍ରମଣ କଲା ସେତେବେଳେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ କହିଥିଲେ, ଏହି ଯୁଦ୍ଧ ମାତ୍ର ୭ ଦିନରେ ଶେଷ ହୋଇଯିବ। ଦେଖିଲା ବେଳକୁ ଦୁଇ ଦେଶ ମଧ୍ୟରେ ସଂଘର୍ଷ ଡିସେମ୍ବର ୨୪ରେ ଦୁଇ ବର୍ଷ ୧୦ ମାସ ଅତିକ୍ରମ କରିବ। ପୁଟିନ୍‌ଙ୍କ ଅହଂ ଥିଲା ଯେ ବିଶ୍ୱର ଅନ୍ୟତମ ଶକ୍ତିଶାଳୀ ରାଷ୍ଟ୍ର ରୁଷିଆ ନିକଟରେ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିରି ଜେଲେନସ୍କି ଆତ୍ମସମର୍ପଣ କରିବେ। ଯୁଦ୍ଧର ଆରମ୍ଭରେ ରୁଷିଆ ତା’ର ନିଜସ୍ବ ସୈନ୍ୟଙ୍କୁ ବ୍ୟବହାର କରି ନ ଥିଲା। ଦୁଇ ବର୍ଷ ପୂର୍ବେ ଅଧିକାଂଶ ଲଢ଼େଇରେ ୟେଭଗେନି ପ୍ରିଗୋଝିନ୍‌ଙ୍କ ନେତୃତ୍ୱାଧୀନ ଓ୍ବାଗନର ଗୋଷ୍ଠୀ ୟୁକ୍ରେନ ସହିତ ଯୁଦ୍ଧ କରୁଥିଲା। ଏବେ ମତ ପ୍ରକାଶ ପାଉଛି ଯେ, ପୁଟିନ ମୁଣ୍ଡ ନୂଆଁଇବା ପାଇଁ ୟୁକ୍ରେନ ପରିବର୍ତ୍ତେ ଆମେରିକା ଓ ଅଧିକାଂଶ ପାଶ୍ଚାତ୍ୟ ଦେଶକୁ ଦାୟୀ କରିହେବ। ଏଭଳି କହିଲା ବେଳକୁ ମନେରଖିବା ଦରକାର ଯେ, ରୁଷିଆ ପାଇଁ ଉତ୍ତର କୋରିଆରୁ ସୈନ୍ୟ ଯୋଗାଡ଼ କରିବାକୁ ପଡ଼ୁଛି। ଅପରପକ୍ଷରେ ୟୁକ୍ରେନରେ ରୁଷିଆ ବିରୋଧରେ ଲଢ଼ିବା ସକାଶେ କୌଣସି ବିଦେଶୀ ସୈନ୍ୟଙ୍କର ଉପସ୍ଥିତି ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ। କେବଳ ଅତ୍ୟାଧୁନିକ ଅସ୍ତ୍ର ପାଇଗଲେ ଯେକୌଣସି ଦେଶ ରୁଷିଆ ଭଳି ବିଶ୍ୱର ଅନ୍ୟତମ ଶକ୍ତିଶାଳୀ ଦେଶକୁ ନୁଆଁଇ ଦେଇପାରିବା ସମ୍ଭବପର ହେବ ନାହିଁ। ଏଥିରୁ ପ୍ରମାଣିତ ହେଉଛି ଯେ, ୟୁକ୍ରେନବାସୀ ଓ ଜେଲେନସ୍କିଙ୍କର ଦୃଢ଼ ମନୋବଳ ଆଜି ବିଶ୍ୱର ଗୋଟେ ଶକ୍ତିଶାଳୀ ରାଷ୍ଟ୍ର ରୁଷିଆକୁ ଆଣ୍ଠେଇ ଦେଇପାରିଛି। ଏହି ପରିପ୍ରେକ୍ଷୀରେ କୁହାଯାଇପାରେ ଯେ, ମଧ୍ୟପ୍ରାଚ୍ୟରେ ଇସ୍ରାଏଲର ବିଜୟ ଶାନ୍ତି ପ୍ରତିଷ୍ଠା କରିବାରେ ସଫଳ ହେବା ଏକ ଦିବାସ୍ବପ୍ନ। କିନ୍ତୁ ଇସ୍ରାଏଲର ଉଭୟ ଲେବାନନ ଓ ସିରିଆରେ ସଫଳତା ଗୋଟେ ପଟେ ଇରାନକୁ ଦୁର୍ବଳ କରିଦେବା ସହିତ ସେହି ଅଞ୍ଚଳରେ ନୂଆ ପରିସ୍ଥିତି ସୃଷ୍ଟି କରିଛି।
ରୁଷିଆର ଅନେକ ନାଗରିକ ଯୁଦ୍ଧ ଚାହୁଁନାହାନ୍ତି ବୋଲି ସାଧାରଣରେ ପ୍ରକାଶ କରିବା ପରେ ପୁଟିନ ଦୁଇ ଦେଶ ମଧ୍ୟରେ ସଂଘର୍ଷ ବନ୍ଦ କରିବାକୁ ବାଟ ଖୋଜୁଛନ୍ତି। ଡିସେମ୍ବର ୨୦ରେ ବାର୍ଷିକ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ଭାଗ ନେଇ ପୁଟିନ କହିଥିଲେ ଯେ, ଯୁଦ୍ଧ ବନ୍ଦ କରିବା ସକାଶେ ସେ ସାଲିସ କରିବାକୁ ପ୍ରସ୍ତୁତ ଅଛନ୍ତି। ଏ ନେଇ ସେ ସଫେଇ ଦେବାକୁ ଯାଇ ଆହୁରି କହିଥିଲେ ଯେ, ରୁଷିଆ ଦୁର୍ବଳ ବୋଲି ଯେଉଁ ଗୋଟେ ହୁରି ପଡ଼ିଛି ତାହା ଆଦୌ ଠିକ୍‌ ନୁହେଁ। ସାମୟିକ ଯୁଦ୍ଧ ବିରତି ଅପେକ୍ଷା ସେ ସ୍ଥାୟୀ ସମାଧାନ ଆଣିବା ପାଇଁ ଏଭଳି ପ୍ରସ୍ତାବ ଦେଇଥିବା କଥା କହିଛନ୍ତି। ଏଥିରୁ ଯେକେହି ବୁଝି ନେବା ଦରକାର ଯେ ପୁଟିନଙ୍କ ଟାଣପଣରେ କେଉଁଠି ନା କେଉଁଠି ଅସ୍ବାଭାବିକତା ଲକ୍ଷ୍ୟ କରାଗଲାଣି। ଅନ୍ୟପକ୍ଷରେ ଜେଲେନସ୍କିଙ୍କ ଚରିତ୍ରକୁ ଦେଖିଲେ ସେ ମୁଣ୍ଡ ଟେକି ଚାଲିବାକୁ ପସନ୍ଦ କରୁଛନ୍ତି। ଜୀବନର ଆଦ୍ୟ ଅବସ୍ଥାରେ ଜଣେ ହାସ୍ୟ ଅଭିନେତା ଭାବେ ଜଣାଶୁଣା ଥିବା ଜେଲେନସ୍କି ନିଜେ ଓ୍ବାର୍‌ରୁମ୍‌ରେ ରହି ପ୍ରତ୍ୟକ୍ଷ ଯୁଦ୍ଧ ପରିଚାଳନା କରିବା ସହ ସୈନିକଙ୍କ ମନୋବଳ ବଢ଼ାଇ ଚାଲିଥିବାରୁ ସେ ୟୁକ୍ରେନବାସୀଙ୍କ ଅତି ପ୍ରିୟ ପାଲଟି ଯାଇଛନ୍ତି। ସେଥିପାଇଁ ସେଠାକାର ନାଗରିକ ଯୁଦ୍ଧରୁ ଯନ୍ତ୍ରଣା ପାଉଥିଲେ ମଧ୍ୟ ସବୁ ପ୍ରକାର ବଳ ଓ ବୁଦ୍ଧି ଖଟାଇ ରୁଷିଆକୁ ଉଚିତ ଜବାବ ଦେବାକୁ ଅଣ୍ଟା ଭିଡ଼ିଛନ୍ତି। କହିବାକୁ ଗଲେ ଶକ୍ତିଶାଳୀ ସେନା, ବିପୁଳ ଅର୍ଥର ଅଧିକାରୀ ଓ ସର୍ବୋଚ୍ଚରେ ଅଣୁ ଅସ୍ତ୍ର ଥିବା ସତ୍ତ୍ୱେ ଜନସମର୍ଥନ ନ ପାଇଲେ ଜଣେ ରାଜା ଯେଭଳି ଦୁର୍ବଳ ହୋଇଯାଆନ୍ତି, ପୁଟିନଙ୍କ ଅବସ୍ଥା ଆଜି ସେୟା। ଏଭଳି ପରିପ୍ରେକ୍ଷୀରେ ପୁଟିନଙ୍କ ଆଡ଼ୁ ଯୁଦ୍ଧାବସାନ ପାଇଁ ହେଉଥିବା ପ୍ରଚେଷ୍ଟା ନିଶ୍ଚିତ ଭାବେ ବିଶ୍ୱକୁ ଏକ ବାର୍ତ୍ତା ଦେଉଛି ଯେ, ସମସ୍ତଙ୍କ ମତକୁ ସମ୍ମାନ ନ ଜଣାଇ ନିଜ ଜିଦ୍‌ ଓ ଅହଂକାରକୁ ଚରିତାର୍ଥ କରିବାକୁ ଚହୁଁଥିବା କ୍ଷମତାଶାଳୀ ରାଜନେତା ମଧ୍ୟ ସମୟକ୍ରମେ ପରିସ୍ଥିତିର ଦାସ ପାଲଟିବାକୁ ବାଧ୍ୟ ହେବେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?